Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମୁଠାଏ ସ୍ଵପ୍ନ - ରୂପେଶ ସାହୁ

ସୁରଜ ଚେଇଁ ଚେଇଁ ସ୍ବପ୍ନ ଦେଖେ, ହଁ ଅବଶ୍ୟ ପ୍ରେମରେ ପଡିଥିବା ଲୋକଙ୍କ ପାଇଁ ଏ ନୂଆ କଥା ନୁହଁ। ତେବେ ସ୍ବପ୍ନ ଦେଖିବାକୁ ବି ପ୍ଲଟ ଟିଏ ଦରକାର ଏକଥା ବେଶ୍ ଅନୁଭବିଛି ସୁରଜ। ସୁନନ୍ଦା ର ଆଖି, ଓଠ, ତା ସମ୍ପୂର୍ଣ୍ଣ ଦେହର ଭୂଗୋଳ କୁ ଭାବି ଢେର ଥର ଉତ୍ତେଜିତ ବି ହୋଇଛି। ତେବେ ସୁନନ୍ଦା ପରି ସୁନ୍ଦରୀ ଝିଅ ଟିଏ କୁ ନାୟିକା କରି ନିହାତି ଭାବେ ଯେ କୌଣସି ଯୁବକ ତା ହାତରେ ହାତ ଛନ୍ଦି ଜୀବନର ବଳକା ବାଟ ଚାଲିବାକୁ ହିଁ ସ୍ବପ୍ନ ଦେଖିପାରେ। ତେବେ ସୁନନ୍ଦା ଭାରି ପ୍ରାକ୍ଟିକାଲ, ଏ ସ୍ବପ୍ନ ଦେଖିବା ତାକୁ ଭଲ ଲାଗେନି। ସେ ଜାଣେ ଏ ସ୍ବପ୍ନ ଗୁଡାକ ବଡ଼ ବେଇମାନ୍, ମିଛ ଆଶା ଦେଖେଇ ଫୁର କିନା ଉଡିଯାନ୍ତି। ତେଣୁ ସେ ବାରମ୍ବାର ସୁରଜକୁ ଚେତେଇ ଦିଏ ତା ପରି ପ୍ରାକ୍ଟିକାଲ ହେବାକୁ।

ସୂର୍ଯ୍ୟ ଢଳି ଆସିଲା ବେଳକୁ ସହରର ବତୀ ଗୁଡାକ ଜଳିଉଠିଲା, ସ୍ବପ୍ନ ଦେଖିବା ସମୟ ପହଂଚିଯିବାର ଆଭାସ ଦେଇ ଦଲକାଏ ପବନ ବହି ଗଲା ଠିକ୍ ସହରର ମେରୁହାଡ଼ ପାଖେ ଥିବା ଆଇ ଜି ପାର୍କ ଭିତର ଦେଇ। ସେଇ କୃଷ୍ଣଚୂଡ଼ା ଗଛ ତଳେ ସ୍ୱପ୍ନରେ ବିଭୋର ଥିବା ସୁରଜ ଆଉ ଟିକେ ରୋମାଞ୍ଚିତ ହୋଇପଡିଲା। ବହୁତ ସମୟ ହେଲାଣି ସେ ସୁନନ୍ଦା କୁ ଅପେକ୍ଷା କରିଛି। ସବୁଦିନ ପରି ଆଜି ବି ସୁନନ୍ଦା ଡେରି କଲାଣି। ହଁ ଶୀଘ୍ର ଆସି ବି ସେ କରିବ କଣ, କେବଳ ସୁରଜ କୁ ବିଭିନ୍ନ ବାବଦକୁ ଟିଉସନ କରିବା ଛଡା। ସୁରଜ ଗୋଟାଏ ଦୀର୍ଘ ଶ୍ୱାସ ପକାଇ ଭାବିଲା," ନା, ଆଜି କିଛି ଭିନ୍ନ ହେବ, କିଛି ନହେଲେ ବି କେବଳ ତା ଗାଲ ରେ ସୁନନ୍ଦା ର ଗରମ ଓଠର ସ୍ପର୍ଶ ଟିଏ, ତା ଫିକା ପଡିଯାଇଥିବା ଲିପିଷ୍ଟିକ ର ଦାଗ ଟିଏ।"

"କେତେବେଳୁ ଆସିଲାଣି !" ସୁନନ୍ଦା ର ପ୍ରଶ୍ନ ରେ ସ୍ୱପ୍ନ ଦୁନିଆରୁ ଉଠି ଆସି ପ୍ରକୃତିସ୍ଥ ହୋଇ ଉତ୍ତର ଦେଲା ସୁରଜ," ଏଇ ଚାଳିଶ ମିନିଟ ହେଲା।"
ଦୀର୍ଘ ଶ୍ୱାସ ଟିଏ ପକାଇ ସୁନନ୍ଦା କହିଲା
- ଓଃ
- ଆଜି ପୁଣି ଡେରି!
- ହଁ, ଅଫିସରୁ ବାହାରିବା ବେଳକୁ ସଂଗ୍ରାମ କଫି ପିଇବାକୁ ଅଫର କଲେ, ମନା କରିହେଲାନି। ତେଣୁ ଟିକେ..
- ତୁମେ ବି ନା ସୁନନ୍ଦା, ଜାଣିଛ ମୁଁ ଏଠି ଅପେକ୍ଷା କରିଥିବି, କେଉଁଗୋଟେ ଅଯଥା ଲୋକ ସହ କଣ ଆବଶ୍ୟକ ଥିଲା!
- ଆରେ ବାବା! ଆବଶ୍ୟକ ଥିଲା ବୋଲି ତ ଗଲି, ତା ଛଡା କଣ ଏମିତି ବେଦ ଅଶୁଦ୍ଧ ହୋଇଗଲା ଶୁଣେ!
- ଆଛା ଏମିତି କି ଜରୁରୀ କଥା ଥିଲା ଯେ ତାକୁ ତୁମେ ମନା କରିପାରିଲନି।
- ସେ କାଲି ସନ୍ଧ୍ୟାରେ ଆମ ଘରକୁ ମୋ ସହ ତାଙ୍କ ବାହାଘର ପ୍ରସ୍ତାବ ନେଇ ଯାଇଥିଲେ।
- କଣ !

ସୁରଜ ଅନୁଭବ କଲା ସତେ ଯେମିତି ଆକାଶ ଟା ଛିଣ୍ଡି ପଡିବ ମୁଣ୍ଡ ଉପରେ, ତା ଛାତି ଭିତରେ ଅଜଣା ଛନକା ଟିଏ ପଶିଗଲା ।
- ତୁମେ ତାକୁ କି ଉତ୍ତର ଦେଲ ସୁନନ୍ଦା! ଦେଖ ପ୍ଲିଜ଼! ମୋ କଥା ମାନ, ଏତେ ନିଷ୍ଠୁର ହୁଅନି। ମୋ ସ୍ବପ୍ନ ଗୁଡାକ ଭାଙ୍ଗି ଦିଅନି।
- ହଁ, ତୁମେ ଆଉ ତୁମ ସ୍ବପ୍ନ। ଯଦି ସେଇ ସ୍ବପ୍ନ କୁ ପୂରଣ କରିବାକୁ ଚେଷ୍ଟା କରନ୍ତ ତାହେଲେ ହୁଏତ ଆଜି ସଂଗ୍ରାମ ଜାଗାରେ ତୁମେ ଆମ ଘରକୁ ପ୍ରସ୍ତାବ ନେଇ ଯାଇଥାନ୍ତ।
- ମୁଁ କଣ ଚେଷ୍ଟା କରୁନି ସୁନନ୍ଦା, ତୁମେ ତ ଦେଖୁଛ ଏତେ ଚେଷ୍ଟା ପରେ ବି ଚାକିରି ଟିଏ ଯୋଗାଡ଼ ହୋଇପାରୁନି।ଉଭୟେ କିଛି ସମୟ ନିରୁତ୍ତର ରହିବା ପରେ ସୁରଜ ପୁଣି କଥା ଆରମ୍ଭ କଲା, "ଶୁଣୁଛ, ସେ ଆକାଶର ତାରା ଗୁଡାକ ଦେଖ ମ, ଯଦି ସେଗୁଡା ତୁମ ଡ୍ରେସ ରେ ଚାରିଆଡେ ସଜାଡି ହୋଇ ରୁହନ୍ତେ ନା, ବେଶ୍ ସୁନ୍ଦର ଲାଗନ୍ତ ତୁମେ।"

"ହେ, ତୁମର ସବୁବେଳେ ଅବାସ୍ତବ କଳ୍ପନା।" କହି ମୁହଁ ବୁଲେଇଦେଲା ସୁନନ୍ଦା।

ତା ମୁହଁକୁ ବୁଲେଇ ତା ମଥାରେ ଚୁମ୍ବନ ଟିଏ ଆଙ୍କିଦେଇ ସୁରଜ କହିଲା, " ତୁମେ ରାଗନି ମ! ମିଠା ଝିଅ ମାନେ ରାଗିବା କଥା ନୁହଁ।" ସୁନନ୍ଦା କହିଲା, "ମନେରଖ ତୁମେ ଯେତେ ମିଠା କଥା କହିଲେ ବି ମୋ ବାପାଙ୍କର କିଛି ଯାଏ ଆସେ ନାହିଁ, ଶୀଘ୍ର କିଛି ବ୍ୟବସ୍ଥା କର ଆଉ ଆମ ଘରକୁ ପ୍ରସ୍ତାବ ନେଇ ଆସ। ନଚେତ ସଂଗ୍ରାମ..." ଆଉ ଆଗକୁ ବଢ଼ିପାରୁନଥିଲା ସୁନନ୍ଦା, ସୁରଜ କହିଲା "ତୁମେ କଣ ମୋତେ ଛାଡ଼ି ଯାଇପାରିବ ସୁନନ୍ଦା?" ସୁନନ୍ଦା ନିରବ। କାହିଁକି କେଜାଣି ସୁନନ୍ଦା ମନରେ ପ୍ରଶ୍ନ ଉଠିଲା ସତରେ ସେ କଣ ଛାଡି ଯାଇପାରିବ ସୁରଜକୁ! ତାହେଲେ ସେ ସୁରଜକୁ ନେଇ ଭାବିଥିବା କଥା ଗୁଡାକ କଣ ସତ ହେବନି! ତା ହୃଦୟ ଭିତରେ ସୁରଜକୁ ନେଇ ଚାପି ରଖିଥିବା ମୁଠାଏ ଆଶା ସ୍ବପ୍ନ ନୁହଁ ତ ଆଉ କଣ !

ଟିକେ ହଲେଇଦେଇ ସୁରଜ ପୁଣି ପ୍ରଶ୍ନ କଲା, "ଏ ସୁନନ୍ଦା, ସତରେ କଣ ତୁମେ ମୋତେ ଛାଡ଼ି ଯାଇପାରିବ ?"
"ମୁଁ ଯଦି ତୁମକୁ ଛାଡି ଯିବି ତାହେଲେ ତୁମ ଅର୍ଥହୀନ ସ୍ୱପ୍ନରେ ନାୟିକା କିଏ ସାଜିବ!" ମୁରୁକି ହସି ସୁନନ୍ଦା ଉତ୍ତର ରଖିଲା
- ତାହେଲେ ସଂଗ୍ରାମ....
- ତାଙ୍କୁ ଆମ ସମ୍ପର୍କ କଥା କହିଦେଇ ଆସିଛି, ସେ ବି ବେଶ୍ ଖୋଲା ହୃଦୟର ମଣିଷ। ଆରାମରେ ମୋ କଥା କୁ ଗ୍ରହଣ କରିନେଲେ ଆଉ ଆମ ପ୍ରେମକୁ ସ୍ୱୀକୃତି ବି ଦେଇଦେଲେ । ମୋର ବିଶ୍ୱାସ ତୁମର ଚାକିରୀ ବି ବହୁତ ଜଲଦି ହେଇଯିବ। ଆଉ ମୁଁ ତୁମ ନୂଆ ବୋହୁ ସାଜି ତୁମ ଅଗଣାରେ ସଂଜବତୀ ଦେବି।

"ତୁମେ ସତ କହୁଛ ସୁନନ୍ଦା! ଓଃ ମାଇ ଗଡ଼!,ମୁଁ ତ ପୁରା ଡରି ଯାଇଥିଲି, ତୁମେ କେବଳ ମୋର ସୁନନ୍ଦା, କେବଳ ମୋର" ଏତକ କହି ସୁନନ୍ଦା କୁ ନିଜ ବାହୁ ରେ ଭିଡି ଧରିପକେଇଲା ସୁରଜ। ଦଲକାଏ ପବନ ସହ ସୁନନ୍ଦା କୁ ନେଇ ଆଉ ମୁଠାଏ ସ୍ବପ୍ନ ଝାଡ଼ ଝୁଡ଼ ହେଉଥିଲେ ସୁରଜର ନିକଟବର୍ତ୍ତୀ ହେବାକୁ।


ରୂପେଶ ସାହୁ

Post a Comment

0 Comments