Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମାନବିକତାର ବୋଝ - ସିପ୍ରା ନାମତା

ହଠାତ ଟ୍ରେନ ଅଟକିଗଲା ପରି ଲାଗିଲା । ଶୁଣୁ ଶୁଣୁ କଣ ନା ଷ୍ଟ୍ରାଇକ ପାଇଁ ଟ୍ରେନ କୁ ଅଟକାଇ ଦିଆଯାଇଛି । ଓଃ.... ମୁଣ୍ଡ ଟା ଗରମ ଲାଗିଲା ।କି ଷ୍ଟ୍ରାଇକ କରୁଛନ୍ତି, ମାସରେ ଥରେ ତ,ଛଅ ମାସ କୁ ଚାରିଥର । ପୁଣି କଣ ଯେ ଲାଭ ମିଳୁଛି ସେକଥା ସେଇମାନେ ହିଁ ଜାଣନ୍ତି !!!! ବିଷର୍ଣ୍ଣ ମନ ନେଇ ନୀରବ ରେ ବସି ରହିବା ବ୍ୟତୀତ ଯେପରି ଅନ୍ୟ କିଛି ଉପାୟ ନଥିଲା । ବୋଧହୁଏ ମୋର ଭୁଲ, କାରଣ ବ୍ୟସ୍ତତା ହେତୁ ମୁଁ ଠିକ୍ ରୂପେ ଖବର ରଖିପାରିନାହିଁ । ହେଲେ, ବର୍ତ୍ତମାନ ତ ଆଉ କିଛି କରାଯାଇ ନ ପାରେ । ମୁଁ ଓଲ୍ହାଇଲି ବାଧ୍ୟ ହୋଇ ।ପରିସ୍ଥିତି ଭୀଷଣ ଆକାର ଧାରଣ କରିଥାଏ । କିଛି ଯୁଵବର୍ଗର ପିଲା ଅନତିଦୂରରେ ଟାୟାର ଧରି ସଜ ହେଉଥାନ୍ତି, ବୋଧହୁଏ ଜାଳିବାକୁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ ପରୀକ୍ଷା ଥିବାରୁ ଟ୍ରେନ କିନ୍ତୁ ଆଜି ପ୍ରବଳ ଲୋକାରଣ୍ୟ । ପ୍ରାୟ ତ ରବିବାର ଗୁଡିକରେ ଏଣ୍ଟ୍ରାନ୍ସ ପରୀକ୍ଷା ରହେ । ବସଭଡା ବୃଦ୍ଧି ଯୋଗୁଁ ଟ୍ରେନରେ ପ୍ରାୟ ଭିଡ଼ ରହେ । କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକଙ୍କୁ ଛାଡିଦେଲେ, ରେଳଯାତ୍ରୀଙ୍କର ସମାଗମ ଲାଗି ରହିଥାଏ । ସେ ଭିତରୁ କିଛି ବିଶୃଙ୍ଖଳିତ ଲୋକ ଅଛନ୍ତି, ଚୋରାରେ ଟିକେଟ କାଟିବା ଦରକାର ପଡେନା । ଆହୁରି ଅନେକ କାରଣର ଅଭାଵ ନାହିଁ ରେଳଯାତ୍ରା କରିବାକୁ ।

ଆରେ.... ରେଳଧାରଣା ଉପରେ କିଛି ସ୍ତ୍ରୀ ଲୋକ ବସିଯାଇଛନ୍ତି, କିଛି ପୁରୁଷ ସେମାନଙ୍କୁ ସମର୍ଥନ ଦେଇ ଉସୁକାଉଥାନ୍ତି । ଆଉଜଣେ ଭଦ୍ରବ୍ୟକ୍ତିଙ୍କୁ ମୁଁ କହିଲି,
-ଆଜ୍ଞା, ଦେଖିଲେ ଏଇ ସ୍ତ୍ରୀ ଲୋକ ମାନେ କଣ ବୁଝନ୍ତି ?? କଣ ପାଇଁ ଯେ ସେମାନେ ଏଠି ବସିଛନ୍ତି ସେ କଥା ଜାଣି ନଥିବେ । କିନ୍ତୁ ଧାରଣା ପ୍ରଦର୍ଶନ ରେ ଭାଗିଦାରୀ ହେବେ ।
-କଣ ଆଉ କରାଯିବ କୁହନ୍ତୁ ? ଏସବୁ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟୀ ।
-ନାଇଁ ଆଜ୍ଞା, କେବଳ ପ୍ରଶାସନକୁ ଦାୟୀ କଲେ ଭୁଲ ହେବ ବୋଲି, ମୁଁ ଭାବୁଛି । କାରଣ ଜନ ସଚେତନତା ବୋଲି କିଛି ଅଛି କି ନାହିଁ ? ଆମେ.... ଆମେମାନେ ହିଁ, ଅର୍ଥାତ ଜନସମୁଦାୟ ହିଁ ସମ୍ପୂର୍ଣ୍ଣ ରୂପେ ସୁଧାର ଆଣିବାର ଏକମାତ୍ର ମାଧ୍ୟମ ବୋଲି ମୋର ଧାରଣା । ଯେତେ ସବୁ ସଂରକ୍ଷଣ, କୁହନ୍ତୁ, ସଂଶୋଧନ କୁହନ୍ତୁ ସବୁ କିଛି ସରକାର ଯେତେବେଳେ ଆଇନ ରେ ପରିଣତ କରୁଛନ୍ତି, ସେତେବେଳେ ହିଁ ସ୍ୱର ଉତ୍ତୋଳନ କରିବା କଥା । ଶାସନ ର ସୁବିଧା ପାଇଁ ଯେତେ ସବୁ ସ୍ୱାର୍ଥପୂର୍ତ୍ତି ର ସାଧନ କରାଯାଇଛି ସେସବୁ ସାଧାରଣ ବର୍ଗ ର ବୁଝିବା ବାହାରେ । କିନ୍ତୁ ବାକି ବର୍ଗ ତ ବୁଝିବାର କଥା ନା, କିନ୍ତୁ ସେମାନେ ମଧ୍ୟ ନୀରବ । ଆଜି ପ୍ରଗତି ସୁବିଧାବାଦୀ ର ପକେଟ ରେ ବନ୍ଦୀ । ଆଜି ତ ଗଣତାନ୍ତ୍ରିକ ପଦ୍ଧତି ର ଚାଦର ତଳେ ରାଜତନ୍ତ୍ର ଯେପରି ତା'ର ଇତିହାସ ଗାଇବା ପରି ଲାଗୁଛି । ତଥାପି ଆମେ ଅସହାୟ ।

ଧୀରେ ଧୀରେ ସୂର୍ଯ୍ୟଦେବ ତାଙ୍କର ତେଜ ବଢ଼ାଉଥିଲେ । ଆମେ କିଛି ଦଳ କରି ସେମାନଙ୍କ ପାଖକୁ ଯାଇ ବୁଝାଇଲୁ ।ଆଜି ତ ଛୁଟି ଦିନ ନୁହେଁ । କର୍ଯ୍ୟଦିବସ, ତେଣୁ ଅନେକ ସରକାରୀ କର୍ମଚାରୀ ଛୁଟି ନେଇ ଅଫିସ କାମ କରିବାକୁ ଯାତ୍ରା କରିଛନ୍ତି । ସେମାନେ ଶାନ୍ତ୍ବନା ଦେଇ କିଛି ସମୟ ପରେ ଗାଡି ଛାଡି ଦେବେ ବୋଲି କହିଲେ । ଯାହାହେଉ ସେମାନେ ଗାଡି ଛାଡିଦେଲେ । ଡ୍ରାଇଭର ତାଙ୍କ ସିଟ ଗ୍ରହଣ କରିସାରିଥିଲେ । ଘଣ୍ଟା ଟିଏ କି ତା ଠୁଁ ଉର୍ଦ୍ଧ ସମୟ ସେଠି କାଟିବା ପରେ ଆମେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଥିଲୁ କି ନାହିଁ ଅଧାଘଣ୍ଟା ପରେ ପୁଣି ରେଳଯାତ୍ରା ବାଧାପ୍ରାପ୍ତ ହେଲା । ହେଃ, ଏଇଠି ତ ଏମିତି ଫେସନ ଚାଲିବ । ବିରକ୍ତିକୁ ଯଥାସମ୍ଭବ ନିୟନ୍ତ୍ରଣ ରେ ରଖି ବାକୁ ପଡୁଥିଲା କାରଣ ଏକା ମୁଁ ତ ନୁହେଁ.... ।

"ବନ୍ଦ" ର ପ୍ରଭାବ ସବୁଆଡେ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଆବାହକଙ୍କର ପ୍ରଚାର ର ଅଟୋଟିଏ ତତ୍କାଳ ସେଇ ହାଇୱେ କଡ ଦେଇ ଚାଲିଗଲା । ସେଇଭିତରେ ଜଣେ ଗର୍ଭବତୀ ମହିଳା ଙ୍କୁ ଗାଡି ରେ ନେଇଯିବା ଘଟଣା କୁ ନେଇ ଖୁବ୍ ଗୋଟାଏ ଦଙ୍ଗା ହୋଇଗଲା ପରସ୍ପର ବିରୋଧୀ ଗୋଷ୍ଠୀଙ୍କ ଭିତରେ । ବେଶ ଲହୁଲୁହାଣ ହୋଇଗଲେ କେତୋଟି ଯୁବକ । ମୁଁ ଖୁବ୍ ଗଭୀର ଭାବେ ମର୍ମାହତ ହେଲି । ଅଜବ ଲାଗୁଛି ଆଜିର ଜେନେରେସନକୁ ଦେଖିବା ବେଳକୁ ।ଇଛା ହେଉଥିଲା କହିଦେବାକୁ, "ରେ ନିର୍ବୋଧ ଦାୟାଦ କାହା ସହିତ, କାହିଁକି ବା ଏ ସଂଗ୍ରାମ କରୁଛ । ରାଜ୍ୟ ପାଇଁ, ସିଂହାସନ ପାଇଁ ସିନା ମହାଭାରତ ଯୁଦ୍ଧ ହୋଇଥିଲା କିନ୍ତୁ ତୁମେମାନେ ତ, ରାଜ୍ୟ କଥା ଛାଡ, ସେ ସିଂହାସନ ର ପାର୍ଷଦ ଙ୍କ ସଖା ରେ ମଧ୍ୟ ଗଣା ହେବ ନାହିଁ ।ଖାଲି ଅସ୍ଥି ଚାଟିବାରେ ନିଜକୁ ନିୟୋଜିତ କରନା "।

ମୋ ଭାବନା ଚାଲିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ସେ ମହିଳାଙ୍କୁ ଯାନ ସହିତ ବିଦାୟ କରିସାରିଥିଲେ । ଓଃ.... ଏକ ଦୀର୍ଘଶ୍ଵାସ ଛାଡ଼ିଲି ମୁଁ । ହଠାତ କାହାର ପରିଚିତ କଣ୍ଠ ରେ ଆଶ୍ଚର୍ଯ୍ୟ ହୋଇ ଚାହିଁବା ବେଳକୁ ମୋ ଓଠ ରେ ଧାରେ ହସ ଖେଳିଗଲା । ମୋର ପୁରାତନ ଛାତ୍ର ଆସ୍ତିକ । ମୋତେ ପ୍ରଣାମ କରି କୁଶଳ ଜିଜ୍ଞାସା କରିବା ପରେ ମୁଁ କହିଲି

-କୋଉଠି ଥିଲ ଏଇ ଟ୍ରେନ ରେ ??
-ଏବେ କରୁଛ କଣ ?? ଘରେ ସବୁ ଭଲ ତ ??
-ଆଉ କଣ ପାଇଁ ଯାଉଛ ??

ଆସ୍ତିକର କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା । ଠିକ୍ ପ୍ଲସ ଟୁ ପରୀକ୍ଷା ବେଳକୁ ତା ବାପା ଙ୍କ ର ଅଚାନକ ମୃତ୍ୟୁ ତାର ମେରୁଦଣ୍ଡ ଭାଙ୍ଗିଦେଲା । ଯାହା ବି ହେଉ ୭୨% ମାର୍କ ରଖି ଉତ୍ତୀର୍ଣ୍ଣ ହେଲା ସିନା କିନ୍ତୁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ନିମନ୍ତେ ବହୁ ବାଧାବିଘ୍ନର ସମ୍ମୁଖୀନ୍ନ ହେଉଛି । କାରଣ ସବୁରି ମୂଳ ରେ ଅର୍ଥ । ତଥାପି ଯେଉଁ ବ୍ରାଞ୍ଚରେ ପଢିବାକୁ ଚାହୁଁଥିଲା ପଢୁଛି ସେଥିରେ । କିନ୍ତୁ ବହୁତ କଷ୍ଟ କରିବାକୁ ପଡୁଛି ତା ମାଆ ଙ୍କୁ ସେଥିପାଇଁ ।

-ମାଆ ଙ୍କ ର ଅବଦାନ କେହି ଶୁଝି ପାରେନା ରେ । ଦେଖିବୁ ତାଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ବିଶେଷ କରି ତୋ ଦ୍ୱାରା, ବୁଝିଲୁ !! ତାକୁ ଆଶ୍ୱାସନା ଦେଇ ବୁଝାଇଲି ।
ଆସ୍ତିକ ବୁଝିଲା କି ନାହିଁ, କିନ୍ତୁ ମୋତେ ସନ୍ତୋଷ ଲାଗିଲା ଯେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ଥାଇ ବିରାଟ କାର୍ଯ୍ୟ ଟିଏ ସାଧନ କରି ପାରିଛି । ନିଜର ସନ୍ତାନ ତରଫରୁ ସେଇ ମାନବିକତା ନ ପାଇବାର ଅସହାୟତା ର ଦୀର୍ଘଶ୍ଵାସ ଟିଏ ଛାତି ତଳୁ ବାହାରିଆସିଲା । ଏକ ମାତ୍ର ସନ୍ତାନ କୁ ଯୋଗ୍ୟ କରିବାକୁ ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଉତ୍ସର୍ଗ କରିଦେଇଥିଲି । କିନ୍ତୁ ପୁଅ ତା'ର ଯୋଗ୍ୟତା ଅର୍ଜନ କରିସାରିବା ପରେ ପ୍ରବାସୀ ହୋଇଗଲା । ପାଞ୍ଚବର୍ଷରେ ଥରେ ଦର୍ଶନ ମିଳିବାର ସୁଯୋଗ ମିଳେ କି ନାହିଁ ।
-ସାର ଆପଣ ଜାଣିଛନ୍ତି, ଏଇ କିଛିଦିନ ତଳେ ଦେବାଶିଷ ର ଡେ଼ଥ ହୋଇଯାଇଛି ?
ଆଶ୍ଚର୍ଯ୍ୟ ରେ ଚାହିଁଲି ମୁଁ ତା ମୁହଁକୁ ! ମୋତେ ଏମିତି ଚାହିଁବାର ଦେଖି ସେ ବଡ ଅସହାୟ ଓ କୋହ ଭରା କଣ୍ଠ ରେ କହିଲା
-ମୁଁ କରୁଥିବା କୋର୍ସ ସେ ବି କରୁଥିଲା । ୨୩ ଲକ୍ଷ ଟଙ୍କା ଫିସ ସେ କଲେଜରେ । ଆଉ ବର୍ଷେ ପରେ ଭଲ କ୍ୟାମ୍ପସ ପାଇ ଯାଇଥାନ୍ତା କିନ୍ତୁ ଖରାପ ସଙ୍ଗତ ରେ ପଡି, ବୋଧହୁଏ ଡ୍ରଗ୍ସ ରେ ଇନଭଲବ ଥିଲା, ଜୀବନ ଚାଲିଗଲା । ବହୁତ ଦୁଃଖ ଲାଗେ ସାର । କିଏ ଖୋଜୁଛି ତ କିଏ ପାଉନି । ମୁଁ ତା'କଥାର ମର୍ମାର୍ଥ ବୁଝିପାରୁଥିଲି । ମୋ ମୋବାଇଲ ନମ୍ବର ତାକୁ ଦେଇ କହିଲି, -ନେ, ଏ ନମ୍ବର ଟା ରଖ, ଅନେକ ଦିନ ହେବ କାହା ସହ ଭେଟା ଭେଟି ହେଉନଥିବାରୁ ମୁଁ କିଛି ଖବର ରଖିପାରିନି । ବାପା ନାହାନ୍ତି ବୋଲି, କେବେ ମନ ଦୁଃଖ କରିବୁନି ।ଆଜିଠାରୁ ଭାବିବୁ ଯେ, ତୋର ଜଣେ ବଡବାପା ଅଛନ୍ତି । ଆସ୍ତିକ, ଭଲ ମେଧାବୀ ପିଲା । ଆଜି ପର୍ଯ୍ୟନ୍ତ ଛାତ୍ର ବୃତ୍ତି ପାଉଥିବା ପିଲା ଟି ର ମେଧା ଶକ୍ତି ର ଆକର୍ଷଣୀ ରେ ପିତୃତ୍ୱ ର ଅସୀମ ମମତା ଟିକକ ଛଲକି ପଡିଲା ଯେମିତି । ଭାରି ଭଦ୍ର, ନମ୍ର, ତଥା ବିନୟୀ ଆସ୍ତିକ ପ୍ରତି ଅଜସ୍ର ଆଶୀର୍ବାଦ ହୃଦୟ ରେ ଘୁରିବୁଲୁଥିଲେ । ଅନେକ ଛାତ୍ର ଛାତ୍ରୀଙ୍କ ର ଖବର ଅଳ୍ପ ସ୍ୱଳ୍ପ ରେ କହୁଥିଲା ଆସ୍ତିକ । ଆଉ ମୁଁ ପ୍ରବଳ ଆଗ୍ରହର ସହ ଶୁଣୁଥିଲି । ଏହା ମଧ୍ୟରେ ଚାରିଘଣ୍ଟା ବିତିଯାଇଥିଲେ ମଧ୍ୟ ଟ୍ରେନ ଚାଲିବାର କୌଣସି ସଙ୍କେତ ମିଳୁ ନ ଥିଲା । ଆସ୍ତିକ ଟିକେ ଆଗେଇ ଯାଉଥିବା ବେଳେ ମୁଁ ବାରଣ କରିବାରୁ ରହିଗଲା କାରଣ ଏ ହେଉଛି ଛିନ୍ନମସ୍ତା ର ସମୟ ମସ୍ତିଷ୍କ ବିହୀନ ଜୀବ ର କ୍ରିୟା କର୍ମ ଉପରେ ନିୟନ୍ତ୍ରଣ ନ ଥାଏ । ତେଣୁ ନିଜେ ହିଁ ସାବଧାନ ହେବା ଶ୍ରେୟସ୍କର ।ସେତେବେଳକୁ ପେଟରେ କ୍ଷୁଧା ର ତାଡନା ଧୀରେ ଧୀରେ ପ୍ରଭାବ ବିସ୍ତାର କଲାଣି । ତେବେ ଯାହା ହେଉ ପାଖରେ ଥିବା ବିସ୍କୁଟ ରେ ଭୋକ ଶାନ୍ତ କରିବାକୁ ପଡିଲା ।

ଏମିତି ବିତିଗଲା ଆଉ ଦୁଇ ଘଣ୍ଟା । ଅପରିଚିତ, ପରିଚିତ ହେବାକୁ ଲାଗିଲେ ।ରାଜନୀତି ର ଦେଶ ଚର୍ଚ୍ଚା ଠାରୁ ଆରମ୍ଭ କରି, ମାଓବାଦୀ କାର୍ଯ୍ୟକଳାପ ତଥା ବେକାରୀ ସମସ୍ୟା ରେ କିପରି ଏକ ରୁ ଅଧିକ ସଂଖ୍ୟାରେ ବୃହନ୍ନଳା ସୃଷ୍ଟି ହେବାରେ ଲାଗିଛନ୍ତି, ସେ କଥାର ଏକ ଉଦାହରଣ ଦେଇ ତତ୍କାଳ ବନ୍ଧୁ ଜଣକ କହିଲେ, "ଏଇ ଦଶ ଦିନ ତଳେ ଭୁବନେଶ୍ୱରରୁ ଫେରୁଥିଲି, କଣ କହିବି ଗୋବିନ୍ଦ ବାବୁ, ସମ୍ପୂର୍ଣ୍ଣ ପୁରୁଷ ପିଲାଟା, ଗୋଜା ଟୋକାଟା । ସଜେଇ ହୋଇ ବୃହନ୍ନଳା ସାଜିଛି ହୋ.... ମହାଭାରତ ବର୍ଣ୍ଣନା ରେ ସିନା ସେ ଉର୍ବଶୀ ର ଅଭିଶାପ ପାଇଥିଲେ କିନ୍ତୁ ଆଜି ର ଶସ୍ତା ରାଜନୀତି ଦ୍ୱାରା ଅନେକେ ଅଭିଶପ୍ତ । କହିଲା, "ପ୍ରାଇଭେଟ ରେ ଚାକିରୀ କରି ଚଳି ହେଲାନି ଆଜ୍ଞା । ଦିନରାତି ଖଟଣୀ ଦରମା ଦେବ ଛଅ/ସାତ ହଜାର । ଏଇ ବେଉସା ରେ ଭଲ ଦି ପଇସା ପାଉଛି । "ମୁଁ ତାକୁ କହିଲି, "ମହାନ୍ତିଏ, ତମ ଘରେ ଏ କଥା ଜାଣିଛନ୍ତି ? ସଙ୍ଗେ ସଙ୍ଗେ ସେ ମୁହଁ ବୁଲାଇ କହିଲା, "ଏବେ ଦୁନିଆ ଏମିତି ହେଇଛି ସାର, ତମେ କଣ କରୁଛ, କାହିଁକି କରୁଛ, କାହା ପାଇଁ କରୁଛ ? କେହିକିଛି ବୁଝିବାକୁ ଚାହାନ୍ତିନି । ଖାଲି କରିବା ଦରକାର ଆଉ ଚଳିବା ଦରକାର । "କହି ପ୍ରସ୍ଥାନ କଲା । ମୁଁ ତ ତଟସ୍ଥ ....!!!"
ତତ୍କାଳ ବନ୍ଧୁ ଗଜେନ୍ଦ୍ର ଙ୍କ ଠାରୁ ଶୁଣି ମୁଁ ବି ତଟସ୍ଥ ହେଲି... ହାଏ ରେ ଦଇବ, ଦୀର୍ଘ ଷାଠିଏ ବର୍ଷ ପରେ କଣ ସବୁ ଦେଖିବାକୁ ଆଉ ଶୁଣିବାକୁ ମିଳୁଛି । ୟେ ତ ତୃତୀୟ ଲିଙ୍ଗ ବି ନୁହେଁ ।ଅଥଚ ତେଣେ ଜବ କାର୍ଡ ର ଢ଼ିଣ୍ଡରା ଦୁନିଆ ଉଠୁଲୁ ପୁଟୁଲୁ । ହଃ, ଏ ତ କୁରୁସଭା ଠୁଁ ବି ବଳିଗଲେ ରେ, ଶହଶହ ଧୃତରାଷ୍ଟ୍ର ଏଠି । କେଉଁଆଡେ ବି ମଧ୍ୟବିତ୍ତ ପାଇଁ ରକ୍ଷା ନାହିଁ ।

ବାର ଘଣ୍ଟିଆ ବନ୍ଦ ଡାକରା ର ଫଳ ସ୍ୱରୂପ ଅନେକ ସ୍ଥାନ ରେ ଦୁର୍ଘଟଣା, ଦଙ୍ଗା ବି ହୋଇଯାଇଛି ।ରାଜଧାନୀ ରେ ବନ୍ଧୁ ଙ୍କ ବିବାହ ଉତ୍ସଵ ରେ ଯୋଗଦାନ କରିବାକୁ ଯାଇ ସେଠାରେ ବିଶେଷ କିଛି ସମାରୋହ ଦେଖିବାକୁ ପାଇଲିନି କିନ୍ତୁ ମଣ୍ଡପ ଭିତରେ ଖୁବ୍ ସୁକ୍ଷ୍ମ ବାଦ୍ୟ ବାଜୁଥିଲା ।ମୋ ବାଲ୍ୟବନ୍ଧୁ ଙ୍କ ର ଏହା ଥିଲା ତୃତୀୟ ଶେଷ ତଥା ସର୍ବକନିଷ୍ଠ କନ୍ୟା ର ବିବାହ।ତେଣୁ ଇତି ର ମୁଣ୍ଡା ଟିଏ ଛୁଆଁଇବାକୁ ଆସିବାକୁ ପଡିଲା ।କିନ୍ତୁ "ବନ୍ଦ"ର ପ୍ରଭାବ ପାଇଁ ସବୁ କିଛି ଫିକା ଫିକା ଲାଗୁଥିଲା ଦିନବେଳେ ହେଉଥିବା ବିବାହ ଉତ୍ସଵ ଟିର । ଝିଅ କୁ ବିବାହ ଦେଉଛି ଏଇ ସର୍ତ୍ତ ରେ ଯେ ବିବାହ ପରେ ସେ ତା ସ୍ବାମୀ ସହିତ ପ୍ରବାସ ରେ ରହିବ ।ସେତେବେଳେ ମୁଁ ତାଙ୍କ କଥା ରେ ହତବାକ ।ସେ କିନ୍ତୁ ଅତି ସହଜ ମନ ରେ କହିଦେଲେ, "ପାଖରେ ରହିବା କଥା କହୁଛ ତ ତା ହେଲେ ଏତେ ଟଙ୍କା ଖର୍ଚ୍ଚ କରି ଯୋଗ୍ୟତା କିଣୁଥିଲ କାହିଁକି ?ଆଉ ବିବାହବେଦୀ ରେ କନ୍ୟା ପିତା ପାଖରେ ବିକ୍ରୀ ହେଉଛନ୍ତି କାହିଁକି ???? ତମର ଝିଅ ଥିଲେ ସିନା ତମେ ଜାଣନ୍ତ, କି ଦୁଃଖ !!!!!"

"କିନ୍ତୁ ମୁଁ ତ ମୋ ପୁଅ କୁ ବିକ୍ରୀ କରି ନ ଥିଲି । ତେବେ ? ଗତବର୍ଷ ସ୍ତ୍ରୀ ଚାଲିଗଲେ ।କିନ୍ତୁ ମୁଖାଗ୍ନି ଦେବାକୁ ପୁଅ ଆସିପାରିଲାନାହିଁ । କେବଳ ଶୋକ ପ୍ରକାଶ କରି ଭୀଷଣ ଦୁଃଖିତ ବୋଲି କହିଲା ପରେ ବ୍ୟବସ୍ଥା କରି ଆସିବ ବୋଲି କହିଥିଲା । କିନ୍ତୁ ବର୍ଷେ ଚାଲିଗଲା ପରେ ବି ଆସିପାରିଲାନାହିଁ । ଏଇଟା ହିଁ ତା'ର ମାନବିକତା । ଆଉ କିଛି କହିବାର ଅଛି ? ଏଇ ବୟସ ରେ ପତ୍ନୀହରା ହୋଇ ସହାଭରସା ହୀନ ହୋଇ ରହିବା, କେତେ ଯେ କଷ୍ଟ ତାକୁ ମାପି ପାରିବ ?" ବନ୍ଧୁ ଉପରେ ଏତକ ଲଦିଦେଇ ମୁଁ ତା ପରଦିନ ଘରକୁ ଫେରିଆସିଲି । କିଛି ଭଲ ଲାଗୁନି ଆଜିକାଲି । ଗୋଟେ ଲୋକ ଅଛି ମୋ ପାଖରେ । ରାନ୍ଧବଢା, ଦେହପା, ଭଲମନ୍ଦ, ସବୁ କଥା ବୁଝାବୁଝି କରେ । ଏବେ ମୋ ପ୍ରକୃତ ଦୁନିଆ କହିଲେ ସେ (ଚନ୍ଦ୍ର ) ଆଉ ମୁଁ । ଆମ ପରସ୍ପର ଦୁଃଖ, ଅସହାୟତା, ପରସ୍ପରଙ୍କୁ ସହାୟତା କରୁଛି । ବାକି ସବୁ ଦେଖଣାହାରୀ । ଚନ୍ଦ୍ର ସକାଳୁ ଚାହା ଦେଇଗଲାଣି କିନ୍ତୁ ସେହି ସମୟରେ ଫୋନ ଆସିବାରୁ ମୁଁ କଥା ରେ ବ୍ୟସ୍ତ ରହିଲି ।

-ବାପା, ଆମେ ବହୁତ ଅସୁବିଧା ରେ ପଡିଯାଇଛୁ । କିଛି ଟଙ୍କା ଦରକାର ଥିଲା,ଏଇ ପନ୍ଦର/କୋଡିଏ ଲକ୍ଷ ଭିତରେ ...ପ୍ଲିଜ଼ ଆଠ ଦଶ ଦିନ ଭିତରେ ଯୋଗାଡ କରି ପଠେଇଥିଲେ ଭଲ ହୋଇଥାନ୍ତା । ବୋହୁ ର ଫୋନ ଥିଲା । ଇଛା ହେଉଥିଲା ଅନେକ କିଛି ଉତ୍ତର ଦେବାକୁ । କିନ୍ତୁ ବୋହୁ ଟାକୁ କଣ କହିବି ? ମୋ ସୌଜନ୍ୟ ମୋତେ ବାନ୍ଧି ରଖିଲା । ଏଇଟା ତ ପୁଅ ର ଦୋଷ ।ଅସୁବିଧାରେ ସ୍ତ୍ରୀ କାନ୍ଧର ସାହାରା ନେଉଛି । ମୁଁ, ଦୀପୁ କୁ ଫୋନ ରେ ମେସେଜ କରିଦେଲି, "ମୋ ପାଖେ ଏତେ ପଇସା ଏବେ ନାହିଁ କି ଯୋଗାଡ କରିପାରୁନି, ପାଞ୍ଚଲକ୍ଷ ଟଙ୍କା ପଠାଇଦେଉଛି । ମୋ ଅନ୍ତେ ଏ ଘରଦ୍ୱାର ଜାଗବାଡି ର ଏକ ଚତୁର୍ଥାଂଶ ତୋର, ସେତିକି ରେ ତୁ ଯାହା ଅଧିକାର ସାବ୍ୟସ୍ତ କରିବା କଥା କରିବୁ ବାକି ଅନ୍ୟ ଅଂଶ ଟି ତୋ ମାଆ ର ସ୍ମୃତିରେ ଜରାନିବାସ ପାଇଁ ଉତ୍ସର୍ଗୀକୃତ ହୋଇସାରିଛି ।"

ମେସେଜ ରିସିଭଡ଼ ସୋ କଲା । ମୁଁ ଫୋନ ରଖିଦେଲି । ଚନ୍ଦ୍ର ଦେଇଯାଇଥିବା ଚାହା ସେତେବେଳକୁ ଥଣ୍ଡା ହୋଇଯାଇଥିଲା । ମୁଁ ଚନ୍ଦ୍ର କୁ ଡାକୁ ଡାକୁ ଭାରି ହାଲକା ଅନୁଭବ କରୁଥିଲି ।ସତେ ଯେମିତି ମୋ କାନ୍ଧରୁ ଏକ ବିରାଟ ବୋଝ ଓଲ୍ହାଇଯାଉଥିଲା !!!!

Post a Comment

0 Comments