Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ଅଗଷ୍ଟ ପନ୍ଦର - ଡକ୍ଟର ସୁମନ୍ତ କୁମାର ପାଢୀ

ଅଗଷ୍ଟ ୧୫ ଦିନ ପରିବହନ ମନ୍ତ୍ରି ବଡ଼ି ସକାଳୁ ବାହାରି ପଡ଼ିଲେ ମୁଖ୍ୟ ଅତିଥି ରୁପେ ଫୁଲନଗର ଡାକ୍ତର ଖାନା ଶୁଭାରମ୍ଭ ତଥା ସ୍ଵାଧୀନତା ଦିବସର ଅଭିଭାଷଣ ରଖିବାକୁ । ଆଗରୁ ସେଠି ସବୁ ବ୍ୟବସ୍ଥା ସରିଥାଏ । କର୍ମୀ ମାନେ ସୁଉଚ ମଞ୍ଚ ଆଉ ବର୍ଷାରୁ ରକ୍ଷା ପାଇବାକୁ ଉପରେ ତାଳପତ୍ର ତୋରଣ ଲଗେଇ ସଜେଇ ଥାନ୍ତି । ଫୁଲନଗରରେ ରାତିସାରା ପ୍ରବଳ ବର୍ଷା, ସେଥିପାଇଁ ରାତିରୁ ବିଦ୍ୟୁତ୍ ନଥିଲା । ଡ଼ାକବାଜି ଯନ୍ତ୍ର ପାଇଁ ଜେନେରେଟର ବ୍ୟବସ୍ଥା ସହ ରାସ୍ତାରୁ ପାଣି ନିଷ୍କାସନ ପାଇଁ ଜାଗା ଜାଗା ମଟର ଲଗାଇ ପାଣିକୁ ଅନ୍ୟତ୍ର (ଵ୍ୟାସନଗର ପଟେ) ଛଡ଼ା ଯାଉଥାଏ । ସେତିକି ବେଳେ ଵ୍ୟାସନଗରରୁ ଗୋଟେ ବୁଢ଼ୀକୁ ନାଳରୁ ଉଦ୍ଧାର କରି କିଛି ଲୋକ ଡାକ୍ତରଖାନା ଆସିଲେ । ଡାକ୍ତରବାବୁ ଷ୍ଟେଥୋ ଧରି ଦୌଡ଼ିଗଲେ ଚିକିତ୍ସା ପାଇଁ, କିନ୍ତୁ ପାର୍ଟି କର୍ମୀ ଆସି ବିରୋଧ କଲେ "ଶୁଭାରମ୍ଭ ପୁର୍ବରୁ କେମିତି ରୋଗୀ ଦେଖିବୁ.. ତୋର ଏତେ ସାହସ ଚାକିରିକୁ ଡର ନାହିଁ ନା ମନ୍ତ୍ରୀଙ୍କୁ ଖାତିର ନାହିଁ ।

ମନ୍ତ୍ରୀ ମହାଶୟ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ପହଁଚିଲେ । ପକେଟରୁ ଚିଠା ବାହାର କରି "ଗାଁ କୁ ୨୪ ଘଣ୍ଟା ବିଜୁଳି, ମା କୁ ସୁରକ୍ଷା, ଉନ୍ନତ ସଡକ ତଥା ପରିମଳ ପାଇଁ ସେ କେତେ କଣ କରିଛନ୍ତି, କେତେ କୋଟି ମଞ୍ଜୁରୀ ଦେଇଛନ୍ତି ଇତ୍ୟାଦି ଇତ୍ୟାଦି.. । ସେତିକିବେଳେ ମନ୍ତ୍ରୀଙ୍କୁ କିଏ ଖବର ଦେଲା ସେ ବୁଢୀର ମୃତ୍ୟୁ ହୋଇଛି । ସଂଗେ ସଂଗେ ମନ୍ତ୍ରୀ ୨୦୦୦୦ ଟଙ୍କା ଆଉ କାର୍ଯ୍ୟରେ ଅବହେଳା ପାଇଁ ଡାକ୍ତରଙ୍କୁ ନିଲମ୍ବନ ଘୋଷଣା କରି ପ୍ରଶଂସା ସାଉଁଟି ନେଲେ । ଘୋଷଣା ନସରୁଣୁ ଅଧେ କର୍ମୀ ମାନେ ମନ୍ତ୍ରୀଙ୍କ ଜୟ ଜୟ କାର୍ ଧ୍ବନିରେ ଫୁଲନଗର କମ୍ପେଈ ଦେଉଥାନ୍ତି, ଆଉ ଅଧେ ଡାକ୍ତରକୁ ନିନ୍ଦି ଅତର୍କିତ ଆକ୍ରମଣ କରି ଡାକ୍ତର ମାନଙ୍କୁ ଉଚିତ ଶାସ୍ତି ଦେଉଥାନ୍ତି ।


ଡା. ସୁମନ୍ତ କୁମାର ପାଢୀ, ବଲାଙ୍ଗିର

Post a Comment

0 Comments