Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ରାକ୍ଷୀ - ପରମିତା ମିଶ୍ର

ଶିଖା କୁ ସେଦିନ ଠୁ ଆଉ କେହି ଦେଖିନଥିଲେ । ଯେମିତି ରାତାରାତି କୁଆଡେ ଗାୟବ ହୋଇଗଲା ସେ । ଗୋଟିଏ କ୍ଷଣରେ ଯେମିତି ସମସ୍ତଙ୍କ ଭାଷା ହିଁ ବଦଳି ଗଲା । ପଚାରିଲେ କୁହନ୍ତି ମାମୁ ଘରେ ରହୁଛି । କେଜାଣି କେତେ ଶ୍ରାବଣ ଗଲା ହେଲେ ଶିଖା ଆଉ ଫେରିଲାନି । ଘରେ କେହି ନଥିଲା ବେଳେ ଶିଖାର ବୋଉ ଘୁମୁରି ଘୁମୁରି କାନ୍ଦନ୍ତି । ହେଲେ ଶିଖାର ବାପା ଓ ସେ ଚାରି ଭାଇ ଯେମିତି ପଥର ପାଲଟି ଗଲେ, କିଛି ବି ଫରକ୍ ପଡୁନଥିଲା ତାକୁଂ ଶିଖା ମରେ ବା ଜିଏଁ ।

ଡଉଲଡାଉଲ ଚେହରା, ସଜ ଫୁଟା ଫୁଲ ପରି ରୁପ, ଯୌବନ ର ପ୍ରଥମ ପାହାଚ, କିଏ ବା ମୋହିତ ନ ହେବ ତା ରୁପରେ । ଗାଁ ର ଜବାନ ପିଲାମାନେ ଘଡିଏ ଅନେଇ ବସନ୍ତି। ସେ ବର୍ଷ କୁ ସତର ପୁରି ଅଠର ଚାଲିଥିଲା ଶିଖାକୁ । ଘରେ କଥା ହେଉଥିଲେ ତା ବାହାଘର ପାଇଁ । ଭାରି ସରାଗ ରେ ଅନେଇ ରହିଥାଏ ସେ ରାକ୍ଷୀ ପୁର୍ଣ୍ଣିମା କୁ। ରାକ୍ଷୀ ବାନ୍ଧି ଦେଇ ହାତ ବଢେଈ ଜାହା ଇଚ୍ଛା ତାହା ମାଗିନିଏ । ହେଲେ ଏ ଥର ରାକ୍ଷୀ ବାନ୍ଧି ସାରି ଆଉ କିଛି ମାଗିଲାନି । ଭାଇ ମାନେ କେତେ ପଚାରିଲାରୁ ରାଗି କି କହିଲା, ମତେ ତ ଏଘରୁ ତଡିବା ବ୍ଯବସ୍ଥା କରିଦେଲଣି, ହେଲେ ଦବୁ ଯଦି ମତେ କଥା ଦିଅ ତମେ ମାନେ ଆମ ବାପା ଓ ମାଁ କୁ କେବେ ବୃଦ୍ଧାଶ୍ରମ ରେ ଛାଡିବୁନି । ତ ବଡ ଭାଈ କହିଲା ହଉ ଲୋ ହୁଣ୍ଡି ତୋ କଥା ହେଲା ହେଲେ ତୁ ବି କହ ଯେ ଯୋଉ ଘରକୁ ଯିବୁ ସେଠି ତୋ ଶାଶୁ, ଶ୍ବଶୁର କୁଂ କେବେ ବୃଦ୍ଧାଶ୍ରମ ରେ ଛାଡିବୁନି। ସମସ୍ତଙ୍କ ହସରେ ଘର ଟି ଫାଟି ପଡୁଥିଲା ।

ଗହ୍ମା ପୁର୍ଣ୍ଣିମା କୁ ଗାଁ ଯାତରା ହୁଏ । ଶିଖା କୁ ତ ରାତିରେ ବାହାରକୁ ଯିବାକୁ ମନା । ହେଲେ ସେ ଯିବା ପାଇଁ ଆତୁର ହୋଇ ବସିଛି । ବୋଉ କାନି ଧରିଧରି ଶେଷକୁ ଭାଇମାନେ ଶୋଇଲା ପରେ ପଡିଶା ଘର ଲାଲି ସହ ଯିବ ବୋଲି କଥା ଛିଡିଲା। ବୋଉ କାନେ କାନେ କହିଥିଲା ବେଶି ଡେରି କରିବୁନି ଝଅଟ ଆସିଯିବୁ। ହେଲେ ଲାଲି ଆସିବାକୁ ନାରାଜ। କହିଲା ତୁ ଗଲେ ଯା ମୁଁ ପୁରା ଯାତ୍ରା ସରିଲେ ଯିବି। କିଛି ଉପାୟ ନାହିଁ, ଭାଇ କି ବାପା ଜାଣିବା ପୁର୍ବ ରୁ ଘରେ ପହଞ୍ଚିବାକୁ ପଡିବ। ଶିଖା ବଡବଡ ପାଦ ବଢେଇ ଘର ଆଡେ ମୁହାଁଇଲା। ହେଲେ ସେଦିନ କୋଉଠି ଥିଲେ ସେ ଭୋକିଲା କୁକୁର ଗୁଡା।ଏଣେ ଅନ୍ଧାର ରେ କାହାକୁ ଚିହ୍ନି ବି ହେଉନଥିଲା। କେତେ କାକୁତି ମିନତି ହେଲା ସେ। କେତେ ଗଳା ଫଟେଇ ଡାକିଲା ହେଲେ ଯାତ୍ରା ର ରାକ୍ଷସ ର ବିକଟାଳ ରଡି ଆଗରେ ଶିଖାର ଚିତ୍କାର କୋଉଠି ହଜିଗଲା। ଜଣଜଣ କରି ବିଦାରି ଖାଇଗଲେ ଶିଖାର ଜୀବନ କୁ।ଘରେ ବୋଉ କୁ ଆଉ ରାତି ସାରା ନିଦ ନାହିଁ। ପାହାନ୍ତରେ ବାପା ପରିସ୍ରା ପାଇଁ ବାହାରକୁ ଗଲେ ତ ଘର ଆଗରେ ଶିଖା ବିଭତ୍ସ ଅବସ୍ଥା ରେ ପଡିଛି। କେହି ଦେଖିବା ଆଗରୁ ତାକୁ ଟେକି ଘରକୁ ନେଇଆସିଲେ ସେ। ହେଲେ ତାପରେ କଣ ହେଲା ତା ସହ କେହି ଜାଣି ପାରିଲେନି। କିଛି ଦିନ ଯାଏଁ ଗାଁ ରେ କେହି କେହି ପଚାରିଲେ ହେଲେ ଧିରେ ଧିରେ ସବୁ ପାସୋରି ଦେଲେ। ଶିଖାର ବାପା ତା ମା କୁ ଶୁଣାଇ ଦେଲେ ଆଜିଠୁ ଶିଖା ଆମ ପାଇଁ ମରିଗଲା ଏଘରେ କେହି ତାର ନା ବି ନେବନି। ଆଉ ମାଁ ଗ୍ଲାନି ରେ ନିଜକୁ କୋଷି କୋଷି ମରୁଥାନ୍ତି ଝିଅର ଏ ଅବସ୍ଥା ପାଇଁ।

ସୁଲତାନ ତା ଫଟଫଟି ଧରି ଯାଉଥିଲା ଦୁରରୂ କାହାର କରାଳ ଯନ୍ତ୍ରଣା ର ଶବ୍ଦ ଶୁଣି ସେ ଆଡକୁ ଯାଇ ଦେଖେତ ଝିଅଟି ରକ୍ତ ଜୁଡୁବୁଡୁ ରେ ପଡିଛି କିନ୍ତୁ ଦେହରୁ ପ୍ରାଣ ଟି ଏଯାଏଁ ଯାଇନି। ସଙ୍ଗେସଙ୍ଗେ ତାକୁ ଉଠାଇ ଆଣି ନିଜ ଘରକୁ ନେଇ ଗଲା ସେ। ସୁଲତାନ ଖାଲି ନାଁ ରେ ନୁହେଁ ମନର ବି ସୁଲତାନ ସେ। ଆଖ ପାଖ ଏରିଆର ଦାଦା ସେ। ଭଲ ମନ୍ଦ ସବୁଥିରେ ବିନା ସୁଲତାନ ରେ ଏଠି ପତ୍ର ବି ହଲେନି। ହେଲେ ବଦନାମ ଗଳିର ରାଜା ସେ।

ଡାକ୍ତର ଡାକି ଝିଅଟିର ସବୁ ଚିକିତ୍ସା କରେଇଲା।ସୁଲତାନ ର ସ୍ତ୍ରୀ ଝିଅଟିର ସବୁ ଯତ୍ନ ନେଲେ। କେତେ ଦିନ ରେ ଝିଅଟି ଚେତନା ରେ ଆସିଲା। କିଏ ସେ,କିଏ ତାକୁ ମାରି ଏଠି ଫୋପାଡ଼ି ଥିଲା ସୁଲତାନ ତାକୁ ପଚାରିବସିଲା ହେଲେ ତାର ପୁର୍ବ କଥା କିଛି ମନ ନଥିଲା। ସୁଲତାନ କହିଲା ବେହେନ ତୋର ଏଠି କିଛି ଅସୁବିଧା ହେବନି ଏ ସୁଲତାନ ର ବଚ୍ଚନ ରହିଲା। ତୁ ଏଠି ପୁରା ସୁରକ୍ଷିତ। ତୁ ମୋ ଭଉଣୀ ପୁଣି ତୁ ଭଗବାନ ବୋଲି ଡାକୁଥିଲୁ ତେଣୁ ତୋ ନା ଆଜିଠୁ ରାକ୍ଷୀ।

ଗଳି ସିନା ବଦନାମ ରାକ୍ଷୀ ସେଠି ପଙ୍କ ରେ ପଦ୍ମ ପରି ଫୁଟିଉଠିଲା। ସହରର ଏ ତଳିଆ ବର୍ଗ ର ଲୋକକଂ ପାଇଁ ସୁଲତାନ ଭାଇ ର ଡାହାଣ ହାତ ହୋଇ ସେ ଛିଡାହେଲା। ସହରରେ ଯେତିକି ସୁଲତାନ ଭାଇର ନାଁ ଥିଲା ଏବେ ତା ସହ ରାକ୍ଷୀ ର ନାଁ ବି ସେଥିରେ ଜୋଡି ହୋଇଗଲା। ଆଉ ପଛକୁ କେବେ ଫେରି ଚାହିଁନି ରାକ୍ଷୀ।ଗରିବ ମାନଙ୍କ ପାଇଁ ଦେବତା ସେମାନେ। ଆଉ ଏ କାମରେ ରାକ୍ଷୀ ବି ସୁଲତାନ ର ସାଥ ଦେଲା। ପ୍ରତି ବର୍ଷ ରାକ୍ଷୀ ପୁର୍ଣ୍ଣିମା ରେ ରାକ୍ଷୀ ନିଜ ହାତରେ ରାକ୍ଷୀ ଟିଏ ବନାଏ ଆଉ ବଡ ଶରଧାରେ ସୁଲତାନ ଭାଈ ହାତରେ ବାନ୍ଧେ ହେଲେ ଯେତେ ଯାଚିଲେ ବି କିଛି ନେବାକୁ ମନା କରିଦିଏ କହେ ଖାଲି ଗୋଟେ କଥା ଦିଅ ସମୟ ଆସିଲେ ମୁଁ ମାଗିନେବି।

ରାକ୍ଷୀ କୁ ଏଠିକୁ ଆସି ପ୍ରାୟ ଆଠ, ଦଶ ବର୍ଷ ହୋଇଯିବଣି । ଦିନେ ପାଖର ଏକ ବୃଦ୍ଧାଶ୍ରମ ରେ ଭାଇଭଉଣୀ କପଡା ବାଣ୍ଟି ବାକୁ ଜାଣିଥିଲେ। କିନ୍ତୁ କଣ ହେଲା କେଜାଣି ଦୁଇଜଣ ସ୍ବାମୀ ସ୍ତ୍ରୀ କୁଂ କପଡା ଦେବାକୁ ଗଲା।, ଦୁଃଖି ଦୁଇଜଣ ତାକୁ ଆଶିର୍ବାଦ ଦେଲାବେଳେ ସେ ସେଇଠି ବେହୋସ ହୋଇଯାଇଛି । ତାକୁ ଚେତା କରାଇ ଯେତେବେଳେ ସୁଲତାନ ତାର କଣ ହୋଇଛି ବୋଲି ପଚାରିଲା ଭୋଭୋ କରି କାନ୍ଦି ଉଠିଲା ସେ। କହିଲା ଭାଇ ତୁମେ ମତେ କଥାଦେଇଥିଲ ମୁଁ ଜାହା ମାଗିବି ଦେବ। ସୁଲତାନ ବିନା ଦ୍ବିଧାରେ କହିଲା ଜାନ୍ ମାଗିନେ ଭଉଣୀ। ରାକ୍ଷୀ କହିଲା ନା ଭାଇ ମୋ ଆୟୁଷ ବି ତୁମକୁ ଲାଗିଯାଉ ମତେ ଖାଲି ଗୋଟେ ଦୟା କର ମୋ ବାପା, ମାଁ କୁ ଏ ବୃଦ୍ଧାଶ୍ରମ ରୁ ଉଦ୍ଧାର କରିନିଅ ।

ଆଶ୍ଚର୍ଯ୍ୟ, ଚକିତ ହୋଇ ସୁଲତାନ ପଚାରିଲା ରାକ୍ଷୀ ତୋ ବାପା, ମାଁ?

ମୋ ନା ଶିଖା, ଆଜି ଯେଉଁ ବୁଢାବୁଢି ଦିଜଣ କୁ ମୁଁ କପଡା ଦେଉଥିଲି ସେମାନେ ମୋ ବାପା, ମାଁ । ସେଦିନ ଗାଁ ରେ କିଛି ସଇତାନ ମୋ ଜୀବନ ବରବାଦ କରିଦେଲେ, ହେଲେ ମୋ ଦୁଃଖ ରେ ମଲମ ଲଗେଇବା ପରିବର୍ତ୍ତେ ମୋ ବାପା, ଭାଇ ମତେ କଳଙ୍କିନୀ କହି ରାତିରାତି ଆଣି ମୋ ତଣ୍ଟି ଚିପି ମରିଗଲା ଭାବି ସେ ଜଙ୍ଗଲ ରେ ଛାଡିଗଲେ। ମୋର ସବୁ ମନେ ଅଛି ଭାଇ ହେଲେ ମୁଁ ସେ ଅତିତ କୁ ମନ ପକାଇବାକୁ ଚାହୁଁ ନଥିଲି ତେଣୁ ମୁଁ ତୁମ ଭଉଣୀ ରାକ୍ଷୀ ହୋଇ ରହିଲି। ବିଶ୍ବାସ କର ମୋର ଏ ପରିଚୟ ରେ ମୁଁ ବହୁତ ଖୁସି।ହେଲେ ଆଜି ବାପା,ମା କୁ ଏ ଅବସ୍ଥା ରେ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି । ମତେ କ୍ଷମା କର ଭାଇ ମୁଁ ତୁମକୁ ସତ ଲୁଚାଇଲି। ଏତକ କହି କାନ୍ଦି କାନ୍ଦି ସୁଲତାନ ର ଗୋଡ ତଳେ ପଡିଗଲା ଶିଖା ।

ଆଦରରେ ତାକୁ ଉଠାଇଲା ସୁଲତାନ, କହିଲା ଆଜି ପ୍ରଥମ ଥର ନିଜକୁ ଏତେ ଅସହାୟ ଲାଗୁଛି ଭଉଣୀ, ତୋ ଆଗରେ ମୋ ମୁଣ୍ଡ ଲଇଁ ଯାଉଛି। ଇଛା ତ ହେଉଛି ତୋ ସହ ହୋଇଥିବା ଅନ୍ଯାୟ ର ପ୍ରତିଶୋଧ ନେବାକୁ କିନ୍ତୁ ତୋର ଏଡେ ବଡ ହୃଦୟ ଆଗରେ ଏ ସୁଲତାନ ତାର ଶିର ଝୁକାଉଛି ବେହେନ। ଯା ନେଇଆସ୍ ତୋର ବାପା, ମାଁ ଙ୍କୁ । ଶିଖାକୁ ନିଜ ଆଗରେ ପାଇଁ ଖୁସିରେ ଭିଡି ଧରି କାନ୍ଦି ଊଠିଲେ ଶିଖାର ମାଁ କିନ୍ତୁ ବିଶ୍ବାସ କରିପାରୁନଥିଲେ ବାପା। କହିଲେ ନା ତୁ ଆମ ଶିଖା ନୁହେଁ ସେ ତ କେବେଠୁ ମରି ସାରିଛି ଆଉ ପାଗଳ ପରି କାନ୍ଦିକାନ୍ଦି କହିଲେ ଏଇ ହାତରେ, ଏଇ ହାତ ରେ ତାକୁ ମାରିଛି ମୁଁ । ଶିଖା ବାପାଙ୍କ ଆଗକୁ ଯାଇ କହିଲା ହଁ ବାପା ଠିକ୍ କହିଲ ତମେ ମତେ ମାରି ସାରିଛ ମୁଁ ଆଉ ସେ ଶିଖା ନୁହେଁ ମୁଁ ରାକ୍ଷୀ ଏ ସୁଲତାନ ଭାଇ ର ଭଉଣୀ। ମୋ ମୃତ୍ୟୁ ପାଇଁ ମୋର ଦୁଃଖ ନାହିଁ ତେଣୁ ମୁଁ ତୁମକୁ ମୋ ମୃତ୍ୟୁ ଦୋଷ ରୁ କ୍ଷମା କଲି । ଲାଜରେ ମୁଣ୍ଡ ତଳକୁ ହୋଇଯାଉଥିଲା ବାପାଙ୍କର । ଯୋଉ ପୁଅ ମାନଙ୍କୁ ନେଇ ମିଛ ଅହଂ ଦେଖେଉଥିଲେ ସେମାନେ ଆଣି ବୃଦ୍ଧାଶ୍ରମ ରେ ଛାଡି ଦେଇଗଲେ ଆଉ ଯୋଉ ଇଜ୍ଜତ ପାଇଁ ଜନ୍ମ କଲା ଝିଅ କୁ ମାରିବାକୁ ପଛେଇଲେନି ସେ ଆସି ଘରକୁ ନେଇ ଜାଉଛି। କେତେ ସହଜରେ କ୍ଷମା ବି କରିଦେଲା । ଏସବୁ କଥା ଭାବି ଭାବି ପରସ୍ପର ର ହାତ ଧରି ଆଶ୍ରମ ସିମା ପାର ହୋଇଗଲେ ଶିଖା ଆଉ ତାର ବାପା, ମାଁ।


ପରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ

Post a Comment

0 Comments