Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରଥ ପଥ ଜଗନ୍ନାଥ - ସଦାନନ୍ଦ ସାହୁ

ଚିର ହସ ଫୁଲ ଅଶେଷ ବିଭବ
ରଥ ପଥ ଜଗନ୍ନାଥ,
ନିଅାରା ପରବ ଏ ସୃଷ୍ଟି ର ମହକ
ଧନ୍ୟ ତୁମେ ବିଶ୍ୱନାଥ ॥

ସାରା ପୃଥିବୀରେ ତୁମ ରଥ ଗଡ଼େ
ବିଜୟର ଧ୍ୱନି ଗାଇ,
ଭାବ ବନ୍ଧନରେ ପ୍ରୀତି ପରଶରେ
ଭକ୍ତ ମନ ନିଅ ମୋହି,
ଶ୍ରୀକ୍ଷେତ୍ର ନିବାସୀ ଉତ୍କଳର ସାଥୀ
ତୁମ ପରି କେହି ନାହିଁ ॥

ବିଧି ବ୍ୟବସ୍ଥାର ତୁମେ ନୀୟମାଙ୍କ
ପ୍ରଥା ପରମ୍ପରା କର୍ତ୍ତା,
ବାରମାସେ ତେର ପରବ ତୁମର
ଏ ଜଗତ କୁ ଦିଅ ବାର୍ତ୍ତା ॥

ସମୃଦ୍ଧି ପରବ ରଥଯାତ୍ରା ସତ୍ୟ
ରଥାରୂଢ଼ ହୁଅ ପ୍ରଭୁ,
ସଙ୍ଗତରେ ଭ୍ରାତା ଭଗିନୀ ଶୁଭଦ୍ରା
କୃପାମୟ ତୁମେ ବିଭୁ ॥

ରତ୍ନସିଂହାସନୁ ଆସହେ ଓହ୍ଲେଇ
ପତିତ ଭକତ ପାଇଁ,
ଆହାକି ହୃଦୟ ହେ କଳାଠାକୁର
ହୃଦୟ କୁ ଦିଅ ଛୁଇଁ ॥

ବଡଦାଣ୍ଡେ ଭିଡ ତିନି ରଥ କୋଳ
ଜଗତେ ପଡଇ ହୁରି,
କୋଟି ଭକ୍ତ ମୁଖେ ତଵ ନାମ ଭାସେ
ଜୟ ଜୟ ତୁମ୍ଭେ ହରି ॥

ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ
ପ୍ରକମ୍ପିତ ହୁଏ ବିଶ୍ୱ,
ରଥ ଚକ ଗଡ଼େ ଭକତ ହସ୍ତରେ
ତୁମ କୃପା ବଳେ ସତ ॥

ପୁରାଣେ ବର୍ଣ୍ଣିତ କହାଣୀ ପ୍ରତୀତ
ଅଲିଭା ସ୍ମୃତିର ଗାଥା,
ଦାସିଆ ନଡ଼ିଆ ତୁମକୁ ବଢିଆ
କରିଥିଲ ପ୍ରୀତି ଶ୍ରଦ୍ଧା ॥

ବନ୍ଧୁ ମହାନ୍ତିର ଥିଲହେ ପ୍ରିୟର
ଅତ୍ମା କଲ ତା'ର ତୃପ୍ତି,
ଅବଢା ବ୍ୟଞ୍ଜନ ଦେଲ ହସ୍ତେପୁଣ
ଲଭିଲା ସେପୁଣ୍ୟ ଶାନ୍ତି ॥

ଭକ୍ତ ସାଲବେଗ ଜାତିରେ ଯବନ
ଆହାକିତା'ଭକ୍ତି ଭାବ,
ଯୋଜନ ଦୂରରୁ ଡାକିଲା ତୁମକୁ
ଅଟକିଲା ନନ୍ଦିଘୋଷ ॥

ଜୟ ଜଗନ୍ନାଥ ଜଗତର ନାଥ
ଜନ୍ମବେଦୀ ଭାବପ୍ରୀତି,
ବରଷକେ ଥରେ ଯାଅ ସରାଗରେ
ମାଉସୀ ଘରକୁ ହସି ॥

ପୋଡ଼ପିଠା ଖାଇ ଆସ ପ୍ରଭୁ ଫେରି
କର୍ମବେଦୀ ଅଭିମୁଖେ,
ରଥେ ରଥ ଯାତ୍ରା ରଥରେ ବାହୁଡା଼
ଏ ଜଗତ ଟା ଥାଉ ସୁଖେ ॥


ଧୁରୁଷୀଆ, ଆଠଗଡ଼, କଟକ

Post a Comment

0 Comments