Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିଧି ମଉସା - ଶ୍ରୀଧର ପଟ୍ଟନାୟକ

ନିଧି ମଉସା ହୋ,
ଏଇ ଆସୁଛି ଦେଖ ଶ୍ରାବଣର
ଶେଷ ରବିବାର,
ମଶା,ମୂଷା ଡାଆଁଶ ସବୁ ଏକାଠି ହେବେ,
ତୁମ ବିରୋଧରେ
ପ୍ରସ୍ତୁତ କରିବେ ରଣନୀତି,
କେହି ଜଣେ ଏମିତି ବି ପ୍ରସ୍ତାବ ଦେଲାଣି,
ତୁମେ ବୋଧେ ତାଙ୍କର
ଟାର୍ଗେଟ୍ ଏକ ନମ୍ବର,
ନହେବ କେମିତି ଯେ ;
ତୁମେ ତ ପାଲଟିଯାଇଛ
ମାଲେରିଆ ଦମନର ଦାମୀ ପୋଷ୍ଟର୍ !

ତୃତୀୟ ଶକ୍ତି ହାତ ମିଳେଇଲେଣି
କାଦୁଅ ଫୋପଡା ଆରମ୍ଭ ହେଲାଣି,
ରାସ୍ତାରୋକ୍ ସମୟର ଅଧା ପୋଡା ଟାୟାର୍
ମଶା ବଢିବାରେ ଢେର୍ ଆଶ୍ରୟ ଦେଲେଣି,
ଯୋଉଠି ଦେଖ କୁଢ କୁଢ ଅଳିଆ,
ଗାମ୍ବୁସିଆ ଆକ୍ବାରିୟମରେ ଶୃଙ୍ଗାର ହେଲେଣି ;
ବିରୋଧୀର ବିରୋଧୀ ତ ମିତ୍ର
ଏଇ ଆଳରେ ରାଜନୀତି ପ୍ରବଳ ହେଲାଣି !

ସ୍ବଚ୍ଛତା ପ୍ରଚାର ପାଇଁ ଅଳିଆ ଆସେ
ମାର୍ବଲ ଚଟାଣରେ ଏଇଠି,
ପ୍ରତୀକାତ୍ମକ ଭାବେ ବଡବଡିଆ କଥା ଛାଡ ହୋ,
ଆମ ଗାଁ ଧଡିଆ ବି ଝାଡୁ ଧରି
ସେଲଫି ନିଏ,
ଦିନ କେତେ ଫେସବୁକରେ ରଖେ ;
ତା' ଦୁଆରେ ଦେଖ ଅଳିଆ ଗଦା
ପାହାଡ ଭଳି ଜମିଗଲାଣି !

ମଉସା ହେ,
ମୋ ସାନକୁହା କଥା ମାନ,
ଆସୁଛି ନିର୍ବାଚନ
ଥରେ ଭାଗ୍ୟ ପରୀକ୍ଷା କରିନିଅ
ଡେଙ୍ଗୁ ମାଲେରିଆ ଦୂରର କଥା
ଧଳା ପାଇଜାମାରେ ଧୂଳି ବି ଲାଗିବନି !




ଶ୍ରୀଧର ପଟ୍ଟନାୟକ,
କଲ୍ୟାଣସିଂହପୁର, ରାୟଗଡ
ଦୂରଭାଷ : ୯୧୭୮୭୪୪୨୫୦

Post a Comment

0 Comments