Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶାନ୍ତିର ସ୍ତୂପ ଧଉଳି - ମାନସ ରଞ୍ଜନ ପଟ୍ଟନାୟକ

କାରୁବାକୀ ପ୍ରେମେ ପଡିଣ ଅଶୋକ ହୋଇଥିଲେ ଚଣ୍ଡାଶୋକ।
ଈଶ୍ବରଙ୍କ ପ୍ରେମ ଡାକିଲାରେ ଦିନେ ହେଲ ତୁମେ ଧର୍ମାଶୋକ।।
କେଏସେ ଦେଖିଛ କହିବଟି ଥରେ କଳିଙ୍ଗର ଯୁଦ୍ଧ କଥା।
ମଗଧ ସମ୍ରାଟ ବର୍ବର କାଣ୍ଡ ନୁଆଁ ଇଲା ନାହିଁ ମଥା।।
ଲକ୍ଷେ ସୈନ୍ଯ ଶବ ରକତେ ଭସିଲା ଦୟାନଦୀ ସ୍ବଚ୍ଛ ଜଳ।
ନାଲି ରଙ୍ଗ ତାର ହୋଇଗଲା ଦେହ ବଡ ମର୍ମାହତ ବେଳ।।
କାରୁବାକୀ ସେଠି କାନ୍ଦେ କଇଁ କଇଁ ରାଜପ୍ରାସାଦରେ ଥାଇ।
କଳିଙ୍ଗର ରାଜା ହାରିଯାଇଛନ୍ତି ମୁକୁଟ ରହିଲା ନାହିଁ।।
ମାଆଟି ମାଗୁଛି ଦେଇଦେ ଅଶୋକ ମୋର ଏକମାତ୍ର ପୁତ୍ର।
କଳିଙ୍ଗ ରଜାର ଡକରାରେ ସିଏ ଯାଇଥିଲା ଯୁଦ୍ଧକ୍ଷେତ୍ର।।
ଚାହିଁ ରହିଅଛି ଏ ବୁଢ଼ୀଟା ତାକୁ ଦେବ ମୋତେ ସେ ଆହାର।
ଫେରୁନାହିଁ କାହିଁ କୁଆଡେ ଗଲାରେ ଧନ ମୋର ଏକଇର।।
ପତ୍ନୀ ମାଗୁଅଛି ପତିକୁ ତାହାର ଦିଅଗୋ ମଗଧ ବୀର।
ଫେରାଇ ପାରିବ ଶକ୍ତି ତବ ଅଛି ଜିଅନ୍ତା ପତିକୁ ମୋର।।
କେତେ କେତେ ନାରୀ ବିଧବା ହୋଇଲେ କି ଯଶ ଲଭିଲ କୁହ।
ହତବାକ ହେଲେ ଶୁଣିଣ ଅଶୋକ ଧିକ ରାଜପଣ ମୋହ।।
ଲକ୍ଷେ ସୈନ୍ଯ ଯହିଁ ମାରିଅଛି ମୁହିଁ ବଳୀପଡିଛନ୍ତି ପୁଅ।
ଅଭିଶାପ ତୁମ୍ଭେ ଦିଅଗୋ ଜନନୀ ରାଜନ ଆଖିରେ ଲୁହ।।
ବୌଦ୍ଧ ସନ୍ନ୍ୟାସୀଙ୍କ ଆର୍ତ୍ତଚିତ୍କାର ଶୁଭୁଛି ଧଉଳି ତଳେ।
ମାନବର ଦେହ ଦୁଇଦିନ ଅଟେ ଚଣ୍ଡାଶୋକ କିଶ ଭାଳେ।।
ଘୁରିଯାଉଅଛି ଅଶୋକର ମଥା କି କରିବ କି କରିବ।
ରାଜ୍ୟଜୟ ମୋହ ମନରୁ ତେଜିଣ ବୁଦ୍ଧ ଶରଣ ପଶିବ।।
ଶାନ୍ତିର ସ୍ତୂପ ଧଉଳି ପାହାଡ ଦେଉଛି ଶାନ୍ତି ବାରତା।
ମଗଧ ସମ୍ରାଟ ଅଶ୍ରୁ ଝରାଏ ନୁହେଁ ସେ ବିଶ୍ବକରତା।।


ସଂପାଦକ-ମାଟିର ମହକ
ଦୂରଭାଷ-୯୦୪୦୭୫୧୪୯୦

(ଏହି କବିତାଟି ପୁର୍ବ ପ୍ରକାଶିତ ହୋଇଥିଲା କେତଗୋଟି ଭିନ୍ନ ଭିନ୍ନ ସାହିତ୍ୟ ପତ୍ରିକା ସମେତ କୋଲକାତାରୁ ଅଭିଯାନ ପତ୍ରିକାରେ)

Post a Comment

0 Comments