Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋତେ ପରା ତୁ ଦରକାର - ସୁଶ୍ରୀ ଦୀପିକା ମିଶ୍ର

ସକାଳୁ ସକାଳୁ ଆଖି ଖୋଲୁଖୋଲୁ
ମନରେ ଭାବନା କରେ ଘର,
ଚାଲିବାକୁ ଅଛି ଅନେକ ପଥ ଯେ
ପ୍ରଶ୍ନ ନାହିଁ ଜମା ଥକିବାର
ମୋ ଧନରେ .....
ତୋ ହାତ ନଧରି ଚାଲିବି କେମିତି
ତୁ ତ ଧନରେ ପ୍ରଶ୍ବାସ ମୋର
ସେଇ ପ୍ରଶ୍ବାସକୁ ପ୍ରାଣେ ଥାପିବାକୁ
ମାେତେ ପରା ତୁ ଦରକାର । ୧

ବିରାଟ ସଂସାର ନାହିଁ ଥଳକୂଳ
ମିତ୍ର ଶତ୍ରୁ ଜଣାପଡେ ନାହିଁ
ଭାବରେ ଗରିବ ଅଭାବରେ ଧନୀ
ଅଧର୍ମର ଜମା କ୍ଷୟ ନାହିଁ
ମୋ ସୁନାରେ ....
ସଂସାର ସ୍ରୋତ ପ୍ରତିକୂଳ ଏଠି
ନାଉରୀ ତୁହି ମୋ ଜୀବନର
ଜୀବନ-ତରୀ ମୋ ବାହିବା ପାଇଁକି
ମୋତେ ପରା ତୁ ଦରକାର ।
ମୋର ତୁ ହିଁ ତୁ ଦରକାର । ୨

ଶତ୍ରୁଘେରରେ ଅଛି ମୁଁ ସଖାରେ
ଥରିଉଠେ ଛାତି ହେଉଛି ଦୁଃଖୀ
ମାୟାବୀ ଗହଣେ ନିଛାଟିଆ ଲାଗେ
ଉଦାସ ପରାଣ ତୋତେ ନଦେଖି
ମୋ ଗେହ୍ଲାରେ.....
ତୁ ଥିଲେ ପାଶେ ସାତ ସିନ୍ଧୁ ଦୁଃଖ
ଛୁଇଁ ନପାରଇ ମନ ମୋର
ପାଇବାକୁ ଦିବ୍ୟ ଆଲୋକର ରେଖା
ମୋତେ ପରା ତୁ ଦରକାର
ମୋର ତୁ ହିଁ ତୁ ଦରକାର । ୩

ଭସାମେଘ ଖଣ୍ଡେ ଆକାଶେ ଦେଖିଲେ
ତୋ ଚକାଆଖିକୁ ମୋ ଆଖି ଖୋଜେ
ରକ୍ତ ବିଭୀଷିକା ଈର୍ଷା ଦେଖିଲେ
କମ୍ପିତ ଆତ୍ମା ତୋଥେ ରେ ହେଜେ
ମୋ ସାଥୀରେ...
ବାଷ୍ପୀୟ ଗଳାରେ ତୋତେ କେତେ ଡାକେ
ଶୁଭୁୁନି କି ମୋର ରୁଦ୍ଧ ଚିତ୍କାର
ତୋ ସ୍ନେହ ବିନା ବଞ୍ଚିବି କେମିତି
ମୋତେ ପରା ତୁ ଦରକାର ।
ମୋର ତୁ ହିଁ ତୁ ଦରକାର ।


ସୁଶ୍ରୀ ଦୀପିକା ମିଶ୍ର, ଭୁବନେଶ୍ବର

Post a Comment

0 Comments