OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ପରିବର୍ତ୍ତନ - ପରମିତା ମିଶ୍ର

କ୍ଷୁଦ୍ରଗଳ୍ପ - ପରିବର୍ତ୍ତନ - ପରମିତା ମିଶ୍ର

ରିତୁ ଓ ମିତୁର ଏକା ଜିଦ୍ ରାତିରେ ଶୋଇଲା ବେଳେ କାହାଣୀଟିଏ ଶୁଣିଲେ ହିଁ ଶୋଇବେ ।ସୌମେନ ବାବୁ ଜଣେ ଜିଲ୍ଲା କଲେକ୍ଟର। ସ୍ତ୍ରୀ ମୀନତି ଜଣେ ସୁଗୃହିଣୀ।ରିତୁ ଓ ମିତୁ ଦୁହେଁ ଜମଜ ସନ୍ତାନ। ଜେଜେମା ଓ ଜେଜେବାପା ପାଖରେ କାହାଣୀ ଶୁଣି ହିଁ ଶୁଅନ୍ତି କିନ୍ତୁ ସେ ଦୁହେଁ ତୀର୍ଥ କରିବାକୁ ଯାଇଛନ୍ତି। ତେଣୁ କାହାଣୀ ଶୁଣାଇବା ପାଳି ପଡିଛି ସୌମେନ ବାବୁଙ୍କୁ ।ମୀନତି ଆସି କହିଦେଇ ଗଲେ ଯେ ଦେଖ ମୋର ବହୁତ କାମ ଅଛି। ଏମାନଙ୍କୁ କାହାଣୀ କହି ଶୁଆଇଦିଅ । ବାବୁ ତାଙ୍କ କାହାଣୀ ଆରମ୍ଭ କଲେ ଆଛା ଠିକ୍ ଅଛି ଶୁଣ ତାହେଲେ

"ତୁମ ପରି ଛୋଟ ଛୁଆଟିଏ ଥିଲା ସୋମୁ.....

ପିଲାଟି ବେଳରୁ ତା ମାଆ ଚାଲିଗଲା। ତାର ମାଆ ଓ ମାମୁଁ ଦୁହେଁ ଜମଜ ସନ୍ତାନ ଥିଲେ। ଦୁହିଁଙ୍କ କ୍ଷୀର ଓ ନୀରର ସମ୍ପର୍କ ଥିଲା ମାଆ ମରିବା ଖବରରେ ମାମୁଁ ଏକାବାରେ ଭାଂଗି ପଡିଲେ। ସହସା ଯାଇ ଭଉଣୀର ଶେଷ ସନ୍ତକ ଭଣଜାକୁ କାଖରେ ଜାକି ନେଇ ଆସିଲେ, କହିଲେ ଆଜିଠୁ ମୁଁ ତୋର ବାପା। ଆଗରୁ ମାମୁଁଙ୍କର ଗୋଟେ ଝିଅ ଥିଲା। ସୋମୁକୁ ଘରକୁ ଆଣିବାରୁ ମାଇଁ ମନ ଖରାପ ହୋଇଗଲା। ମାମୁଁଙ୍କର ଆଦାୟ କମ୍ ସେ ତହସିଲଦାର ଅଫିସରେ ପିଅନ । ଘରର ଖର୍ଚ୍ଚ ଆଦାୟରୁ ଅଧିକ ହୋଇଯାଏ।

ଆଇ ଭାରି ଆଦର କରେ ସୋମୁକୁ। କିଛି ଦିନପରେ ମାମୁଁଙ୍କର ଆଉ ଗୋଟିଏ ପୁଅ ଜନ୍ମ ହେଲା ଶୁଭ। ଆଉ ତାପରେ ଘରେ ଯେଉଁ ଜିନିଷ ଆସେ ସେସବୁ ତିନି ଭାଗ ହୁଏ। ଆଉ ସେସବୁ ଦେଖି ମାଇଁ ଟିକେ ଅସହଜ ହୋଇଯାଆନ୍ତି। ଯଦିଓ ସେ ବି କେବେ ତିନି ଛୁଆଙ୍କ ଭିତରେ କିଛି ଫରକ କରୁନଥିଲେ କିନ୍ତୁ ସୋମୁ ମାଆ ସ୍ନେହରୁ ସବୁବେଳେ ବଞ୍ଚିତ ରହିଯାଉଥିଲା। ମାଇଁ ଙ୍କ ମନରେ କିଛି ଡର ଘର କରି ଯାଇଥିଲା। ବେଳେବେଳେ ମାଇଁ ମାମୁଁଙ୍କୁ ବହୁତ୍ ଶୁଣାଇ କି କୁହନ୍ତି କିନ୍ତୁ ମାମୁଁ କୌଣସି କଥାକୁ କାନ ନଦେଇ ତିନି ଛୁଆଁଙ୍କ ଉପରେ ନିଜର ସବୁ ସ୍ନେହ ଲୁଟାଇ ଦିଅନ୍ତି। ସମୟ ଗଡିଲା। ତିନି ଭାଇଭଉଣୀ ଶଶିକଳା ପରି ବଢୁଥିଲେ। କିଛି ଦିନ ପରେ ଆଇ ଚାଲିଗଲେ ଓ ମାଇଁ ମନରେ ଥିବା ଡର ସତ ହୋଇଗଲା। ଆଇ ତାଙ୍କର ଜମିବାଡ଼ିର ଅଧା ସୋମୁ ନାଆଁରେ କରି ଦେଇ ଗଲେ। ମାଇଁଙ୍କ ମନ ଏକଦମ୍ ଖଟା ହୋଇଗଲା। କିନ୍ତୁ ମାମୁଁ କହିଲେ ଆଇ କରିଛି ତ ଠିକ୍ ଅଛି ନହେଲେ ତ ସେ ନିଜେ ହିଁ କରି ଦେଇଥାନ୍ତେ। ଘରେ ଚାଲିଥିବା ଏସବୁ ଅଶାନ୍ତରେ ବି ଭାଇଭଉଣୀ ତିନି ଜଣ ଭିତରେ କିନ୍ତୁ ଭାରି ସ୍ନେହ। ସୋମୁ ତାର ଭାଇଭଉଣୀକୁ ଅତି ସ୍ନେହ କରେ।

ଗୋଟିଏ ଦରମାରେ ଘର ଚଳାଇବା ଭାରି କଷ୍ଟ ଥିଲା। ସୋମୁ ପାଠରେ ସବୁବେଳେ ପ୍ରଥମ ଆସେ। ଭାଇଭଉଣୀକୁ ପଢାଇବା ସାଙ୍ଗରେ ଟିଉସନ କରି ନିଜ ଖର୍ଚ୍ଚ ବି ଚଳାଇ ନିଏ। । ଏମିତିକି ଘର ଖର୍ଚ୍ଚରେ ବି ସେ ସାହାଯ୍ୟ କରିବାରେ ଲାଗିଲା।ଏତେ କଷ୍ଟରେ ପାଠ ପଢିଥିଲେ ବି ସେ ବର୍ଷ ମ୍ଯାଟ୍ରିକରେ ଜିଲ୍ଲାରେ ପ୍ରଥମ ଆସିଥିଲା ସୋମୁ। ପିଲାଦିନୁ ତାର ସ୍ଵପ୍ନ ଥିଲା ଆଇଏଏସ୍ ହେବାପାଇଁ।

ସେତେବେଳକୁ ସୋମୁ ସ୍ନାତକର ଶେଷବର୍ଷରେ ଥିଲା, ମାମୁଁଙ୍କ ଚାକିରୀ ଅବସର ନେବାର ଥିଲା। ସେତେବେଳର ବଡ ବାବୁ ଭାରି ଭଲ ଲୋକ ଥିଲେ ସେ ମାମୁଁଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ଘରର ଜଣଙ୍କୁ ସେହି ଚାକିରିଟି କରାଇଦେବେ।ଘରେ ଜଣେ ରୋଜଗାର କରିବା ନିହାତି ଦରକାର ଥିଲା ତେଣୁ ସବୁ ସ୍ଵପ୍ନକୁ କଡ଼ରେ ରଖି ମାମୁଁଙ୍କ ଚାକିରିରେ ସୋମୁ ରହିଗଲା। ପଢା ନସରୁଣୁ ସୋମୁ ଚାକିରିରେ ଯୋଗ ଦେଇଥିଲା। କିନ୍ତୁ ସ୍ଵପ୍ନ ସରି ନଥିଲା। ଅଫିସର ବଡ ବାବୁଙ୍କ ଦୟାରୁ ବଡ କଷ୍ଟରେ ସୋମୁ ନିଜର ସ୍ନାତକ ଶେଷ କରିଥିଲା।

ସୋମୁ ଅଫିସକୁ ସବୁବେଳେ ବସ୍ ରେ ଯାଏ।ମାମୁଁ ସୋମୁ କଷ୍ଟରେ ଦେଖି,ମାଇଁ ପାଖରେ ରଖିଥିବା ନିଜ ଭଉଣୀର କିଛି ଗହଣାକୁ ବିକି ଏକ ଗାଡି କିଣି ଆଣିଲେ।ଯଦିଓ ସୋମୁକୁ ପ୍ରଥମେ ବହୁତ୍ ଦୁଃଖ ହୋଇଥିଲା କିନ୍ତୁ ଗାଡି ଟିକୁ ସେ ନିଜଠୁ ବି ଅଧିକ ଯତ୍ନରେ ରଖେ। ମାଆ ଶେଷ ସନ୍ତକ ହିସାବରେ ତା ପାଖରେ ଏଇ ଗାଡିଟି ହିଁ ତ ରହିଗଲା।ମାଇଁ କିନ୍ତୁ ଏହା ବରଦାସ୍ତ କଲେନି। ତାଙ୍କର ଏକା ଜିଦ ଥିଲା ଶୁଭ ପାଇଁ ବି ଏକ ଗାଡି ଆସିବା ଦରକାର। ମାମୁ ବହୁତ୍ ବୁଝାଇବା ସତ୍ବେ ସେ ଶୁଣିବାକୁ ନାରାଜ। ଶେଷରେ ନିଜର ଫଣ୍ଡରୁ ପଇସା ଉଠାଇ ଶୁଭ ପାଇଁ ଗାଡି ଆସିଲା।

ଶୁଭର ଅସାବଧାନତା ଯୋଗୁଁ ସେ ଏକ ବଡ ଦୁର୍ଘଟଣାର ଶିକାର ହୋଇଗଲା। ଅଫିସ୍ ରୁ ଫେରିଲା ବେଳେ ସୋମୁ ଦେଖିଲା ରାସ୍ତାରେ ଶୁଭ ରକ୍ତାକ୍ତ ହୋଇ ପଡି ରହିଥିଲା। ତାକୁ ସେ ସଂଗେ ସଂଗେ ମେଡିକାଲ ନେଇକି ଗଲା। ଦୁର୍ଘଟଣାରେ ଶୁଭର ଗୋଟେ ଗୋଡଟି ଭାଙ୍ଗିଗଲା। ସଙ୍ଗେ ସଙ୍ଗେ ଅପରେସନ୍ କରିବାକୁ ପଡିଲା ଓ ସେତେବେଳକୁ ମାମୁଁଙ୍କ ପାଖରେ ସେତିକି ଅର୍ଥ ନଥିଲା।ହଠାତ୍ ଏକ୍ ବଡ ରକମ କୋଉଠୁ ଆସିବ,ଜମିଜମା ବିକିବାକୁ ବି ତ ଟିକେ ସମୟ ଲାଗିବ ନା।

ମାମୁଁଙ୍କର ମୁଣ୍ଡ କିଛି କାମ କଲାନି ଅପରେସନର ଲକ୍ଷେ ଟଙ୍କା କଥା ଶୁଣି। କୋଉଠୁ ଆସିବ ଏତେ ଟଙ୍କା।

ପୁଅର ଏପରି ଅବସ୍ଥା ଦେଖି ମାଇଁ ଚେତାଶୁନ୍ଯ ହୋଇଗଲେ।ବରମ୍ବାର କହୁଥିଲେ ନା ସୋମୁ ପାଇଁ ଗାଡି ଆସିଥାନ୍ତା ନା ଆଜି ଶୁଭର ଏ ଦଶା ହୋଇଥାନ୍ତି।

ସେ ଯାହା ହେଉ ଚିକିତ୍ସା ଚାଲିଲା।ସୋମୁ ମାମୁଁ ଆଶ୍ୱାସନା ଦେଲା ଯେ ବାକି ଟଙ୍କା ସେ ଯୋଗାଡ କରି ନେବ। ସବୁ ଠିକ୍ ରେ ହୋଇଗଲା। ପନ୍ଦର ଦିନ ପରେ ଯିବା ସମୟ ଆସିଲା। ମାମୁଁଙ୍କୁ ଟିକେ ଅଡୁଆ ଲାଗୁଥିଲା ଯେ ସବୁ ସରିଲା ପରେ ଏଯାଏଁ ସେ କିଛି ଟଙ୍କା ଯୋଗାଡ କରି ପାରି ନାହାନ୍ତି। ସମସ୍ତେ ଯିବାକୁ ଉଦ୍ଯତ ହେଉଥିଲେ ନର୍ସ ଆସି ପୈଠ ହୋଇଥିବା ବିଲ୍ ବଢାଇଦେଲେ। ମାମୁଁ ପୈଠ ହୋଇଥିବା ଏକ ଲକ୍ଷ ଟଙ୍କା ଦେଖି ଅବାକ ହୋଇଗଲେ। ବୁଝିବାକୁ ବୋଧେ ବାକି ନଥିଲା ଯେ ସବୁ ଟଙ୍କା ସୋମୁ ଦେଇଛି କିନ୍ତୁ ଏବେ ତ ଚାକିରିର କିଛିଟା ସମୟ ହୋଇଛି। ମାମୁଁ ଜୋର କରି ପଚାରିବାରୁ ସୋମୁ ଭାରି ଗଳାରେ କହିଲା ସେ ସବୁ ସଞ୍ଚୟ କରିଥିଲା। ମାମୁଁ ବାହାରୁ ଆଖି ବୁଲାଇ ଦେଖିଲେ ତ ବାହାରେ ସୋମୁ ଆଦରର ଗାଡିଟି ନାହିଁ। ମାମୁଁ ପଚାରିଲେ ବାବୁ ତୋ ଗାଡିଟା? ମୁରୁକି ହସା ଦେଇ ସୋମୁ କହିଲା ବାପା ଆମ ଶୁଭ ଠୁ କଣ ଗାଡିଟା ବଡ।

ମାଇଁ ନିଜର ଭୁଲ ବୁଝି ପାରିଥିଲେ. ତାଙ୍କ ଅନ୍ତର କୋରି ହେଉଥିଲା। ଯୋଉ ପୁଅକୁ ସେ ଏତେ ଧିକାରୁ ଥିଲେ ଆଜି ସେ ହିଁ ତାଙ୍କ ପୁଅର ଜୀବନ ବଞ୍ଚାଇଛି।

ଘରକୁ ଫେରିବା ପରେ ମାଇଁ ଘରେ ଏକ ଛୋଟିଆ ପୁଜା ରଖାଇଥିଲେ। ସେଦିନ ସକାଳୁ ସୋମୁକୁ ତା ଆଖି ଉପରେ ବିଶ୍ୱାସ ହେଉ ନଥିଲା। ମାଇଁ ସୋମୁ ଆଣିଥିବା ସେହି ଶାଢୀଟି ପିନ୍ଧିଥିଲେ। କିଛି ନକହିଲେ ବି ସେ ବାରମ୍ବାର ଜତାଉ ଥିଲେ ଯେ ସେ ସୋମୁକୁ ଗ୍ରହଣ କରିନେଇଛନ୍ତି ଟିକେ ବିଳମ୍ବରେ ହେଉ ଅବା, ଓ ତାଙ୍କ ଆଖିରୁ ଝରୁଥିବା ଲୁହ ତାଙ୍କ ପଶ୍ଚାତାପର । ବଡ ପାଟିରେ ପୁରୋହିତକୁ କହୁଥିଲେ ମୋ ବଡ ପୁଅ ସୋମୁ ସାନ ପୁଅ ଶୁଭ ଓ ଝିଅ ଶିବାନୀ ନାଆଁରେ ପୁଜା କରିଦିଅ । ସେଦିନର ସେ ଘଟଣାଟିରେ ସମସ୍ତଙ୍କ ଜୀବନ ରେ ଏକ ପରିବର୍ତ୍ତନ ଆସି ଯାଇଥିଲା । ମାଇଁ ଏବେ ମମାଆ ଥିଲେ। ମାଆ ନିଜ ଗହଣା ବିକି ସୋମୁକୁ ଆଗକୁ ପଢାଇଲେ। ସ୍ନାତକ ପରେ ସୋମୁ ଆଇଏଏସ ପାଇଁ ସହରକୁ ଗଲା ଆଉ ସେ ବର୍ତ୍ତମାନ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ। ଆଉ ସେ ଜଣକ କିଏ ଜାଣିଛ ପିଲେ?

ରିତୁ ଓ ମିତୁ ସେତେବେଳେକୁ ଶୋଇ ଗଲେଣି କିନ୍ତୁ ମୀନତି ସେଠି କେତେବେଳୁ ଆସି ସବୁ ଶୁଣୁଥିଲେ ଆଉ ଶେଷରେ କହିଲେ "ସେ ଛୁଆ ସୋମୁ ଜଣକ ହେଉଛନ୍ତି ଆଜିର ଶ୍ରୀଯୁକ୍ତ ସୌମେନ ଦେଓ ନା କଣ !"

ସୌମେନ ବାବୁ ମୁରୁକି ହସି ସମ୍ମତି ଜଣାଇଲେ।।

2 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକAugust 4, 2018 at 1:23 PM

    ସୁନ୍ଦର ଗଳ୍ପଟିଏ

    ReplyDelete
  2. ବହୁତ୍ ଧନ୍ଯବାଦ୍ ଆଜ୍ଞା?

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।