Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଦରିଦ୍ରତା ବନାମ ମାନବିକତା - ଧୃଵ ଚରଣ ବେହେରା

ଆଦିବାସୀ ଅଧୁସିତ ରାଜ୍ୟଟିଏ ଝାରଖଣ୍ଡ ଯୁଆଡେ ଗଲେ ଦେଖାଯାନ୍ତି ଆଦିବାସୀ ମାନଙ୍କର ବଂଶଧର । ସଭ୍ୟତାର ପୁନରୁଦ୍ଧାର ପରେ ମଧ୍ଯ ଶିକ୍ଷା ଦୀକ୍ଷାରୁ ବଞ୍ଚିତ ହୋଇ ଅଥର୍ବ ପଙ୍ଗୁ ଭଳି ଜୀବନଯାପନ କରୁଛନ୍ତି । ଏମାନେ ବଡ କର୍ମଠ, ଦୈନନ୍ଦିନ ପାଇଁ ଆହର ଖଞ୍ଜିବା ଏମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି । ଦୁଃଖ ଜର୍ଜରିତ ଜୀବନ ଓ ଦରିଦ୍ରତା ର କଷା ଘାତରେ ଯନ୍ତ୍ରଣାର ଢେଉ ସବୁବେଳେ ଏମାନଙ୍କ ଭାଗ୍ଯ ଆକାଶରେ ଦୋଳାୟମାନ କଳାବାଦଲ ପରି ଘୁରି ବୁଲୁଥାଏ ।ସତେ ଯେମିତି ଇତିହାସର ନଅଙ୍କ ଦୁର୍ଭିକ୍ଷ ମାଡି ଆସି ଏମାନଙ୍କୁ ତାର କରାଳ ଚାପରେ ଚାପିଦେଲା ପରି ମନେହୁଏ । ମୁଁ ଚାକିରୀ କରୁଥାଏ ହଜାରୀବାଗ ରେ ତା:୧୨/୦୮/୧୮ ସମୟ ସକାଳ ପ୍ରାୟ ୧୦:୩୦ ମିନିଟ୍ ତରବର ହୋଇ ଅଫିସକୁ ଯିବା ବାଟରେ ଦେଖିଲି ଗୋଟିଏ ଛୋଟ ଶିଶୁ ଟିଏ ବୟସ ମାତ୍ର ୬ ବର୍ଷ କିମ୍ବା ୭ବର୍ଷ ହେବ । ଗେଟ୍ ର ସମୁଖ ଭାଗରେ ବସିଛି । ଧଳାରଙ୍ଗର ଗୋଟିଏ ଜାମା ସହିତ ଗୋଟିଏ ଜିନସ୍ ପେଣ୍ଟ ପିନ୍ଧିଥାଏ ଗୋଡରେ ତାର ନାଲି ରଙ୍ଗର ଚପଲ ହଳେ ଥାଏ ତାହା ସହିତ ସାଥିରେ ଆଲୁମୁନିୟମ ବାଲଟିରେ କିଛି ସମୟ ପୂର୍ବରୁ ସଂଙ୍ଗୃହିତ ମହୁ ଧରି ଗୋଟିଏ ଜାମୁକୋଳି ଗଛ ତଳରେ ତାର ଛୋଟିଆ ହାଟ ଟିଏ ବସାଇ ଗ୍ରାହକ ମାନଙ୍କର ପଥକୁ ଅପଲକ ନୟନରେ ଚାହିଁ ରହିଥାଏ । ଡାକୁଥାଏ ସାର୍ ଆସନ୍ତୁ ଦେଖାଯାନ୍ତୁ ମହୁ ସବୁଠୁ ବଢିଆ ଜିନିଷ ଖାଇକି ଥରେ ଦେଖନ୍ତୁ କେମିତି ଲାଗୁଛି ।ଛୋଟ ଛୁଆ ସିନା ଗ୍ରାହକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାର କଳା ସତେ ଯେମିତି ଭଗବାନ ତାର ହୃଦରେ ଲେଖି ଦେଇଛନ୍ତି । ଏହି ସମୟରେ ମୁଁ ତାର ନିକଟବର୍ତ୍ତୀ ହୋଇଗଲି ।ହସ ହସ ମନରେ ସେ ମୋତେ ଦେଖି ଅନେକ ଖୁସି ହୋଇଗଲା ।ସତେ ଯେମିତି ଅନେକ ଦିନର ମୋର ପରିଚିତି । ସାର୍ ଆପଣଙ୍କ ମହୁ ନେବେକି ଭଲମହୁ ନେଇଯାନ୍ତୁ । ଯାହା କି ଘର ପାଇଁ ଅତି ଦରକାରୀ ।ନେଇଥାନ୍ତୁ ମୋ ଠାରୁ ଏହି ମଧୁ ଖୁବ୍ ଶସ୍ତା ଦାମ୍ ରେ ଦେବି ମାତ୍ର ୧୫୦ ଟଙ୍କା କେଜି । ଆପଣଙ୍କ ପାଖେ ଯଦି ବୋତଲ ନାହିଁ ମୁଁ ବୋତଲ ଆଣିଛି ।କେତେ କେଜି ଦରକାର, ଦେବି କି ଦେବି ନାହିଁ, କୁହନ୍ତୁ ନାଁ ସାର୍ ।ଛୋଟ ବୟସର ପିଲାଟି ସିନା ମୁହଁରେ ତାର ବ୍ୟବସାୟୀଙ୍କ ଭଳି ଗ୍ରାହକ ମାନଙ୍କୁ ନିଜ ଆଡକୁ ଟାଣିବାକୁ ଅନେକ କଥା ଓ ପ୍ରଶ୍ନ । ଏମିତି ଏକ ବୟସରେ ଖେଳକୁଦ ଜୀବନ ଅତିବାହିତ କରିବା ପ୍ରତି ବଦଳରେ ଆଜି ନିଜର ଶିକ୍ଷା ଦିକ୍ଷା ହରାଇ ଦୁନିଆଁ ଦାଣ୍ଡରେ ଜଣେ ଟିକି ମଧୁ ବ୍ୟବସାୟୀ ଭାବେ ନିଜକୁ ପରିଚିତ କରାଇ ପାରିଛି କହିଲେ ଭୁଲ୍ ହୋଇଯିବ କାରଣ ତାର ଅଭାବ ଅନାଟନ ତାକୁ ଏମିତି ରାସ୍ତା କୁ ଟାଣି ନେଇ ଜୀବନର ଅଙ୍କା ବଙ୍କା ମୋଡ ଉପରେ ବସାଇ ଦେଇଛି ଯେ ସେ ନିଜକୁ ନିଜେ ବି ଚିହ୍ନି ପାରୁନାହିଁ । ହୁଏତ ତା ପାଇଁ ତାର ଅଭାବି ବାପା ମାଆ ଦାୟୀ ହୋଇ ପାରନ୍ତି । ଆଜି ତାର ଖେଳିବା ପଢିବା ବୟସ ହଜି ଯାଇଛି ଅଭାବି ବାପା ମାଆ ଭାଇ ଭଉଣୀଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ବୋଧହୁଏ ନିଜକୁ ଜଣେ ଶିଶୁ ଶ୍ରମିକ ଭାବେ ପରିଚିତ କରାଉଛି । ଦରିଦ୍ରତା ର କଷାଘାତରେ ମଣିଷ ତାର ନିଜସ୍ବ ହରାଇ ବସିଥାଏ । ଗୋଟିଏ ଦୃଷ୍ଟି କୋଣରୁ ଏହା ଭଗବାନ ପ୍ରଦତ କହିଲେ ଅତ୍ୟୁକ୍ତି ହେବନାହିଁ ।ତେଣୁ କୁହାଯାଏ "ସମୟ ଠୁ ଆଗ ଆଉ ଭାଗ୍ଯ ଠାରୁ ବଡ" କେହି ନୁହଁ । ଏମିତି ବି ଶାସ୍ତ୍ର ରେ ବି ଲେଖା ଅଛି "ପିତା ମାତାଙ୍କ ସଂଯୋଗ କାଳେ ବିହି ଯାହା ଲେଖିଲା କପାଳେ" ଅଙ୍କୁରିତ ବୟସରୁ ଏମିତି ଏକ ପରିଶ୍ରମ ଜୀବନକୁ ନେଇ ବଞ୍ଚିଥିବା ବକେଟ ପିଲା ପାଇଁ ଦାୟୀ କିଏ ତାର ବାପ ମାଆ ନାଁ ଆମର ସରକାର, ନାଁ ଗରିବ ରକ୍ତକୁ ଶୋଷଣ କରୁଥିବା ମଣିଷ ସମାଜ ? ସମ୍ବିଧାନ ଧାନର ଧାରା ୨୪ ଅନୁସାରେ ଶୋଷଣ ବିରୁଦ୍ଧି ଅଧିକାର ଅନୁସାରେ ୧୨ ବର୍ଷରୁ କମ୍ ବୟସର ଛୁଆ ମାନଙ୍କୁ କାମରେ ଲଗାଇଲେ ଆଇନ୍ ଅନୁଯାୟୀ ଅପରାଧ । ସ୍ଵାଧିନତାର ୭୧ ବର୍ଷର ସୁବର୍ଣ୍ଣ ଜୟନ୍ତୀ ଆଉ ୩ ଦିନ ପରେ ଦେଶ ପାଳନ କରିବ । ହେଲେ ଦାରିଦ୍ର୍ଯତାର ଚକ୍ରବ୍ୟୁହ ଭିତରେ ଆଜି ଏମିତି ଗରିବ ନିଷ୍ପେସିତ ଜୀବନ ଗୁଡିକ ବଞ୍ଚିବା ପାଇଁ ଜୀବନର ରହା ଖୋଜୁଛନ୍ତି ।

ଟିକି ପିଲାଟିର ମୁହଁରୁ ଅନେକ ପ୍ରଶ୍ନ ମୋ ପାଇଁ । ମୁଁ ଭାବିଲି ମୁଁ ବୋଧହୁଏ ତା ପାଇଁ ପହିଲି ଗରାଖ ଯାହା କି ପ୍ରଥମେ ତାର ଏହି ଟିକି ବ୍ୟବସାୟ ପାଇଁ ।ମୋ ପାଇଁ ହୁଏତ ତାହା ଟିକି ବ୍ୟବସାୟ କିନ୍ତୁ ସେହି ଗରିବ ପେଟର ଭୋକ ପାଇଁ ଏକ ବଡ ସମାଧାନ । ତାର ଏମିତି କାଉଲ ବାଉଲ କଥା ଟିକେ ମୋ ହୃଦୟକୁ ତରଳାଇ ଦେଲା ।ବିସ୍ମିତ ହୋଇ କିଛି ସମୟ ତାର ମୁହଁକୁ ଚାହିଁ ରହିଲି ।ପିଲାଟି ସେମିତି ମୋର ମୁହଁକୁ ଚାହିଁ ତାର ଜିନିଷର ବୈଶିଷ୍ଟ୍ୟ ଗୁଡିକ ବୁଝାଇ ଚାଲିଥାଏ । ତାର ଆଭଭାବ ଦେଖି ମୋ ମନରେ ଦୟା ଆସିଲା କାରଣ ସେତେବେଳକୁ ସେ ଛୁଆଟି ଏତେ ସୁନ୍ଦର କଥାବାର୍ତ୍ତା କରୁଥାଏ ଯେମିତି ସେ ମୋତେ ଆଗରୁ ଚିହ୍ନିଛି ଜାଣିଛି । ମୁଁ ପଚାରିଲି ଛୋଟୁ ତୁ ପାଠ ପଢୁ ନାହୁଁ ତୁରନ୍ତ ସେ ଉତରଦେଲା ନାହିଁ ।ଏତିକି ଶୁଣିଲା ପରେ ବିରସ ବଦନଟି ଦେଖାଯାଉଥାଏ ସତେ ଯେମିତି ଛାଡି ଦେଇଛି ଏକ ବିରାଟ ଶୂନ୍ଯସ୍ଥାନ ।ଯେଉଁଠି ତାର ଅଭାବକୁ ସମୟ ଚୋରି କରିଛି ।ମନଟା ତାର ମଉଳି ଗଲା ଆବାକ୍ ହୋଇ ସେହି ପିଲାଟି ମୋର ମୁହଁକୁ ଚାହିଁ ରହିଲା । ଅନ୍ୟ ଦୁଇ ଜଣ ଅପରିଚିତ ବ୍ଯକ୍ତି କିଛି ଦୂରରେ ତାର ଆବଭାବ କୁ ଦେଖି ହସୁଥାନ୍ତି । କିଛି କ୍ଷଣ ଆମ ବନ୍ଧୁତ୍ବ ଭିତରେ ତାର ଟିକି ଓଠର ସରଳ କଥା ମୋତେ କିଣି ନେଇଥାଏ ।ମୋର ମହୁ କିଣିବା ପାଇଁ ଇଛା ନଥିଲା ତଥା ସେପଟେ ଅଫିସ୍ ସମୟ ଗଡି ଯାଉଥାଏ । ଏମିତି ଏକ ସମୟ ଆସି ପହଁଞ୍ଚିଲା ତାର ସରଳ ପଣିଆ ଆଉ ଦରିଦ୍ରତାର ବିକଳ ଆକୁଳ ମିନତୀ ସେଦିନ ମୋତେ ଠାରୁ ମହୁ କିଣିବା ପାଇଁ ବାଧ୍ଯ କରିଥିଲା ।ମହୁକିଣି ସେଠାରେ ମୋର ଜଣେ ପରିଚିତ ଅନ୍ୟଜଣେ ବନ୍ଧୁଙ୍କ ନିକଟରେ ରଖିଦେଇ ମୁଁ ଅଫିସ୍ ଚାଲିଗଲି । ଅଫିସରୁ ଫେରିଦେଖିଲି ତାର ଶେଷ ଗ୍ରାହକଙ୍କ ସହିତ କାରବାର ଚାଲିଛି । ମୋତେ ଦେଖି ଛୋଟ ପିଲାଟି ତାର ଅନ୍ୟ ଗ୍ରାହକଙ୍କୁ ଦେଖାଇ କହି ପକାଉଥାଏ ପଚାରନ୍ତୁ ସେହି ସାହବଙ୍କୁ ସେ ବି ମୋଠାରୁ ପ୍ରଥମେ ନେଇଛନ୍ତି । ମୋତେ ଗ୍ରାହକ ଜଣଙ୍କ ପଚାରିଲେ ଆପଣ ଆଗେ ନେଇଛନ୍ତି ମହୁ ଏ ପିଲାଠାରୁ ମହୁ କେମିତି ଅଛି । ମୁଁ ତାଙ୍କୁ କହିଲି ବଢିଆ ଅଛି ।ଅମଙ୍ଗ ହେଉଥିବା ଶେଷ ଗ୍ରାହକ ଜଣଙ୍କ ମଧ୍ଯ ସେହି ଦରରେ ଉକ୍ତ ମହୁ କିଣିନେଲେ । ମୋର ଉଦେଶ୍ୟ ଥିଲା ଗରିବ ପିଲାଟି ଯେମିତି ହେଲେ ତାର ବେପାର ସାରି ଗାଆଁକୁ ଯାଉ । ବେପାର ସରିଲା ପିଲାଟି ତାର ସବୁ ସାମାନ ଉଠାଇ କାନ୍ଧରେ ପକାଇଲା ଗଲାବେଳକୁ ମୁଁ ତାକୁ ଆଉ ପଚାଶ ଟଙ୍କା ଅଧିକ ବଢ଼ାଇଦେଲି କିନ୍ତୁ ସେ ଗରିବ ପିଲାଟି ନେଲେନାହିଁ । କହିଲା ସାର୍ ଆପଣ ରଖନ୍ତୁ ମୁଁ କାହିଁକି ଅଧିକ ଆପଣଙ୍କ ଠାରୁ ପଚାଶ ଟଙ୍କା ନେବି ।ଆପଣ ମୋର ପ୍ରଥମ ଗ୍ରାହକ । ଆପଣଙ୍କ ହାତର ପ୍ରଥମ ବହନିଯୋଗୁଁ ମୋର ସବୁ ମହୁ ବିକ୍ରି ହୋଇଗଲା । ସମାନ ଏକାଠି କରି ଘରକୁ ଯିବା ପାଇଁ ବାହାରିଲା । ସେଠାରୁ ଗଲାବେଳେ ସେ ମୋତେ ପଛକୁ ଚାହିଁ ହାତ କୁ ହଲାଇ କହିଦେଲା, ସାର୍ ଆସୁଛି ବାଏ ବାଏ । କିଛି ଦୂର ଗଲା ପର୍ଯ୍ୟନ୍ତ ସେ ଟିକି ଛୁଆଟି ମୋତେ ଅନାଇ ଅନାଇ ଚାଲିଥାଏ । ଏହି ସମୟରେ ମୋର ଆଖିରୁ ସେହି ଅପରିଚିତ ଛୁଆଟିର ପାଇଁ ମୋର ହୃଦୟର ସ୍ପନ୍ଦନ ବଢିଯାଇ ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ମୋର ଦୁଇଟି ଆଖିକୁ ଭିଜାଇ ଦେଇଥିଲା । ଦୁନିଆଁ ପାଇଁ ସେ ଛୋଟ ପିଲା ହେଲେ କଣ ହେଲା ମୋ ପାଇଁ ସେ ଟିକି ବକେଟେ ଛୁଆ ସତେ ଯେମିତି ମାନବିକତାର ଏକ ଉଦାହରଣ । କଠିନ୍ ହୃଦୟ ନେଇ ବଞ୍ଚିଥିବା ମୁଁ ଜଣେ ସୈନିକ ଟିଏ ମୋ ଭିତରେ ସେ ଦିନର ସେ ଟିକି ପିଲାଟେ ପାଇଁ ମୋ ମନକୁ ସରଳତା ର ଶୀର୍ଷ କୁ ଛୁଇଁଲା ଭଳି ମନେହେଲା ।ନିଷ୍ପାପ ଶିଶୁଟି ଭିତରେ ଏଭଳି ସବୁ ବ୍ୟବହାର ତାର ଗରିବ ପଣିଆକୁ ହଟାଇ ଦେଇ ମାନବବାଦୀ ଚିନ୍ତା ଧାରାର ଧନୀ ପଣିଆକୁ ସୂଚିତ କରୁଥିଲା । କବିସୂର୍ଯ୍ଯ ବଳଦେବଙ୍କ ରଚନାର ଅମରଜୟୀ ପଂକ୍ତି ରେ ଲିପିବଦ୍ଧ ଅଛି- "ପଙ୍କରୁ କମଳ ଶକ୍ତିରୁ ମୌକ୍ତିକ ହୁଅଇ ସଦା ସମ୍ଭବ"


ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0 Comments