ଅନୁଭୂତି କଥା - ମୋ ପିଲା ଦିନର ଗୋଟିଏ ସ୍ମୃତି - ରାମାକାନ୍ତ ମିଶ୍ର

ଅନୁଭୂତି କଥା - ମୋ ପିଲା ଦିନର ଗୋଟିଏ ସ୍ମୃତି - ରାମାକାନ୍ତ ମିଶ୍ର

ପ୍ରାଇମେରୀ ସ୍କୁଲ ରେ ପଢୁଥିଲାବେଳେ ଆମର ଏକ ମାସ ସକାଳେ ମାନେ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ପଢା ହେଉ ଥିଲା ଆଉ ଆର ମାସରେ ଉପର ବେଳା ମାନେ ୧୨ ଟା ରୁ ୫ ଟା ପର୍ଯ୍ୟନ୍ତ ପଢା ହେଉ ଥିଲା । ପ୍ରଥମର ୩ ଟା କ୍ଲାସ ସରିଯିବା ପରେ ଆମର ଖେଳ ଛୁଟି ହେଉଥିଲା ଅଧଘଣ୍ଟା ପାଇଁ । ପିଲାମାନେ ସବୁ ଘରୁ ପଇସା ନେଇ ଆସୁଥିଲେ ଖେଳ ଛୁଟିରେ କିଣିକି ଖାଇବେ ବୋଲି । ମୁଁ କିନ୍ତୁ କେବେ ପଇସା ନେଇ ଯାଇ ପାରୁ ନ ଥିଲି କାରଣ ଆମ ନନା ଆମକୁ ସବୁକିଛି ଦେଉଥିଲେ କିନ୍ତୁ ହାତରେ କେବେବି ପଇସା ଦେଉ ନ ଥିଲେ । ମୋର ସବୁଠାରୁ ଭଲ ସାଙ୍ଗ ଶଶୀ (ତା ବିଷୟରେ ତଳେ ଟିକିଏ ଲେଖିବି) ର ବି ସେଇ ଏକ ଅବସ୍ଥା ଥିଲା । ଅନ୍ୟ ପିଲା ମାନେ କିଣିକି ଖାଉ ଥିଲେ ଆଉ ଆମେ ଦିହେଁ ଦେଖି ଚୁପ ରହୁ ଥିଲୁ । ଏମିତି ନୁହଁ ଯେ ଆମେ ଭୋକିଲା ରହୁଥିଲୁ, ସାଙ୍ଗରେ ଘରୁ ଟିଫିନ ନେଇ ଯାଉ ଥିଲୁ କିନ୍ତୁ ସେତେବେଳେ ପିଲା ମନ ଥିଲତ ! ଟିଫିନ ଛୁଟି ବେଳକୁ ଅନେକ ବିକାଳୀ ଆସୁ ଥିଲେ । ସେମାନଙ୍କ ଭିତରୁ ଜଣେ ବୁଢା ବିକାଳୀ କଥା ମୋର ଏବେ ବି ମନେ ଅଛି । ସେ କେଉଁ ଦିନ ପିଜୁଳି, କେଉଁ ଦିନ କମଳା, କେଉଁ ଦିନ ଜାମୁ କୋଳି ଏମିତି ସବୁ ଫଳ ସମୟ ଅନୁଯାୟୀ ଆଣି କରି ବିକୁଥିଲା । ଟିଫିନ ଛୁଟି ହେବା ମାତ୍ରକେ ପିଲା ମାନେ ଯାଇ ତାର ପସରା ର ଚାରିପାଖେ ଘେରି ଯାଉ ଥିଲେ । ବୁଢା ଗୋଟାଏ ବଡ଼ ଖୋଲା ଟୋକେଇରେ ରଖି ଫଳ ଗୁଡିକୁ ବିକୁ ଥିଲା । ଏତେ ଗୁଡ଼ାଏ ପିଲା ଏକ ସାଙ୍ଗରେ ଘେରି ଗଲା ବେଳକୁ ବୁଢା ମଧ୍ୟ ଅଣନିଶ୍ୱାସୀ ହୋଇ ଯାଉ ଥିଲା । ସମସ୍ତେ ପୁଣି ପଇସା ଧରି ଫଳ ଧରିବା ପାଇଁ ଏକ ସାଙ୍ଗରେ ହାତ ବଢା଼ଉ ଥିଲେ । ଫଳରେ ବୁଢା ଜାଣି ପାରୁ ନ ଥିଲା କିଏ ଫଳ ନେଉ ଥିଲା ଆଉ କିଏ ପଇସା ଦେଉ ଥିଲା । ମୁଁ ଆଉ ଶଶୀ କେତେ ଥର ବୁଢାର ଏହି ଅସହାୟତା ର ସୁଯୋଗ ସେତେବେଳେ ନେଇ ଥିଲୁ ।

ଶଶୀ ମାନେ ରହୁଥିଲେ ବି.ଏଚ.ଏରିଆରେ । ସେମାନଙ୍କର ଘର ଆମ ଘର ଠାରୁ ଯଥେଷ୍ଟ ବଡ଼ ଥିଲା, ଏଲ-୬ ଟାଇପ ଘର । ଶଶୀ ର ବାପାଙ୍କ ନାମ ଥିଲା ଶ୍ରୀ ବିହାରୀ ପଟ୍ଟନାୟକ । ସେ ଥିଲେ ସ୍ପେସିଆଲ ଗ୍ରେଡ଼ କ୍ରେନ ଅପରେଟର । ସେମାନଙ୍କର କାମ ବହୁତ କଠିନ ଥିଲା, ଆଉ ଦରମା ମଧ୍ୟ ସେହି ଅନୁପାତରେ ବେଶୀ ମିଳୁ ଥିଲା । ଶଶୀ ର ଥିଲେ ୯ ଭାଇ ତାକୁ ମିଶାଇ । ଭଉଣୀ କେହି ନ ଥିଲେ । ଆଗେ ଆମ ନନା ମାନଙ୍କ ସମୟରେ ସବୁ ଲୋକଙ୍କର ୯ ରୁ ୧୦ ଟି ସନ୍ତାନ ହେବା ଗୋଟିଏ ସାଧାରଣ କଥା ଥିଲା । ଆଗେ ଲୋକମାନେ ପିଲା ମାନଙ୍କୁ ନିଜର ସମ୍ପତ୍ତି ଭାବରେ ଗଣୁ ଥିଲେ ଆଉ ସତରେ ବି ପୁଅ ମାନେ ସେ ସମୟରେ ବଡ଼ ହେବା ପରେ ବାପା ମାନଙ୍କ କାନ୍ଧରେ କାନ୍ଧ ମିଶାଇ କାମ କରୁ ଥିଲେ ଏବଂ ପରିବାରକୁ ସାହାଯ୍ୟ କରୁଥିଲେ । ଏବେ ସେ ସବୁ କଥା ଚିନ୍ତା କରିବା କଠିନ । ମୁଁ ପ୍ରାୟ ଶଶୀ ଘରକୁ ଯାଉ ଥିଲି । ସେମାନେ ଗଂଜାମ ଜିଲ୍ଲାର ରମ୍ଭା ର ଲୋକ । ଶଶୀ ର ମା ଭଲ ଆଚାର ତିଆରି କରୁ ଥିଲେ । ମୁଁ ତାଙ୍କ ଘରକୁ ଗଲେ ମତେ ଖାଇବାକୁ ଦେଉଥିଲେ, ନ ଖାଇଲେ ରାଗୁଥିଲେ । ଆମ ପିଲା ବେଳେ ସାଙ୍ଗ ମାନଙ୍କ ମା ମାନେ ନିଜର ଏତେ ପିଲା ଥିବା ସତ୍ୱେ ମଧ୍ୟ ପର ପିଲା ମାନଙ୍କୁ କେତେ ଆଦର କରୁଥିଲେ ! ତେଣୁକରି ବନ୍ଧୁତା ଓ ଶ୍ରଦ୍ଧା ମଧ୍ୟ ବଢ଼ୁ ଥିଲା । ଏ ସବୁ କଥା ଭୁଲି ହୁଏ ନାହିଁ । ଶଶୀ ର ଭାଇ ମାନଙ୍କ ଭିତରେ ନମ୍ବର ଥିଲା ୫ । ସେ ଯାହା ହେଉ ମୁଁ ଆଉ ଶଶୀ ସ୍କୁଲ ପରେ ମଧ୍ୟ ଅନେକ ସମୟ କଟାଉ ଥିଲୁ ।

ଆଜି ଭାବିଲେ ହସ ମାଡୁଛି ଆଉ ଦୁଃଖ ବି ଲାଗୁଛି । ଆମେ କଣ କରୁଥିଲୁ - ଯେତେବେଳେ ସବୁ ପିଲା ବୁଢା ଆଉ ତା ପସରା କୁ ଘେରି ଠିଆ ହୋଇ ନଇଁ କରି ଫଳ ମାଗୁଥିଲେ ଆଉ ହାତ ବଢା଼ଉ ଥିଲେ, ସେତେବେଳେ ମୁଁ ଆଉ ଶଶୀ ପିଲା ମାନଙ୍କ ପଛରେ ଥାଇ ସେମାନଙ୍କ ଗୋଡ଼ର ଫାଙ୍କରେ ହାତ ଗଳାଇ କେତେବେଳେ ପିଜୁଳି ଆଉ କେତେବେଳେ ଡାଳିମ୍ବ ଯାହା ହାତରେ ପଡୁ ଥିଲା ଉଠାଇ ନେଉ ଥିଲୁ, ତା ପରେ ଧୀରେ କରି ହାତ ବାହାରକୁ କାଢି ନେଇ ଆସୁ ଥିଲୁ । ବୁଢା ଜମାରୁ ଜାଣି ପାରୁ ନ ଥିଲା । ଖାଲି ହାତ ହଲାଇ ହାଉଁ ହାଉଁ କରି ପାଟି କରୁ ଥିଲା ଆଉ ୟା ତା ହାତକୁ ଧରି ଫଳ ଛଡ଼ାଇ ରଖୁ ଥିଲା । ବେଳେ ବେଳେ ଆମ ହାତରୁ ମଧ୍ୟ ଛଡାଉ ଥିଲା । କିନ୍ତୁ ଯେଉଁ ଦିନ ବେଶୀ ଗହଳି ରହୁଥିଲା ବୁଢା ଆଉ ଧରି ପାରୁ ନ ଥିଲା । ଶଶୀ ଆଉ ମୁଁ ଫଳ ଗୋଟେ କରି ଧରି ପିଲା ମାନଙ୍କ ଗୋଡ଼ ଫାଙ୍କରୁ ହାତ ବାହାର କରି ସିଧା ସେଠାରୁ ପଳାଉ ଥିଲୁ ଦୂରକୁ ଆଉ ଚୋରେଇ ଆଣିଥିବା ଫଳକୁ ବେଶ ଖୁଶିରେ ଖାଉ ଥିଲୁ । ସେତେବେଳର ସେ ନିଷ୍ପାପ ଫଳ ଚୋରି କଥା ମନେ ପଡିଲେ ଏବେବି ଭାରି ହସ ଲାଗେ ।


ଶ୍ରୀ ରମ।କାନ୍ତ ମିଶ୍ର

0 Comments