Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଯୁକ୍ତାକ୍ଷର - ପ୍ରୀତିପ୍ରିୟା ମହାନ୍ତି

କଙ୍କଣ, କୁଙ୍କୁମ, ଶଙ୍ଖାକୁ ଲଗାଇ
ଚାଲିଯିବ ଶାଶୂଘର,
ମଙ୍ଗୁଳି ବାବୁଙ୍କ ଅଲିଅଳୀ କନ୍ୟା
ସଘଂମିତ୍ରା ବାହାଘର ।।

ସରପଞ୍ଚ ପୁଅ ବାଞ୍ଛାପୁରର ସେ
ସଞ୍ଜୟ ନାମ ତାହାର,
ବିଞ୍ଝାରପୁରର ସଙ୍ଘମିତ୍ରା ସାଥେ
ହୋଇବ ତା' ବାହାଘର ।।

ତଣ୍ଟିରେ ଛେପକୁ ଢୋକି ସରପଞ୍ଚ
ମଙ୍ଗୁଳି ବାବୁଙ୍କୁ ଚାହିଁ,
କହିଲେ ସୁବର୍ଣ୍ଣ ଗଣ୍ଠିଲିଏ ଦେଲେ
ବାହାଘର ହେବ ଯାଇ ।।

ଦଣ୍ଡେ ଏ କଥାକୁ ସହ୍ୟ ନ କରିଲା
ସାହସୀ ମଙ୍ଗୁଳି ଝିଅ,
କୁଣ୍ଢାଇ କହିଲା ମାଆକୁ ତାହାର
ପାହୁଲାଟିଏ ନ ଦିଅ ।।

ଯୌତୁକ ଦେଲେ ମୁଁ ରହିବି ବାଡୁଅ
ବାହା ଜମା ହେବି ନାହିଁ,
ସଚ୍ଚା ମନଟିଏ ନ ଥିବ ଯେଉଁଠି
କେମିତି ପାରିବି ରହି।

ଚିନ୍ତା ଘାରିଦେଲା ମାଆ ବାପାଙ୍କୁ ତା'
ପନ୍ଥା କିଛି ନ ଦିଶଇ,
ମନ୍ଦ କଥାଟାକୁ ବୁଝି ସାରିଥିଲେ
ଅନ୍ଧ ପରି ଲାଗୁଥାଇ ।।

କମ୍ପମାନ ହୋଇ ସରପଞ୍ଚ ବାବୁ
ଲମ୍ଫଟାଏ ଦେଲେ ମାରି,
ଆମ୍ବ,ଶିମ୍ବ,ନିମ୍ବ ଦେଲେ ଚଳିବନି
କହିଲେ ସେ ଦମ୍ଭ କରି ।।

ମୁସ୍କିଲ ସମୟ ପହଁଞ୍ଚିଲା ଆସି
କାଣିକଉଡିଟେ ନାହିଁ,
ଲାଗିଲା ଏମିତି ପାଦତଳୁ ସତେ
ଭୂସ୍ଖଳନ ଗଲା ହୋଇ ।।

ମୁଦ୍ଗର ଟେ ଧରି ଦଉଡି ଆସିଲା
ମଙ୍ଗୁଳି ବାବୁଙ୍କ ପୁଅ,
ତା' ବନ୍ଧୁ ଉଦ୍ଘଟ ରୋକି ନଥିଲେ ଟି
ଛୁଟିଥାନ୍ତା ରକ୍ତ ସୁଅ ।।

ମଙ୍ଗୁଳିଙ୍କ ପୁଅ କରୁଥାଏ ରଡି
ଛାଡ଼ ହେ ଉଦ୍ଘଟ ମତେ,
ନିଶ୍ଚୟ ଆଜି ସେ ସରପଞ୍ଚ କୁବ୍ଜେ
ଦେବି ମୁଁ ପ୍ରହାର ସତେ ।।

ଜ୍ଞାତିବନ୍ଧୁମାନେ ବହୁତ କଷ୍ଟରେ
ବୁଝାସୁଝା ସବୁ କଲେ,
ପ୍ରକୋଷ୍ଠକୁ ନେଇ ପୁଅର ମସ୍ତକେ
ନ୍ୟାୟ ବୁଦ୍ଧିଟିଏ ଦେଲେ ।।

ଦୂରଭାଷ ଯନ୍ତ୍ର ସ୍ପର୍ଶ କଲା ପୁଅ
ଡାକିବ ବୋଲି ପୁଲିସ,
ଉଦ୍ଦେଶ୍ୟ ତାଙ୍କର ବୁଝି ସରପଞ୍ଚ
କଥାରେ କଲା ସାଲିସ ।।

ଅଳ୍ପ ଅଳ୍ପ କଥା ସ୍ଫୁରଣ ହୋଇଲା
ଆଗର ଦମ୍ଭ ନ ଥିଲା,
ଉତ୍ପାତ ତାହାର କମିଗଲା, ଯେବେ
ପୁଲିସ ନାମ ଶୁଣିଲା ।।

ସମ୍ଭ୍ରାନ୍ତ ବଂଶ ତା' ଲୋକହସା ହେବ
ଥାନାକୁ ଯଦି ସେ ଗଲା,
ଯୌତୁକ ନେବାଟା ଅପରାଧ ଜାଣି
ଉତ୍ତମ ବେଭାର କଲା ।।

ଧିକ୍କାର କରିଲା ନିଜର ଆତ୍ମାକୁ
ସଦ୍ଭାବ ସେ ଦେଖାଇଲା,
ଲଜ୍ଜା ପାଇବାରୁ ବଞ୍ଚିତ ହୋଇ ସେ
ବାଃ..ବାଃ..ସାଉଁଟିଲା ।।

ନାନା ବ୍ୟଞ୍ଜନ ଓ ମତ୍ସ୍ୟ ତରକାରୀ
ଖାଇ ଆନନ୍ଦିତ ହେଲେ
ଉତ୍ତମ ଭୋଜନ କରି ସର୍ବ ଜନ
ମନେ ଭାରି ଖୁସି ହେଲେ ।।

ହସ୍ତଗଣ୍ଠି ପରେ ପୁଷ୍ପମାଳା ଦେଇ
ଝିଅ-ଜ୍ୱଇଁ ବିଦାକଲେ
ମହାଆନନ୍ଦରେ ହସଖୁସି ମନେ
ଯେ'ଝା ଘରେ ପ୍ରବେଶିଲେ ।।


ମୟୂରଝାଲିଆ, ରଣପୁର, ନୟାଗଡ଼

Post a Comment

0 Comments