Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବ୍ୟଙ୍ଗ କବିତା - ମୋବାଇଲ - ରମାକାନ୍ତ ମିଶ୍ର

ଏବେ ମୋବାଇଲ ଯୁଗ
ଚାରିଆଡେ ମୋବାଇଲ
ହାତେ ହାତେ ମୋବାଇଲ
ରଙ୍ଗ ବେରଙ୍ଗି ମୋବାଇଲ
କ'ଣ ନ ହେଉଛି ସେଥିରେ ?
ସବୁ କାମ ଘରେ ବସି ହେଉଛି ସେଥିରେ ।

ଏତେ ସବୁ ସତ୍ୱେ
ଭଗବାନଙ୍କ ପାଖରେ
ମୋବାଇଲ ଖଣ୍ଡେ ନାହିଁ
ଏ କଥା ଭାବିବାକୁ ଲାଜ
କହିବାକୁ ଲାଜ
ଭଗବାନ ସୃଷ୍ଟି ର କର୍ତ୍ତା
ତାଙ୍କ ପାଖେ ମୋବାଇଲ ନାହିଁ ?
ସବୁ ତ ସେ ବୈକୁଣ୍ଠ ରେ ବସି
ନାରଦଙ୍କ ଠାରୁ ଖବର ପାଇ ଯାଉ ଛନ୍ତି
ତାଙ୍କର ବା ମୋବାଇଲ ର
ଅଛି କିବା ପ୍ରୟୋଜନ ?
ତାଙ୍କର ସିନା ନାହିଁ
ଆମ ଭଳି ଦୁଃଖୀଙ୍କର ତ
ଦରକାର ପଡୁଛି ତାଙ୍କ ସଂଗେ
ବେଳେ ବେଳେ ସମ୍ପର୍କ
ସ୍ଥାପନ କରିବା ପାଇଁ
ନିଜର ହIରି ଗୁହାରି ତାଙ୍କୁ
ଜଣାଇ ମନକୁ ହାଲୁକା କରିବା ପାଇଁ ।
ଏଥିପାଇଁ ଭଗବାନଙ୍କର
ମୋବାଇଲ ଖଣ୍ଡେ ନିହାତି ଲୋଡ଼ା
ଟୋକା ଟୋକି ମାନଙ୍କୁ ତ
ଫୁର୍ସତ ନାହିଁ ତାଙ୍କ ସଂଗେ
ଆଳାପ କରିବା ପାଇଁ
କିଏ ସେ 'ଭଗବାନ' ବୁଢା ?
ତାଙ୍କ ସଂଗେ ଆମ କି ଲୋଡ଼ା ?
ଆମର ଅଛନ୍ତି ପ୍ରେମିକ -
ପ୍ରେମିକାଙ୍କର ଅସରନ୍ତି ଦଳ
ସତେ ସେମାନେ ପ୍ରେମିକ ପ୍ରେମିକା ?
ପ୍ରେମ କରୁଥିଲ ଭଗବାନ ତୁମେ
ଦ୍ୱାପର ଯୁଗରେ
ହାତରେ ତୁମର ମୋବାଇଲ ନ ଥିଲା
ଥିଲା ବାଉଁଶ ର ଖଣ୍ଡେ ବଇଁଶୀ
ଶୁଣି ତାର ସ୍ଵନ ଛୁଟୁଥିଲେ
ରାଧା ଆଉ ଗୋପାଙ୍ଗନା ଦଳ I

ଭଗବାନଙ୍କ ପାଖରେ ନିହାତି
ମୋବାଇଲ ଖଣ୍ଡେ ଦରକାର ହେଲାଣି
ବିଶେଷ କରି ଏ କଳି ଯୁଗରେ
ବୁଢା ବୁଢ଼ୀ ମାନେ ତାଙ୍କ
ଗୁହାରି ଜଣାଇବା ପାଇଁ
ଜନ୍ମ କରି ସ୍ନେହ ଦେଇ
ପେଟ କାଟି ଭୋଜନ ଦେଇ
ମାୟାରେ ପରିପୂର୍ଣ୍ଣ ହୋଇ
ଗଢିଲେ ଯେଉଁ ସନ୍ତାନ ଦଳ
ବଡ଼ ହୋଇ ମୁଣ୍ଡକୁ ହାତ ପାଇଲା ପରେ
ମୋବାଇଲ ଖଣ୍ଡେ ଧରି
ଭୁଲି ଗଲେ ବାପା ମା’ଙ୍କୁ
ସେମାନେ ହେଲେ ବୁଢା ବୁଢ଼ୀ
ତାଂକ ସାଙ୍ଗରେ ମୋବାଇଲରେ
କଥା ହୋଇ ଖର୍ଚ୍ଚ କରିବାର
ରହିଛି କି ଆବଶ୍ୟକତା ?
ସେମାନେ ତ ଜନ୍ମ କରିଥିଲେ
ତାଙ୍କ କାମ ସେମାନେ କରିଗଲେ
ଆଉ ତାଙ୍କ ସାଙ୍ଗେ
ଆମର କି କାମ ?
କାହିଁକି ସେମାନେ ଆମକୁ
ହଇରାଣ କରୁଛନ୍ତି ଅକାଳେ ସକାଳେ
ମୋବାଇଲ ଟାକୁ ଅଫ କଲେ ଗଲା ।

ଏବେ ଗୁହାରି କାହାକୁ ଜଣାଇବ ?
ଭଗବାନଙ୍କୁ ଜଣାଇ ଥାନ୍ତେ
କିନ୍ତୁ ତାଙ୍କ ପାଖେ ମୋବାଇଲ ନାହିଁ ।
ହେ ଭଗବାନ !
ଅତି ଶୀଘ୍ର ମୋବାଇଲ ଖଣ୍ଡେ ଧର
ଅନେକ ଜିନିଷ ଧରିଛ ବିଭିନ୍ନ ହାତରେ
ଖାଲି ଗୋଟାଏ ମୋବାଇଲ ପାଇଁ
ନାହିଁ କ'ଣ ସ୍ଥାନ ?
ସ୍ଥାନ ଅଛି, ମନ ତୁମ ନାହିଁ
ତୁମେ ବି ଚାହୁଁ ନ ଅକାଳେ ସକାଳେ
ତୁମକୁ ପୁଞ୍ଜାଏ ବୁଢା ବୁଢ଼ୀ
ମୋବାଇଲରେ ଖାଲି ତାଙ୍କ
ଦୁଃଖ ଜଣାଉ ଥାନ୍ତୁ ।
ତୁମେତ ବଇଁଶୀ ଫୁଙ୍କି ଭଲରେ ଅଛ
ମୋବାଇଲଟାଏ ଧରି କାଦୁଅରେ
ପଶିବ କିଆଁ ଆଉ ସେଥିପାଇଁ
ସବୁବେଳେ ଗୋଡ଼ ଧୋଇବ କିଆଁ ??


ଶ୍ରୀ ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments