Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏ ମନ ଗୋଟେ ଉଡାଇ ଚଢ଼େଇ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମନ ଚଢ଼େଇ ରେ ମନ ଚଢ଼େଇ ଉଡ଼ି ଉଡ଼ି ଯା ତୁ ଉଡି.. ॥ ୨ ଥର ॥

ସାଗର କୂଳେ ଦେଖିବୁ ନୀଳ ଶଇଳ ,
ଝରୁଥାଏ ଯହିଁ ସଦା ମନ୍ଦ ମଳୟ
ସେ ଶଇଳେ ଅଛି ପରା କଳପବଟ ,
ସେ ବଟ ଡାଳେ ପକ୍ଷୀରେ ବସାଟେ ବାନ୍ଧ
ଅମର ପୁରୀକୁ ତହୁଁ ପାଇବୁ ସିଡି , ମନ ଚଢ଼େଇ ରେ...।।
ଦେଖିବୁ ମାଳିନୀ ନଦୀ ତହିଁ ଲହରେ ,
ସେ ନଦୀ ତଟ ଶୋଭିତ ଦିଶେ ବାଲିରେ
ସେ ବାଲିର ନାଁ ପରା ଶରଧାବାଲି ,
ସେ ବାଲିରେ ଡେଇଁବୁ ତୁ ଖୁସିରେ ବୁଲି
ତହୁଁ ବଇକୁଣ୍ଠ ପଥ (ତୋତେ) ଯିବରେ ମିଳି , ମନ ଚଢ଼େଇ ରେ… ।।

ପୁରସ୍ତମ ନାମେ ଗାଁ ସେଠାରେ ଅଛି ,
ସେ ଗାଁ ଦାଣ୍ଡ କୁ ବଡ଼ଦାଣ୍ଡ କୁହନ୍ତି
ସୁର, ଗନ୍ଧର୍ବ,ଅମରପୁ୍ରୀ ନର ନା୍ରୀ ,
ମହା ଆଡ଼ମ୍ବରେ ତହିଁ ଛନ୍ତି ବାସକରି
ପରମାତ୍ମା ସଙ୍ଗେ ତୋ ଆତ୍ମା ଦେରେ ଯୋଡ଼ି ,ମନ ଚଢ଼େଇ ରେ… ।।
ସେ ନୀଳଶଇଳ ପରେ ବଡ଼ଦେଉଳ ,
ସେ ଦେଉଳେ ବିଜେ ନିଜେ ବଡ଼ଠାକୁର
ତାଙ୍କର ଭୋଗକୁ କହି ମହାପ୍ରସାଦ ,
ତହିଁରେ ନାହିଁ ରେ ନାହଁ କି ଜାତୀଭେଦ
ଖୁଣ୍ଟି ଖାଇବୁ ରେ ପକ୍ଷୀ ଥିବରେ ପଡି , ମନ ଚଢ଼େଇ ରେ... ।।

ପୂର୍ବ ଜନ୍ମ ଭାଗ୍ୟ ତୋର ଥିବରେ ଯେବେ ,
ଦର୍ଶନ କରିବୁ କଳା ସାଆନ୍ତ ତେବେ
କହଇ ପ୍ରଫୁଲ୍ଲ ସେଯେ ମୋ ପ୍ରାଣ ମିତ ,
ସେ ହିଁ ମହାବାହୁ ସେହି ଦୁଃଖୀ ସଙ୍ଗାତ
ନବାନ୍ଧିବ ତୋତେ ଆଉ ଯମର ବେଡି ,ମନ ଚଢ଼େଇ ରେ… ।।


ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments