ମୌସୁମୀ ଗୋ ତୁମ ବାଟ ଚାହିଁ ଚାହିଁ
ଆଖି ମୋ ଜଳକା ହେଲା
ଆସିବ ଆସିବ ପ୍ରତୀକ୍ଷା କରିଛି
ତୁମେ କି ହେଲ ବାଉଳା ।।(୧)
ଜଗତବାସୀ ଯେ ହେଲେଣି ଅତିଷ୍ଠ
ପ୍ରଚଣ୍ଡ ନିଦାଘ କୋପେ
ଶୁଭୁ ନାହିଁ କି ଗୋ ସେମାନଙ୍କ ଡାକ
ଅନାଇଛନ୍ତି ଚାତକେ ।।(୨)
ତୁମ ମିଠା ସ୍ପର୍ଶ ପାଇବା ପାଇଁ କି
ସକଳ ଅପେକ୍ଷାରତ
ଆସିବ ଛୁଇଁବ ବରଷି ଵି ଯିବ
ସର୍ବେ ହେବେ ଅହ୍ଲାଦିତ ।।(୩)
ତୃଷା ନିବାରିବ ,ଖୁସି ବାଣ୍ଟିଦେବ
ସକଳ ଜୀବଙ୍କ ପ୍ରାଣେ
ଚାଷୀ କୂଳ ହୃଦେ ହରଷ ବୁଣିବ
ଖେଳାଇ ଆନଂଦ ମନେ ।।(୪)
ଆସିଥାନ୍ତ ଯଦି ସଅଳ ଏ ସନ
ଭିଜିଥାନ୍ତି ତୁମ ସଙ୍ଗେ
ପାଇଥାନ୍ତି ତୁମ ପୀରତି ବାସନା
ତୁମରି ପରଶେ ଅଙ୍ଗେ ।।(୫)
ଆଙ୍କନ୍ତି ତୁମ ସେ ଲାବଣ୍ୟ ତନୁକୁ
ସିଲଟରେ ମୋ ମନର
ହଜି ମୁଁ ଯାଆନ୍ତି ତୁମ ଶ୍ରୀରୂପରେ
ପାସୋରି ମୋ ଅସ୍ତିତ୍ବର ।।(୬)
ମୋସୁମୀ ଗୋ ତୁମେ ଫେରିଆସ ତେଣୁ
ଭାଙ୍ଗିଦିଅ ତୁମ ରୁଷ
ପିପାସିତ ପ୍ରାଣେ ଭରିଦିଅ ଏଣୁ
ଅସୁମାରୀ ହୋଇ ବର୍ଷ ।।(୭)