Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଶ୍ରୀ ଜଗନ୍ନାଥଙ୍କ ଇଛା - ରମାକାନ୍ତ ମିଶ୍ର

ଯାହାକୁ ରଖିବେ ଅନନ୍ତ କି କରି ପ।ରେ ବଳବନ୍ତ । ରଖେ ହରି ମାରେ କିଏ ? ମାରେ ହରି ରଖେ କିଏ ? ଅନନ୍ତ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ । ତ୍ରେତୟା ଯୁଗରେ ରାମଙ୍କ ରୂପରେ ଅବତରିଛନ୍ତି ଆଉ ଦ୍ୱାପର ଯୁଗରେ ଶ୍ରୀକୃଷ୍ନ ରୂପେ ଅବତାର ଗ୍ରହଣ କରିଛନ୍ତି ସଂସାରରେ ଧର୍ମ ସଂସ୍ଥାପନ କରିବା ଉଦ୍ଦେଶ୍ୟରେ । ତେଣୁ ଭଗବାନ ବିଷ୍ଣୁ ସ୍ୱୟଂ ଶ୍ରୀକୃଷ୍ଣ ଆଉ ସ୍ୱୟଂ ଶ୍ରୀକୃଷ୍ଣଙ୍କର ଦାରୁବ୍ରହ୍ମ ରୂପ ଏ କଳିଯୁଗରେ ହେଉଛନ୍ତି ଭଗବାନ ଜଗନ୍ନାଥ । ଦାରୁ ରୂପରେ ଗଠିତ ହୋଇ ସାରା ଜଗତକୁ ବାର୍ତ୍ତା ଦେଉଛନ୍ତି- "ମର ଦେହେ ଜନ୍ମ ନେଇ ଦେବତା ହୋଇଲେ ବି ମରଇ" । ତେଣୁ ଭଗବାନ ଜଗନ୍ନାଥଙ୍କର ନବକଳେବର ରେ ଦାରୁ ରୂପୀ ଘଟ ପରିବର୍ତ୍ତିତ ହୁଏ । କୋଇଲି ବୈକୁଣ୍ଠରେ ତାଙ୍କର ଦାହ କର୍ମ ସମ୍ପର୍ଣ୍ଣ ହୁଏ । ଘଟ ପରିବର୍ତ୍ତନ ଆଉ କିଛି ନୁହେଁ ଏହା ଶରୀରର ମରଣଶୀଳତା ଆଉ ଆତ୍ମା ର ଅମରତ। କୁ ହିଁ ପ୍ରତିପାଦିତ କରିଥାଏ । ଆତ୍ମା ହିଁ ପରମାତ୍ମା ଜଗନ୍ନାଥଙ୍କର ଅଂଶ ବିଶେଷ । ଭଗବାନ ଜଗନ୍ନାଥ ଆମକୁ କିଛି ଉଦ୍ୟେଶ୍ୟ ନେଇ ଏ ଶରୀର ରେ ତାଙ୍କର ଦିବ୍ୟାତ୍ମରୁ ଅଂଶଟିଏ ପ୍ରଦାନ କରିଛନ୍ତି । ତେଣୁ ସେ ଅହରହ ସାରା ଜଗତର ତାଙ୍କର ପ୍ରତିଟି ଅଂଶକୁ ଅପଲକ ନୟନରେ ଶଙ୍ଖରେ ପୁରାଇ ଚକ୍ର ରେ ଆଢୁଆଳ କରି ରଖିଛନ୍ତି । ସେ ମହାବାହୁ, ଯେତେଦିନ ସେ ରଖିଛନ୍ତି ମଣିଷକୁ ଆଉ କେହି କିଛିବି କରି ପାରିବେ ନାହିଁ । ଯେଉଁ ଦିନ ସେ ଚାହିଁବେ ନିଜ ଅଂଶକୁ ଫେରାଇ ନେବେ ସେଥିରୁ ତାଙ୍କୁ କେହି ନିବୃତ୍ତ କରି ପାରିବେ ନାହିଁ । କାରଣ ସେ ଆତ୍ମା ପ୍ରଦାନ କରି ଘଟକୁ ଯେଉଁ ଉଦ୍ଦେଶ୍ୟରେ ପ୍ରେରଣ କରି ଥିଲେ, ଯେଉଁ ଦିନ ସେହି ଉଦ୍ଦେଶ୍ୟ ପୂରଣ ହୋଇ ଥାଏ ସେହିଦିନ ସେ ପୁଣି ଆତ୍ମାକୁ ଫେରାଇ ନେଇ ଅନ୍ୟ ଉଦ୍ଦେଶ୍ୟରେ ଅନ୍ୟ ଘଟରେ ପ୍ରତିରୋପଣ କରନ୍ତି । ଏ ରହସ୍ୟ ଅତି ଗହନ । ଏହି ରହସ୍ୟ କୁ କେହି ଆଜି ପର୍ଯ୍ୟନ୍ତ ଭେଦ କରି ପାରି ନାହିଁ କି କରି ପାରିବ ନାହିଁ ମଧ୍ୟ ! ତେଣୁ ହିଁ ସେ ଜଗନ୍ନାଥ ଅର୍ଥାତ ଜଗତର ନାଥ ଏବଂ ସର୍ବ ବ୍ରହ୍ମାଣ୍ଡ ର ସ୍ୱାମୀ । ତାଙ୍କ ଇଛା ବ୍ୟତିରକେ ପତ୍ରଟିଏ ମଧ୍ୟ ବୃନ୍ତଚ୍ୟୁତ ହୁଏ ନାହିଁ । ଆମେ ଯାହା କରୁଛୁ ତାହା ସବୁ ସେଇ ହରି ରୂପି ଜଗନ୍ନାଥ ହିଁ କରାଉଛନ୍ତି । ତେଣୁ ଭାଗବତରେ କୁହାଯାଇଛି- "କରି କରାଉଥାଉ ତୁହି, ତୋ ବିନୁ ଅନ୍ୟ ଗତି ନାହିଁ" । କେବଳ ଏଇଥି ପାଇଁ ପ୍ରତିଦିନ ଦୂରଦୂରାନ୍ତର ରୁ ଲକ୍ଷ ଲକ୍ଷ ଭକ୍ତ ମାଡି ଆସି ଥାନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ସେ ନ ଚାହିଁଲେ ତାଙ୍କର ଦର୍ଶନ ମଧ୍ୟ ଦୁର୍ଲ୍ଲଭ ।

̖ଆଜି ବସି ଏ କଥା ମୁଁ ଏଥିପାଇଁ ଚିନ୍ତା କରୁଛି କାରଣ ଏହା ମୁଁ ଅନେକଥର ଅଙ୍ଗେ ନିଭାଇଛି । ଇଛା ଥାଇକି ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ପାଇ ପାରି ନାହିଁ ଆଉ ଅନିଚ୍ଛାରେ ଟାଣି ହୋଇ ଯାଇଛି ଏବଂ ତାଙ୍କର ଦର୍ଶନ ପାଇଛି । ଜୋର କରି ଗଲେ ବି ସେ ଦେଖା ଦିଅନ୍ତି ନାହିଁ । ତାଙ୍କ ମାୟା ତାଙ୍କୁ ଜଣା ! ସବୁ ସେହି ଜଗନ୍ନାଥଙ୍କର ଇଛା !! ୧୯୯୮ ମସିହାରେ ବଡ଼ ଶଳା ଡାକ୍ତର ପ୍ରଶାନ୍ତ କୁମାର ଦୁବେଙ୍କର ପୁଅ ରାଜେଶ ର ବିଭାଘର ଥାଏ । ଡାକ୍ତର ପ୍ରଶାନ୍ତ ଦୁବେ ଜାମଶେଦପୁର ଟି.ଏମ.ଏଚ. ରେ ମେଡ଼ିସିନ ସ୍ପେଶାଲିଷ୍ଟ ଭାବରେ କାର୍ଯ୍ୟ କରୁ ଥିଲେ ଏବଂ ଜଣେ ଉତ୍ତମ ଡାକ୍ତର ଭାବରେ ତାଙ୍କର ଖ୍ୟାତି ଥିଲା । ତାଙ୍କର ପିତା ଅର୍ଥାତ ମୋର ଶ୍ୱଶୁର ମଧ୍ୟ ଜଣେ ନାମକରା ଡାକ୍ତର ଥିଲେ । ସେମାନେ ଷଢେ଼ଇକଳା ର ଲୋକ । ଷଢେ଼ଇକଳା ଏବଂ ଆଖ-ପାଖରେ ମୋର ଶ୍ୱଶୁର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ଦୁବେଙ୍କର ମଧ୍ୟ ଅନେକ ସୁନାମ ଥିଲା ଉତ୍ତମ ଡାକ୍ତର ଭାବରେ । ସେ ଯେଉଁଦିନ ଏହି ସଂସାର ରୁ ବିଦାୟ ହେଲେ ସେଦିନ ସମ୍ପୂର୍ଣ୍ଣ ଷଢେ଼ଇକଳା ବନ୍ଦ ହୋଇ ଯାଇଥିଲା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ । ଦୁବେ ପରିବାର ଷଢେ଼ଇକଳା ର ଏକ ନାମକରା ପରିବାର । ମୁଁ ଯେହେତୁ ଜାମଶେଦପୁର ରେ ପଢି, ଟାଟା କମ୍ପାନୀରେ ଚାକିରୀ କରୁଥିଲି ତେଣୁ ପୁରୀର ଲୋକ ହୋଇମଧ୍ୟ ମୋର ସମ୍ବନ୍ଧ ଷଢେ଼ଇକଳା ର ଦୁବେ ପରିବାର ରେ ହୋଇ ଥିଲା ଏବଂ ଏଥିପାଇଁ ମୋ ସ୍ତ୍ରୀ ଗୀତାଙ୍କର ବଡ଼ ଭାଇ ଡାକ୍ତର ପ୍ରଶାନ୍ତ ଦୁବେ ହିଁ ଘଟସୁତ୍ରକାରୀ । ସେ ମତେ ଜାମଶେଦପୁର ରେ ବିଭିନ୍ନ ସଭା ସମିତିରେ ଚିହ୍ନି ଥିଲେ ଏବଂ ନିଜ ସବା ସ।ନ ଭଉଣୀର ପାତ୍ର ହିସାବରେ ମନୋନୀତ କରିଥିଲେ ଏବଂ ଆମ ନନା ଓ ବୋଉଙ୍କୁ କହି, ଜାତକ ମେଳଣ କରି ରାଜି କରାଇ ଥିଲେ । ମୋ ସ୍ତ୍ରୀ ଗୀତା ଏବଂ ଡାକ୍ତର ପ୍ରଶାନ୍ତ ଦୁବେଙ୍କର ବୟସରେ ଅନେକ ପାର୍ଥକ୍ୟ ଥିଲା ତେଣୁ ସେମାନଙ୍କର ସମ୍ବନ୍ଧ ପ୍ରାୟ ପିତା ପୁତ୍ରୀ ପରି । ଏହିକରଣରୁ ଡାକ୍ତର ପ୍ରଶାନ୍ତ ଦୁବେ ନିଜ ସାନ ଭଉଣୀଙ୍କୁ ଏବଂ ମତେ ଯଥେଷ୍ଟ ଭଲ ପାଉ ଥିଲେ । ଡାକ୍ତର ପ୍ରଶାନ୍ତ ଦୁବେଙ୍କର ଏକମାତ୍ର ପୁତ୍ର ରାଜେଶ ଦୁବେ ଯେ ଇଂଜିନିୟରିଂ ପାସ କରି ଟାଟା ଷ୍ଟିଲରେ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ, ତାଙ୍କର ବିଭାଘର ପାଇଁ ଆମକୁ ସମ୍ମାନର ସହିତ ଡକା ଯାଇ ଥିଲା ଏବଂ ଆମେ ଅର୍ଥାତ ମୁଁ, ମୋ ସ୍ତ୍ରୀ ଗୀତା ଆଉ ବଡ଼ ଝିଅ ଶୁଭଶ୍ରୀ ଓ ସାନ ଝିଅ ସୁଜାତା ଯାଇଥିଲୁ ଜାମଶେଦପୁରକୁ ଆଉ ଆମେ ସବୁ ରାଜେଶ ର ବିଭାଘର ରେ ବରଯାତ୍ରୀ ଭାବରେ କଟକ ଯାଇଥିଲୁ । ଡାକ୍ତର ଭାଇନା ଅତି ଜାଗ ଯମକରେ ବରଯାତ୍ରୀ ବାହାର କରି ଥିଲେ । ବିଭା ଘର ଥାଏ କଟକରେ ମିଶ୍ର ପରିବାରରେ । ସେ ସମୟରେ ଭାଇନା ସମ୍ପୂର୍ଣ୍ଣ ବରଯାତ୍ରୀଙ୍କୁ ରୋଡ଼ରେ ୨୦ ଟି ବୋଲେରୋ ଗାଡ଼ିରେ ନେବାର ବନ୍ଦୋବସ୍ତ କରିଥିଲେ । ବରଯାତ୍ରୀ ଯାଇ ସକାଳେ କଟକରେ ନିର୍ଦିଷ୍ଟ ସ୍ଥାନରେ ପହଂଚି ଥିଲେ ଏବଂ ବିଭା ଘର ମଧ୍ୟ ଅତି ସୁନ୍ଦର ଭାବରେ ହୋଇଥିଲା ।
ମୁଁ ଏବେ ମୁଖ୍ୟ ପ୍ରସଙ୍ଗ କୁ ଆସିବି । ଯେଉଁଦିନ ରାଜେଶ ର ବିଭାଘର ଥିଲା ଠିକ ସେହିଦିନ ମୋ ସାନ ଭାଇ ଅନନ୍ତ ମିଶ୍ର ର ପୁଅର ବ୍ରତଘର ଥିଲା ତାର ୮ ନମ୍ବର ର ସରକାରୀ ବାସ ଭବନରେ ଭୁବନେଶ୍ୱର ଠାରେ, ତେଣୁ ମୁଁ ପୂର୍ବରୁ ଭାବି ରଖିଥିଲି ଯେ ଗୀତ। ଆଉ ପିଲାମାନେ ରାଜେଶ ର ବିଭାଘରେ କଟକ ଠାରେ ରହିଯିବେ ଆଉ ମୁଁ ଏକା ଭୁବନେଶ୍ୱର ସାନଭାଇ ର ପୁଅ ବ୍ରତଘର କୁ ଯାଇ ବ୍ରତଭିକ୍ଷ। ସମୟରେ ଉପସ୍ଥିତ ହୋଇ ପୁଣି କଟକ ଫେରି ଆସି ସମସ୍ତଙ୍କ ସହିତ ମିଶି ବର-କନ୍ୟାଙ୍କ ସହିତ ଜାମଶେଦପୁରକୁ ଫେରିଯିବି ।

ବରଯାତ୍ରୀରେ ମୋର ଅଧିକାଂଶ ଲୋକ ଚିହ୍ନା ଥିଲେ, ସେମାନଙ୍କ ମଧ୍ୟରୁ ଜାମଶେଦପୁରର ପ୍ରସିଦ୍ଧ ହୋଟେଲ ବ୍ୟବସାୟୀ ଭୋଳା ମହାରାଜଙ୍କ ପୁଅ ଜଗଦୀଶ ମହାରାଜ ମଧ୍ୟ ଥିଲେ । ମୁଁ ତାଙ୍କ ହୋଟେଲ୍କୁ ଯାଇ ଅନେକଥର ତାଙ୍କର ସ୍ପେସିଆଲ କଚୋଡି ଖାଇଛି । ସେ ଭଲ ଘିଅ ରେ ସବୁ ଜିନିଷ ପ୍ରସ୍ତୁତ କରୁଥିଲେ, ତେଣୁ ଅତ୍ୟନ୍ତ ସୁସ୍ୱାଦୁ ମଧ୍ୟ ଲାଗୁଥିଲା । ମୋର ସବୁଠାରୁ ପ୍ରିୟ ତାଙ୍କର କଚୋଡି ଆଉ ଚଣା ଦIଲି ଓ ଆଳୁ ର ତରକାରି, ଦୁଇ ପ୍ଲେଟ ଖାଇଦେଲେ ପେଟ ସମ୍ପୂର୍ଣ୍ଣ ପୁରି ଯିବ ଆଉ ଆତ୍ମା ସନ୍ତୋଷ ଆସି ଯିବ । ସେ ଯାହା ହେଉ ଜଗଦୀଶ ମହାରାଜ ବାବୁ କଟକରେ ପହଂଚି ପ୍ରସ୍ତୁତ ହୋଇ ସାରିବା ପରେ ପ୍ରସ୍ତାବ ରଖିଲେ ଚାଲନ୍ତୁ ପୁରୀ ଯାଇ ଜଗନ୍ନାଙ୍କ ଦର୍ଶନ କରି ଆସିବା । ମୁଁ ତାଙ୍କ ପ୍ରସ୍ତାବରେ ସଂଗେ ସଂଗେ ସହମତ ହୋଇ ଥିଲି କାରଣ ମୋର ତ ସାନ ଭାଇ ଘର ଭୁବନେଶ୍ୱରକୁ ନିହାତି ଯିବାର ଥାଏ । ତେଣୁ ଭାବିଲି ତାଙ୍କୁ କହିବି ଭୁବନେଶ୍ୱର ଭିତରେ ପଶି ଭାଇ ଘରେ କାମଟା ଶେଷ କରି ଦେଇ ଯିବା । ସେ ମୋ କଥାରେ ସହମତ ହେଲେ ଆଉ ଆମେ ଦିହେଁ ଗାଡି ଆଉ ଡ୍ରାଇଭର ଧରି ସକାଳେ ଜଳଖିଆ ଶେଷ କରି ସାରି ପୁରୀ ଉଦ୍ଦେଶ୍ୟ ରେ ବାହାରି ପଡି ଥିଲୁ ।

୧୯୯୮ ବେଳକୁ କଟକ ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ ଚାଲି ଥିଲା । ଆମେତ ବାହାରି ପଡ଼ିଲୁ କିନ୍ତୁ ଏ କ'ଣ ? ରାସ୍ତା ଏତେ ଯାମ ଯେ ଆମକୁ କଟକରୁ ଭୁବନେଶ୍ୱର ପହଂଚିବାକୁ ତିନି ଘଣ୍ଟା ଲାଗିଗଲା । ଭୁବନେଶ୍ୱରରେ ପହଂଚି ସାନ ଭାଇ ର ପୁଅକୁ ବ୍ରତଭିକ୍ଷ ଓ ଆଶୀର୍ବାଦ ଦେଇ ସେଠାରୁ ଆମେ ସିଧା ବାହାରି ଗଲୁ ପୁରୀକୁ । ପୁରୀ ରାସ୍ତାରେ ଏତେ ଭିଡ଼ ନ ଥିଲା । ଗଲା କIଲି ରାତି ସାରା ପ୍ରାୟ ଭଲ କରି ଶୋଇ ନ ଥିଲୁ । ଗାଡ଼ିଟା ଭଲ ଚାଲି ବାରୁ ଆଉ ଥଣ୍ଡା ପବନ ଦେହରେ ବାଜିବାରୁ କେତେବେଳେ ଗାଡ଼ିରେ ବସି ବସି ମୁଁ ପୂର୍ଣ୍ଣ ରୂପେ ଶୋଇ ପଡିଛି ମତେ ଜଣ। ନାହିଁ । ମୋ ନିଦ ଭାଙ୍ଗିଲା ଠିକ ହସ୍ପିଟାଲ ଛକ ପାଖରେ ପହଁଚିଲା ବେଳକୁ । ମୁଁ ହଠାତ ଉଠି ପଡି ଜଗଦୀଶ ବାବୁଙ୍କୁ ହିନ୍ଦୀରେ କହିଥିଲି- ଏ ଆପଣ କ'ଣ କଲେ ? ବଡ଼ ଅନର୍ଥ ହୋଇଗଲା । ନିୟମ ଅନୁସାରେ ପୁରୀ ଜଗନ୍ନାଥ ଦର୍ଶନଅଭିଳାଷୀ ସଡକ ପଥରେ ଆସୁଥିଲେ ନିଶ୍ଚିତ ରୂପେ ମା’ ବାଟ ମଙ୍ଗଳାଙ୍କ ପାଖରେ ଅଟକି, ମା’ଙ୍କୁ ପୂଜା ଆରାଧନା କରିବା ପରେହିଁ ପୁରୀକୁ ପ୍ରବେଶ କରିବେ, ନ ହେଲେ ଭଗବାନ ଜଗନ୍ନାଥଙ୍କ ଦର୍ଶନ ହୋଇ ପାରିବ ନାହିଁ । ମୁଁ ମଧ୍ୟ ଶୋଇ ପଡିଲି, ଆପଣଙ୍କୁ ଆଗରୁ କହି ଦେଇ ଥିଲେ ଭଲ ହୋଇ ଥାନ୍ତା । ଆପଣ ଅବଶ୍ୟ ଜାଣି କରି ଏ ଭୁଲ କରି ନାହାନ୍ତି । ଏ ଭୁଲ ପାଇଁ ମୁଁ ହିଁ ଦାୟୀ । ସେ ମାରୁଆଡ଼ି ଲୋକ, ଜାମଶେଦପୁରରେ ବଢିଛନ୍ତି, ଏ ସବୁ କଥାକୁ ଏତେ ବିଶ୍ୱାସ ମଧ୍ୟ କରନ୍ତି ନାହିଁ । ସେ କଥା ତାକୁ ହାଲୁକାରେ ନେଇ କହିଲେ କିଛି ବି ହେବ ନାହିଁ, ଆମେ ଏତେ କଷ୍ଟ କରି ପୁରୀ ଆସିଛୁ ନିଶ୍ଚୟ ଜଗନ୍ନାଥଜୀଙ୍କର ଦର୍ଶନ ପାଇବୁ । ମୁଁ କହିଥିଲି ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ କିନ୍ତୁ ମତେ କାହିଁକି ଲାଗୁନାହିଁ ଯେ ମହାପ୍ରଭୁଙ୍କର ଦର୍ଶନ ମିଳିବ ।

ସତକୁ ସତ ମୋର ବିଶ୍ୱାସକୁ ଭଗବାନ ସତ୍ୟ ବୋଲି ପ୍ରମାଣ କରି ଦେଲେ । ଆମେ ଶ୍ରୀ ମନ୍ଦିର ଭିତରେ ପ୍ରବେଶ କରିଲୁ, ବାଇଶି ପାହାଚ ଚଢି ଗଣପତିଙ୍କୁ ଦର୍ଶନ ସାରି ମନ୍ଦିର ଭିତରକୁ ଯାଇଥିଲୁ । କିନ୍ତୁ ଏ କ'ଣ ? ବଡ଼ ଠାକୁରଙ୍କ ପହଡ଼ ପଡିଛି, କବାଟ ବନ୍ଦ । ତା ପରେ ଆମେ ଗରୁଡ଼ସ୍ତମ୍ଭ ପାଖରେ ପ୍ରାୟ ତିନି ଘଣ୍ଟା ଛିଡା ହୋଇ ରହିଥିଲୁ କାଳେ କବାଟ ଖୋଲିବ ଆଉ ମହାପ୍ରଭୁଙ୍କର ଦର୍ଶନ ହେବ ! କିନ୍ତୁ ହେଲା ନାହିଁ !! ଆମେ ବାଧ୍ୟ ହୋଇ ଫେରି ଆସିଲୁ । ଆନନ୍ଦ ବଜାରରେ ମହାପ୍ରଭୁଙ୍କର ମହାପ୍ରସାଦ ର ମୁଠାଟିଏ ମଧ୍ୟ ମିଳି ନ ଥିଲା ! ଏମିତି ଦୁର୍ଭାଗ୍ୟ ଜନକ ପରିସ୍ଥିତିରେ ମୁଁ ପୂର୍ବରୁ କେବେ ବି ପଡି ନ ଥିଲି । ସେହି ଦିନ ବୁଝି ଥିଲି ମହାପ୍ରଭୁଙ୍କର ମହାନତାକୁ । ସେ ନ ଚାହିଁଲେ କେହିବି ତାଙ୍କୁ ଦର୍ଶନ କରି ପାରିବେ ନାହିଁ, ଆଉ ସେ ଯାହାକୁ ଦର୍ଶନ ଦେବାକୁ ଚାହିଁବେ ନାହିଁ କେତେ ଚେଷ୍ଟା କଲେ ମଧ୍ୟ ସମ୍ଭବପର ହେବ ନାହିଁ । ତାଙ୍କର ନିୟମ ର ବ୍ୟତିକ୍ରମ ହେଲେ ଦଣ୍ଡ ଭୋଗିବାକୁ ହୁଏ । ସେ ଚଳନ୍ତି ଠାକୁର । ତାଙ୍କର ନିୟମ ସବୁ ଚିରନ୍ତନ ସତ୍ୟ । ନିୟମରେ ଅଛି ସଡକ ପଥରେ ଆସିଲେ ପୁରୀକୁ ପ୍ରବେଶ କରିବା ପୂର୍ବରୁ ବାଟ ମଙ୍ଗଳାଙ୍କ ଦର୍ଶନ ସାରି ପୂଜାର୍ଚନା କରି ଯିବାକୁ ହୁଏ, ନଚେତ ଭଗବାନ ଜଗନ୍ନାଥଙ୍କର ଦର୍ଶନ ମିଳିବ ନାହିଁ । ସେ ଦିନ ପୁଣି ଥରେ ମହାବାହୁ ପ୍ରତିପାଦନ କରି ଦେଲେ ଯେ "କରି କରାଊ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ" । ସେ ନ ଚାହିଁଲେ କେଉଁ ରୂପରେ କିଛି ନ। କିଛି ବ୍ୟାଘାତ ସୃଷ୍ଟି ହେବ ଆଉ ତାଙ୍କର ଦର୍ଶନ ହୋଇ ପାରିବ ନାହିଁ । ଅତି ଦୁଃଖ ମନରେ ପୁରୀରୁ ଫେରିଲୁ କଟକକୁ ରାତି ଦଶଟାରେ ଆଉ ବର-କନ୍ୟାଙ୍କ ସହିତ ଜାମଶେଦପୁରକୁ ଯାମସୋଲା ଘାଟ ଦେଇ । କିନ୍ତୁ ସେ ଦିନ ଠାରୁ ମୋର ବିଶ୍ୱାସ ଆହୁରି ଦୃଢ଼ୀଭୁତ ହୋଇ ଯାଇ ଥିଲା ଯେ ଭଗବାନ ଜଗନ୍ନାଥ ନିଜେ ଡାକି ଦର୍ଶନ ଦିଅନ୍ତି । ଅଯାଚିତ ଭାବରେ ତାଙ୍କ ଦ୍ୱାରରେ ପହଂଚି ଗଲେ ମଧ୍ୟ ତାଙ୍କର ଦର୍ଶନ ହୁଏ ନାହିଁ । ବଳିୟସୀ କେବଳମ ଇଶ୍ୱରେଛା ।


ଶ୍ରୀ ରମାକାନ୍ତ ମିଶ୍ର
ଭି ଏମ.ଆଇ ୨୬୮, ଶୈଳଶ୍ରୀ ବିହାର
ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

Post a Comment

0 Comments