Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ହୃଦୟର କୋହ - ଦେବବ୍ରତ ଜେନା

ସେ ଦିନ ଥିଲା 2017 ମାର୍ଚ୍ଚ ମାସ 18, ଶନିବାର । ସକାଳୁଆ ସ୍କୁଲ ଯୋଗୁଁ ମୁଁ ସ୍କୁଲରେ ଥିଲି । ସମୟ 10.45 ।ମୋବାଇଲ ରିଂ ହେଉଥିଲା - ଫୋନ ଉଠାଇବା ମାତ୍ରେ ଅପରପାର୍ଶ୍ଵରୁ ଭାସି ଆସିଲା କ୍ରନ୍ଦନର ଧ୍ୱନି ;ମା ଆମକୁ ଛାଡ଼ି ସବୁଦିନ ପାଈଁ ଚାଲିଗଲା । ମୁଁ ତତକ୍ଷଣାତ୍ ମୁକବତ୍ ହୃଦୟର କୋହକୁ ଚାପି ପାରିଲିନି । ମୋର ଚତୁର୍ଦିଗ ଅନ୍ଧକାର ଦେଖାଗଲା । ମୋର ପାଦତଳୁ ମାଟିଖସି ଯାଉଥିଲା ।ମୁଁ ଯେମିତି ସବୁଦିନ ପାଇଁ ହୋଇଗଲି ନିଃସହାୟ ।ମୋ ଜୀବନରେ ସତେ ଅବା ଘଟିଲା ଅବସାନ ଏକ ଯୁଗର ।ମୁଁ କିଏ.... ।ମୋର ଅସ୍ତିତ୍ୱକୁ ଖୋଜିବାକୁ ଚେଷ୍ଟା କଲି ସତ କିନ୍ତୁ ମୁଁ ଆଉ ମୋ ମଧ୍ୟରେ ଖୋଜି ପାରିଲିନି ନିଜକୁ ।ମୋ ଆବେଗ ମୋ ନିୟନ୍ତ୍ରଣରେ ନ ଥିଲା । ସେହି ଚିର ହାସ୍ୟମୟୀ, ଲାସ୍ୟମୟୀ, ଅମୀୟ ବୋଳା ଆନନ ଦର୍ଶନ କରିବାର ସୌଭାଗ୍ୟ ମୋର ସବୁଦିନ ପାଇଁ ଚାଲିଗଲା । ମୋ ହୃଦୟରେ ସୃଷ୍ଟି ହେଲା ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ଆଉ ହରାଇବସିଲି ଚିରଦିନ ପାଇଁ ସ୍ନେହ, ପ୍ରେମ, ରାଗ, ଋଷା, ଅଭିମାନ ଭରା ପରଶ । ହରାଇ ବସିଲି ଚିରଦିନ ପାଇଁ ମା ଡାକ ।

ମାଆର ଜୀବନ ଯାତ୍ରା ସତାବନ ବର୍ଷର । ୧୩ ବର୍ଷ ବୟସରେ ପାଦ ଥାପେ ଆମ ଘରେ ।ସେ ଥିଲା ବାପା ହରେକୃଷ୍ଣ ସିଂହ ,ମାଆ ସରୋଜିନୀ ଦେବୀଙ୍କ ୩ୟ କନ୍ୟା । ସଂରକ୍ଷଣ ତଥା ସଂସ୍କୃତିସମ୍ପନ୍ନ ପରିବାରର ଜଣେ ଗେଲବସରିଆ ଝିଅ ।ସଂସ୍କାର ,ନୀତିବନ୍ତ,ସରଳ,ଉଦାରଚେତା,କ୍ରୁଷ୍ଣଧର୍ମୀ ବାପା ତାଙ୍କ ଝିଅକୁ ବିଭା ଦେଇଥିଲେ ମୋ ବାପାଙ୍କ ସହ ଯିଏ କି ଥିଲେ ପ୍ରିୟବାଗ ସଂସ୍କୃତ ଟୋଲର ଗଣିତ ଶିକ୍ଷକ ।ମୋ ବାପା ମାଆଙ୍କର ମୁଁ ହେଲି ଚତୁର୍ଥ ତଥା ସର୍ବକନିଷ୍ଠ ସନ୍ତାନ । ମୋ ସବା ବଡ଼ ଭଉଣୀ ଗେଳ୍ହୀ ,ତା ପରେ ସତ୍ୟବ୍ରତ (ଗୋବିନ୍ଦ),ତା ତଳକୁ ମଧୁମିତା (ଜଲି) ।ମୋ ବାପା ସଂସ୍କୃତ ଟୋଲର ଶିକ୍ଷକତା ପରେ ମୟୁରଭଞ୍ଜ ଜିଲ୍ଲାର ମାନଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ ।ମୋ ବାପା କହନ୍ତି ମୁଁ ଯେଉଁ ବର୍ଷ ଜନ୍ମ ନେଲି ,ସେହି ବର୍ଷ ବାପାଙ୍କର ଚାକିରୀ ଗଲା । ଏହି ଠୁ ଆରମ୍ଭ ହୁଏ ଆମ ପରିବାରରେ ଦୁଃଖର ଅପରିମିତ ବୋଝ ।ତତ୍ପରେ ବାପାଙ୍କର ଗୃହତ୍ୟାଗୀ ସ୍ଵଭାଵ ମାଙ୍କୁ କଣ୍ଟକିତ ପୂର୍ଣ୍ଣ ଜୀବନ ଯାତ୍ରାକୁ ସଜାଇଥିଲା କୂଳ ଉଲ୍ଲଙ୍ଘିତ ମଝି ଦରିଆର ଏକମାତ୍ର ନାବିକା ଯାହାଙ୍କୁ କି ଏକା ଏକା ଜୀବନ ତରୀକୁ ବାହିବାକୁ ପଡ଼ିଥିଲା । ଚାକିରୀ ଛାଡିବା ପରେ ଶ୍ରୀମା ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ର ଗୋପୀନାଥପୁର ଓ ଖରିଦଚକରେ ଅଦ୍ୟାବଧି ଶିକ୍ଷକତା ରୂପେ ବାପା ଅଧ୍ୟାପନାରତ ସତ ମାତ୍ର ଗୃହର ସମସ୍ତ ଦାୟିତ୍ଵ ହେଉଛି ମୋ ମାଆର ।ସ୍ୱଳ୍ପ ପାରିତୋଷିକ ମଧ୍ୟରେ ପରିବାର ସଦସ୍ୟକୁ ନେଇ ଚଳିବା ବହୁତ କଷ୍ଟକର ଥିଲା । ଏ ଭଳି ଦୁଃଖ ଦୈନ୍ୟତାର ପରିସ୍ଥିତିରେ ମାଆ ଜୀବନ ଯୁଦ୍ଧରେ ହାରି ନ ଯାଇ ଚାଷବାସ ଠୁ ଆରମ୍ଭ କରି ଆମ୍ଭମାନଙ୍କ ପାଠପଢ଼ା,ଭରଣପୋଷଣ,ଆଦି ସବୁପ୍ରକାର କାର୍ଯ୍ୟରେ ଥିଲା ସେ ପ୍ରବୀଣା ।ସରଳ ଜୀବନ ,ଉଚ୍ଚ ଚିନ୍ତନ ଥିଲା ତା ଜୀବନ ପରିଚର୍ଯା ।ତଥାକଥିତ ସଂରକ୍ଷଣଶୀଳା ତଥା ପରମ୍ପରାବାଦୀ ନାରୀମାନଙ୍କ ଠାରୁ ଥିଲା ସେ ବହୁ ଉର୍ଦ୍ଧରେ ।ଦୈନ୍ୟତାର ଚିର ସହଚର ଯାତ୍ରୀ ହୋଇଥିଲେ ମଧ୍ୟ ସଂକୀର୍ଣ୍ଣତାର ଶିକୁଳିକୁ ଛିନ୍ନ କରି ଆମ ସମସ୍ତଙ୍କ ପାଇଁ ଆଲୋକବର୍ତିକା ସଦୃଶ ପଥ ପ୍ରଦର୍ଶକ ସାଜି ଥିଲା ସେ ।

1989 ମସିହା ଆମ ପରିବାରରେ ଆଣେ ଏକ ଭିନ୍ନ ମୋଡ଼ । ବଡ଼ ଭଉଣୀ ଗେଲ୍ଲୀ ଦିଦି ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ଆମ ପରିବାର ପାଇଁ ଦୁଃଖର ପାହାଡ଼କୁ ଦ୍ବିଗୁଣିତ କରିଦେଲା । ଦଶ ବର୍ଷ ଧରି ଶଯ୍ୟାଶାୟୀ ଝିଅର ଚିକିତ୍ସା,ସେବା ଶୁଶ୍ରୁଷାରେ ଭଉଣୀର ଯନ୍ତ୍ରଣା ଠାରୁ ଅଧିକ ଦୁର୍ବିସହ ଥିଲା ଶେଷରେ ନିଜ ଝିଅକୁ ସବୁ ଦିନ ପାଈଁ ହରାଇବାର ଦୁଃଖ । 1996 ଠୁ ମୋ ସାନ ଦିଦି ଜଲି ସୋରରେ ନବୋଦୟ ବିଦ୍ୟାଳୟରେ ଯୋଗ ଦେବା ବାପା ମାଆଙ୍କର ବିଶ୍ୱାସର ଫଳ ବା ଭଗବାନଙ୍କ ଆଶୀର୍ବାଦ ସେ କଥା ତ ମୁଁ ଜାଣି ନାହିଁ କିନ୍ତୁ ନିଶ୍ଚିତ ରୂପେ ଏକ ଅଦୃଶ୍ୟ କୌଣସି ପରମ ସତ୍ତାଙ୍କ କାର୍ଯ୍ୟ ପରି ମୋତେ ମନେ ହୁଏ । ମୁଁ ତା' ପରବର୍ଷ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଗୋପୀନାଥପୁର କଟକରେ ପାଠ ପଢ଼ିଲି ।ମୁଁ ସେତେବେଳେ ହଷ୍ଟେଲରେ ରହି ପଢ଼ୁଥିଲି ଓ ବର୍ଷକୁ ମାତ୍ର ଥରେ ଘରକୁ ଆସୁଥିଲି ।ଅର୍ଥର ଏତେ ଅଭାବ ଥିଲା ଯେ ମୋ ବାପା ମାଆ ଗାଡି ଭଡ଼ା ଯୋଗାଡ଼ କରି ମୋତେ ଆଣିବାକୁ ଅକ୍ଷମ ଥିଲେ, ଏହି ପାଇଁ ମୁଁ ଯେତିକି ମନ ଦୁଃଖ କରି ନାହିଁ, ତା'ଠୁ ମୋ ବାପା ମାଆ ଶୈଶବର ସ୍ନେହକୁ ପରିବାରଠୁ ଅଲଗା କରି ଥିବାରୁ ଅଧିକ କଷ୍ଟ ପାଆନ୍ତି । ଗ୍ରୀଷ୍ମ ଛୁଟି ପଡ଼ିବ,ମୁଁ ଓ ମୋ ଭଉଣୀ ଘରକୁ ଫେରିବୁ,ରାତି ୮ଟା /୯ଟା ଯାଏଁ ମା' ଅପେକ୍ଷା କରିଥିବ ବେଣୁଦା ଛକରେ ଏକୁଟିଆ ହାତରେ ଗୋଟିଏ ଟର୍ଚ୍ଚ ଧରି,ଆମ ଫେରିବା ବାଟକୁ ଚାହିଁ....

୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ବେଳର କଥା.... ଠିକ୍ ବାତ୍ୟାର ୩/୪ ଦିନ ପୂର୍ବରୁ ବାପାଂକ ପାଖରେ ପଇସା ନ ଥିବାରୁ ଜଳେଶ୍ବର ଷ୍ଟେସନରେ ମୋତେ ଧଉଳି ଏକ୍ସପ୍ରେସରେ ବସାଇ ଦେଇ ଘରକୁ ଫେରିଗଲେ ।ମୁଁ କଟକ ଷ୍ଟେସନରୁ ଓହ୍ଲାଇ O.M.P.ରୁ ବସ ଯୋଗେ ଜଗତପୁର,ତତ୍ପରେ ଜଗତପୁରରୁ ସାଲେପୁର ବସ ଯୋଗେ ବହୁଗ୍ରାମ,ବହୁଗ୍ରାମରୁ ଅଟୋ ଯୋଗେ ଗୋପୀନାଥପୁର ଏକାକୀ ପହଂଚିଲି ।ଆମ ଗ୍ରାମର ଜଣେ ଭଦ୍ରବ୍ୟକ୍ତି ଦୁଇ ଦିନପରେ ଗାଁରେ ଆସି ପହଂଚି କହିଲେ ,ତୁମ ପୁଅ ମହାବାତ୍ୟାରେ କୁଆଡେ ହଜିଯାଇଛି ।ଏ କଥା ଶୁଣି ମୋ ମା ଏକୁଟିଆ ପଚାରି ପଚାରି କଟକ ପହଂଚି ଗଲା ।ମୋତେ ଦେଖା କରି ସେ ଫେରି ଆସିଲା ।ଯେତେବେଳେ ତଥାକଥିତ ଗାଁ ଗହଳିର ସ୍ତ୍ରୀ ଲୋକ ମାନେ ବାହାରକୁ ଗୋଡ଼ କାଢିବାକୁ ଶଙ୍କା କରୁଥିଲେ ,ସେତେବେଳେ ମୋ ମାଆ ଯେ କୌଣସି ଦୂର ସ୍ଥାନ ଯାଇ ଅନ୍ୟକୁ ମଧ୍ୟ ନିଜର କରି ପାରୁଥିଲା । ମୋ ଦିଦି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ନର୍ସିଂ ସମାପ୍ତ କରି ୨ ବର୍ଷ ଶାନ୍ତି ହସ୍ପିଟାଲ ଓ ପରବର୍ତୀ ଅବସ୍ଥାରେ ୬ ମାସ ସମ୍ ହସ୍ପିଟାଲରେ ରହିବା ପରେ N.R.H.M.ରେ ସ୍ଟାଫ୍ ନର୍ସ ରୂପେ ନିଯୁକ୍ତି ପାଇଲା ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦୭ ମସିହାରେ। ଦିଦିର ନିଯୁକ୍ତି ହେବାର ଖବର ମୋ ମାଆର ସଂଘର୍ଷମୟ ଜୀବନ ମଧ୍ୟରେ ଥିଲା ପ୍ରଥମ ଖୁସିର ଲହରୀ ।ବର୍ଷ ବର୍ଷ ଧରି ଲୁହକୁ ପିଇଥିବା ଓଠରୁ ଝରିଥିଲା ହସ ଓ ଆଖିରୁ ଆନନ୍ଦର ଅଶ୍ରୁ । ମୋ ମାଆର ମୁଁ ଅତି ଅଲିଅଳି ଗେହ୍ଲା ପୁଅ ଥିଲି ।ମୁଁ ମାଆ ପାଖରେ ଶୁଏ । ମାଆ ରାତି ରାତି ଉଜାଗର ହୋଇ କେତେ କଥା କୁହେ,କେତେ ସ୍ବପ୍ନ ବୁଣେ,କେତେ କଥା ବଖାଣେ ଆଉ ମୁଁ ତା କଥାକୁ ବିନା ପ୍ରତିବାଦରେ ଶୁଣେ । ସବୁ କଥା ନ କହିବା ଯାଏ ତାକୁ ଶାନ୍ତି ଲାଗେ ନାହିଁ । ମୋ ମାଆ ଯେଉଁ କାମ କରିବାକୁ ମନରେ ଭାବେ ,ସେ କାମ ଶେଷ ନ କରିବା ଯାଏ ସେ ନିଶ୍ୱାସ ମାରେ ନାହିଁ ।କାର୍ଯ୍ୟ କରିବାର ଦୁର୍ବାର ପ୍ରୟାସ ପାଖରେ ଆମେ ସବୁ ହାର ମାନି ଯାଉ ।

୨୦୦୮ ମସିହା ଅଗଷ୍ଟ ମାସ ୧ ତାରିଖରେ ମୁଁ ବହୁ ଘାତ ପ୍ରତିଘାତ ମଧ୍ୟରେ S.S.D. ଡିପାର୍ଟମେଣ୍ଟରେ ଚାକିରୀ ପାଇଲି ।ଆଉ ସବୁଠୁ ଭାଗ୍ୟର କଥା ହେଉଛି ସେହିଦିନ ଥିଲା ମୋ ମାଆର ଜନ୍ମଦିନ ।ସତେ ଅବା ଏଇଟା ଥିଲା ମା ପାଇଁ ମୋର ଜନ୍ମଦିନ ଭେଟି । ସାଧାରଣତଃ ନିପଟ ମଫସଲ ଗାଁ ଗହଳିର ସ୍ତ୍ରୀ ଲୋକ ଯେତେବେଳେ ଗୋଟିଏ ଝିଅର ପାଠପଢ଼ାକୁ ଗୁରୁତ୍ୱ ନ ଦେଇ ତା'ର ବିବାହକୁ ଗୁରୁତ୍ୱ ଦିଅନ୍ତି,ମା କିନ୍ତୁ ଥିଲା ସେମାନଙ୍କ ଠାରୁ ଅଲଗା ।ଆର୍ଥିକ ଅସ୍ୱଚ୍ଛଳତା ଥିଲେ ମଧ୍ୟ ଦିଦିର ବହୁଆଡୁ ବିବାହ ପ୍ରସ୍ତାବ ଆସିଥିଲେ ଵି ମାଆର ଇଛା ଥିଲା÷ଝିଅ ପାଠ ପଢି ନିଜ ଗୋଡ଼ରେ ଠିଆ ହେଉ ,ତା ପରେ ସେ ଯଦି ଚାହିଁବ ତେବେ ସେ ବିବାହ କରିବ,ଏବଂ ସେଇଆ ମଧ୍ୟ ପରବର୍ତ୍ତି ଅବସ୍ଥାରେ ହେଲା ।ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ଯେ ଏହି ସ୍ଵାଧୀନଚେତା ଚିନ୍ତାଧାରୀ ତଥାକଥିତ ସମାଜର ପରମ୍ପରାବାଦୀ ମହିଳାଙ୍କ ଠୁ କେତେ ଉର୍ଧ୍ୱରେ ।

ଜୀବନତମାମ ଦୁଃଖର ପାହାଡ଼କୁ ବୋହି ବୋହି ସୁଖର ଅସଲ ସ୍ୱାଦକୁ ଚାଖିବା ଆଗରୁ ମା ଜୀବନ ଆକାଶରେ ଅଦିନିଆ କଳାହାଣ୍ଡିଆ ଭସା ବାଦଲ ଘୋଟି ଆସିଲା ଅଗଷ୍ଟ ମାସ ୨୦୧୫ ରେ ।କର୍କଟ ନାମ୍ନା ଦୁରରୋଗ୍ୟ ରୋଗରେ ପିଡ଼ୀତା ହେଲେ ସେ ।ଆମେ ସମସ୍ତେ ତା' ରୋଗ ବିଷୟରେ ଜାଣିବାକୁ ପାଇ ମଧ୍ୟ ନିଜକୁ ବିଶ୍ୱାସ କରି ପାରିଲୁନି । ସେ ଏକଥା ଜାଣିବାକୁ ପାଇଲା ବହୁତ କାନ୍ଦିଲା ମାତ୍ର ପରବର୍ତୀ ଅବସ୍ଥାରେ ଜଣେ ଦୁଃସାହସିକ ସୈନିକ ତୁଲ୍ୟ ଜୀବନ ଯୁଦ୍ଧରେ ବିଜୟୀ ହେବାକୁ ଅଣ୍ଟା ଭିଡିଲା ,ସୁସ୍ଥ ବ୍ୟକ୍ତି ପରି ଆଗେଇ ଚାଲିଲା,ସେହି କଣ୍ଟକିତ ପଥରେ ଯଦିଓ ତାକୁ ଜଣା ଥିଲା ଯେ ସେ ପଥର ଲକ୍ଷ୍ୟ ସ୍ଥଳରେ ତା' ପକ୍ଷେ ପହଂଚିବା ଅସମ୍ଭବ ।ଏ ସବୁ ବାଧା ବିଘ୍ନ ସତ୍ୱେ ଜଣେ ଆଦର୍ଶ ମା'ର ଭୂମିକା,ଆଦର୍ଶ ପତ୍ନୀର ଭୂମିକା,ଆଦର୍ଶ ବୋହୂ,ଆଦର୍ଶ ଜେଜେମା ଓ ଆଈର ଭୂମିକାକୁ କିନ୍ତୁ ନିଖୁଣ ଭାବରେ ଲିଭାଇଥିଲା । ଅନ୍ତରରେ ସରଳତା, ଶୃଙ୍ଖଳିତ ଜୀବନ ଚର୍ଯା,ପୁରାଣ ପୋଥିରେ ପାଣ୍ଡିତ୍ୟତା, ଅସାଧାରଣ ସ୍ମୃତି ଶକ୍ତି,ନୂତନ ବ୍ୟଞ୍ଜନ,ପିଠା,ଆଚାର ଆଦି ପ୍ରସ୍ତୁତିରେ ସିଦ୍ଧହସ୍ତା କାଁଚନ ଵାଲା ବାସ୍ତବରେ କାଁଚନ ଥିଲା । ବସୁଧୈବ କୁଟୁମ୍ବକମର ପ୍ରକୃତ ଅର୍ଥ ବୁଝିଥିବା- ଭିନ୍ନ ପୃଥିବୀର ମଣିଷଟିଏ ଥିଲା ସେ, ଯାହା ମନରେ ନ ଥିଲା କପଟତା, ନ ଥିଲା ଜଟିଳତା ଖାଲି ଅନ୍ୟକୁ ନିଜର କରିବାର କଳା। ସର୍ବଶେଷରେ ଜୀବନ ଯୁଦ୍ଧରେ ସେ ହାରିଗଲା ।ଜୀବନ ଯାକର ଅବ୍ୟକ୍ତ ବୋଝକୁ ବହୁ ବହୁ ସବୁଦିନ ପାଈଁ ଆମ ଗହଣରୁ ବ୍ୟକ୍ତ ହୋଇ ଚାଲିଗଲା ଅଜଣା ରାଇଜକୁ ।

ସେ ଦିନ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ମୁଁ ଓ ମୋ ସ୍ତ୍ରୀ ବ୍ୟସ୍ତତା ମଧ୍ୟରେ ମା ସହ କଥା ନ ହୋଇ ଚାଲିଗଲୁ ।ସେହି ସାକ୍ଷାତ ଥିଲା ଆମର ଶେଷ ସାକ୍ଷାତ ।ଆମ ଜୀବନରେ ସବୁ ମୋହ କଟାଇ ସେ ହଜିଗଲା କେଉଁ ଅଜଣା ମୂଲକରେ । ଆଜି ଵି ନିଷାର୍ଧ ରାତ୍ରିର ଅନ୍ଧକାରରେ କେତେ କଇଁ କଇଁ ହୋଇ ମୁଁ କାନ୍ଦେ ସତ କିନ୍ତୁ ମୁଁ ଆଉ ତାକୁ ଖୋଜି ପାଏନି ।ଜୀବନ ରୂପକ ତରୀ ବାହୁ ବାହୁ ନିଜେ ଆହୁଲା ହୋଇ ନଦୀର ଅପର ପ୍ରାନ୍ତରେ ପହଞ୍ଚାଇ ଦେଲା ସତ କିନ୍ତୁ ସେ ପାରିରେ ସମସ୍ତ ପୀୟୁଷତକ ଆମକୁ ବାଣ୍ଟି ଦେଇ ହଳାହଳ ବିଷତକ ପିଇଗଲା ସେ । ଦିବ୍ୟ ଜନନୀଙ୍କ ପଦ କମଳରେ ମୁଁ ଏତିକି ପ୍ରାର୍ଥନା କରୁଛି :ମାଆର ଆତ୍ମା ଐହିକ ମୋହ ମାୟା ରୂପକ ଦୁଃଖରୁ ନିବର୍ତିତ ହୋଇ ପାରତ୍ରିକ ସ୍ବର୍ଗୀୟ ସୁଖର ଅଧିକାରିଣୀ ହେଉ ।

Post a Comment

0 Comments