ପାରମ୍ପାରିକ ନିୟତି - ରାଜେଶ ପୂଜାରୀ

ପାରମ୍ପାରିକ ନିୟତି - ରାଜେଶ ପୂଜାରୀ

ବହୁଦିନୁ ଅଯତ୍ନେ କାୟା ବିସ୍ତାରୁଥିବା ଗୋଲାପ ଗଛଟି
ହଠାତ୍ ସେଥୁଆ ପଡ଼ିଗଲା ପରେ
ମୋର ମନୋଦ୍ୟାନ
ଢ଼େର ଦିନ ଯାଏ ହୋଇଯାଏ ରୂପ, ରସ, ଗନ୍ଧହୀନ
ବାଘର ମୁନିଆଁ ନଖରେ ଆହତ ହୋଇଥିବା
ହରିଣ ଶାବକ ପରି ।

କିଛି ବେଳ ଗଲେ ଯାଯାବର ମେଘ ମାନେ
ରୋଷ ଭାଙ୍ଗି ନିର୍ଦ୍ଧୁମ ବର୍ଷିବା ପରି
ଫେର୍ କେ‌ହି ଜଣେ
ଅଦିନ ବୈଶାଖୀ ତାତିରେ
ଝାଉଁଳା ଗୋଲାପସୁନ୍ଦରୀ କୁ
ପୁନଃ ଛିଡ଼ା କରାଇବାକୁ ଚେଷ୍ଟା କରେ
ଭିଜେଇ ଶୀତଳ ନୀରଧାରେ
ମିଠା ମିଠା ସାନ୍ତ୍ଵନାରେ
ଆଞ୍ଜୁଳାଏ ଆବେଗରେ ।

ଗଛ କଅଁଳିବାକୁ ଲାଗେ
ମନଥଳି ଭର୍ତ୍ତି ହୋଇଯାଏ ନୂଆଁ ନୂଆଁ ସ୍ବପ୍ନରେ
କଳ୍ପିତ ସୁଖର ପାରିଜାତରେ ।

କିଛି ବେଳ ନଟଲୁଣୁ ବିବର୍ଣ୍ଣ ହୋଇଯାଏ ମାଟି
ବିଶ୍ବାସର ନୀଳ ଆକାଶ ଭରେ-
ଅସରନ୍ତି ଦୁଃଖରେ, ଶୋକରେ ।

ସକଳ ଜିଜ୍ଞାସାର ଅନ୍ତ ଘଟାଇ
ଭଦ୍ରତାର ମୁଖା ପିନ୍ଧା ଅସୁର ଜଣକ ଉଭାନ ମାରେ
ଗୋଲାପ ଗଛକୁ ଦଳିମକଚି ଦେଇ
ଧୋକାନଳର ସଂତ୍ରାସରେ,
ଉଷୁମ ଲୁହ ହ୍ରଦରେ ମତେ‌ ନିକ୍ଷେପି ଦେଇ ।

ସେତେବେଳେ ଖୁବ୍ କ୍ଷୁବ୍ଧ ହୋଇ
ମୁଁ ନିଜେ ନିଜକୁ ପଚାରେ
ମୋ ସାଙ୍ଗରେ ହିଁ କାହିଁକି ହୁଏ ଏମିତି ?

ତେବେ ନେପଥ୍ୟୁ ଶୁଭିବା ପରି ଲାଗେ
"ରେ ମୁଢମତି
ନାହିଁ ଏତିକି ଜଣା ତତେ
ତୁ'ତୋ ଜୀବନେ ପାରିବୁନି କେବେ-
ଶାନ୍ତି-ମୈତ୍ରୀ-ସମ୍ପ୍ରୀତି
ଦୁଃଖ ଯନ୍ତ୍ରଣାରେ ଛଟପଟ ହେବା ହିଁ ତୋର
ପାରମ୍ପାରିକ ନିୟତି ।"

ଏ କଠୋର ବଜ୍ରଘୋଷଣା ଗ୍ରହଣୀ ନପାରି
ଡଷ୍ଟବିନ୍ ରେ ପଡ଼ି ନିଜ ନିୟତିକୁ-
କୋଷୁଥିବା ବ୍ୟବହୃତ କଣ୍ଡୋମ୍ ଠାରୁ ବେଶୀ-
ନୀରିମାଖି ମଣୁଥାଏଁ ମୁଁ ନିଜକୁ ।


ରାଜେଶ ପୂଜାରୀ
କୁଶମେଲ, ଝାରସୁଗୁଡ଼ା
(କବିତା ଏକ କ୍ରୁଶବିଦ୍ଧ ମୂହୁର୍ତ୍ତର)

0 Comments