Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭଉଣୀ ପ୍ରତି - ରାଜେଶ ପୂଜାରୀ

ଯେତେ ଯାହା ବେଳ ପଡୁ
ତୋ ଅନାବିଳ ଚେହେରାରେ
ବିଦ୍ୟମାନ ଅପୂର୍ବ ଚମକଟେ
ତୋ ମିଠା କଥାରେ ମହୁ ପରି ଝରେ
ପ୍ରଶାନ୍ତିର ନିଆରା ତତ୍ତ୍ବଟେ
ଟିକିଏ ଲୁହରେ ହିମାଳୟକୁ ବି
ଚୁନା କରି ପାରୁ ତ
କେବେ ହସର ବର୍ଷାରେ ପୋତି ପକାଇ
ବାଧ୍ୟ କରୁ ଅଗସ୍ତିଫୁଲିଆ ଜହ୍ନକୁ
ଓହ୍ଲାଇବାକୁ ଆକାଶରୁ ମାଟିକୁ ।

ଏସବୁ ଦେଖି ମତେ ବେଳେ ବେଳେ
ଲାଗେ ଏ ପାଣି ପବନ
ଚଳମାନ ହୁଅନ୍ତି ତୋ ଇଙ୍ଗିତରେ
ସେଇଥିପାଇଁ ବୋଧେ
ଟି.ଭିର ଅନ୍ ଅଫ୍ ଭଳି
ନିୟନ୍ତ୍ରଣ କରିପାରୁ
ଅବୋଲକରା ମୂହୁର୍ତ୍ତ ଯେତେକୁ !

ମୁଁ ତୋ ଦାଦା ହେଲେ କ'ଣ ହେଲା
ତୁ ମତେ ନାନୀ ପରି ମନାଉ ବୁଝାଉ
ଫୁ...ଫୁ କରି ଗୋଟିଏ ଫୁଙ୍କରେ
ଉଡ଼େଇ ଦେଉ ମୋର ତମାମ୍ ବୋଝ
ହସର ଲହଡି଼ରେ ଭସେଇଦେଉ
କାଗଜ ଡଙ୍ଗା କରି
ମୋର ଲୁହକୁ..କୋହକୁ ।

ମୁଁ ଅନର୍ଗଳ କହିଚାଲେ
ମୋ ଅକୁହା କଥା ଯେତେକୁ
ତୁ ବୁଝ୍ ନ ବୁଝ୍
କାନେଇ ଶୁଣୁଥାଉ
ବିଭୋର ଶ୍ରୋତା ପରି,
ଆଉ କେଜାଣି କେମିତି
ମୋ ଗୁମର ପୋଟଳି
ତୋ ଆଗରେ
ଖୋଲିଦେଲା ପରେ
ମନର କାନ୍ଥରୁ ଆପେ ଝଡି଼ଯାଏ
ଦୁଃଖର ଶୋକର ଅଳନ୍ଧୁ ଯେତେ
ହୋଇଯାଏ ବେଲୁନ୍ ପରି ହାଲକା‌ ।

ମୋ ରୁମ୍
ବହି ଥାକ ସଜା ଠୁ
ପେଣ୍ଟ୍ ସାର୍ଟ ସଫା କରିବା ପର୍ଯ୍ୟନ୍ତ
ସବୁଥିରେ ମୁଁ ଋଣୀ ତୋ ପାଖରେ,
ମୁଣ୍ଡରେ ହାତ ଆଉଁସା
ସରୁ ଆଙ୍ଗୁଳିରେ
କରୁ ଗଦଗଦ ମୋ ପିଠିରେ
ଅନେକ ମନା ସତ୍ତ୍ୱେ
ପାଦରେ ତୈଳ ଘଷା ତୋର
ସ୍ୱର୍ଗୀୟ ଆନନ୍ଦ ମୋର।

ମୁଁ ବେଶି କିଛି କରି ନପାରିଲେ ବି
ତୋର କିଛିଟା ଅଳି ଅର୍ଦ୍ଦଳି
ଛୋଟ ଛୋଟ ଇଚ୍ଛା ପୂରଣ କରିଦେଇ
ଶିହରିଯାଏ ତୋ ଖୁସିରେ
ଶତ କଦମ୍ବର ରୋମାଞ୍ଚରେ
ତଥାପି ଯୋଗ୍ୟତାର ମାପରେ
ତୁ' ହୀରା ପରି ମନେ ହେଲେ
ମୁଁ ପିତ୍ତଳ ସହିତ ତୁଳନା କରିବାକୁ
ଲଜ୍ଜାବୋଧ କରେ ନିଜକୁ।

ନିଜକୁ୍
ଭାଗ୍ୟବାନ ମଣେ
ଗର୍ବିତ ହୁଏ ତୋ'ଭଳି
ଭଉଣୀଟେ ପାଇଥିବାରୁ
ଉପମା ନାହିଁ ତତେ ବର୍ଣ୍ଣିବାକୁ।


କୁଶମେଲ, ଝାରସୁଗୁଡ଼ା

Post a Comment

0 Comments