OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମୃତ୍ୟୁକୁ ବିଶେଷ ଅନୁରୋଧ - ପ୍ରୀତିପ୍ରିୟା ମହାନ୍ତି

ମୃତ୍ୟୁକୁ ବିଶେଷ ଅନୁରୋଧ - ପ୍ରୀତିପ୍ରିୟା ମହାନ୍ତି

ପୂର୍ବାଭାଷ ଦେଇ ଆସିବାକୁ ମୃତ୍ୟୁ
ଛୋଟ ଅନୁରୋଧ ମୋର,
କାହିଁକି ଏମିତି ଚାହିଁଲି ଯେ ମୁହିଁ
କାରଣ କହୁଛି ତା'ର।

ତୋଷକ ବିନା ମୁଁ ନିଦ୍ରା ଯାଏ ନାହିଁ
ଚଟାଣେ ପାରେନା ଶୋଇ,
କେମିତି ଶୋଇବି ତୁମ ଅଙ୍କେ ମୃତ୍ୟୁ
ସେ କଥା ମନେ ଭାଳଇ।

ଦାମିକା ପଲଙ୍କ ମଖମଲ ଶେଯ
ଖୋଜା ପଡେ ମୋ'ରି ପାଇଁ,
ପାଳ ଦଉଡିଆ ବାଉଁଶ ଖଟରେ
ଶୋଇ ମୁଁ ପାରିବି ନାହିଁ।

ଜଣାଇ ଆସିଲେ ଅଭ୍ୟାସ କରନ୍ତି
ସାମ୍ନା କରିବାକୁ ସତ,
ଆରାମଦାୟକ ନିଦ୍ରା ଯିବା ପାଇଁ
ହୁଅନ୍ତି ପୂର୍ବ ପ୍ରସ୍ତୁତ।

ଏମିତି ବି ଦିନ ଆସିବ ଜୀବନେ
ଏ କଥା ସତ ନିଶ୍ଚୟ,
ତୁମ ଅଙ୍କେ ମୃତ୍ୟୁ ଥିବି ମୁହିଁ ଶୋଇ
ଥିବ ଅନଳ ବଳୟ ।

ଦେଖିଲେ ଅନଳ ମାନସରେ ମୋର
ଉଙ୍କଇ ଅଜଣା ଭୟ,
ପୂର୍ବରୁ ସୂଚନା ଦେଇ ଆସନ୍ତ କି
ହୁଅନ୍ତି ଟିକେ ନିର୍ଭୟ।

ଉତ୍ତରୀୟ କେବେ ଖସିଲେ ଅଙ୍ଗରୁ
ରୋଷ କରି ବସେ ମନ,
କେବେ ରୋଷ ତା'ର ନିଜ ଉପରେ ତ
ପରିସ୍ଥିତି ପୁଣି ପବନ।

କିଏ ଜାଣେ ତମେ ଆସିବାବେଳେ ମୁଁ
ଥିବି କାଳେ ଅନାବୃତ,
ହାତ ଗୋଡ଼ ଚଳୁ ଥିବ କି ନାହିଁ
ଢାଙ୍କିବାକୁ ମୋ ମହତ।

ଆସିବା ଆଗରୁ ଜଣାଇ ଆସିବ
ରହିଲା ତୁମକୁ ରାଣ,
ଆପାଦ ମସ୍ତକ ଆବୋରି ଥିବି ମୁଁ
ଶକ୍ତ ଏକ ଆବରଣ।

ଦାୟିତ୍ୱ,କର୍ତ୍ତବ୍ୟ ସାରିଦେବି ସବୁ
ନ ରଖିବି କିଛି ବାକି,
କେହି ନ କହିବ ମୃତ୍ୟୁ ସହ ଦେଖ
ଚାଲିଗଲା ଦେଇ ଠକି।

କାହା ଆଗେ ମୁଁ ଯେ ହେଉଛି ନେହୁରା
ନାହିଁ ଯା' ସମୟଜ୍ଞାନ,
ସଞ୍ଜ କି ସକାଳ,ଧନୀ କି ଦରିଦ୍ର
ମାନେନା ଯେ ରାତିଦିନ।

ପ୍ରତିଷ୍ଠିତ ହେଉ ଅବା ଅପ୍ରତିଷ୍ଠ
ରାଜା,ପ୍ରଜା,ମନ୍ତ୍ରୀ, ନେତା,
ଅନୁରୋଧ କି' ବା ଆଦେଶ ମାନେନା
ଜଳାଏ ନିଶ୍ଚେ ସେ ଚିତା।

ତଥାପି ହେ ମୃତ୍ୟୁ ଜଣାଇବ ମତେ
ତବାଗମନ ଖବର,
ହୋଇବି ପ୍ରସ୍ତୁତ ଯିବା ପାଇଁ ମୁଁ ଯେ
ଅନୁରୋଧ ରକ୍ଷା କର।

1 Comments

  1. Ramesh Chandra MishraJuly 21, 2018 at 1:48 AM

    ଶତ ଅନୁରୋଧ କଲେ କିସ ହେବ ଆଗୁଁ ଦେବନି ବାରତା
    ମୃତ୍ୟୁ ଆସିବ କେବେ କୋଉଦିନ ଜାଣିଛି ଏକା ବିଧାତା ।
    ମୃତ୍ୟୁର ସେଇ ଭୟାବହ ରୂପ, ଭୟଙ୍କର ଅନୁଭବ
    ଅତିକ୍ରମିବାକୁ ଆଜିଠୁ ଆମକୁ ପ୍ରସ୍ତୁତ ହେବାକୁ ହେବ ।
    ଜୀବନର ମାନେ ବୁଝିବା ପାଇଁକି ଖୋଲିଲେ ତୃତୀୟ ନେତ୍ର
    ସବୁ ସମସ୍ୟାର ସମାଧାନ ବାଟ ହୋଇଯିବ ଉନ୍ମୁକ୍ତ ।
    ମରଣକୁ ଜୟ କରିବା ପାଇଁକି ମୁନି ସାଧୁଥିଲେ ତପ
    ମନ ଇନ୍ଦ୍ରିୟ ନିୟନ୍ତ୍ରଣ କରି ବଞ୍ଚୁଥିଲେ କଳପ ।
    ମହତ ଜନର ପଥ ଅନୁସରି ସେଇ ପଥ ବରିନେବା
    ଦୁର୍ବାର ଶକ୍ତି ମନେ ଠୂଳ କରି ମରଣ ଜୟ କରିବା ।
    ଆପଣଙ୍କ କବିତା ବେଶ୍ ମନକୁ ଛୁଇଁଲା । ତେଣୁ ତ ମୁଁ ତାର ଏଇ ଉତ୍ତର ରଖିଲି । ଧନ୍ୟବାଦ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।