Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିଷ୍ପନ୍ନ ସତ୍ୟ - ରମେଶ ଚନ୍ଦ୍ର ମିଶ୍ର

ସୁଖ ଦୁଃଖ ବୋଲି ଦୁନିଆ ଭିତରେ
କିଛି ନାହିଁ ବନ୍ଧୁ କିଛି ନାହିଁ
ସବୁ ଏ ମନର ଦୁର୍ବଳତା ତଳେ
ରହିଅଛି ଗୁନ୍ଥା ହୋଇ ।

ମୋହ-ମାୟା ବଶେ ମଣିଷ ଜୀବନ
ମଣିଷର ମନ ବନ୍ଧା
ଲୋଭ-ଅସୁରର ନିର୍ଦ୍ଦେଶ ମାନି
ଅଜାଣତେ ହୁଏ ଛନ୍ଦା ।

ଶାଣିତ ବିବେକ ଦମିତ ମନକୁ
ଆୟତ୍ତ କରିଛି ଯିଏ
ସବୁ ସୁଖ ତାର ପାଦତଳେ ଲୋଟେ
( ତାକୁ) ଦୁଃଖୀ କରିବ କିଏ ?

ଗିରିଗୁହାବାସୀ ସନ୍ୟାସୀରେ ଦେଖ
ଫୁଙ୍ଗୁଳା ଦେହ ହୋଇ
ପଉଷ ରାତିର ହିମ-ଶୀତଳତା
କେମିତି ପାରୁଛି ସହି ?

ଛିଣ୍ଡାକନା ଦେହେ ଗୁଡେଇ ହୋଇ ବି
ପାଗଳ ବି ହସେ ଟହଟହ
ପର ମୁହୂର୍ତ୍ତରେ କକଇଁକଇଁ କାନ୍ଦେ
ଏମିତି କାହିଁକି କୁହ ?

ସୁଖରେ ପାଳିତା ଅତି ସୁକୁମାରୀ
କଷ୍ଟ ଯେ ତିଳେ ସହେନାହିଁ
ଦଶମାସ ଗର୍ଭେ ଧରୁଛି ସନ୍ତାନ
(ଏତେ କଷ୍ଟ) କେମିତି ପାରୁଛି ସହି ?

ନାହିଁ ନାହିଁ ବନ୍ଧୁ ସୁଖ ଦୁଃଖ ଯାହା
ମନର ବିକାର ଇଏ
(ସୁଖ ଦୁଃଖ) ଯିଏ ସମାନେ ଘେନଇଁ
ଜିତେନ୍ଦ୍ରିୟେ ଗଣାହୁଏ ।


ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ, ସମ୍ପର୍କ-୯୪୩୮୪୮୧୧୩୬

Post a Comment

0 Comments