Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସ ଜାଣିବା ବର୍ଣ୍ଣମାଳା - ପ୍ରୀତିପ୍ରିୟା ମହାନ୍ତି

ଅଳତା ଲଗାଇ ଅଞ୍ଜଳି ନାନୀ,
ଅଜା ଘର ଯିବ ସଜ ହେଲାଣି।

ଆଈ ହାତ ଗଢା ଆରିଶା ପିଠା,
ଆହା କି ସୁଆଦ ଲାଗଇ ମିଠା।

ଇଲିଶି ମାଛ ଯେ ସୁଆଦ ଭାରି,
ଇଟାଟି ମାଟିରେ ହୁଏ ତିଆରି।

ଈଶ୍ୱର ସବୁରି ସୃଷ୍ଟି କରତା,
ଈର୍ଷାପର ନୁହେଁ ଉଚିତ କଥା।

ଉଗ୍ର ସ୍ୱଭାବଟି ଅଟଇ ମନ୍ଦ,
ଉଇଁଲେ ସୂରୁଜ ଲୁଚଇ ଚାନ୍ଦ।

ଊନ ନ ଭାବିବା କାହାକୁ କେବେ
ଊଷାରୁ ବିଛଣା ଛାଡିବା ଆଗେ।

ଋଣ କରିବା ଯେ ନୁହେଁ ଉଚିତ,
ଋତୁ ମଧ୍ୟେ ରାଜା ଅଟେ ବସନ୍ତ।

ଏ ମୋ ବିଦ୍ୟାଳୟ ଭାରି ବଢିଆ,
ଏଠି ମନ ଦେଇ ପାଠ ପଢିବା।

ଐକ୍ୟ ମନୋଭାବ ବଳ ଦିଅଇ,
ଐରାବତ ହସ୍ତୀ ମରତେ ନାହିଁ।

ଓଡିଶା ମାଟିର ଟେକ ରଖିବା,
ଓଜନ ପରଖି ଜିନିଷ ନେବା।

ଔଷଧର କାମ ରୋଗ ନିଦାନ,
ଔଷଧଠୁ ଶକ୍ତ ମିଠା ବଚନ।

କୋଇଲି କରଇ କୁହୁ କାନନେ,
କାଳିଆ କହୁଛି କୁନିର କାନେ।

ଖିରି ଖେଚୁଡି କୁ ଲୋଡିବା ନାହିଁ,
ଖାଦ୍ୟ ଯାହା ମିଳୁ ଦେବାଟି ଖାଇ।

ଗୁରୁ,ଗୁରୁଜନ ଦେବ ସମାନ,
ଗୋମାତାକୁ ଘରେ ରଖ ଯତନ।

ଘର୍ମ ନିଗିଡ଼ଇ ଗ୍ରୀଷମ କାଳେ,
ଘଡ଼ଘଡି ମାରେ ବରଷା ବେଳେ।

ଚାନ୍ଦ ଦିଶିଲାଣି ଆକାଶେ ଦେଖ,
ଚୁନି,ଚୁଇଁ ଭଲ କଥା କୁ ଶିଖ।

ଛତୁକୁ ଦେଖରେ କେଡେ ସୁନ୍ଦର,
ଛତାପରି ଅଟେ ରୂପ ତାହାର।

ଜୀବନ ନୁହଁଇ ଜଳକୁ ଛାଡି,
ଜିଇଁବା ଜୀବନ ତାକୁ ଜାବୁଡି।

ଝିକ୍‌ମିକ୍‌ ଜରି ଝିଲି ପୋଷାକେ,
ଝୁମୁକା ସାଥିରେ ଭାରି ଝଟକେ।

ଟୁଆଁ ଟୁଇଁ ଦୁହେଁ ବସିଲେ ମିତ,
ଟାଙ୍ଗରା ଭୂଇଁରେ ଗଛଟେ ପୋତ।

ଠିକଠିକ୍ କାମ କରିବା ଭଲ,
ଠିକଣା ଯାଗାରେ ମୁହଁକୁ ଖୋଲ।

ଡାଲମା ଚିଜଟି ସୁଆଦ ଭାରି,
ଡାଲି,ପରିବାରେ ସିଏ ତିଆରି।

ଢାଙ୍କୁଣି ଘୋଡାଇ ରଖିବା ଖାଦ୍ୟ,
ଢ଼ମଢ଼ମ ବାଜେ ଢୋଲକି ବାଦ୍ୟ।

ତଟକା ପରିବା ଖାଇଲେ ହିତ,
ତମର ଆମର ବସିବା ମିତ।

ଥିରି ଥିରି କରି ତିତିଲି ବୋଉ,
ଥଳି ଧରି ତୋର କୁଆଡେ ଯାଉ।

ଦଉଡି ଆସରେ ଖାଇବ ଦହି,
ଦଳଦଳ ହୋଇ ବସଟି ଯାଇ।

ଧିର କଥା ଧିର ସ୍ୱଭାବ ଭଲ,
ଧିରୁଆ ଧରିଛି ହାତରେ ଢୋଲ।

ନମସ୍କାର ମନେ ଆଣେ ସଂସ୍କାର,
ନୁଆଁଇବା ମଥା ଗୁରୁ ପୟର।


ପାଇଖାନା କରି ଝାଡା ଫେରିବା,
ପାଦରେ ଚପଲ ପିନ୍ଧି ଚାଲିବା।

ଫସଲ ଫଳାଏ ଚାଷୀର କଷ୍ଟ,
ଫିଙ୍ଗି ଖାଦ୍ୟ ଜମା ନ କର ନଷ୍ଟ।

ବଇଦ ଚିହ୍ନଇ ରୋଗୀର ରୋଗ,
ବାସି ଜିନିଷକୁ କରିବା ତ୍ୟାଗ।

ଭଦ୍ର, ଭଲ ହୋଇ ନାଁ କରିବା,
ଭୁଲିବାନି ପର ସାହାଯ୍ୟ ସେବା।

ମାଆ ବାପା ମୋର ବଡ଼ ଠାକୁର,
ମେଘକୁ ଦେଖିଲେ ନାଚେ ମୟୂର।

ଯୋଗ କରୁଥିଲେ ସ୍ୱାସ୍ଥ୍ୟ ଉତ୍ତମ,
ଯାନ ଚଳାଇଲେ ମାନ ନୀୟମ।


ରାତି ପାହିଲାଣି ସଅଳ ଉଠ,
ରଥଯାତ ଯିବା ନ କରି ମଠ।


ଶରତ ଆସଇ ବରଷା ପରେ,
ଶତ୍ରୁ ହେବା ନାହିଁ କାହା ସାଥିରେ।

ଷଡ଼ଋତୁ ଥାଏ ବାରମାସରେ,
ଷଡ଼ରିପୁ ଠାରୁ ରହିବା ଦୂରେ।


ସାଇତି ରଖିବା ଭଲ ଅଭ୍ୟାସ,
ସଜାଡିବା ନିତି ନିଜ ଜିନିଷ।

ହାତୀର ଖାଦ୍ୟ ଯେ ଡାଳ ପତର,
ହାତ ଧୋଇ ତୁମେ କର ଆହାର।

କ୍ଷମା ଦେବା ଦେଖି ଦୋଷ ଅନ୍ୟର,
କ୍ଷତି ନ କରିବା କେବେ କାହାର।

ୟେହି ମୋର ଦେଶ ଭାରତ ଭୂଇଁ,
ୟା ପରି କେହି ଜଗତେ ନାହିଁ।

'ଲ' ଯାଏଁ ଯିଏ ଆଗ ଶିଖିବ,
ଲଡୁ ଦୁଇ ଗୋଟି ସିଏ ଖାଇବ।


ମୟୂରଝାଲିଆ, ରଣପୁର, ନୟାଗଡ଼

Post a Comment

0 Comments