ତଥାପି ତୁମେ ମୌସୁମୀ - ସିପ୍ରା ନାମତା

ତଥାପି ତୁମେ ମୌସୁମୀ - ସିପ୍ରା ନାମତା

ସୂର୍ଯ୍ୟ ର ପହିଲି କିରଣ ,ବୁଣିଦେଇ ମେଞ୍ଚେ ରଙ୍ଗ
ଚାଲିଯାଏ ,ଛାଡି, ଜଳିବାକୁ ଡ଼ହଡ଼ହ ତାତିରେ
ଦ୍ବିପହର ବିଷାକ୍ତ ଝାଞ୍ଜି ଖରା ବିଷ ବୋଳି ଦିଏ
ସିଝିବାକୁ ,ଉଷ୍ଣ ପ୍ରସବଣ ର ଟକ ଟକ ପାଣିରେ ।
ଶବ୍ଦ ସବୁ ଲୁଚିଯା'ନ୍ତି ଘର୍ମ ର ଲୁଣିଆ ସ୍ୱାଦ ରେ
ବୋହି ଯା'ନ୍ତି କାଳ ବୈଶାଖୀ ର ଅମୁହାଁ ସୁଅ ରେ ।।

ମୌସୁମୀ ଆସିଲାଣି ବୋଲି ଖବରକାଗଜ କହେ
ପାଣିପାଗ ଅଫିସ ବି ,ତା ଆସିବା ଖବର ଦିଏ
ତଥାପି କାହିଁକି ,ଅମାନିଆ ମନ ଅବୁଝା ହୁଏ
ତୃଷା ତୁର ପ୍ରାଣ ମୌସୁମୀ ପାଇଁ କାତର ହୁଏ
ମାଟି ମାଆ ର ଫଟା ଛାତି ଖାଲି ଫୁଙ୍ଗୁଳା ଦିଶେ
ସବୁଜ ପଣତ ଢଙ୍କେଇବା ର ଚେଷ୍ଟା ବିଫଳ ହୁଏ ।।


ତୁମ ପାଇଁ ଆଖି ଦେଖେ ଅସୁମାରୀ ଆଶା କେତେ
କଳ୍ପନାର ରଙ୍ଗ ଭରେ , ବାଦଲ ର ଲୁଚକାଳି ଖେଳେ
ବୈଶାଖୀ ବରଷା ରେ ଲାଗେ ସତେ ଆସିଲ କି ତୁମେ
ଭ୍ରମ ତୁଟିଯାଏ କିନ୍ତୁ ବୈଶାଖୀ ଫେରିଗଲା ପରେ
ତୁମେ ଆସିନଥିବାର ସୂଚନା ପୁଣି ଥରେ ମିଳିଯାଏ
ଅଭିମାନିନୀ ସାଜିବାରେ କେଉଁ ସୁଖ ପାଅ ତୁମେ ।।

ଏଠି ଆଖି ରେ ଲୁହ ନ ଝରି ଛାତି ତଳୁ ଲହୁ ଝରେ
ବର୍ଷା ର ଗଜଲ ପାଇଁ ସତେ ଚାତକିନି ଝୁରି ମରେ
ତୁମ ଆଗମନୀ ସକାଶେ ଆକାଶ ସଜେଇ ଦିଏ
ବାଦଲ ର ଘଡ ଘଡ ଚିକ ଚିକ ମେଘ ମେଦୁର ରେ
ମେଘ କନ୍ୟା ନାଚିବ ଛମଛମ ,ରିମ ଝିମ ତାଳେ
ପୁଲକ ଆଣିବ ମେଣ୍ଟାଇବ ସବୁରି ପ୍ରାଣଆଶା ରେ ।।


ତୁମେ କିନ୍ତ ସୁନ୍ଦରୀ ପ୍ରିୟା ଲୁଚିଯାଅ କେଉଁଠାରେ
ତୁମେ ଖେଳ ଲୁଚକାଳି ପିପାସା କୁ ବଢାଇବାରେ
ଶିରାଳ ,ହାଦୁଆ ଓଠ ଶୁଖିଲା ହସ ହସେ ଥରେ
ତୁମକୁ ସ୍ୱାଗତ ପାଇଁ ନିରସିଆପେଜୁଆ ଆଖି ରେ
ଏ ସମାଜ ଅଭିଶପ୍ତ ଆଜି ମଣିଷ ର ପାପ ରେ
ତୁମକୁ ଫେରାଇବା ପାଇଁ ସେ ଏବେ ପୁଣ୍ୟ ପଥିକ ରେ।।

ତଥାପି ତୁମେ ମୌସୁମୀ ସଦା ସୁନ୍ଦର ତୁମ ଦେହେ
ଘୋଡାଇ ରଖିଛ ହୃଦୟ ର ଅକୁହା ବେଦନା କେତେ
ଯୁଗ ଯୁଗ ଧରି ତୁମରି ପାଇଁ ପ୍ରତୀକ୍ଷା ରହିଥାଏ ସତେ
ନିରୋଳା ମୁହୁର୍ତ୍ତେ ,ରିମ ଝିମ ତାନେ ବରଷା ଛିଟା ରେ
ନାଚିବାକୁ ନଭ ସାଥେ ଧରା ସେ ପୁଲକିତ ଧାରା ରେ
ଅବୋଶୋଷ ହୃଦେ ଘାରେ ,ମୌସୁମୀ ର ବିଳମ୍ବ ରେ ।।







ତୁଳସୀଚୌରା
ବାରିପଦା, ମୟୁରଭଞ୍ଜ

0 Comments