ମା ଢାଳିଦିଏ ସେନେହ ସରଧା
ଗାଁ ରୁ ପାଇଛି ଖୁସି,
ସାଇପଡିଶାରୁ ସମ୍ପର୍କ ସାଉଁଟେ
ଥଟ୍ଟା ମଜା ଥାଏ ବେଶୀ।
ନଇଁ ନଇଁ ମୋର ଜେଜେମା ଡାକଇ
ପାକୁଆ ପାଟିକୁ ଖୋଲି,
ଇସୁକୁଲୁ ବେଳ ହେଲାଣି ତ ପରା
ଯା ବେଗି ବେଗି ଚାଲି।
ପୋଡା ଗଡିଶାକୁ ରସୁଣଲଙ୍କାରେ
ପଖାଳକୁ ବାଢିଦେଇ,
ଓଲୁଅ ଛେଚାକୁ ପୁଣି ଶାଗ ଭଜା
ସରାଗେ ମା ଖୁଆଇ।
କାନ୍ଧରେ ବସ୍ତାନି,କାଳିଦୁଆତଟେ
ବରଡାପତ୍ର ଆସନ,
ମୁଣ୍ଡରେ ପଖିଆ ଦେଇ ବରଷାରେ
କଟେ ଇସୁକୁଲୁ ଦିନ।
ପଦିଆଅଜାର ବାଡି ପିଜୁଳି ରେ
କରମଙ୍ଗା ଯେ କାକୁଡି,
ଚୋରି କରି ସାଙ୍ଗସାଥି ଖାଉଥାଉ
ଲଙ୍କା ଲୁଣଦେଉ ଚକୁଡି।
ବନିଶିରେ ଜିଆ ଗୁନ୍ଥି ମାଛଧରା
ଭାରି ପଡିଯାଏ ମନେ,
ଓଦର ବୁଡାଇ ବଟକାକା ଆମ
କରାଣ୍ଡି ଚିଙ୍ଗୁଡ଼ି ଆଣେ।
ଗାଁ ମନ୍ଦିରରେ ଶଙ୍ଖଘଣ୍ଟା ଶୁଣି
ଯେଝା ପିଣ୍ଢାରେ ତ ବସୁ,
ଆହେ ଦୟାମୟ,ପଣିକିଆ ପୁଣି
ଜେଜେମା ଗପରେ ହସୁ।
ବାରମାସେ ତେର ପରବେ ମୋ ଗାଁ
ଉଛୁଳି ଥାଏ ଆନନ୍ଦେ,
କେତେ ପରକାର ପିଠାପଣା କରେ
ମା ଖୁଆଏ ସରାଗେ।
ସାହିସାହି ବୁଲି ପିଠାପଣା ଖାଇ
ତାସ୍ ଲୁଡୁ ଖେଳୁଥାଉ,
ରଙ୍ଗବେରଙ୍ଗର ନୂଆ ପୋଷାକରେ
କେତେ ଯେ ଆନନ୍ଦ ପାଉ।
ମାଆର ମମତା ,ଗାଁର ସେନେହ
କିଏ ବା ପାରିବ ଦେଇ,
ଜହ୍ନରାତିର ସେ ବୋହୂ ଚୋରି ଖେଳ
ଆସିବକି ଫେରି ସେହି।
ଗାଁ ମାଟି,ମାଆ ଆଉ ପିଲାଦିନ
ସତେ ତ ଆଜି ଅଭୁଲା,
ସମୟ ସାଥିରେ ତାଳଦେଇ ଦେଇ
ପିଲାଦିନ ହଜିଗଲା।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ଫକୀରମୋହନନଗର, ବାଲେଶ୍ୱର
0 Comments
You can write now your valuable comments here. Off-topic comments may be removed or deleted without prior notice.