Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୃତ୍ୟୁ ପୂର୍ବରୁ - ରମାକାନ୍ତ ମିଶ୍ର

୧.
ଯାଇଥିବି ମରି
ପଡ଼ିଥିବି ତଳେ
ଶୁଆଇ ଦେଇଥିବେ
ଚାଦର ଉପରେ
ପଡ଼ିଥିବ ଦେହ ଉପରେ
ଧଳା ଚାଦର ଖଣ୍ଡିଏ
ତିଆରି ହେଉଥିବ -
କୋକେଇ ....
ଛ ଖଣ୍ଡ ବାଉଁଶ ଆଉ
ଆଉ କିଛି ଛଣ କୁ ନେଇ
ବୋହି ନେବାକୁ ସ୍ମଶାନ
ମୋର ମର ଦେହ I
କୋକେଇ ତିଆରି କଲା
ବେଳକୁ ଭାବୁ ଥିବେ
ସହିବ ତ ଭାର ଏ ବୁଢା
ଭାରି ମୁର୍ଦାରର ?
ଭାବୁଥିବେ ବୁଢାଟା
କାହିଁକି ଏତେ ଖାଉ ଥିଲା ?
ମରିବ ବୋଲି ତ ଜାଣି ଥିଲା ?
ଏବେ ବୁହେଇବ ଆମକୁ
ଜୀବନ ସାରା ପଦେ
ଭଲ କଥା ହୋଇ ନାହିଁ
ଖାଲି ସାହି ଭାଇ
ହିସାବରେ ନେଇ ଯିବା କଥା I
୨.
ଯାଇଥିବି ମରି
ପଡ଼ିଥିବ ଶବ
ମୁକ୍ତି ପାଇ ଯାଇଥିବ ଆତ୍ମା
ନିଥର ପଡ଼ିଥିବ ଦେହ I
ସ୍ତ୍ରୀ ଯଦି ବଞ୍ଚିଥିବ
କାନ୍ଦି କାନ୍ଦି ଆଉଁସି ଦେଉଥିବ
ପାଦ ଦୁଇଟିକୁ
ଯେଉଁଟିକୁ
ବଂଚିଥିବା ବେଳେ
କେବେବି ସେ ଆଉଁସିନି I
ପିଲା ମାନେ କାନ୍ଦୁଥିବେ
ଭାବି ଭାବି 'ବୁଢା' ଟା'ତ ଚାଲିଗଲା
କହିଲା ନାହିଁ କେଉଁଠି
କେତେ ରଖି ଗଲା ?
ଏବେ ସବୁ ଖୋଜI ଖୋଜି
କରି ବାହାର କରିବାକୁ
ହେବ ବହୁତ ଅସୁବିଧା I
ବନ୍ଧୁ ବାନ୍ଧବ ମାନେ
ଭାଇ ବନ୍ଧୁ କୁଟୁମ୍ବ ମାନେ
ଭାବୁଥିବେ -
ବୁଢ଼ା ଟାକୁ କ'ଣ
ଆଜି ମରିବାକୁଥିଲା ?
ପଡିଛି ତେଣେ କେତେ କାମ !
୩.
ଯାଇଥିବି ମରି
ପଡ଼ିଥିବି ତଳେ
'ଆତ୍ମା' ବିହୀନ ଦେହ
'ଆତ୍ମା' ଉଠି ଘୁରୁଥିବ
ଶବ ଚାରିପାଖେ
ଶୁଣୁଥିବ ସେ -
ଆଜି ଅମୁକ 'ବାବୁ'
ଆଉ ନୁହେଁ,
ସେ ହୋଇଛି 'ପ୍ରେତ' I
ଆତ୍ମା ଯଦିଓ
କୌଣସି ଦେହର ନୁହେଁ
ତେବେବି ଏତେଦିନ
ବନ୍ଦୀ ଥିଲା ଯେଉଁ ଦେହଟା ରେ
ସେଟIକୁ ଚାହୁଁଥିବ
ପୂରୁଣା ପୋଷାକ କୁ
ଫୋପାଡିବା ବେଳେ
ଆମେ ଯେମିତି
ଚାହୁଁ ଥାଉ ତାକୁ ଥରେ I
ଆଉ ଭାବୁଥିବ
ହିସାବ ନିକାସ କରୁଥିବ
ଏ ଦେହରେ ରହି
କେତେଥର ସେ ପାଇଛି କଷ୍ଟ ?
ତା ବାରଣ ସତ୍ୱେ ବି
ହୋଇଛି ଲକ୍ଷ୍ୟ ଭ୍ରଷ୍ଟ
ଆଉ ହୋଇଛି ଅପଦସ୍ତ ?
୪.
ଯାଇଥିବି ମରି
ପଡ଼ିଥିବ ଦେହ
ନିଶବ୍ଦ ଭୁଇଁରେ
ଆସୁଥିବେ ଲୋକେ
(ସତରେ ଆସୁଥିବେ! ଆଜିକା
ଦୁନିଆରେ କାହାକୁ ବେଳ ଅଛି ?)
ଚୁପ̖ ଚାପ̖ ….
ମୁହଁରେ ଅସ୍ୱାଭାବିକ ଗମ୍ଭୀରତା
କେବଳ ଦେଖାଇବାକୁ !
ମନ ମଧ୍ୟେ ଚାଲିଥିବ
ହିସାବ ନିକାଶ
କ'ଣ ସବୁ ପାଇଥିଲେ
ଏ 'ବୁଢା' ଠାରୁ
ଭଲ କଥା ସବୁ ଭୁଲି ଯିବେ
ହିସାବ ରହିଥିବ ସବୁ
ସେଇ କଥାର ଯେଉଁଥିରେ
ସେମାନଙ୍କର ସ୍ୱାର୍ଥରେ
ବାଧା ଆସିଥିବ
ସେମାନଙ୍କୁ କଷ୍ଟ ହୋଇଥିବ !
ଠିକ କହିଛି ଭାଗବତ
"ପ୍ରାଣୀର ଭଲ ମନ୍ଦ ବାଣୀ,
ମରଣ କାଳେ ତାହା ଜାଣି "
ଯାଇଥିବି ମରି
ହୋଇଥିବି ପାରି
ଏ ଆବିଳ ଦୁନିଆରୁ I


ଶ୍ରୀ ରମ।କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments