Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ନିର୍ଦ୍ଦୋଷ - ମାନସ ରଞ୍ଜନ ପଟ୍ଟନାୟକ

ସକାଳୁ ସକାଳୁ ଦାମବାବୁ ବାହାରି ପଡନ୍ତି ମର୍ଣ୍ଣିଂୱାକ୍ ରେ । ଡାକ୍ତର କହିଛନ୍ତି ପ୍ରତିଦିନ ସକାଳେ ଅନ୍ତତଃ ତିନି କିଲୋମିଟର ଚାଲିବା ପାଇଁ । କାହିଁକିନା ସେ ଜଣେ ଡାଇବେଟିସ୍ ଓ ବ୍ଲଡ୍ ପ୍ରେସର ପେସେଣ୍ଟ । ଚାକିରୀ ପରଠାରୁ ସେ ସର୍ବଦା ସହରରେ ବାସ କରନ୍ତି । କାରଣ ଚାକିରୀଟା ଥିଲା ସହରରେ । ପର୍ବପର୍ବାଣୀ ପଡିଲେ ଦିନେ କି ଦୁଇ ଦିନ ପାଇଁ ଗାଁକୁ ଯାଆନ୍ତି । ପିଲାମାନେ ଓ ସ୍ତ୍ରୀଙ୍କ ଇଚ୍ଛା ଥିଲା ସହରରେ ରହିବାକୁ । ଅବସର ପରେ ଅବସରକାଳୀନ କିଛି ଟଙ୍କା ଖର୍ଚ୍ଚ କରି ଘରଟିଏ କରିଛନ୍ତି । ଯାହାହେଉ ରହିବା ଚିନ୍ତା ଦୁର ହୋଇଥିଲା । ତାଙ୍କ ଏକମାତ୍ର ପୁଅ ରବି ବେକାର ଅଟେ । ବୟସ ତାର ପଚିଶ ବର୍ଷ ହେବ । ଏମ୍.ଏ. ପାଶ୍ ପରେ ଭାରି ଚିଡା ହୋଇଯାଇଛି । ଟିକିଏ ଟିକିଏ କଥାରେ ବାପା ଓ ମା ଉପର ରାଗିଯାଏ । ଦୁଇ ଝିଅ କଲେଜରେ ପଢ଼ନ୍ତି । ଆର୍ଥିକ ଅନାଟନ ଭିତରେ ବେଳେବେଳେ ତାଙ୍କୁ ଘର ଚଳେଇବା ପାଇଁ କରଜ କରିବାକୁ ହୁଏ । ତାଙ୍କର ସ୍ତ୍ରୀ ଜଣେ ଭଲ ଗୃହିଣୀ ଓ ସିଧାସାଧା ମହିଳା । ରୋଷେଇ ଦାୟିତ୍ୱ ସେ ସମ୍ଭାଳନ୍ତି । ଦୁଇ ଝିଅ ପିଲାବେଳୁ ଅୟଶରେ ରହିଛନ୍ତି । ବର୍ତ୍ତମାନ ସେମାନେ ନିଜର ମନ ମୁତାବକ ଜିନିଷ କ୍ରୟ କରିବାକୁ ଅସମର୍ଥ କାରଣ ବାପା ତାଙ୍କର ଅବସର ନେଇସାରିଛନ୍ତି । ବାପା, ମାଙ୍କ ଚିନ୍ତା ରବି ପାଇଁ । କେଉଁଠି ଗୋଟେ ଚାକିରୀ ଯୋଗାଡ ହେଲେ ତାଙ୍କ ଚିନ୍ତା ଯାଆନ୍ତା । ଯେତେବେଳେ ସେ ରବିକୁ ଟିଉସନ କରିବାକୁ ପରାମର୍ଶ ଦିଅନ୍ତି ପୁଅ ରାଗିଯାଏ । କହେ, ମୁଁ କାହା ଘରକୁ ପାଠ ପଢ଼ାଇବା ପାଇଁ ଯିବିନାହିଁ । ବଡ ଝିଅ ସ୍ୱପ୍ନାକୁ ଦାମବାବୁ ଭାରି ଭଲ ପାଆନ୍ତି । ପେନସନ୍ ପାଇଲା ପରେ ସବୁଟଙ୍କା ସ୍ୱପ୍ନାକୁ ଦିଅନ୍ତି । ଯେତେବେଳେ ରବିକୁ କିଛି ପଇସା ଦିଅନ୍ତି ସେ ମନାକରେ । ଦରକାର ବେଳେ ମୁଁ ସ୍ୱପ୍ନାଠାରୁ ନେବି ବୋଲି କହେ । ଉକ୍ତ ସହରରେ ଗଣେଶ ପୂଜା ଓ ଦେବୀଙ୍କର ପୂଜା ଆଡମ୍ବର ସହ ପାଳନ ହୁଏ । ତେଣୁ ଆଖପାଖ ଅଞ୍ଚଳରୁ ବହୁତ ଲୋକ ପୂଜା ବୁଲି ଆସନ୍ତି । ଦାମବାବୁ ନିଜେ ସମୟ ବାହାର କରି ଦୁଇ ଝିଅଙ୍କୁ ପୂଜା ବୁଲାଇବା ସହ କିଛି ଘର ପାଇଁ ନିହାତୀ ଜରୁରୀ ସାମଗ୍ରୀ କିଣିଥାନ୍ତି । ସାନଝିଅ ସୁଜାତା ଲାପ୍ଟପ୍ କିଣିବା ପାଇଁ ପ୍ରସ୍ଥାବ ରଖିଲାବେଳେ ଦାମବାବୁ ମନା କରନ୍ତି । ତୋର +୨ ଦ୍ୱିତୀୟ ବର୍ଷ । ଭଲରେ ତୁ ପାଶ୍ କଲେ ମୁଁ ତୋ ପାଇଁ ନିଶ୍ଚୟ କିଣିବି । ସେ ହସିଦିଏ । ଏହିପରି ଭାବେ ନିଜେ ରୋଗଗ୍ରସ୍ଥ ହୋଇ ମଧ୍ୟ କୌଣସି ଅସୁବିଧା ପରିବାର ପ୍ରତି ରଖିବାକୁ ଭଲ ପାଉନଥିଲେ ।

ଦିନେ ଦାମବାବୁ ତାଙ୍କ ସ୍ତ୍ରୀ ସୁମିତ୍ରାଙ୍କୁ ପଚାରନ୍ତି ରବି କାହିଁକି ଘରେ ଦେଖା ଯାଉନି? ସୁମିତ୍ରା ନିରବ ରୁହନ୍ତି । ସ୍ୱପ୍ନା କହେ ଭାଇ ଓ ତାର କେତେଜଣ ସାଙ୍ଗ କ୍ଲବରେ ଶୋଉଛନ୍ତି । କିକଥା, ଏକଥା ମୁଁ ଜାଣେନି? ତୁମକୁ ବାପା ଶୀଘ୍ର ଔଷଧ ଖାଇ ଶୋଇବାକୁ ଡାକ୍ତର କହିଛନ୍ତି । ସପ୍ତାହରେ ଦୁଇଦିନ ହେବ ଭାଇ ରାତିରେ ଘରେ ରୁହେ । କଣ ତିଆରିବି ଖାଇବୁ ବୋଲି ପଚାରିଲେ ଓଲଟି ରାଗିଯାଏ । ମୋ କଥା କାହାର ବୁଝିବା ଦରକାର ନାହିଁ କହି ଚାଲିଯାଏ । ହଉ ଝିଅ, ସେ ବଡ ପିଲା ହେଲା । ଆଉ ଛୋଟ ପିଲା ନୁହେଁ ଯେ ମୁଁ ତାକୁ ଆକଟ କରିବି । ସ୍ୱପ୍ନା ତା ବାପାଙ୍କୁ ଡାକିନିଏ ଖାଇବା ପାଇଁ । କବାଟ ଠକ୍ ଠକ୍ ଶବ୍ଦ ଶୁଣି ସୁଜାତା କବାଟ ଖୋଲେ । ଗୋଟିଏ ଅଜଣା ଯୁବକୁ ଦେଖି ଆଶ୍ଚର୍ଯ୍ୟ ହୁଏ । ତା ମା ଓ ଭଉଣୀକୁ ପାଖକୁ ଡାକେ ସୁଜାତା । ଯୁବକ କୁହେ ରବିକୁ ଆଣିଛି । ସେ ଠିକ୍ରେ ଚାଲିପାରୁନି । ସୁମିତ୍ରା ପଚାରନ୍ତି କଣ ହେଲା ମୋ ପୁଅର ? ନାହିଁ ମାଉସୀ, ନିଶାଟା ଟିକେ ରବିକୁ ଯୋରେ ଧରିଛି । ତେଣୁ ସେ ବିଚଳିତ ହୋଇ ଠିଆ ହୋଇପାରୁନି । ସେ ମୋର ବାଇକ୍ରେ ବସିଛି ଗେଟ୍ ବାହାରେ । ଆସ ତାକୁ ଭିତରକୁ ଆଣିବ । ମା, ଝିଅ ତିନିଜଣ ଯାକ ଯାଇ ରିବକୁ ଧରି ଧରି ଘରକୁ ଆସି ଦାଣ୍ଡ କବାଟ ଲକ୍ କରନ୍ତି । ଶୁଆଇ ଦିଅନ୍ତି ବିଛଣାରେ । ଦାମବାବୁଙ୍କର ବ୍ଲଡ୍ ପ୍ରେସର ବଢ଼ିଯାଏ । ସୁଜାତା ପାଖକୁ ଯାଇ ତାଙ୍କୁ ଧରି ସୋଫାରେ ବସାଇଦିଏ । ସୁମିତ୍ରା, ରବିକୁ ବହୁତ ଗାଳି କରନ୍ତି । ଶେଷରେ ତୁ ଏତେ ତଳକୁ ଖସିଗଲୁ । ତୋ ବାପା, ମାର ନାଁ ପକାଇଲୁ । ମୋତେ ରଗାନି ବୋଉ । ଚୁପ୍ ହୋଇ ଏଠୁ ଚାଲିଯା । ନହେଲେ ସବୁ ବାଡେଇ ଭାଙ୍ଗିଦେବି । ଏ ଜିନିଷପତ୍ର ଗୁଣ୍ଡ ଗୁଣ୍ଡା କରିଦେବି । ସୁମିତ୍ରା କୁହନ୍ତି ଭାଙ୍ଗିଦେ । ଆମମାନଙ୍କୁ ପୋଡିଜାଳି ମାରିଦେ । ଦେଖ ତୁମ ପୁଅକୁ ଦେଖ । ମଦ ପିଇ ମାତାଲ ହୋଇ ଘରକୁ ଆସିଛି । ରୋଜଗାର ନାହିଁ । ସେଥିରେ ମଦ ଅଭ୍ୟାସ କଲାଣି । ସମୟ ଆସିଲେ ଏ ଘରକୁ ବିକିଦେବ କହି ସୁମିତ୍ରା କାନ୍ଦନ୍ତି । ଦୁଇଝିଅ ତାଙ୍କୁ ସେଠାରୁ ଅନ୍ୟ ଘରକୁ ନିଅନ୍ତି । ଦାମବାବୁ ରବିକୁ ଶୋଇବାକୁ କହି ସୁମିତ୍ରା ପାଖକୁ ଯାଆନ୍ତି । ସୁମିତ୍ରା, ତାରି ବୟସର ପିଲାମାନେ ରୋଜଗାରକ୍ଷମ ହେଲେଣି କିନ୍ତୁ ଆମ ରବିଟା ସବୁଥିରେ ଫାଷ୍ଟକ୍ଲାସ୍ ହୋଇ ମଧ୍ୟ ବେକାର ଅଛି ତେଣୁ ଟେନସନରୁ ମୁକ୍ତି ପାଇଁ ବୋଧେ ମଦ ପିଇ ଦେଇଛି । ରଖ ତୁମର ସେ ଗେଲ ବସର କଥା । ଆସ ସମସ୍ତେ ମୁଁ ବଢ଼ାବଢ଼ି କରୁଛି ଖାଇବା । ମୋ ମୁଣ୍ଡଟା ଭାରି ଯୋରରେ ବୁଲାଉଛି ସୁମିତ୍ରା । ମୁଁ ଖାଇବିନି । ତୁମେ ପିଲାମାନଙ୍କୁ ଖାଇବାକୁ ଦିଅ ।

ସକାଳ ହେଲା । ରବିର ନିଦ ଭାଙ୍ଗିଛି କି ନାହିଁ ଦେଖିବାକୁ ଗଲେ ସୁମିତ୍ରା । ରବି ତା ବୋଉକୁ ଭୁଲ୍ ମାଗେ । ମୁଁ ଜମାରୁ ମଦ ଛୁଇଁବିନି କହି ତାଙ୍କ ମୁଣ୍ଡ ଛୁଇଁ ଶପଥ କରେ । ସୁମିତ୍ରା ରବିକୁ କୋଳାଇ ଧରି କାନ୍ଦକାନ୍ଦ ହୁଅନ୍ତି । ଘରର କଲିଂବେଲ୍ ବାଜିଲା । ସୁମିତ୍ରା କବାଟ ଖୋଲିଲେ । ଦୁଆର ମୁହଁରେ ପୋଲିସବାଲା । ପଚାରନ୍ତି ରବି ଘରେ ଅଛି ? ସ୍ୱପ୍ନା ଆସି କହେ ମୋ ଭାଇକୁ କାହିଁକି ଖୋଜୁଛନ୍ତି ସାର୍ । ତୁମେ ସେଥିରୁ କଣ ପାଇବ କହି ସମସ୍ତ ପୋଲିସବାବୁମାନେ ଘର ଭିତରକୁ ପଶିଯାଆନ୍ତି । ଦାମବାବୁ ନେହୁରା ହୋଇ କହନ୍ତି କଣ ପାଇଁ ଆପଣମାନେ ମୋ ପୁଅକୁ ବାନ୍ଧି ନେଉଛନ୍ତି? ସେ କଣ କରିଛି? ତଦନ୍ତ ହେଲେ ଜଣାଯିବ । ଏହି ସାହିର ଶେଷ ମୁଣ୍ଡରେ ଥିବା କ୍ଲବ୍ ଘରେ ତୁମ ପୁଅ ଓ ତାର କେତେକ ସାଙ୍ଗ ଭୋଜିଭାତ କରିଥିଲେ ଗତ ରାତିରେ । ମଦ ସମସ୍ତେ ପିଇଥିଲେ । କ୍ଲବଘରର ଛାତରେ ଖାଇଲାବେଳେ ନିଜନିଜ ଭିତରେ ଗଣ୍ଡଗୋଳ କରିଥିଲେ । ଗୋଟିଏ ପିଲା ଛାତ ଉପରୁ ଗଳିପଡିଲା । ତାର ମୃତ୍ୟୁ ହୋଇଛି । ଏହି ବଜାରୀ ପିଲାମାନଙ୍କ ପାଇଁ ସେ ମଲା । ମୁଁ ତୁମ ପୁଅକୁ ଆରେଷ୍ଟ କଲି । ଜିପ୍ରେ ବସାଇ ରବିକୁ ଥାନାକୁ ନିଅନ୍ତି । ଦୁଇଝିଅ ଓ ସୁମିତ୍ରା କାନ୍ଦୁଥାନ୍ତି । ହଠାତ୍ ଦାମବାବୁ ବେହୋସ୍ ହୋଇଗଲେ । ଦୁଇ ଝିଅ ଓ ସୁମିତ୍ରା ମିଶି ତାଙ୍କୁ ଡାକ୍ତରଖାନା ନିଅନ୍ତି । ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ସ୍ୱପ୍ନାକୁ କୁହନ୍ତି ତୁମ ବାପାଙ୍କୁ ସଭିୟର ବ୍ରେନଷ୍ଟ୍ରୋକ ହୋଇଛି । ସମ୍ପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗ ପାରାଲାଇଜଡ୍ ହୋଇଛି । ସତେଯେପରି ଆକାଶଟା ତାଙ୍କ ପରିବାର ଉପରେ ଛଣ୍ଡିପଡିଛି । ସ୍ୱପ୍ନା କାନ୍ଦୁଥାଏ । ଡାକ୍ତର ବୁଝାଇ କୁହନ୍ତି ଏ ରୋଗୀ ବାସ୍ତରୀ ଘଣ୍ଟା ପର୍ଯ୍ୟନ୍ତ ଅବ୍ଜରଭେସନରେ ରହିବେ । ତା’ପରେ କିଛି ଚିକିତ୍ସା କରିପାରିବା । ଦୁଇଟି ସାଲାଇନ୍ ଓ ପରିସ୍ରା ପାଇପ୍ ଲାଗିଥାଏ । ସୁମିତ୍ରା ପାଖରେ ଜଗି ବସିଥାନ୍ତି ।

ପୋଲିସବାବୁ ରବିକୁ ହାଜତ ଭିତରେ ବାଡେଇ ଅନ୍ୟସାଙ୍ଗ ତୋର କୁଆଡେ ଲୁଚିଛନ୍ତି ପଚାରନ୍ତି । ମୁଁ ଭୋଜି ଖାଇସାରି ଘରକୁ ଶୋଇବାକୁ ଆସିଲି । ତା’ପରେ କଣ ହେଲା ସେ କିପରି ଗଳି ପଡିଲା ଛାତରୁ ତାହା ଜାଣିନି ସାର୍ । ସତ କହ ରବି । ବର୍ତ୍ତମାନ ତୋ ବାପା, ବୋଉ ଓ ଦୁଇ ଭଉଣୀକି ବାନ୍ଧି ଆଣିବି ଥାନାକୁ । ତାଙ୍କରି ଆଗରେ ତୁ ମାଡ ଖାଇଲେ ସତ କହିବୁ । ସୁଜାତା ଓ ସ୍ୱପ୍ନା ଥାନାକୁ ଆସନ୍ତି । ଥାନାବାବୁଙ୍କୁ ନେହୁରା ହୋଇ କହନ୍ତି ସାର୍ ଆମ ବାପା ଡାକ୍ତରଖାନାରେ ଅଛନ୍ତି । ତାଙ୍କ ଦେହ ବହୁତ ଖରାପ୍ । ଆମ ଭାଇକୁ କିଛି ସମୟ ପାଇଁ ଛାଡନ୍ତୁ ସାର୍ । ତୁମ ଦୁହିଁଙ୍କୁ ଲାଜ ମାଡୁନି ଏଭଳି ଗୋଟେ ଗୁଣ୍ଡା, ବଦମାସ୍ ଭାଇପାଇଁ ମୋ ଗୋଡ ଧରି କାନ୍ଦୁଛ ? ଦୟା ଦେଖାଇ ପୋଲିସ୍ ରବିକୁ ନେଇଯାନ୍ତି ତାଙ୍କ ଜିପ୍ରେ ଡାକ୍ତରଖାନା । ଦାମବାବୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅମ୍ଳଜାନ ନାକ ପୁଡାରେ ଲାଗିଥାଏ । ସେ ପିଲା କିପରି ଛାତରୁ ଖସି ପଡିଲା ମୁଁ ଜାଣେନି ବାପା । ତୁମ ମୁଣ୍ଡ ଛୁଇଁ ଶପଥ କରୁଛି ବାପା ଆଉ ଜୀବନରେ କେବେ ମଦ ପିଇବି ନାହିଁ । ତୁମେ ଉଠ ବାପା ମୋତେ ବିଶ୍ୱାସ କର ମୁଁ ନିର୍ଦ୍ଦୋଶ । ମୁଁ ନିର୍ଦ୍ଦୋଶ ପୋଲିସବାବୁ । ଦୁଇଥର ହେଙ୍କା ଉଠାଇ କାଠ ଗଣ୍ଡିଟେ ପରି ହୋଇଯାନ୍ତି ଦାମବାବୁ । ଡାକ୍ତର ଆସି ଛାତି ବାଡାନ୍ତି । ଯନ୍ତ୍ର ପକାଇ ଛାତିର ସ୍ପନ୍ଦନ ମାପନ୍ତି । କିଛିକ୍ଷଣ ପରୀକ୍ଷା କରିସାରିବା ପରେ ସରି କହି ମୁହଁଟିକୁ ଦାମବାବୁଙ୍କର ଘୋଡାଇ ଦିଅନ୍ତି । ରବିସହ ତାର ପରିବାର ଲୋକ ବିକଳ କାନ୍ଦଣା କାନ୍ଦୁଥାନ୍ତି । ପୋଲିସବାବୁ ନିଜର କ୍ୟାପ୍ ମୁଣ୍ଡରୁ ଓହ୍ଲାଉଥାନ୍ତି ।


ମାନସ ରଞ୍ଜନ ପଟ୍ଟନାୟକ
ସମ୍ପାଦକ- ମାଟିର ମହକ, ସାକ୍ଷୀଗୋପାଳ, ପୁରୀ

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।