ଶରଧା ବଳିଛି ଲୋ , ସଖୀ ସତେକି ଆଜି
ମାଧବ ଡାକିବେ କୁଞ୍ଜ କାନନକୁ
ରଚିବେ ରାହାସ କରିବେ କେଳୀ
ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।
ଆଜିର ଏ ପୁନେଇଁ ଜହ୍ନ , ମନକୁ କରୁଛି ଉଚ୍ଛନ୍ନ
ଗୋପ ଚନ୍ଦ୍ରମା ଙ୍କ ଅଙ୍କ କି ମଣ୍ଡିବ
ବୃଷଭାନୁ ଜେମା ଭାଗ୍ୟେ କି ଅଛି,
ଶରଧା ବଳିଛି ଲୋ , ସଖୀ ସତେକି ଆଜି...।।
ଝରିବ ରଜତ ଜୋଛନା , ହସୁଥିବ ଦୂରେ ଚନ୍ଦ୍ରମା
ମୟାବିନୀ ରାତି ଜହ୍ନ ଅନ୍ଧାରରେ
କୁଞ୍ଜେ ହେବ ରାଧା ମାଧବ ପ୍ରିତୀ,
ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।
ତାରା ଫୁଲେ କୁଞ୍ଜ କାନନ , ଦିଶିବ ଅନନ୍ୟ ସୁରମ୍ୟ
ମାଧବଙ୍କ ଅଙ୍ଗେ ମଳୟ ପବନ--
ସମ ସତେ ରାଇ ଜଡି ଯିବକି,
ଶରଧା ବଳିଛି ଲୋ , ସଖୀ ସତେକି ଆଜି...।।
ନୈସର୍ଗିକ ଅମୀୟ ପ୍ରେମ , ରାଧାକୃଷ୍ଣ ମହାମିଳନ
ସତେକି ସଜନୀ ଆଜିଏ ରଜନି
ଅପାସୋରାହୋଇ ରହିଯିବକି,
ଶରଧା ବଳିଛି ଲୋ , ସଖୀ ସତେକି ଆଜି…।।
ନନ୍ଦସୁତ କଳାକହ୍ନାଇ , ଚନ୍ଦ୍ରସେଣା ଘରଣୀ ରାଇ
ସେ ଯୁଗଳ ପଦେ ପ୍ରଫୁଲ୍ଲ ଶରଣ
ମୋ ମନ କୁଞ୍ଜକୁ ରଞ୍ଜାଇବକି ,
ଶରଧା ବଳିଛି ଲୋ , ସଖୀ ସତେକି ଆଜି... ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.