Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶେଷ ଘଣ୍ଟାକୁ ପ୍ରତୀକ୍ଷା - ରମେଶ ଚନ୍ଦ୍ର ମିଶ୍ର

ଶେଷ ଘଣ୍ଟାକୁ ପ୍ରତୀକ୍ଷା
----------------
ସୃଷ୍ଟିର ସକଳ ସୌନ୍ଦର୍ଯ୍ୟର ନିର୍ଯାସରେ
ମୁଁ ସୃଷ୍ଟିହେଲି
ମୋର କେହି ଶତ୍ରୁ ରହିବେନି ବୋଲି
ଘୋଷଣା କରିଦିଆଗଲା
ସଂବାଳୁଆର ଜୀବନ-ଚକ୍ରର
ବିପରୀତ ଗତିରେ
ମୁଁ ଜୀବନ ଜୀଇଁଲି
ଚାରୋଟି ପର୍ଯାୟରେ
ଚାରି ପ୍ରକାର ପୁରୁଷ ସଂସର୍ଗରେ ।

ଶୈଶବ-
--------------
ମୋ ବାପାଙ୍କର ମୁଁ କାଳେ
ରଙ୍ଗୀନ୍ ପ୍ରଜାପତିଟିଏ
ଅଲିଅଳୀ ଦୁଲାଳୀ ରାଜଜେମା
ସାଂସାରିକ ଜଟିଳ ଅଙ୍କର
ମୁଁ ଉତ୍ତରମାଳା
ସମାଧାନର ସହଜ ସରଳ ସୂତ୍ରଟିଏ
ମୋ ଦରୋଟି କଣ୍ଠର ଡାକରେ
ଛୁଟିଯାଏ ଆନମନା ଭାବ ବୋଲି ତ
ମୁଁ ସାଜିଥିଲି ଜୀବନ୍ତ
କଥାକୁହା ରଙ୍ଗୀନ୍ ଖେଳନା ।


ଯୌବନ-
--------------
ସମୟର ରଥରେ ସବାର ହୋଇ
ସମସ୍ତଙ୍କ ଭଳି ମୁଁ ଦିନେ
ପୁଷ୍ପୋଦ୍ୟାନ ଭିତରେ
ନିଜକୁ ଆବିଷ୍କାର କଲି
ନିଜେ ବି ଗୋଟିଏ କଢିରୁ
ସଜଫୁଟା ଫୁଲ ହୋଇଗଲି,
ଭ୍ରମର ଆସିଲେ
ପରମ୍ପରା ଓ ସଂସ୍କୃତିର ମନ୍ତ୍ର ଗାଇଗାଇ
ମୋତେ ଆପଣାର କଲେ ।

ବାର୍ଦ୍ଧକ୍ୟ-
--------------
ଏବେ ମୁଁ ମଲାନଈ
ଅଖୋଜା ଅଲୋଡା
ଲୋଳିତ ଚର୍ମା- ପଳିତ ସ୍ତନା
ଶୁକ୍ଳକେଶା,
ସେଇ ପୁତ୍ରର ଦୟାରେ
ପୁତ୍ରର ଅନ୍ନରେ ପ୍ରତିପାଳିତା,
ଯା` ହାତରେ ସରଗର ଜହ୍ନ ଦେଉଥିଲି
ସେ ମୋତେ ଆଜିକାଲି ସୂର୍ଯ୍ୟ ଧରଉଚି
ମୋ ସ୍ତନ ଦୁଗ୍ଧରେ ବଳବାନ୍ ହୋଇଥିବା ପୁଅ
ମୋତେ ଆଖି ଦେଖଉଚି
ତା` ଦୟାର ମୁଁ ଆଜି
ଭିକାରୁଣୀ ସାଜିଛି ।


ଉପସଂହାର-
------------------
ଶୈଶବରେ ବାପା,
ଯୌବନରେ ସ୍ବାମୀ,
ପ୍ରୌଢରେ ବାଳକ ପୁଅ,
ବାର୍ଦ୍ଧକ୍ୟରେ ସାଂସାରିକ ପୁଅ
ସବୁଠି ପୁରୁଷ- ପୁରୁଷ- ପୁରୁଷ,
ପୁରୁଷ ପ୍ରଧାନ ସମାଜର ବତୀଖୁଣ୍ଟ
ଋଣମୁକ୍ତିର ଚିନ୍ତା
ହଜେଇ ଦେଇଥିବା ଉଚ୍ଚାଙ୍ଗ ପୁରୁଷ
ଜୀବନକୁ ମହୁଫେଣା କରି
ସବୁ ମହୁ ସବୁ ସମୟରେ
ନିଗାଡି ଦେଇଥିଲି ବୋଲି ତ
ନିଜ ଲୁହ ନିଜେ ମୁଁ ପିଉଚି,
ପୁରୁଣା ହଜିଲା ଦିନମାନଙ୍କର
ସ୍ମୃତିକୁ ସାଉଁଟୁ ସାଉଁଟୁ
ଦିନ ମୋର ଶେଷ ହୋଇଆସୁଚି
ରେଳଗାଡିକୁ ଅପେକ୍ଷା କରିଥିବା
ଯାତ୍ରୀଟିଏ ଭଳି
ମୁଁ ଶେଷଘଣ୍ଟାକୁ ପ୍ରତୀକ୍ଷା କରିଚି ।




ସମ୍ପାଦକ,
ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0 Comments