ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଦେଉଳଝରୀ ଦର୍ଶନେ - ରମେଶ ଚନ୍ଦ୍ର ମିଶ୍ର

ଦେଉଳଝରୀ ଦର୍ଶନେ - ରମେଶ ଚନ୍ଦ୍ର ମିଶ୍ର

ଓଡିଶାର ପୁଣ୍ୟଭୂମି ଲୋ ଦେଉଳଝରୀ !
କିଏ ସେ ଗଢିଲା ସୁରଭିତ ତନୁ ତୋର
ଦେଖିଲେ ପୁଲକି ଉଠେ ପରାଣ ଓ ମନ
ଆଧ୍ୟାତ୍ମିକ ଚେତନାର ତୁହି ଗନ୍ତାଘର । ୧

ଆଠମଲ୍ଲିକର ତୁହି ଶୋଭାର ଭଣ୍ଡାର
ବିଜ୍ଞାନୀ କହଇ ତୋତେ ଉଷ୍ଣ ପ୍ରସ୍ରବଣ
ମୁଁ କିନ୍ତୁ ନାରାଜ ତାହା କେବେ ମାନିବାକୁ
ତୁହି ମହା ପୁଣ୍ୟସ୍ଥଳୀ, ସ୍ବର୍ଗୀୟ ପରାଣ । ୨

ସୌନ୍ଦର୍ଯ୍ୟର ଗନ୍ତାଘର, ସୌରଭର ଖଣି
ବିମଣ୍ଡିତ ତୋ ଶରୀର ସୁମନ ରାଶିରେ
ସୌରଭ ଖେଳଇ ତୋର ସୁକୋମଳ ଅଙ୍ଗେ
ସ୍ବୟଂ ଦେବକନ୍ୟା ତୁ ଲୋ ! ଭାବୁକ ଚକ୍ଷୁରେ । ୩

କିଆବନ ବିମଣ୍ଡିତ କୁସୁମେ ସୁବାସ
ଦର୍ଶକ ମନ ମୋହିନୀ ଭାବୁକର ଚିନ୍ତାମଣି ତୁହି
ଚମ୍ପକବରଣା ତୁଲୋ ଚମ୍ପା ସଜାଡିଛୁ
ନିତ୍ୟ ବସନ୍ତର ସତେ ତୁହି ପ୍ରିୟସହୀ । ୪

କବିପ୍ରାଣ ତୋ ଦର୍ଶନେ ହୁଏ ଉଦ୍ ବେଳିତ
ସ୍ବର୍ଗୀୟ ଶୋଭା ସମ୍ପଦ ଉଚ୍ଛୁଳାଏ ମନ
ସଙ୍ଗେ ସଙ୍ଗେ ନିଏ ମୋତେ ନନ୍ଦନକାନନେ
ପୂତ ପୁଣ୍ୟ ଦେବଭୂମି ଯହିଁ ବିଦ୍ୟମାନ । ୫

ତୁହି ପରମା ପ୍ରକୃତି, ତୁହି ପୁଣ୍ୟଦେହା
ତୋ ବକ୍ଷରେ ବିହରନ୍ତି ଦେବତା ସଭିଏଁ
ଚିର ବସନ୍ତର ତୁହି ନିତ୍ୟ ରାସସ୍ଥଳୀ
କିଏ ବା ପ୍ରୀତ ନହେବ ତୋ ପୂତ ଆଳୟେ ? ୬

ଦେବତାର ମନଜାଣି ତୁ ସେବା କରୁଛୁ
ତୁହି ନିଜେ କାମଧେନୁ ତୋହରି ମନର
ରୌଦ୍ରତାପେ ସୁଶୀତଳ ଜଳେ ଅବଗାହି
ଶୀତେ ଉଷ୍ମେ ପ୍ରକ୍ଷାଳୁଛୁ ଅଙ୍ଗ ଦେବତାର । ୭

ତୋର ରମ୍ୟ ଚୌରାଅଶୀ କୁଣ୍ଡ ମାନବ-ବିସ୍ମୟ
ଦେବତାର ଆକାଂକ୍ଷିତ ଜିଗୀଷା ପୂରଣେ
ତୁ ସଞ୍ଚିଛୁ ସୁଶୀତଳ, ଉଷ୍ମ ଜଳରାଶି
ଏକା ସ୍ଥାନେ-ଦୁଇ ପାତ୍ରେ, ଅଳ୍ପ ବ୍ୟବଧାନେ । ୮

ଚିତ୍ତହାରୀ ହେବାପାଇଁ କିଆର ସମ୍ଭାର
ଦେବତା ସନ୍ତୁଷ୍ଟ ପାଇଁ ଏ ସାଧନା ସିନା
ନିଜର ସୌନ୍ଦର୍ଯ୍ୟେ ଯିଏ ଦେବତା ନମୋହେ
ସେ କି କେବେ ଶ୍ରେଷ୍ଠ ଭକ୍ତେ ହୋଇପାରେ ଗଣା ? ୯

ମାନବ ସେବାରେ ସଦା ତୋ ଚିତ୍ତ ଚଞ୍ଚଳ
ସଞ୍ଚିଅଛୁ ମହୌଷଧୀ ଦୁସ୍ଥ ଉପକାରେ
ଅର୍ଜ୍ଜୁନ, ପୋଦିନା, ବ୍ରାହ୍ମୀ, ମହା ଭୃଙ୍ଗରାଜ
କୋମଳତା ଭରା ତୋର ମହାନ୍ ହୃଦରେ । ୧୦

ଓଡିଶାର ସୁପବିତ୍ର ଚାରୁ ଗନ୍ତାଘର
ଦର୍ଶକ ମନମୋହିନୀ, ଭାବୁକର ତୁହି ଚିନ୍ତାମଣି
ପ୍ରେମୀ ଯୁଗଳର ତୁହି ଅଟୁ ପ୍ରିୟ ସଖୀ
ରୋଗୀର ମୁକ୍ତିକାରିଣୀ, ଔଷଧର ଖଣି । ୧୧

ଲୋ ଦେଉଳଝରୀ ! ତୋତେ କେତେ କାଳ ବିହି
ଗଢିଥିଲେ, ଭାବିଲେ ତା` ସ୍ତବ୍ଧ ଓ ଚକିତ
ହୁଏ ମୋର ହୃଦରାଜ୍ୟ, ନପାରଇ ଚିନ୍ତି
ଏତେ ରୂପ, ଏତେ ଗୁଣ, ଦୁର୍ଲଭ, ମହତ ! ୧୨

ଭୁବନମୋହିନୀ ବିଧିକନ୍ୟା ତୁହି ସତେ
ପ୍ରଣମୁଛି ତୋ ଚରଣେ ଶ୍ରଦ୍ଧା ଭକ୍ତି ଚିତ୍ତେ
ତୋ ମହାନ୍ ଗୁଣରୁ ମୁଁ କିଞ୍ଚିତେ ମାଗଇ
ଦୟାକର ଜନନୀ ଲୋ ! ଗୁଣମୁଗ୍ଧ ସୁତେ । ୧୩

ତୋହସମ ଗୁଣବାନ୍ ରୂପବାନ୍ ହୋଇ
ସୌରଭରେ ମହକାଇ ଜଗତ ସକଳ
ମାନବ ସେବାକୁ ମଣି ମାଧବର ସେବା
ମହାନନ୍ଦ ଲଭି ଜନ୍ମ କରିବି ସଫଳ । ୧୪


ତାପସ କୁଟୀର
ବଇଣ୍ଡା, ଅନୁଗୋଳ ।
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା

3 Comments

  1. ଅତିସୁଂଦର ପରିକଳ୍ପନା

    ReplyDelete
  2. Ramesh Chandra MishraJuly 16, 2018 at 4:39 PM

    ଧନ୍ୟବାଦ ସଦାନନ୍ଦ ବାବୁ ।

    ReplyDelete
  3. Ghanashyam SahooJuly 21, 2018 at 7:43 PM

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଅନତିଦୂରରେ ଅବସ୍ଥିତ ଦେଉଳ ଧରି ଉପରେ କବିତା ଅତି ସୁନ୍ଦର ମନଛୁଆଁ ହୋଇଛି । ଧନ୍ୟବାଦ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।