Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମ - ରମେଶ ଚନ୍ଦ୍ର ମିଶ୍ର

ପ୍ରେମମୟ ଏ ସଂସାର
ପ୍ରେମମୟ ଚଉଦ ଭୁବନ
ବର୍ଣ୍ଣନାତୀତ ମହିମା
ବର୍ଣ୍ଣିବାକୁ କିଏ ବା ଭାଜନ
ଯହିଁ ଦେଖ ପ୍ରେମଲୀଳା
ବ୍ୟାପକରେ ହୁଏ ସଂଘଟିତ
ଯେବେ ଦେଖ ଦିବା ରାତ୍ର,
ଦିବ୍ୟ ଦୃଷ୍ଟି କରି ପ୍ରସାରିତ ।

ପିତା କରେ ପୁତ୍ର ପ୍ରେମ,
ପୁତ୍ର କରେ ପିତାଠାରେ ପ୍ରୀତି
ଭ୍ରାତା-ଭଗ୍ନୀ, ଭଗ୍ନୀ-ଭ୍ରାତା,
ପ୍ରେମଶୀଳ ହୁଅନ୍ତି ଦମ୍ପତି
ପ୍ରେମ ବି ମାଆକୁ କରେ
ଏ ମଣିଷ ସୃଷ୍ଟି ଆରମ୍ଭରୁ
ମାଆ କରେ ପୁତ୍ର ପ୍ରେମ
ସେ କେଉଁ ଅନାଦି କାଳରୁ ।

ଗୁରୁ କରେ ଶିଷ୍ୟ ପ୍ରୀତି,
ଶିଷ୍ୟ କରେ ପ୍ରେମ ଗୁରୁଠାରେ
ଅପରିଚିତ ଦର୍ଶନେ(ବେଳେବେଳେ)
ଉଦ୍ବେଳଇ ପ୍ରେମ ହୃଦୟରେ
ମଣିଷର ପ୍ରେମ ହୁଏ
ବିଭୁସାଥେ କ୍ଷୀର-ନୀର ପରି
ବିଭୁ କରେ ମଣିଷକୁ ଶୁଦ୍ଧପ୍ରୀତି,
ରହିଥାଏ ଜୀବେ ଅନୁସରି ।

ପ୍ରେମ ଏକ ଚିରନ୍ତନ
ଉର୍ଜ୍ଜସ୍ବଳ ଆଲୋକ ବର୍ତ୍ତିକା
ପ୍ରେମ ଏକ ସୁବିସ୍ତୃତ ପାରାବାର
ବୁଡିଗଲେ ଲାଗେନାହିଁ ଶଙ୍କା
ପ୍ରେମ ହିଁ ମୌଳିକ ସତ୍ୟ,
ନୁହେଁ ଏହା ନଗ୍ନ କେଉଁକାଳେ
ପ୍ରେମ ହିଁ ଚିର ଶାଶ୍ବତ,
ଅମଳିନ ରହେ କାଳେ କାଳେ ।

ପ୍ରେମର ବ୍ୟାପକ ସଂଜ୍ଞା
ବର୍ଣ୍ଣନାର ଭାଷା ମିଳେନାହିଁ
ପ୍ରଜ୍ଞାବାନ୍ ମଣିଷର ପ୍ରେମକୁ ବି
ବିଭୁ କେବେ ମାପିପାରି ନାହିଁ,
ଶ୍ରୀବତ୍ସର ବିଭୁ ପ୍ରେମ
ଦେଖ କେତେ ମହତ ହୋଇଲା
ପଦାଘାତୀ ପାଦଚିହ୍ନ
ଶ୍ରୀବକ୍ଷରେ ଶୋଭା ବଢାଇଲା ।

ଯଶୋଦାର ବିଭୁ ପ୍ରୀତି
କଳ୍ପନାର ସୀମା ଆରପାରେ
ତେନ୍ତୁଳି ଛାଟର ମାଡ
ସହିନେଲେ କେଡେ ସରାଗରେ
ନବରସେ ଗଢାହୁଏ ପ୍ରତି ଜୀବ
ପାର୍ଥିବ ଶରୀର
ପ୍ରେମରସେ ରସାଣିତ ଥାଏ ହୃଦ,
ନିକଟ ସେ ଯେଣୁ ପରମର ।

ସେ ପୁଣ୍ୟ ପବିତ୍ର ପ୍ରେମ
ଅମହତ ବୁଝିପାରେ ନାହିଁ
ସଂକୀର୍ଣ୍ଣ ଭାବନା ହେତୁ
ତା ହୃଦର ପ୍ରେମ ରହେ ଅପ୍ରକଟ ହୋଇ
ପ୍ରେମ ନୁହେଁ ଶରୀରର ଯୌନକ୍ଷୁଧା,
ନୁହେଁ ଏହା କ୍ଷଣିକ ଆନନ୍ଦ
ନୁହେଁ ଏହା ସାମୟିକ ଉତ୍ତେଜନା,
ଥାଏ ଏଥି ପୂରି ବ୍ରହ୍ମାନନ୍ଦ ।

ଦିବ୍ୟବୁଦ୍ଧି ନଥାଏ ତ ପଶୁଠାରେ
ପ୍ରତିଫଳେ ଯୌନଲୀଳା କରେ
ମନୁଷ୍ୟ ତ ପଶୁ ନୁହେଁ, ବିଚାର, ବିବେକ, ବୁଦ୍ଧି
ପୂରିଅଛି ତାର ମସ୍ତିଷ୍କରେ
ତଥାପି ପଶୁଙ୍କ ମଧ୍ୟେ
ଦେଖ ସିଂହ ପ୍ରେମର ପୂଜାରୀ
ପରିବାର ସହ ରହୁଥାଏ ନିତ୍ୟ
ସୁଖ ଦୁଃଖ ଭାବ ଅନୁସରି ।

ବିଚାର, ବିବେକ, ବୁଦ୍ଧି
ବିଭୁ ପୁଣି ମାନବେ ଦେଇଛି
ପ୍ରେମର ବ୍ୟାପକ ସଂଜ୍ଞା
ନବୁଝି ସେ ତିମିରେ ରହିଛି
ଖୋଲ ଖୋଲ ଜ୍ଞାନ-ନେତ୍ର ହେ ମାନବ !
ତୁମେ ସୃଷ୍ଟି ସାର
ପୁଣ୍ୟ ପ୍ରେମ ଜାଗିଉଠୁ ହୃଦୟରେ
ହେବାପାଇଁ ଭବାର୍ଣ୍ଣବ ପାର ।


ତାପସ କୁଟୀର, ସମ୍ପାଦକ,
ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ
ମୋ- ୯୪୩୮୪୮୧୧୩୬

Post a Comment

0 Comments