Information

ଗଜଗାମିନୀ - ବାମନ ଚନ୍ଦ୍ର ଦୀକ୍ଷିତ

ତଟ ପ୍ରସ୍ତର କୁ କରି ଆସନ
ଆନମନା ଖୋଲେ ଅଙ୍ଗ ବସନ
ମୁକୁଳା ବସନ ଖୋଲୁଛି କାହିଁ
ସଙ୍ଗ ଛାଡିବାକୁ ଲାଳସା ନାହିଁ
ତଥାପି କରି ଜବର ଯେ
ଭିନ୍ନ କରେ ଏକ ଆନ ବକ୍ଷ ବାସ
ଦେଖି ମୁଗ୍ଧ ସରୋବର ଯେ(୧)

ନିର୍ମଳ ଶୀତଳ ସରସି ଜଳ
ସୋପାନ ଶ୍ରେଣୀ ଲମ୍ବିତ ସୁତଳ
ଅଗଭୀର ନିର ନାଭି ଅବଧି
ବାହୁ ବାହୁ ଛନ୍ଦି ରଚି ପରିଧି
ମଧ୍ୟେ ନାରୀ ଶିରୋମଣି ଯେ
ମେଘାଚ୍ଛନ୍ନ ନିଶି ବିଦ୍ୟୁବୃତ୍ତେ ଶଶି
ଶୋଭା ନ ହୁଏ ବଖାଣି ଯେ(୨)

କର କମଳେ କରି କେହି ଜଳ
ମୁଖ କମଳେ କେ କରେ ପ୍ରହାର
ବିମ୍ବାଧରି ଘେନି ବେନୀ କରକୁ
ଆଡ଼ କରେ ନୟନ କମଳ କୁ
କି ଶୋଭା ଶ୍ରୀମୁଖ ଠାଣି ଯେ
ଅଭୂଲା ମୁହୂର୍ତ୍ତ ଯାବତ ଜୀବିତ
ଅପାଶୋରା ସେ କାହାଣୀ ଯେ(୩)

ଅର୍ଦ୍ଧନଗ୍ନ ଅର୍ଦ୍ଧ ନିମଗ୍ନ କାୟା
କୋଣାରକ ଭଗ୍ନ ଶିଳା ର ମାୟା
ଅବା କେଉଁ ଶିଳ୍ପୀ ତୁଳିକା ଧାରେ
ଲେଖି ଚାରୁ କଳା ସରସି ଜଳେ
ନିଜେ ହୋଇ ସମ୍ମୋହିତ ଯେ
ଅଧା ଚିତ୍ରପଟ୍ଟ ପୁରା କରିବାକୁ
ପାଶୋରି ଯାଇଛି ମାତ୍ର ଯେ(୪)

ସ୍ନାନ ପୂତ ଶିକ୍ତ ଶୀତଳ ତନୁ
ପ୍ରତ୍ୟାବର୍ତ୍ତନ ପଥେ ଉପବନୁ
ଉଦ୍ୟାନ କୁସୁମ କଳିକା ଢଳି
ଅଟକି ଯିବାକୁ କରେ କି ଅଳି
ଯାଆନା ନବ ନବିନା ଯେ
ଉପବନ ଶିରୀ ନୋହୁ ହତ ଶିରୀ
ତୋ ରୂପ ମାଧୁରୀ ବିନା ଯେ


ବାମନ ଚନ୍ଦ୍ର ଦୀକ୍ଷିତ

Post a Comment