Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭ୍ରମଣ କାହାଣୀ - ମାନସ ପଟରେ ଅଭୁଲା ଆସର - ଧ୍ରୁବ ଚରଣ ବେହେରା


ପୁରୀ ଜିଲ୍ଲା ରେ ଥିଲା ଅଠରବାଟିଆ ବୋଲି ଗୋଟିଏ ଛୋଟ ଗାଆଁ ଯେଉଁଠି ମୁଁ ମୋ ମାଆ ଗର୍ଭ ରୁ ଭୂମିଷ୍ଠ ହୋଇଥିଲି । ବର୍ତମାନ ତହା ଖୋର୍ଦ୍ଧା ଜିଲ୍ଲା ରେ ଅବସ୍ଥିତ । ବାଲ୍ୟକାଳ ଜୀବନ ମୋର ଏହି ମଫସଲ ଅଞ୍ଚଳରେ ପାଣି ପବନ ଖାଦ୍ୟ ପୋଷାକ ପରିଧାନରୁ ଆରମ୍ଭ । ଯେଉଁଠାରେ ଥାଏ ଭାଈଚାରାର, ମାନବିକତା ସେହ୍ନ, ପ୍ରେମର ଅପୂର୍ବ ମିଳନର ଏକ ଜ୍ବଳନ୍ତ ଉଦାହରଣ । ଏହି ସରଳ ନିଷ୍କପଟ ସୁନ୍ଦର ପରିବେଶ ମୋତେ ଗଢିତୋଳିଛି । ଯାହା ବଳରେ ପ୍ରଭୁ ବାଳମୁକୁନ୍ଦ ଦେବଃଙ୍କ ଅପାର କୃପାରୁ ଜଣେ ଛୋଟିଆ କବିଭାବେ ନିଜକୁ ଆଜି ସମାଜରେ ପରିଚିତ କରାଇବା ପାଇଁ ମୋର ଏକ ଛୋଟିଆ ପ୍ରୟାସ ମାତ୍ର ।। ଅତୀତର ସେ ଶୈଶବ ଆଜି ହଜି ଯାଇଛି ହେଲେ ହଜି ଯାଇନି ଗାଆଁ ମାଟିର ବାସ୍ନା ।ପାଠପଢା ର ମଧ୍ଯମ ସୋପାନ ଅତିକ୍ରମ କରି ଭାରତୀୟ ସେନାର ପ୍ରତିରକ୍ଷା ବିଭାଗରେ ଆଜି ମୁଁ କାର୍ଯ୍ୟରତ । ଗୋଟିଏ ହାତରେ ବନ୍ଧୁକ ଉଠାଉଥିବା ଜଣେ ସୈନିକ ଅନ୍ୟ ହସ୍ତରେ ଲେଖନୀ ଉଠାଇ ସମାଜକୁ କିଛି ବାର୍ତ୍ତା ପ୍ରଦାନ କରି ପାରିବ ତାହା ମୋ ପାଇଁ ଥିଲା ସ୍ୱପ୍ନ । ଜଗତର ନାଥ ଜଗନ୍ନାଥଙ୍କ ପଦାରବିନ୍ଦ ରେ କୋଟି ପ୍ରଣାମ ଓ ମା ବାକ୍ ଦେବୀ ଅପାର କରୁଣାରୁ ଆଜି ମୋତେ ଏହି ସୌଭାଗ୍ଯ ମିଳିଥିବାରୁ ମୁଁ ନିଜକୁ କୃତଜ୍ଞ ମନେ କରୁଛି । ଯାହାର ଜୀବନ ସବୁବେଳେ ସଂଙ୍କଟାପର୍ଣ୍ଣ କାହିଁ ବଣ ଜଙ୍ଗଲ ପାହଡ ପର୍ବତ ନଦୀ ଝରଣାର କୋଳେ ମାଟି ମାଆର ସେବାରେ ଉତ୍ସର୍ଗୀତ ସେ ଯେ ଦିନେ ଲେଖାଟିଏ ସମାଜର ହିତ ଲାଗି ଭେଟିଦେବ ତାହା ମୋ ପାଇଁ ଏକ ବିରଳ ଉଦାହରଣ ଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ ।। ଭାଷା ସାହିତ୍ୟକୁ ଭଲ ପାଉଥିବା ମୁଁ ଏକ ସରଳ ମଣିଷଟିଏ । ସେଦିନ ଥିଲା ୨୨।୦୭।୧୮ ମୋର ବଡଭାଇ କବି ମାନସ ରଞ୍ଜନ ପଟ୍ଟନାୟକ ମୋତେ ନିମନ୍ତ୍ରଣ କରିଥିଲେ ବନ୍ଦନା ସାହିତ୍ୟ ସଂସଦ ସାକ୍ଷୀଗୋପାଳ ପୁରୀ ଆନୁକୁଲ୍ୟରେ ଚାଲିଥିବା ସାହିତ୍ୟ ଆସରରେ ଯୋଗଦେବା ପାଇଁ । ମୁଁ ଗାଆଁରେ ଛୁଟି ଅତିବାହିତ କରୁଥାଏ ।ଏମିତି ଖବର ପାଇ ମୋ ମନରେ ଆନନ୍ଦ ସୀମା ଅମୃତ ସଂଚାର କଲାଭଳି ମନେହେଲା ।ଲାଗିଲା ଯାହାହେଉ କେଉଁ ଯୁଗରେ କଣ ପୂଣ୍ଯ କାମ କରିଥିଲି ଯାହା ବଳରେ ଗୋଟିଏ ପବିତ୍ର ମାଟିରେ ମୋର ଆଜି ପାଦ ପଡିବ ।ଅତୀତର ମୋର ସ୍କୁଲ ବେଳର କବିତା ମନେ ପଡି ଯାଉଥାଏ ରେଳ ଉପରେ ଚିଲିକା ଦର୍ଶନ ।ଅତି ରୋମାଞ୍ଚକର କବିତା ଯେଉଁ କବିତାକୁ ପାଠକଲେ ନିଜ ମାଟିର ବାସ୍ନା ବାରିହୁଏ ।।ସେହି ମହାପୁରୁଷଙ୍କ କାବ୍ୟ କବିତାରେ ଏମିତି ଦେଶଭକ୍ତି, ଜାତିପ୍ରାଣ ସମାଜ ପାଇଁ ନିଷ୍ଠା ମୂଳକ ସେବା ଅଗାଧ ମାତୃଭୂମି ଭକ୍ତି ତାହା ମଣିଷ ଜୀବନ ସାହିତ୍ୟର ଆତ୍ମା ଭଳି ମନେ ହୁଏ ।।

ଏମିତି ଏକ ସୁନାଝରା ମୂହୁର୍ତ୍ତ କୁ ମୁଁ ହାତଛଡ଼ା ନକରି ଯାଇ ପହଞ୍ଚି ଯାଇଥିଲି ସେହି ଅମର ମାଟିର ପୃଷ୍ଠ ଭୂମିରେ । ସାହିତ୍ୟ ଆସରରେ ଯୋଗଦେଇ ଏମିତି ଖୁସିର ଲହରୀ ଭିତରେ ହଜିଯାଇଥିଲେ ସୁଦ୍ଧା ମୋର ଶରୀରର ପ୍ରତିଟି ରକ୍ତ ବିନ୍ଦୁରେ ପ୍ରବାହିତ ହେଉଥିଲା ସେହି ଅମର ସାହିତ୍ୟିକ ତଥା ସମାଜସେବୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁରୁଣା ପଠିତ କବିତାର ପଂକ୍ତି ଟିଏ ରେଳ ଉପରେ ଚିଲିକା ଦର୍ଶନ କାବ୍ୟରୁ । "ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ,ଚିତ୍ର ମଣୁ ଜେଣୁ ନାହିଁ ଅନୁଭବ ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ " ।। ଏହି ସୁନାମଧନ୍ଯ ପଂକ୍ତି ମୋର ଶରୀରର ପ୍ରତିଟି ଶିରା ପ୍ରଶିରାରେ ରେ ପ୍ରବାହିତ ହେଉଥାଏ । ବାଳକ ବେଳର ଶିକ୍ଷା କଲା ବେଳେ ପଢିଥିଲି ଏହି କବିତା ଆଜି ଯୁବାବସ୍ଥା ସେ ଅତୀତର କାବ୍ୟ ଓ କାହାଣୀରୁ ସାଉଁଟୁଛି ଖାଲି ବାସ୍ତବତା ।ଯାହା କି ସାକ୍ଷୀଗୋପାଳର ମାଟିରେ ମୁଁ ଅନୁଭବ କଲି ।ସାହିତ୍ୟ ଆସରର ଶେଷରେ ମୁଁ ଓ ମୋର ବଡ ଭାଇ ବିଶିଷ୍ଟ ସାହିତ୍ୟିକ ମାନସ ରଞ୍ଜନ ପଟ୍ଟନାୟକ ଓ ଅନ୍ଯ ଜଣେ ବିଶିଷ୍ଟ ସାହିତ୍ଯିକ ତଥା କଳାକାର ପ୍ରହଲ୍ଲାଦ ବେହେରାଙ୍କ ସାଙ୍ଗରେ ବକୁଳବନ ବିଦ୍ୟାଳୟ ପରିଭ୍ରମଣ କରିବାକୁ ଗଲୁ ସଂନ୍ଧ୍ଯା ର ଆଗମନରେ ସୂର୍ଯ୍ୟ ଅସ୍ତଗାମୀ ହେଉଥାନ୍ତି ସାଂନ୍ଧ୍ଯା ଗୋଧୂଳିର ରକ୍ତିମ କିରଣରେ ବିଦ୍ୟାଳୟର ପୁରା ପରିବେଶ ସବୁଜିମା କୁ ନେଇ ଏମିତି ଝଟକୁ ଥାଏ ସତେ ଯେମିତି ଏକ ଐଶ୍ବରିକ ରଶ୍ମିରେ ଆଛାଦିତ ହୋଇଅଛି । ବିଦ୍ୟାଳୟଟି ଯେତିକି ରମଣୀୟ ଲାଗୁଥାଏ ସେତିକି ଜୀବନ୍ତର କାହାଣୀ ସବୁ ମନେ ପଡୁଥାଏ ।ନୀଳ ଗଗନର ଓଢଣା ତଳରେ ବିଦ୍ୟାଳୟଟି ମୋର ମନେ ହେଉଥାଏ ସତେ ଏକ ସାହିତ୍ୟିର ଝରଣା ଏହି ମାଟିରେ ଏବେ ବି ପ୍ରବାହିତ । "କର୍ପୂର ସିନା ଉଡି ଯାଇଛି ହେଲେ କନା ଏବିବି ସେଠାରେ ମହମହ ହୋଇ ବାସୁଛି।" ।ପ୍ରଥମେ ଆମେ ବିଦ୍ୟାଳୟର ମୂଖ୍ଯ ମାର୍ଗରେ ପ୍ରବେଶ କରିବା ମାତ୍ରେ ଦେଖିବାକୁ ପାଇଲୁ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି । ମଥାନତ ପ୍ରଣାମ କରି ଆରମ୍ଭ କଲୁ ଏହି ଟିକି ଯାତ୍ରା । ସମାଧି ବାମରୁ ପଣ୍ଡିତ ଗୋଦାବରୀଶ ମିଶ୍ର ମୋ ମାଟି ପାଇଁ ଯିଏ ଗର୍ବ ଓ ଗୌରବ ଯାହାଙ୍କ ଘର ବାଣପୁର, ଇତିହାସର ଏକ ଗଡ ।ଯେଉଁଠି ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ ଯାହା ସିପାହୀ ବିଦ୍ରୋହର ଚାଳିଶ ବର୍ଷ ପୂର୍ବରୁ ବଳ ବତର ଥିଲା (୧୮୧୭) ।ଦିତୀୟ ରେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ତୃତୀୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଯିଏ କି ଓଡିଆ ସମାଜର ପ୍ରାଣ ,ଆଚାର୍ଯ୍ଯ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏମିତି ବଳିଆନ୍ ବ୍ୟକ୍ତିତ୍ବଙ୍କ ଚରଣରେ କୋଟି ପ୍ରଣାମ କରି ପାଦଧୂଳି ନେଇ ମୁଣ୍ଡରେ ବୋଳି ନିଜକୁ ଭାଗ୍ୟବାନ ମନେକଲୁ । ସବୁଜିମା ରାଜିର ଚମତ୍କାର ପରିବେଶ ସୁ ଶୀତଳ ପବନ ବକୁଳ ବୃକ୍ଷର ସମାହାର ବିଦ୍ୟାଳୟର ଶୋଭାକୁ ଦ୍ବିଗୁଣିତ କରୁଥାଏ ।ପକ୍ଷୀର କାକଳି ସୁ ଉଚ୍ଚ ଦେବଦାରୁ ଗଛର ଆକାଶ ମୁହାଁ ଛବି ନେତ୍ର କୁ ବେଶ୍ ଶୋଭାବର୍ଦ୍ଧନ କରୁଥାଏ । ସତେ ଯେମିତି ଏହି ବିଦ୍ୟାଳୟଟି ଅତୀତର ଅନେକ ଜୀବନ୍ତ କବିତା ଆକାଶକୁ ଅପଲକ ଚାହାଣିରେ ଗାଇ ଶୁଣାଇ ଚାଲିଛି ଏହି ମହାପୁରୁଷ ମାନଙ୍କର ଅମର ପୃଷ୍ଠାରୁ । ତାପରେ ଡାହଣ ଦିଗକୁ ଗଲାପରେ ଦେଖିବାକୁ ପାଇଲୁ ଉତ୍କଳର ମଣି ମଣିଷ ତିଆରି କାରଖାନା ର ପୃଷ୍ଠ ପୋଷକତାଙ୍କ ସଲିଳ ସମାଧି ଯେଉଁଠାରେ ଲିଖିତ ଥିଲା "ମିଶୁମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ " ଦେଶ ଓ ଜାତି ପାଇଁ ଏମିତି ସମର୍ପଣ ଭାବନାକୁ ପଢି ସେଠାରେ ଲୋମ ଟାଙ୍କୁରି ଯାଉଥାଏ ଭାବ ପ୍ରବଣତାର ସହ ଆଖିରୁ ଦୁଇ ଟୋପା ଲୁହ ଝରି ଯାଇଥିଲା । ସେହିଠିକୁ ଲାଗିରହିଥାଏ ସୁନ୍ଦର ଚାଳଘରଟିଏ ନଡାଛପର ଥିବା ଏହି କୁଟୀର ଆଜିବି ତାକୁ ସାଇତା ହୋଇ ରଖା ଯାଇଛି ।ଯେଉଁଠି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ନିଜେ ରହୁଥିଲେ ।ରମ୍ୟମୟ ବଉଳ ଗଛଟି ସେମିତି ସେ ସମୟରୁ ଆଜି ବି ଦଣ୍ଡାୟମାନ ଅବସରରେ ଚାହିଁଅଛି ଆଗନ୍ତୁକ ଅତିଥି ମାନଙ୍କୁ ଭେଟିଦେବା ପାଇଁ କୁଟୀରର କାହାଣୀ ।। ମହାତ୍ମାଗାନ୍ଧୀ ଏହି ବିଦ୍ୟାଳୟ ପରିଭ୍ରମଣ ରେ ଆସି ଲେଖି ଯାଇଥିଲେ " ଏହା ବିଦ୍ୟାଳୟ ନୁହେଁ ଏହା ହେଉଛି ମଣିଷ ତିଆରି କାରଖାନା " (It is not a School It is a Man making Industry ) ସେହି କ୍ରମରେ ଡାହାଣକୁ ଗଲେ ବିଦ୍ୟାଳୟ ଗୃହ ପ୍ରକୋଷ୍ଠ ସୁନ୍ଦର ସୁ ଉଚ୍ଚ ଦେବଦାରୁ ଶୋଭା ବିଦ୍ୟାଳୟ ସମୁଖ ଭାଗକୁ ଖୁବ୍ ସୁନ୍ଦର କରି ପକାଉଥାଏ । ଘର ଗୁଡିକର କାନ୍ଥ ଗୁଡିକ ଏତେ ମଜବୁତ୍ ଓ ଚଉଡ଼ା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏହି ବିଦ୍ୟାଳୟଟିର ଅଗ୍ରଗତି ପାଇଁ ଆର୍ଥିକ ସାହାଯ୍ଯ ତତକାଳୀନ ପାରଳାଖେମୁଣ୍ଡି ରାଜା ସାହିତ୍ୟ ଭାଷାର ସଂଯୋଗ ରକ୍ଷାକାରୀ ଓଡିଆ ସାହିତ୍ଯର ଅନନ୍ଯ ପ୍ରତିଭା ତଥା ସ୍ଥାପନା ରକ୍ଷାକାରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାନ ଅତୁଳନୀୟ ଅଟେ । ବିଦ୍ୟାଳୟର ସାମ୍ନାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦଣ୍ଡାୟମାନ । ଏମିତି ଏକ ମୂହୁର୍ତ୍ତ ପାଇ ସେ ସେଦିନ ସାହିତ୍ୟ ଆସର ଓ ବକୁଳବନର ଭ୍ରମଣ କାହାଣୀ ମୋ ମାନସ ପଟରେ କେତେ ଯେ ଭାବନା କଳ୍ପନା ଭରିଦେଇ ଥିଲା ତାହା ମୃତ୍ୟୁ ପର୍ଯ୍ୟନ୍ତ ଭୁଲିବା କଷ୍ଟକର ।ତା ପରେ ଆମେ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ମନ୍ଦିରର କାରୁକାର୍ଯ୍ଯ ଉପଭୋଗ କଲାପରେ ଭ୍ରମଣ କାହାଣୀ କୁ ଚିରଦିନ ଲାଗି ମାନସ ପଟରେ ଏକ ଅମରତ୍ବ ଯାତ୍ରା ଭାବେ ମନ ଆଇନାରେ ସ୍ଥାନ ଦେଇଥିଲି ।
ଭୁଲି ପାରିବିନି ମାନସ ପଟରୁ
ବକଳ ବନର ଶୋଭା
ଅମରତ୍ବ ତାର କାହାଣୀ କବିତା
କାଳଜୟୀ ସେ ପ୍ରତିଭା ।।
ବନ୍ଦନା କରୁଛି ସେ କାରଖାନାକୁ
ଗଢଇ ଯିଏ ମଣିଷ
ଉତ୍କଳ ଭୂମିରେ ହେ ଉତ୍କଳମଣୀ
ଉତ୍କଳେ ରଖିଲା ଟେକ ।।
ସେ ଦିନର ମୋର ସାହିତ୍ୟ ଆସର
ସ୍ମୃତିରେ ଅଲିଭା ଗାର
ନମସ୍ତେ ନମସ୍ତେ ସାକ୍ଷୀଗୋପାଳ ହେ
ତୁମ ଚରଣେ କୋଟି ଜୁହାର ।।


ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

1 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକ8/06/2018

    ଖୁବ ସୁନ୍ଦର ଅନୁଭୁତିର ଅବତାରଣା

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।