ତୁମପାଇଁ (ଭାଗ-୧) - ରାଜେଶ ପୂଜାରୀ

ତୁମପାଇଁ (ଭାଗ-୧) - ରାଜେଶ ପୂଜାରୀ

କେବେ ହେଲେ ତୁମ ମଥାର କୁଙ୍କୁମ
କେବେ ଗଭାର ଗଜରା,
ନୟନ ଅଞ୍ଜନ ହେଲେ କେତେବେଳେ
ପୁଣି କେବେ ଗଳାହାରା ‌।

ନହୁଲି ଅଧରେ ନାଲି ଗାଢ଼ ରଙ୍ଗ
ଲାଜରା ବଦନ ହସ,
ଆଉ କେବେ ହେବି ପାଦର ନୁପୁର
କେବେ ତୁମ ଝୀନବାସ ।

ଆଉ କେତେବେଳେ କେଶର ଚେପଣା
ସରୁ ଆଙ୍ଗୁଳି ମୁଦ୍ରିକା,
କେବେ ପୁଣି ହେବି ହସ୍ତ ଦ୍ବୟ ଶଙ୍ଖା
କେବେ କାନର ଝୁମକା ।

ଅତର ହୋଇଣ ଦେହରେ ଲାଖିଣ
ମହକିବି ଅନୁକ୍ଷଣେ,
କେବେ ହୋଇ ତୁମ କଟିଡୋର ସଖି
ଝାଙ୍କିବି ଚଗଲାପଣେ ।

କେବେ ହେବି ପୁଣି ଅମୃତ ପରାୟ
ଦେହର ପଖଳା ଜଳ,
ଆଉ କେବେ କେବେ ହେବି ତୁମପାଇଁ
ଚଲାପଥ ଝରାଫୁଲ ।

ଶୀତେ ତୁମପାଇଁ ହେବି ଗୋ ରେଜେଇ
ନିଦାଘେ ତୁମରି ଜୋତା,
ବରଷାରେ ତୁମପାଇଁ ହେଲେ ଛତା
ବସନ୍ତରେ ମାଦକତା ।

ଶରତ ଲଗନେ ନଈପଠା ଧାରେ
ଶୁଭ୍ର କାଶତଣ୍ଡି ହୋଇ,
ଜୀବନ ମୋହର ଧନ୍ୟ କରିବି ଗୋ
ତୁମ ମୃଦୁ ସ୍ପର୍ଶ ପାଇ ।

ହେମନ୍ତ ଋତୁରେ ହେମାଳ ସମୀର
ହୋଇ ଯାଉଥିବି ଚୁମି,
ମନ ମତାଣିଆ ମିଳନ ଛନ୍ଦରେ
ଦୁହେଁ ଯାଉଥିବା ଝୁମି ।

କେବେ ତୁମପାଇଁ ମୁରଲୀର ସ୍ବନ
କେବେ ଯମୁନାର କୂଳ,
କେବେ ହୋଇଯିବି ବ୍ରଜଭୂମି ମୁଁହି
କେବେ କୁଞ୍ଜ ରାସସ୍ଥଳ ।

କଥା ମୁଁ ଦେଉଛି ଚାହିଁଦିଅ ଯାହା
ହେବି ପ୍ରିୟେ ତାହା ତାହା,
ତୁମେ ମୋ ଆରମ୍ଭ ତୁମେ ହିଁ ମୋ ଅନ୍ତ
ବଞ୍ଚିବାର ସାହା ରାହା ‌।


କୁଶମେଲ, ଝାରସୁଗୁଡ଼ା

0 Comments