Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରଜ - ରଶ୍ମି ରଞ୍ଜିତା ମିଶ୍ର (ରୋଜି)

ଗାଁ ଲେଖୁଛି ସହର କୁ ଚିଠି
ଶୁଣ ଲୋ ମୋ ସାନ ଭଉଣୀ
ଗାଁ କୁ ଆସିବା ଦରକାର ନାହିଁ
ରଜ ଆଉ ଏଠି ହଉନି।।

ନାହିଁ ସଜବାଜ, ନାହିଁ ଲୋ ସରାଗ
ରଜ ଗୀତ ଆଉ ଶୁଭୁନି
ପୋଡ଼ପିଠା ପାଇଁ ଚୁଲି ନାହିଁ ଏଠି
ଆଉ କଉଡ଼ି ଖେଳିବା ଆସୁନି ।।

କାହା ମନେ ଆଜି ରଜ ପାନ ପାଇଁ
ଶରଧା ଟିକିଏ ବଲୁନି
ବାଘ ମଞ୍ଜରୀ ର ଛକାପଞ୍ଜା ମଧ୍ୟେ
ରୀତି ନୀତି ଲୁଚି ଗଲାଣି ।।

ଚେମି ପୁଅ ଏବେ ରାଜନେତା ସାଜି
ଗାଁ ଦୁଇଫାଳ କଲାଣି
ବାପା, ଅଜା ବେଳ ପୁନିଅ - ପରବ
ମଉଜ ଚୁଲିକୁ ଗଲାଣି ।।

ଗାଁ ତୋଟା ର ସେ ଆମ୍ବ ତୋଟାମାଳେ
ରଜ ଦୋଳି ଆଉ ଝୁଲୁନି
ଅଖଡା ଶାଳରେ ପାଇକ ପୁଅର
କୁସ୍ତି ଦେଖିବାକୁ ମିଳୁନି ।।

କି ଯୁଗ ହେଲା ଲୋ ରାମଲୀଳା ତେଜି
ଗାଁ ରେ ମେଲୋଡି କଲେଣି
ମିଣିପି ଠୁ ମାଇପି ଯାଏଁ ମୋବାଇଲ ଧରି
ନେଟ-ଚାଟ କଲେଣି ।।

ଆସିବାକୁ ତୋତେ ମନା କଲି ବୋଲି
ଆଡ଼ ରୁଷା ମତେ ମାରିବୁନି
ମୋ ମନକଥା ବୁଝିବୁ ଭଉଣୀ
ଏଣିକି ଆଉ ତୁ ଆସିବୁନି ।।

ରୋଜି ମିଶ୍ର ।
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା ।

Post a Comment

0 Comments