Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ମନେପଡେ ସେଇଦିନ - ରଶ୍ମି ରଞ୍ଜିତା ମିଶ୍ର

ଜୀବନର ଦୋଛକିରେ କେବେ କିଏ ଦେଖାହୁଏ କହି ହୁଏନି କିନ୍ତୁ, ଏମିତି ଏକ ଦୁର୍ବଳ ମୁହୂର୍ତ୍ତରେ ସେଇ ବିଶବ୍ନିୟନ୍ତାଙ୍କ ଇଙ୍ଗିତ ର ଦାସ ପଲଟିବାକୁ ପଡେ ସଭିଙ୍କୁ । ହୁଏତ କାହାପାଇଁ ସେ ମୁହୂର୍ତ୍ତଟି ଅଭିଶପ୍ତ ହୋଇପଡେ ତ ଆଉ କାହାପାଇଁ ଆଶୀର୍ବାଦ ପାଲଟିଯାଏ । ଗୋଟିଏ ମୁହୂର୍ତ୍ତରେ ସବୁକିଛି ଓଲଟ ପାଳଟ ହୋଇ ଜୀବନର ମୋଡ଼ ବଦଳାଇଦିଏ ।

ଝରଣା ଜୀବନରେ ବି ଠିକ ଏମିତି ଘଟିଥିଲା ହଠାତ । ଯାହା ସେ କେବେ ଭାବିନଥିଲା । ଗାଁ ସ୍କୁଲ ର ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଉଚ୍ଚ ଶିକ୍ଷା ପାଇଁ ସେ ସହରକୁ ଆସିଥିଲା । ଆଖିରେ ତାର ଅଜସ୍ର ସ୍ୱପ୍ନ । ଡାକ୍ତରୀ ପାଠ ପଢିବ, ବଡ଼ ଡାକ୍ତରାଣୀ ଟିଏ ହୋଇ ରୋଗୀ ସେବା କରିବ । ଆଉ ସବୁଠାରୁ ବଡ଼କଥା ହଉଚି ଗାଁରେ ଥିବା ଅଭାବି ମଣିଷଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ବାପା ମାଆ ଙ୍କ ମାନ ରଖିବ । ତେଣୁ କୌଣସି କଥାରେ କାନ ନଦେଇ ସବୁବେଳେ ପଢ଼ାରେ ଧ୍ୟାନ ଥାଏ ଝରଣାର ।କେତେ ପୁଅ ତା ପଛରେ ପଡିଛନ୍ତି, କେହି କେହି ତାକୁ ସିଧା ସଳଖ ବି ଭଲ ପାଉଥିବା କଥା କହିଛନ୍ତି, ହେଲେ କାହାରି କଥାକୁ ଭ୍ରୁକ୍ଷେପ କରିନି ଝରଣା । ପାଠ ଛଡା ଆଉ କୋଉ କଥା ସତେ ଯେମିତି ତା ମୁଣ୍ଡରେ ପସେନି । ସେଇ ଗୋଟିଏ ଲକ୍ଷ ନେଇ ଆଗକୁ ବଢୁଥାଏ ଝରଣା । ହେଲେ ସୃଷ୍ଟିକର୍ତ୍ତା ତ ନିଆରା ଢଙ୍ଗରେ ଏ ସୃଷ୍ଟି ସର୍ଜନା କରିଛନ୍ତି । ସୌନ୍ଦର୍ଯ୍ୟ ପାଇଁ ଫୁଲ, ଫୁଲରେ ସୁରଭି, ଆଉ ସେଇ ସୁରଭିର ମହମହ ବାସ୍ନାରେ ବିମୋହିତ ହେବା ପାଇଁ ପାଗଳ ଭଅଁର ର ସୃଷ୍ଟି କରିଛନ୍ତି । ରକ୍ତ ମାଂସ ର ଶରୀର ଗଢି ତା ଭିତରେ ଗୋଟେ ସୁନ୍ଦର ହୃଦୟ , ଆଉ ସେ ହୃଦୟ ରେ ଗୋଟେ ଅମାନିଆ ମନ ଖଞ୍ଜିଛନ୍ତି ।
କେତେବେଳେ ଲଣ୍ଡା ପାହାଡ଼ର ମସୃଣ ଶିଳାରେ ଚକା ପାରି ବସିଯିବ ତ, କେତେବେଳେ ପୋଖରୀ କୂଳରେ ବସି ପାଣିକୁ ଖପର ଫିଙ୍ଗି ଭଉଁରି କୁ ଚାହିଁ ରହିଥିବ, କେବେ ସଙ୍ଗୀତର ତାଳେ ତାଳେ ଝୁମି ଯାଉଥିବ ତ କେବେ କେବେ କୋଳି ତୋଳିବାକୁ ଯାଇ କଣ୍ଟା ଗଛରେ ଛନ୍ଦି ହୋଇ ରକ୍ତାକ୍ତ ହେଉଥିବ । ଏ ମନ ଭାରି ଅମାନିଆ ,ୟାକୁ ଆୟତ୍ତ କରିବା ଭାରି କଷ୍ଟ । ନାରୀ ତ ନଦୀ ସହ ସମାନ । ସବୁବେଳେ ତାର ମନର ମାନସରୋବର ରେ ଡୁବି ରହିବାକୁ ଭଲପାଏ । ନଦୀ ବା ଝରଣା ଯେମିତି ପାହାଡ, ପର୍ବତର ବନ୍ଧୁର ଶିଳା ଅତିକ୍ରମ କରି ସମୁଦ୍ରରେ ମିଶିବା ପାଇଁ ନିମ୍ନମୁଖୀ ସାଜେ ଆଜି ଠିକ ସେମିତି ଏ ଝରଣା ତାର ଇପ୍ସିତ ପୁରୁଷ ସାଗର ପାଇଁ ବ୍ୟାକୁଳ ହୋଇ ଉଠିଛି । ସାଗର ବି ଝରଣାର ବାଟକୁ ସତେ ଯେମିତି ଅନେଇ ରହିଥିଲା ସେଦିନ ।

ସବୁଦିନ ପରି ସେଦିନ ବି ଝରଣା ଟିଉସନ ସାରି ବସା ଘରକୁ ଫେରୁଥାଏ ।ହଠାତ ବାଟରେ ସ୍କୁଟି ଟି କୌଣସି କାରଣରୁ ଚାଲିବା ବନ୍ଦ ହୋଇଗଲା । ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ ହବାର ନାଁ ଧରୁନଥାଏ । ଏଣେ କଳା ହାଣ୍ଡିଆ ମେଘଟା ବିଜୁଳି, ଘଡ଼ ଘଡି ସାଥିରେ ଅଣଚାଷ ପବନର ପତିଆରା ଧରି ସଜ ହେଲାଣି କୋଉ ସଜରେ ଢାଳିପକାଇବ । ଭାରି ଅନାନିଶ୍ୱାସୀ ଲାଗିଲାଣି କିକ ମାରି ମାରି । ଏତିକି ବେଳକୁ ୟାକୁ ଖରାପ ହେବାକୁ ଥିଲା ।ଆଉ ଦୁଇ କିଲୋମିଟର ଯାଇଥିଲେ ବସାରେ ପହଁଚିଥାନ୍ତା । ବର୍ଷା ସାଙ୍ଗକୁ ଏ ସ୍କୁଟି ବି ଦାଉ ସାଧିବାକୁ ଥିଲା । ଏମିତି ବିରକ୍ତି ଭରା ସ୍ବର ରେ ନିଜକୁ ନିଜେ କହି ଗାଡିଟି ଗଡେଇ ଗଡେଇ ଝରଣା ଚାଲିଥାଏ ଆଗକୁ ।ଠିକ ସେତିକି ବେଳେ ଦେଵଦୂତ ସାଜି ସାଗର ପଛରୁ ଆସି ଗାଡି ବ୍ରେକ ଦେଲେ ତା ଆଗରେ ।ସବୁକଥା ଶୁଣିବା ପରେ ନିଜ ଗାଡିଟିକୁ ଗୋଟିଏ ଦୋକାନ ବାରଣ୍ଡାରେ ଆଉଜେଇ ଦେଇ ଝରଣା ହାତରୁ ସ୍କୁଟି ଟିକୁ ଛଡାଇ ନେଲେ ଏବଂ ଷ୍ଟାର୍ଟ କରିବାରେ ବିଫଳ ହୋଇ ଗ୍ୟାରେଜ ଅଭିମୁଖେ ମୁହାଁଇଲେ ।ଆଉ ଝରଣା ବି ତାଙ୍କ ପଛେ ପଛେ । ଗ୍ୟାରେଜ ଵାଲାଠୁଁ ଗାଡିଟି ସଜାଡ଼ିବା ପାଇଁ ଘଣ୍ଟାଏ ସମୟ ଲାଗିବ ଜାଣିଲା ପରେ ସାଗର ଝରଣା କୁ ପାଖ ରେଷ୍ଟୁରାଣ୍ଟ କୁ ଡାକିନେଲେ ।ଝରଣା ବି କାହିଁକି କେଜାଣି ଅବାଧ୍ୟ ଶିଶୁଟି ପରି ତାଙ୍କ ପିଛା ଅନୁସରଣ କରୁଥାଏ ।

ଦୁହେଁ ମୁହାଁମୁହିଁ ହୋଇ ବସିଲା ପରେ ସାଗର କଫି ପାଇଁ ବରାତ ଦେଲେ ଆଉ ଝରଣାର ଶୁଖିଲା ମୁହଁକୁ ଚାହିଁ ରହିଲେ। ଝରଣାକୁ କେମିତି ଗୋଟେ ଅଣନିଶ୍ୱାସୀ ଲାଗୁଥାଏ । ଗାଡି ଖରାପ, ରାତି ମାଡି ଆସିଲାଣି ମେଘ ଗର୍ଜିଲାଣି, ବସାକୁ ଫେରିପାରୁନଥିବାରୁ ମନଟା ଭାରି ଭାରି ଲାଗୁଥାଏ । ସାଗର ତା ହାତକୁ କଫି କପ ଟି ବଢ଼େଇ ଦେଇ ଅନ୍ୟଟି ନିଜେ ଓଠ ପାଖକୁ ନଉ ନଉ କହିଲେ, କଣ ଭାବୁଛ ଗାଡି ସଜ ହବାକୁ ଘଣ୍ଟାଏ ଲାଗିବ ସେ ସମୟ ତା ଆମେ ଏଠି ବସି ଯିବା, ଦିଅ ଟିକେ କଫି ପି ଦିଅ । ୟା ଭିତରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା, ଝରଣା ସାଗର କଥାମାନି କପ ଟି ଓଠ ପାଖକୁ ନଉ ନଉ ହୋଟେଲ ପରିଚାଳନା ଦାୟିତ୍ବରେ ଥିବା ଲୋକଟି ଆସି ପଚାରିଲା, ଆପଣ ଆଜି ରହିବେକି ! ବାହାରେ ପ୍ରବଳ ବର୍ଷା, ରହିବେ ଯଦି ରୁମ ବୁକ କରନ୍ତୁ । ସାଗର ଝରଣାର ମୁହଁକୁ ଆଉ ସେ ତାଙ୍କ ମୁହଁକୁ ଚାହିଁ ରହିଲେ । ଝରଣା କିଛି କହିବା ପୂର୍ବରୁ ସାଗର ନା ରହିବାର ଆବଶ୍ୟକତା ନାହିଁ କହି ଉଠି ଆସିଲେ, ଆଉ ଝରଣା ବି । ହେଲେ ଯିବେ କେମିତି, ବର୍ଷା, ବିଜୁଳି, ଘଡଘଡି ସାଙ୍ଗକୁ ପବନ ର ସାଇଁ ସାଇଁ ଶବ୍ଦ । ରାତି ଆସି ଦଶଟା ବାଜିଲାଣି ।

ଝରଣା ଯେମିତି ହଉ ବାସ ଘରେ ପହଞ୍ଚିବାକୁ ବ୍ୟାକୁଳ ହେଉଥାଏ ।ଅନ୍ୟ ସାଥିମନେ ବି ତାର ଫେରିବା ବାଟକୁ ଅନେଇ ଥିବେ ହେଲେ ତା ପାଇଁ ସାଗର ବି ଅଵସ୍ଥାଚକ୍ରରେ ତେଣୁ ସାଗର ପାଇଁ ବି ମନ ଟି ଓଦା ହୋଇ ଯାଉଥାଏ । ଠିକ ଏହି ସମୟରେ ସାଗର ତାର ହାତ ଧରିନେଲେ ।ଏ କଣ ଦେହ ମନରେ ଏକ ପ୍ରକାର ବିଜୁଳି କେଳିଗଲା ଝରଣାର । ଓଠ ଶୁଖିଗଲା , ହତ ବାକ୍ୟ ହୋଇଗଲା ସେ । ଆଉ ଟିକେ ପାଖେଇ ଆସି ସାଗର କହିଲେ ଝରଣା ତୁମେ ଭଡା ଗାଡ଼ିରେ ବସାକୁ ଚାଲିଯାଅ, ମୁଁ କାଲି ଗାଡି ସଜାଡି ତୁମକୁ ଦେଇ ଆସିବି । ଆଜ୍ଞାକାରୀ ପରି ଖାଲି ମୁଣ୍ଡ ହଲେଇ ସ୍ନମତି ଜଣେଇଲା ସେ । ସାଗର ଗୋଟେ ଅଟୋ ଅଟକାଇଲେ ଏବଂ ନିଜେ ଯାଇ ଝରଣାକୁ ଛାଡି ଆସିଲେ ।

ରାତି ସାରା ସାଗରଙ୍କ ସାହାଯ୍ୟ ମନୋବୃତ୍ତି ଝରଣାର ମାନସ ପଟରେ ଉଙ୍କି ମାରୁଥିଲା । ସେଇ ତେଜଦୀପ୍ତ ହସ ହସ ମୁହଁ ତା ଆଖିରେ ନାଚି ଉଠୁଥିଲା । ଆଗରୁ ବହୁତ ଥର ସାଗରଙ୍କୁ ପାଖରେ ଦେଖିଚି,ଗୋଟେ କ୍ଲାସରେ ପଢ଼ନ୍ତି, କଲେଜ ଫଁକ୍ସନରେ ଏକାଠି ଭାଗ ନେଇଛି ହେଲେ ଆଜି କାହିଁକି ନିଆରା ଅନୁଭବ ହଉଛି, ସାରା ରାତି ସାଗର ପାଇଁ ଉଜାଗର ରହିଛି ସେ ।
ତହିଁ ଆର ଦିନ ଅନ୍ୟ ସହଚରି ମନେ ନିତ୍ୟକର୍ମ ସାରି କଲେଜ ବାହାରିଗଲେ । ସେ କିନ୍ତୁ ଯାଇପାରିଲା ନାହିଁ ଗାଡିଟି ନଥିବାରୁ । ଅବଶ୍ୟ କୋଉ ସାଙ୍ଗ ସାଥିରେ ଯାଇପାରିଥାନ୍ତା, କାଳେ ସାଗର ଗାଡି ଦବାକୁ ଆସି ଫେରିଯିବେ ତେଣୁ ଯିବାକୁ ମନ ବଳିଲାନି।ସତ କହିବାକୁ ଗଲେ ଗାଡି ପାଇଁ ଯେତିକି ନୁହେଁ ସାଗରକୁ ଆଉଥରେ ପାଖରେ ପାଇବାର ଆଶା ବେଶି ଅସ୍ଥିର କରୁଥାଏ ତାକୁ । କୌଣସି ମତେ ମନକୁ ଆୟତ୍ତ କରି ଖଟିଆ ଉପରେ ପଡି ରହିଲା ଝରଣା ।

ଠିକ ଏହି ସମୟରେ କଳିଙ୍ଗ ବେଲ ଟା ବାଜି ଉଥିଲା । କବାଟ ଖୋଲି ଦେଖେତ ସାଗର ଦୁଆର ମୁହଁରେ ଛିଡା ହୋଇ ଡାହାଣ ହାତର ବିଶି ଆଙ୍ଗୁଳିରେ ଚାବି ରିଙ୍ଗ ଟିକୁ ଘୁରାଉଛନ୍ତି । ନିଜକୁ ସମ୍ଭାଳି ପାରିଲିନି ଝରଣା । ଖୁସିରେ ତା ଆଖିରୁ ଲୁହ ଗଡ଼ିଆସିଲା, କିଛି କହିପାରିଲାନି ସେ ।ଛୋଟ ପିଲା ପରି ସାଗର ଛାତି ରେ ଆଉଜି ପଡ଼ିଲା, ଆଉ ସାଗର ବି ବିନା ଦ୍ୱିଧାରେ ଦୁଇ ହାତରେ ଜାବୁଡି ଧରିଲେ । ଗରମ ଛାତିର ନରମ ସ୍ପର୍ଶରେ ଦୁହେଁ ଦୁହିଁଙ୍କ ଭିତରେ ହଜିଗଲେ ସେଇ ଦିନୁଁ........ ।


ରଶ୍ମି ରଞ୍ଜିତା ମିଶ୍ର (ରୋଜି)
ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା

Post a Comment

0 Comments