Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଅଭିଶପ୍ତ ଗୋଲାପ - ରଶ୍ମି ରଞ୍ଜିତା ମିଶ୍ର

ହଠାତ ରାତି ଅଧରେ ବେଳେବେଳେ ନିଦ ଭାଙ୍ଗିଯାଏ ଯେ, ଆଉ ଯେତେ ଚେଷ୍ଟା କଲେ ବି ନିଦ ଆସେନା ଗୋଲାପ ର ଆଖିକୁ । ସାରା ରାତି ଏମିତି ଚେଇଁ ରହି କାହିଁ କେତେ କଥା ମନେ ପକାଉଥାଏ ସେ । କେବେ କେବେ ମନେ ମନେ ଚିପାହସ ଟିକେ ହସି ଦିଏ ତ କେବେ ପୁଣି ସଡ଼ ସଡ଼ କରି କାନ୍ଦି କାନ୍ଦି ତକିଆ ଭିଜାଇ ଦିଏ । କାହାକୁ ମୁହଁ ଖୋଲି କିଛି କହିପାରେନି ହେଲେ, କଥାରେ ଅଛି ଓଠ ଯାହା କହିପାରେନା ଆଖି ତାକୁ ସ୍ପଷ୍ଟ କରିଦିଏ ।

ଏଇ କେତେ ଦିନ ହବ ଏକ ଅଜଣା ଉନ୍ମାଦ ରେ ମତୁଆଲା ହୋଇ ପାଗଳୀ ପରି ବ୍ୟବହାର କରୁଥିଲା ଗୋଲାପ । ତାକୁ ଦେଖିଲେ ଲାଗୁଥିଲା ସତେ ଯେମିତି ହଜିଲା ଧନ ଫେରି ପାଇଛି, କିମ୍ବା କାହିଁ କେଉଁ ଦିନୁ ଛାତି ତଳେ ଲୁଚି ରହିଥିବା ଆଶା ପୂରଣ ହେଇଯାଇଛି, ଅଥବା ଅଗନାଅଗନି ବନସ୍ତ ରେ ଥିବା ବୁଢ଼ୀ ଅସୁରୁଣୀ ର ସାଇତା ସିନ୍ଦୁକ ର ଚାବିକାଠି ତା' ହାତମୁଠା ରେ ପଡିଯାଇଛି । ସତରେ, ଝଡିବାକୁ ଅପେକ୍ଷା ରେ ଥିବା ଝାଉଁଳା ବୟସରେ ସଜ କଢ଼ ହୃଦୟ ର ନରମ ଆବେଗ ଝଳସି ଉଠୁଛି ଗୋଲାପ ର ଚେହେରା ରେ । ସତେ ଯେମିତି କୁଆଁରୀ ଝିଅଟି ନୂଆ ନୂଆ ପ୍ରେମ ଫାସ ରେ ବାନ୍ଧି ହୋଇ ଯାଇଛି । ସୟନେ, ସ୍ବପନେ, ଅବା ଜାଗରଣେ ତା'ର ସେଇ ପ୍ରେମିକ ପ୍ରବର କଥା ମନେପକାଇ ଅଜାଣତରେ ଝୁଣ୍ଟି ପଡୁଛି । କେବେ କେବେ ମନ ଫୁଲାଣିଆ ଗୀତ ଗୁଣୁଗୁଣୁ କରି ଗାଉଛି ତ କେବେ ପୁଣି ମନ ପବନ ଘୋଡ଼ା ଚଢି ଜହ୍ନ ରାଇଜ ଆଡୁ ଘେରାଏ ବୁଲି ଆସୁଛି,ପୁଣି କେବେ ସଞ୍ଜ ବେଳେ ନଈ ପଠା ଆଡୁ ଅସଂଜତ ପଣତ କୁ ସଜାଡ଼ି ସଜାଡି ଫେରି ଆସୁଛି ସୁ-ସଂଜତ ଅବସ୍ଥାକୁ ।

ଲୋକ ନଜରରେ ସୁନ୍ଦର, ବଳିଷ୍ଠ, ଉଚ୍ଚଶିକ୍ଷିତ, ଭଲ ରୋଜଗାରିଆ ସ୍ବାମୀ, ପୁଅ,ଝିଅ, ସସୁରଘର ପୈତୃକ ସଂପତ୍ତି ସବୁ ଥିଲା ଗୋଲାପ ର । ବାପା ଭଲ ଘର, ଭଲ ବର ଦେଖି ହାତକୁ ଦି ହାତ କରି ଥିଲେ ତା'କୁ ।ସବୁ ବାପା, ମାଆ ଚାହାନ୍ତି ତାଙ୍କ ଝିଅ ଭଲରେ ରହୁ, କିଛି ଅଭାବ ନ ରହୁ ସାଂସାରିକ ଜୀବନରେ । ସଜଫୁଟା ଗୋଲାପ କୁ ଭଅଁର ଛୁଇଁବା ଆଗରୁ ସଦାନନ୍ଦ ବାବୁଙ୍କ ସୋଇବା ବିଛଣାରେ ସଜେଇ ଦିଆଗଲା ରାତି ରାତି । ଗୋଲାପ ର ବାପା ଗୋଟେ ଗଡ଼ ଜିଣିପକେଇଲେ ସତେ ଝିଅଟିକୁ ବହାଦେଇ।ଓଃ କି ଆନନ୍ଦ ! ଏମିତି ଜ୍ବାଇଁ ଭାଗ୍ୟ ରେ ଥିଲେ ମିଳେ। ରାଜକୁମାର ଚେହେରା , ଉଚ୍ଚଶିକ୍ଷିତ, ତା ସାଥିରେ ପୁଣି ସରକାରୀ ଚାକିରୀ । ଗୋଲାପ ର ଶାଶୂ, ଶଶୁର ମଧ୍ୟ ଭାରି ଖୁସିଥିଲେ। ଯାହା ହଉ ତାଙ୍କ ପରିବାର ଉପରେ ଅକସ୍ମାତ ବଜ୍ରପାତ ସହିତ ବର୍ଷିଯିବାକୁ ସଜ ହୋଇ ରହିଥିବା କଲା ବାଦଲ ଟା ହଟିଗଲା ବୋଲି ।ଦେଢଶୁର ଙ୍କ ଖୁସି କହିଲେ ନ ସରେ । କାରଣ ସେଇତ ବଜ୍ରପାତର ପ୍ରଥମ ଶିକାର ହେଇଥାନ୍ତେ । ଯାହା ହଉ ଆକାଶ ତା ଏବେ ସମ୍ପୂର୍ଣ ନିର୍ମଳ । ଆକାଶ ଟା ସିନା ନିର୍ମଳ ହେଇଛି ତୋଫା ଜହ୍ନ ର ଜୋଛନା ରେ, ହେଲେ ଆକାଶକୁ ତୋଫା କରୁଥିବା ଜହ୍ନ ରେ ଯେ କଳଙ୍କ ଲାଗିବ ,ଚାନ୍ଦିନୀ ରାତି କୁ ଯେ ଗ୍ରହଣ ଗ୍ରାସିବ ଏ କଥା ଗୋଲାପ ର କଳ୍ପନା ରେ ନ ଥିଲା ।

"ଗୋଲାପ" ନାଆଁ ଟି ଯେମିତି ରୂପ ବି ସେମିତି । ସୌନ୍ଦର୍ଯ୍ୟ ର ଗନ୍ତାଘର ପରା ସେ..... । ମଲ୍ଲୀ ଫୁଲିଆ ରଙ୍ଗ, ଆଲସୀ ଆଖି, ଅଳ୍ପ ଲାଜୁଆ ସ୍ମିତହାସ୍ୟ ଭରା ଓଠ, ମତଗଜ ଚାଲି ସାଙ୍ଗକୁ ସୁ- ଶିକ୍ଷିତା ମଧ୍ୟ । ଅସୁମାରୀ ଆଶା ନେଇ ସ୍ବାମୀ ଅଗଣାରେ ପାଦ ଦେଇଛି ଗୋଲାପ । ସ୍ବାମୀ ର ଶୀତଳ ସ୍ପର୍ଶ ପାଇବ, ପତିବ୍ରତା ନାରୀ ହୋଇ ସ୍ବାମୀ ଦେବତ୍ତାଙ୍କୁ ପ୍ରେମ ଅର୍ଘ୍ୟ ଦବ, ଆଉ ଶାଶୂଘରେ ଭଲ ବୋହୂ ଟିଏ ହୋଇ ତାର ନାରିଜନ୍ମ ସାର୍ଥକ କରିବ । ଏମିତି କେତେ ଭାବନା....... ।

ଆଜି ତାର ବାସର ରାତି। ସଜବାଜ ହୋଇ ,ସାତରଙ୍ଗି ମନ ନେଇ ବାସର ଘରେ ଅପେକ୍ଷା କରିଛି ଗୋଲାପ । କ'ଣ କରିବ ସେ ! କି କଥା ହେବ ତା'ର ସ୍ବାମୀ ଦେବତ୍ତାଙ୍କ ସହ ! କେମିତି ସ୍ବାଗତ କରିବ ତାଙ୍କୁ ! ଏମିତି କେତେକଥା......। ଶିହରି ଉଠୁଥିଲା ତା'ର ତନୁମନ, ଓଠ ଦୁଇଟି ଥରି ଉଠୁଥିଲା ବିନା ଶବ୍ଦ ରେ । ହେଲେ, ସ୍ବାମୀ ଦେବତ୍ତା ଗଲେ କୁଆଡେ ????? ରାତି ସରି ପାହାନ୍ତା ହବାକୁ ବସିଲାଣି । ବିଚାରି ଗୋଲାପ ଟିକେ ଘୁମେଇ ପଡିଛି,ସମୟ ପ୍ରାୟ ପାହାନ୍ତି ପ୍ରହର ବୋଧହୁଏ ।କବାଟ ର କେଂଏ.... ଶବ୍ଦ ରେ ନଇଁ ପଡ଼ିଥିବା ଆଖିପତା ମେଲି ହୋଇଗଲା ଗୋଲାପ ର । ଲାଜୁଆ ଓଠରେ ଦରୁଟି ହସ ଉକୁଟାଇ ପ୍ରଣତି ଜଣାଇଲା । ଏ କଣ....? ପାଦକୁ ଆଡେଇନେଲେ ପତିଦେଵ ! ହଠାତ ସ୍ତମ୍ବିଭୁତ ହୋଇଗଲା ଗୋଲାପ , ଜିଭ ଭିଡ଼ିନେଲା , ଅବାକ ହୋଇଗଲା ସେ। ଯାହାର ବାଟକୁ ଏତେ ଦିନୁ ଚାହିଁ ବସିଥିଲା, ଯାହାପାଇଁ କୁମାରୀତ୍ବ ପୁଷ୍ପ ସାଇତି ରଖିଥିଲା, ସେ ପୂଜ୍ୟ ନ ଅପୂଜ୍ୟ..... । ସେ ଦେବତା ନ ରାକ୍ଷସ...। ନିଷ୍ପାପ, ଅନିନ୍ଦ୍ୟ ସୁନ୍ଦରୀ ଗୋଲାପକୁ ଛାତି ପକେଟରେ ଖୋସିବା ପରିବର୍ତ୍ତେ ସୋ-କେସ ର ପ୍ଲାଷ୍ଟିକ ଫୁଲଦାନୀରେ ରଖି କାଚର ଦରଜା ବନ୍ଦ କରିଦେଲେ ସଦାନନ୍ଦ ବାବୁ । ଢଳ ଢଳ ଆଖିରେ, କରୁଣ ଚାହାଣି ରେ ଚାହିଁ ରହି ଆଖିର ଲୁହ କୁ ଓଠରେ ଚାପିବା ଛଡା....... । ଲୋକ ନଜରରେ ସଦାନନ୍ଦ ବାବୁଙ୍କ ଶୋଇବା ଘରେ ଶୋଭା ବର୍ଦ୍ଧନ କରୁଥିବା ପରିପକ୍ବ ଯୌବନା ଗୋଲାପ ତ ବେସ ସୁନ୍ଦର ଦିଶୁଥିଲା ହେଲେ, ତା'ର ଡେମ୍ଫରେ ଥିବା କଣ୍ଟାର ଆଘାତ ଲହୁ ଲୁହାଣ କରି ପକାଉଥିଲା ତାକୁ ।

ଭଲ ବୋହୂର ପରିଚୟ ତ ପାଇପାରିଲା,ମାତ୍ର ସ୍ତ୍ରୀ ଶବ୍ଦ ର ଅର୍ଥ ବୁଝିବା ପାଇଁ ତା ପାଖରେ ନଥିଲା ଅଭିଧାନ । ମନ ସିଂହାସନ ରେ ନା ସେ ସଦାନନ୍ଦ ବାବୁଙ୍କୁ ଦେବତା କରି ବସେଇ ପାରିଲା ନା ନିଜେ ତାଙ୍କ ହୃଦୟର ରାଣୀ ସାଜିଲା । ଯେମିତି ବିରହିଣୀ ନାୟିକା ର ଅସରନ୍ତି ସ୍ୱପ୍ନ , ଅକୁହା ବେଦନା, ଅଵ୍ୟକ୍ତ ଯନ୍ତ୍ରଣା କୁ ଅଜାଗା ଘା ପରି ଦେଖେଇ ହୁଏନି କି ଦେଖି ହୁଏନି ।ଠିକ ସେମିତି କେବଳ ଲୋକ ଲୋଚନ ର ଆଢୁଆଳରେ ଅମାନିଆ ଲୁହ ଛାତି ଚିରି ଆଖି କୋଣୁ ବାହାରି ଆସି ଓଠ ପାଖେ ପହଞ୍ଚିଯାଏ । ମରୁଭୂମି ଓଟ ପରି ସବୁ ପରିସ୍ଥତିକୁ ସାମନା କରିବାକୁ ହୁଏ ଗୋଲାପକୁ । ଦୁଇଟି ପୁତୁରା, ଗୋଟିଏ ଝିଆରୀ ।ଝିଆରୀ ନୁହେଁତ ଝିଅ, ଯାହାର ସ୍ନେହ ତା'କୁ ସ୍ବାମୀ ସ୍ପର୍ଶ ବିନା ମାତୃତ୍ୱ ପ୍ରଦାନ କରିପାରିଥିଲା କହିଲେ କିଛି ଅତୁକ୍ତି ହେବନି । ସେଇ ପିଲାର (ଯାହାର ବୟସ ୨ରୁ ୩ ବର୍ଷ ) ଖିଲି ଖିଲି ହସ, ଦରୁଟି କଥା ଗୋଲାପକୁ ଦିନର ଖୁସି ଦେଇପାରୁଥିଲା ସତ ହେଲେ...... ରାତିର ତାତି..... ଜାଳି ଦେଉଥିଲା ତାର ସେଇ ସଜଫୁଟା ଯୌବନକୁ । ଏ କଥା ସେ କହିବ ବା କାହାକୁ??? ଶାଶୁଙ୍କୁ, ଶଶୁରଙ୍କୁ, ଦେଢଶୁରଙ୍କୁ ନା ନିଜ ଝିଅ ର ସୁନ୍ଦର ଭବିଷ୍ୟତ ଆଶା ବାନ୍ଧିଥିବା ଜନ୍ମ କଲା ବାପାବୋଉଙ୍କୁ । ଅବଶ୍ୟ ବଡ ଯାଆ ଙ୍କୁ କହିପାରିଥାନ୍ତା ହେଲେ, ତାଙ୍କରି ପାଇଁ ତ ଗୋଲାପର ଏ ଅବସ୍ଥା । ସିଏତ ଭଉଣୀ ନୁହନ୍ତି.....ସଉତୁଣୀ ।

ଧୀରେ ଧୀରେ ଗୋଲାପ ସଦାନନ୍ଦ ବାବୁଙ୍କର ଗୋପନ ପ୍ରଣୟ ବିଷୟରେ ସବୁ ଜାଣିପାରିଲା । ନିଜ ମାଆ ସମାନ ବଡ଼ ଭାଉଜର ଚାବିଦି଼ିଆ କଣ୍ଢେଇ ସାଜି ବା, ଆଉ ତା'ରି କଥାରେ ଉଠବସ ହବା କଥା କୁ ଖୁବ କମ ଦିନରେ ବୁଝିଗଲା ଗୋଲାପ । କୋଉ ସ୍ତ୍ରୀ କଣ ତା' ସ୍ବାମୀର ଅନ୍ୟ ନାରୀ ସହ ସମ୍ପର୍କକୁ ସଯ୍ୟ କରିପାରେ ! ଉପରେ ଶାଶୂଘର ମୋହ, ଭିତରେ ତତଲା କୋହ ---... । ଏମିତି କୋହ କୁହୁଡ଼ି ରେ ପହଁରିବା ତା ପାଇଁ କଷ୍ଟସାଧ୍ୟ ହୋଇଥିଲା ସେଦିନ । କଣ କରିବ ସେ....... ! ବୃଦ୍ଧ ଶାଶୂ ଶଶୁରଙ୍କର ଗୋଲାପ ଉପରେ ଭାରି ଭରସା । ପୁତୁରା ଝିଆରୀ ଙ୍କ ସ୍ନେହ, ବାପା ଭଳି ଦେଢଶୁର ଙ୍କ କଅଁଳିଆ କଥାରେ କୌଣସି ମତେ ନିଜକୁ ବଞ୍ଚେଇ ରଖିଲା ସେ । ମନରେ ତା'ର ଅଵ୍ୟକ୍ତ କୋହ । କଥାରେ ପରା ଅଛି ବନ ପୋଡିଗଲେ ସମସ୍ତେ ଜାଣନ୍ତି, ମନ ପୋଡିଗଲେ ନ ଜାଣେ କେହି । ମନ ଖୋଲି କିଛି କହିପରେନା କି ହୃଦୟ ବେଦନା କୁ ସହି ପାରେନି ସେ । ଏମିତି ବି ସ୍ବାମୀ ସ୍ପର୍ଶରୁ ସମ୍ପୁର୍ଣ୍ଣ ବଞ୍ଚିତ ବୋଲି ମଧ୍ୟ କୁହାଯାଇନପାରେ , କାରଣ ଯେଉଁ ଦିନ ସଦାନନ୍ଦ ବାବୁଙ୍କୁ ବାହାର ଖାଇବା ନମିଳେ ସେଦିନ, ଗୋଲାପ ର ଇଛା ବିରୁଦ୍ଧରେ ତାର ପାଖୁଡାକୁ ଦଳି ଚକଟି ନିସ୍ତେଜ କରିପକାନ୍ତି । ହେଲେ, ସେଥିରେ ନଥାଏ ଅତ୍ମୀୟତା, ନଥାଏ ପ୍ରଥମ ଛୁଆଁ ର ମାଦକତା । ଥାଏ ଖାଲି ଶାରୀରିକ କଷ୍ଟ ଆଉ ଅବ୍ୟକ୍ତ ଯନ୍ତ୍ରଣା ।

ବେଳେବେଳେ ଶାଶୂଘର ମୋହ ଛାଡି ଫେରିଯିବାକୁ ଭାରି ଇଚ୍ଛା ହୁଏ ଗୋଲାପର । ସିନ୍ଦୁର ଟୋପାଏ ସିଂଥିରେ ନାଇଛି ଯେତେବେଳେ ବାପଘରକୁ ଫେରିବା ଠିକ ହବନି ଭାବି ଆତ୍ମହତ୍ୟା କରିବାକୁ ମନସ୍ତ କରେ ସେ, ପୁଣି ସେଇ ସାନ ଭାଇ ଭଉଣୀ ଙ୍କ କଥା, ବାପାଙ୍କ ସନମାନ ଆଉ ବୋଉର ସ୍ନେହ କଥା ତା'ର ବହୁତ ମନେପଡେ । ସାଥୀ ସଂଗାତଙ୍କ କଥା, ରଜ ଦୋଳି ଖେଳ, ହୋଲି ର ସେ ରଙ୍ଗ ପିଚିକାରି, ଆଉ ଗାଁ ଦାଣ୍ଡରେ ଭାସିଯାଉଥିବା ବର୍ଷା ପାଣିରେ କାଗଜଡ଼ଙ୍ଗା ଭସାଇବା କଥା ଗୋଟି ଗୋଟି କରି ମନ ପକେଇ ବହୁତ କାନ୍ଦେ । କାନ୍ଦି କାନ୍ଦି କେତେବେଳେ ଆଖି ଲାଖିଯାଏ ଯେ , ସୋଇଛି କି ଚେଇଁଛି ଜାଣିଲାବେଳକୁ ରାତି ପାହି ଯାଇଥାଏ । ସାରା ଘରର ଦାୟିତ୍ବ। ଶାଶୂ ଶ୍ବଶୁର ଙ୍କ ସେବା ସହିତ ଅନ୍ୟାନ୍ୟ କାମ ବଡ଼ ଯାଆ ତା'ର ମହରାଣୀ ଆଉ ଗୋଲାପ ସତେ ଯେମିତି ଚାକରାଣୀ । ସେଥିରେ ବି ତାର ଖୁସି ଥିଲା, କାହିଁକି ନା ଭିତରେ ଭିତରେ ଉଇ ଖାଇଯାଇଥିଲେ ବି ବାହାର ଦୁନିଆ ଆଖିରେ ସେ ଘରର ଗୁଣର ବୋହୁ, ଆଉ ଭଲ ପତିବ୍ରତା ସ୍ତ୍ରୀ । ବଡ଼ ଘର ବଡ଼ ଗୁମର କଥା.......।

ସଦାନନ୍ଦ ବାବୁ ନିଜ ବିବାହିତା ସ୍ତ୍ରୀ ଗୋଲାପ କୁ ପତ୍ନୀ ର ମର୍ଯ୍ୟାଦା ଦେଇ ନ ଥିଲେ ବି କେବେହେଲେ କଠୋର ବ୍ୟବହାର କରିନାହାନ୍ତି । କିନ୍ତୁ ଗୋଲାପର ହୃଦୟକୁ ଚିନ୍ହି ତା ପ୍ରତି ଥିବା କର୍ତବ୍ୟ ତଥା, ଛାତି ତଳର କୋହ କୁ ଦିନେ ପଢ଼ିବାକୁ ମନ ବଳେଇ ନାହାନ୍ତି ସେ । ପରକୀୟ ପ୍ରିତି ରେ ମଷଗୁଲ ହୋଇ ନିଜ ର ଅସ୍ତିତ୍ବ ହରାଇ ବସିଥିଲେ ସେ । ହେଲେ, ଗୋଲାପ ଚାହୁଁଥିଲା ତା'ସ୍ବାମୀ କେବଳ ତା'ର ହୋଇଥାନ୍ତେ, ଛାତି ଫୁଲେଇ ସେ କହିପାରିଥାନ୍ତା ମୋ ସ୍ବାମୀ ଜଣେ.....। ମୋ ସ୍ବାମୀ ଙ୍କ ଠାରୁ ଆଉ ଭଲ ଯତ୍ନବାନ ମଣିଷ କେହି ନାହାନ୍ତି, ସାହି ପଡିସାରେ ଦେଖେଇ ପାରିଥାନ୍ତା ମୋ ପାଇଁ ମୋ ସ୍ବାମୀ ଏତେ ଦାମୀ ଚିଜ ଆଣିଦେଇଛନ୍ତି । କିନ୍ତୁ ସେ ସବୁ ସୁଖ ତା'ଭାଗ୍ୟରେ କାହିଁ.....? ହୃଦୟ ର ଯନ୍ତ୍ରଣା କୁ ହୃଦୟ ରେ ଚାପିରଖି କର୍ମ କରି ଚାଲିଛି ସେ । ସ୍ବାମୀ ଙ୍କୁ ବଦଳାଇବାକୁ ଚେଷ୍ଟାକରି ବାରମ୍ବାର ପ୍ରତାରିତ ମଧ୍ୟ ହୋଇଛି । ଘର ଢ଼ିଙ୍କି ପରା କୁମ୍ଭୀର... କାହାକୁ ଭରସା କରିବ ସେ ! କାହାକୁ କଣ କହିବ ! ନିରୁପାୟ ହୋଇ ଆଖି ଲୁହକୁ ଓଠରେ ପିଇ ଯାଉଥିଲା ଗୋଲାପ । ଘୃଣା ରେ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲା ସେ ।

ଏମିତି ଲହୁ ଲୁହାଣ ଭରା ଜୀବନ ଶୈଳୀରେ ୬ବର୍ଷ ବିତିଗଲାଣି ।ଏଇ ସମୟ ଭିତରେ ଗୋଲାପ ର ଝିଅଟିଏ ତିନିବର୍ଷର ହେଇ ସରିଥାଏ । ଶାଶୂ ଶଶୁର ଡକା ଡାକି ହୋଇ ଗୋଟିଏ ବର୍ଷରେ ଚାଲିଗଲେ ଆରପାରିକି ।ସବୁ ସାହା ଭରସା ତୁଟିଗଲା ଗୋଲାପ ର, ଆଢୁଆଳ କରି ରଖିବାକୁ ଏ ଘରେ ଆଉ କିଏ ନାହିଁ ତାର ।ତା' ପିଲା ର ଭଲମନ୍ଦ ବୁଝିବାପାଇଁ ଆଉ କିଏ ନାହାନ୍ତି ଏ ଘରେ । ବହୁତ ଭାବିଚିନ୍ତି ବାଧ୍ୟହେଲା ମୁହଁ ଖୋଲିବା ପାଇଁ ।ସ୍ବାମୀ ଙ୍କୁ ଆକଟ କରିବା ପାଇଁ ସାହସ ବାନ୍ଧିଲା ମନରେ ।ହେଲେ, ଯିଏ ସରଲବଣି ଖାଇଛିସିଏ କଣ ଏତେ ସହଜରେ ଗଉଡ଼ ଘରକୁ ଯିବା ବନ୍ଦ କରି ପାରିବ ! ତଥାପି ଗୋଲାପ ସ୍ବାମୀ ଙ୍କୁ ତା ଛୁଆର ଭବିଷ୍ୟତ ପାଇଁ ବଦଳାଇବା କୁ ଚେଷ୍ଠା କଲା , ବେଳେ ବେଳେ ଏଆଡୁ ସିଆଡୁ ଦି ପଦ ଶୁଣେଇବାକୁ ବି ପଛେଇଲାଣି ସେ । କେବେ କିଛି ପ୍ରତିବାଦ ନ କରୁଥିବା ନାରୀ ଯେତେବେଳେ ଅଣ୍ଟା ଭିଡି ଠିଆ ହେଲାଣି ପ୍ରଳୟର ଆଶଙ୍କା ତ ନିଶ୍ଚୟ । ସଦାନନ୍ଦ ବାବୁ ଭାରି ଚାଲାକ ଲୋକ , ପ୍ରଳୟ ଆସିବା ପୂର୍ବରୁ ବୁଦ୍ଧି ଖଟାଇ ପିଲା ପାଠ ପଢା ବାହାନାରେ ଗୋଲାପ କୁ ଵ୍ୟସ୍ତ ରଖିବାର ଉପାୟ ପାଞ୍ଚିଲେ ।ଘରେ ରହିଲେ ସବୁ ଦେଖୁଛି, ସବୁ ଜାଣୁଛି ତେଣୁ ବାହାରକୁ ଠେଲି ଦବାକୁ ପଡିବ । ପକେଟରୁ ଟଙ୍କା ଖର୍ଚ୍ଚ କରି ବିବାହିତ ସ୍ତ୍ରୀ ଗୋଲାପ କୁ କମ୍ପୁଟର ଶିକ୍ଷା ଦେଲେ , ଗୋଟିଏ ବେସରକାରୀ ବିଦ୍ୟାଳୟରେ ତା ପାଇଁ ସୁରକ୍ଷିତ ଚାକିରୀ ଟିଏ ଖଞ୍ଜିଦେଇ ପାଦରୁ ଶାଶୂଘର ବେଡି ବା ଶିକୁଳି ଛିଣ୍ଡେଇ ଦେଲେ ଏବଂ, ଆତ୍ମନିର୍ଭରଶୀଳ ହୋଇ ବଂଚିବା କୁ ପ୍ରେରଣା ଦେଲେ । ସେଇ ଦିନୁ ଗୋଲାପ ଭଅଁର କୁ ନ ଖୋଜି ନିଜ ଗନ୍ଧକୁ ନିଜ ପଣତ କାନିରେ ଲୁଚାଇ ଝିଅ ର ଭବିଷ୍ୟତ ଗଢିବାରେ ଲାଗିପଡ଼ିଲା ।। ଶାଶୂଘର ଚାରିକାନ୍ଥ ଭିତର ର ମୋହ ତ୍ୟାଗ କରି କୁନି ଝିଅର ଭବିଷ୍ୟତ ଲକ୍ଷ ନେଇ ବାହାର ଦୁନିଆଁ କୁ ପାଦ ବଢେଇଛିଗୋଲାପ । ଦୀର୍ଘ ଛଅ ବର୍ଷର କଷ୍ଟ ଯନ୍ତ୍ରଣା ରୁ ଧୀରେଧୀରେ ମୁକୁଳିବାକୁ ଚେଷ୍ଟା କରିଛି ସେ ।ସ୍ବାମୀ ଙ୍କ ପ୍ରେରଣା ଏବଂ ଗୋଲାପ ର ଆପ୍ରାଣ ଉଦ୍ୟମ ତା'କୁ ସାମାଜିକ ପ୍ରତିଷ୍ଠା ଦେଇଥିଲା । ନିସ୍ତେଜ ନିରାଡ଼ମ୍ବର ଜୀବନ ବିତେଇ ପିଲାଙ୍କ ଭବିଷ୍ୟତ ଗଢିବାରେ ଲାଗିପଡ଼ିଲା ସେ । ବହୁ ସହୃଦୟ ସମ୍ପର୍ଣ୍ଣ ହାତ ପହଂଚିଛି ତା'ର ସେ ନରମ ପାଖୁଡା ରୁ ଟିକେ ଗରମ ସ୍ପର୍ଶ ପାଇବା ପାଇଁ ହେଲେ, କଣ୍ଟାର ବେଣ୍ଟରେ ନିଜକୁ ସମ୍ଭାଳି ରଖିଥିବା ଗୋଲାପ କାହାର ଫୁଲତୋଡା ସାଜି କ୍ଷଣିକ ସୁଖ ପରେ ଅଳିଆ ଗଦା ରେ ପଡିବା ପାଇଁ ଚାହେଁନା ଘୃଣା କରେ ସେ କାମୁକ ପୁରୁଷଙ୍କୁ । ଆଉ ନିଜର ପତିବ୍ରତା ବ୍ରତକୁ ବଜାୟ ରଖେ । ଯିଏ ଗୋଲାପ ପରି ନିଷ୍ପାପ ଚେହେରା ରେ ଅପୂର୍ବ ସୌନ୍ଦର୍ଯ୍ୟ ର ପାଖୁଡା ଦେଇ ଉଦ୍ୟାନ ଶୋଭିତ କରିଛନ୍ତି, ତାଙ୍କରି ଇଙ୍ଗିତ କୁ ପାଥେୟ କରି ଜୀବନ ସଂଗ୍ରାମ କରିଚାଲିଛି ଗୋଲାପ ।

ଆଜି ହଠାତ ଏ ଝଡ଼ିବା ବୟସରେ ପଥହୁଡ଼ା ଭଅଁର ଟା ଫେରିଆସି ଗୋଲାପ ର ମଉଳା ପାଖୁଡା ଚାରିପଟେ ଘୁରିବୁଲୁଛି ।ଝଡ଼ିବାକୁ ଅପେକ୍ଷା ରେ ଥିବା ମଳିନ ପାଖୁଡାକୁ ସତେଜ କରିବା ପାଇଁ ବସନ୍ତ ମଳୟକୁ ଅନୁରୋଧ କରୁଛି, କାହିଁକି......... କ'ଣ ତାର ଉଦେଶ୍ୟ ? ଗୋଲାପ ର ଦୁଃଖରେ ସମଭାଗୀ ହେବ ନା ଗୋଲାପ କୁ.....। ତଥାପି ଗୋଲାପ ଆଜି ଭଅଁର ର ଗୁଣୁଗୁଣୁ ତାନକୁ କାନ ଡେରି ଶୁଣିବାକୁ ବ୍ୟାକୁଳ ହୋଇ ଉଠୁଛି, ତା'ର ସେଇ ଶୀତଳ ସ୍ପର୍ଶ କୁ ପାଖୁଡା ଭିତରେ ଆବଦ୍ଧ କରି କଢ଼ ପାଲଟିଯିବାକୁ ଚାହୁଁଛି । ଆଉ ମନେ ମନେ ଭାବୁଛି ଏ ପାଗଳ ଭଅଁର ମୋ କଢ଼ ସମୟରେ ମୋ ପାଇଁ ପାଗଳ ନ ହୋଇ ଆଡ଼ରୁଷା ମାରୁଥିଲା କାହିଁକି....???? ନା ଆଉ କିଛି....… ମଲ୍ଲୀ, ହେନା ଓ ମାଳତୀ ପରି ସୁଗନ୍ଧିତ ଫୁଲରୁ ମହୁ ସରିଗଲା ନା , ସେ ଗନ୍ଧରେ ଅତିଷ୍ଠ ହୋଇ ଫେରି ଆସିଛି ଭଅଁର ତାର ସ୍ଥାୟୀ ଠିକଣା କୁ...... ।

ସତରେ, ସଦାନନ୍ଦ ବାବୁ ଫେରିଛନ୍ତି ଶରୀରରେ ଅଜସ୍ର ରୋଗ ଯନ୍ତ୍ରଣା ନେଇ ।ଦୁର୍ବଳ ଶରୀର ରୁଗଣ ମନ ଆଉ ଅକୁହା ବ୍ୟଥା ନେଇ ପେରିଛନ୍ତି ସେ ଗୋଲାପ ପାଖକୁ । ଏବେ ତ ଗୋଲାପ ହିଁ ତାଙ୍କର ସାହା ଭରସା , ଶେଷ ଜୀବନ ର ଆଶା ବାଡ଼ି । ଉତୁଙ୍ଗ ବୟସର ଉଛୁଳା ଉନ୍ମାଦରେ ଅନ୍ଧ ହୋଇ ନିଜ ଛୁଆ ଓ ସ୍ତ୍ରୀ ପାଇଁ କର୍ତ୍ତବ୍ୟ କରିବା ସିନା ଭୁଲିଯାଇଥିଲେ, ହେଲେ, ଅଧିକାର ତ ନିଶ୍ଚୟ ରହିଛି ଗୋଲାପ ଉପରେ । କାରଣ ନିଜ ବଗିଚାରେ ଏଯାବତ ଫୁଟିରହିବା ପାଇଁ ସୁଯୋଗ ଦେଇ ଆସିଥିଲେ ସେ । ସାର, ପିଡ଼ିଆ ନ ହେଲେ ନାଇଁ ବଗିଚାର ମାଳି ପରି ଦାନା ପାଣି ଯୋଗେଇ ଆସିଥିଲେ ସେ..... ।

ହାତରେ ଦି ମୁଠା ପାଣିକାଚ ସାଙ୍ଗକୁ ଟୋପାଏ ନାଲି ଦାଉ ଦାଉ ସିନ୍ଦୁର ପରା ଏବେବି ଲାଗିଛି ଗୋଲାପ ମଥାରେ । ସମାଜ ଆଖିରେ ସତୀ ଶିରୋମଣି , ସୁଲକ୍ଷଣୀ ନାରୀ ଟିଏ ସେ, ଆଉ ନ ଟି ପୁଣି ଗୋଲାପ......... । ଗୋଲାପ ଫୁଲ ତ ସ୍ନେହ ଶ୍ରଦ୍ଧା ଓ ପ୍ରେମର ପ୍ରତୀକ, ମନରେ ଝରଣାରେ ତାର କରୁଣା ଓ ଭଲପାଇବା ର ଅଜସ୍ର ବାରିଧାରା । ପ୍ରତି ପାଖୁଡ଼ାରେ ତାର ପ୍ରିତି ଉପହାର ଲୁକାୟିତ ।ହୃଦୟ ରେ କୋହ ଆଉ ଆଖିର ଲୁହ କୁ ପାଖୁଡା ଭିତରେ ଚାପି ରଖି ନାଲି ଓଠରୁ ମହୁଝରାଇବା କଳା ତାକୁ ବେଶ ଜଣା । ସବୁ କଥା କୁ ପଛରେ ପକାଇ ଗୋଲାପ ଆଜି ଫଗୁଣ ର ସେଇ ଗୋଲାପୀ ଅବିରକୁ ତାର ମନ ଆକାଶରେ ବୁଣିବାରେ ଲାଗିଛି।ଡେରିରେ ହଉ ପଛେ ଦେବତାଙ୍କ ମଥା ରେ ନ ହେଲେ ବି ପାଦରେ ଲାଗି ହବାର ସମୟ ଆସିଛିତ'ପାଇଁ । ସ୍ୱାମୀ ଦେବତ୍ତାଙ୍କ ହୃଦୟରେ ନ ହେଲେ ନାଇଁ ହାତର ଆଶାବାଡ଼ି ସାଜି ପାଖେ ପାଖେ ରହି ସେବା ଯୋଗେଇ ପାରିବ, ଏମିତି କେତେ କଥା......... । ଏଇ ଦିନକୁ ବୋଧେ ଅପେକ୍ଷା କରି ଥିଲା ସେ । ଅଫୁରନ୍ତ ଆନନ୍ଦ ସହିତ ମାନସିକ ଶାନ୍ତି , ଆଜି ସ୍ବାମୀ କେବଳ ତାର..... । ମୁଣ୍ଡ ଟେକି ଛାତିରେ ହାତ ଦେଇ ଏ ସମାଜ କୁ କହିପାରିବ ସେ, ଦେଖ.... ତୁଠ ଜଗିଥିଲେ ନିଶ୍ଚୟ ଗଜ ବାନ୍ଧିବ, ମନରେ ଭକ୍ତି ଥିଲେ ପଶାଣୀ ଅହଲ୍ୟା କୁ ଶାପମୁକ୍ତ କରିବା ପାଇଁ ସ୍ୱୟଂ ରାମଚନ୍ଦ୍ର ନିଶ୍ଚୟ ଆସିବେ, କୁବଜାକୁ ସୁନ୍ଦରୀ କରିବା ପାଇଁ କୃଷ୍ଣ ନିଶ୍ଚୟ ପିଠି ଥାପୁଡ଼େଇବେ.... ।

ଗୋଲାପର ପାଦ ଆଜି ତଳେ ଲାଗୁନି । ଯାହା ହାତ ଧରି ବାପ ମାଆ,ଭାଇ ଭଉଣୀ ଙ୍କୁ ପରକରି ବାଟ ଚାଲିବାକୁ ପଦ ବଢ଼େଇଥିଲା, ଆଜି ତାଙ୍କରି ଆଶାବାଡି ହୋଇ ପାଖେ ପାଖେ ସଜାଗ ପ୍ରହରୀ ସାଜି ସବୁ ଫୁଲ ମାନଙ୍କ ପାଇଁ ଗୋଟିଏ ବଡ ଉଦାହରଣ ହୋଇ ରହିବ ଯୁଗ ଯୁଗକୁ । ଯାଇ, ଯୁଇ, ହେନା, ମଲ୍ଲୀ ଓ ମାଳତୀ ସୁଗନ୍ଧରେ ଯେତେ ବିମୋହିତ କଲେ ବି ଭଅଁର କେବେଳ ଗୋଲାପ ର ,କେବଳ ଗୋଲାପ ର...... ।




ରୋଜି ମିଶ୍ର
ବ୍ରାହ୍ମଣକୁଶଡିହ, ବାଲୁଗାଁ

Post a Comment

0 Comments