OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଅଭିମାନିନୀ ବର୍ଷା - ସିପ୍ରା ନାମତା (ନମ୍ରତା)

କ୍ଷୁଦ୍ରଗଳ୍ପ - ଅଭିମାନିନୀ ବର୍ଷା - ସିପ୍ରା ନାମତା (ନମ୍ରତା)

"ରହ.....ଯା ଆ ନା.......ବହୁତ ପାଣି, ବର୍ଷା ରେ କେମିତି ଛିଲ ଛିଲ କରୁଛି ,ଦେଖୁନୁ...."
ଦୀର୍ଘ ପନ୍ଦରବର୍ଷ ପରେ ବି ସେଇ ସ୍ୱର କାନ ପାଖରେ ଗୁଞ୍ଜରି ଯାଏ ।ମନ ଛନ ଛନ, ଆଖି କନ କନ ହୋଇ ଚତୁର୍ଦ୍ଦିଗ ପରିକ୍ରମା କରି ଆସେ । ଦୃଷ୍ଟି ଲମ୍ବିଯାଏ ଦୂର ଅତୀତ ର ଗାଁ ମୁଣ୍ଡ ପୋଖରୀ ତୁଠ କୁ ।ତୁଠ ପାହାଚ ଉପରକୁ ପଡିଥିବା ବିରାଟ ଏକ ପଥର ଉପରେ ବସି ଗୋଡ ହଲଉ ହଲଉ ସାନ ଭାଇ କୁ ତାଗିଦ କରି କହୁଥିବା କଥା... କୁଆଡେ ଗଲା ସେ ଦିନ, ଯେତେ ଖୋଜିଲେ ବି ଫେରୁନି ତା'ସୁଆଗ ଦେଖାଇବାକୁ ।ହଁ ସେ ପରା ଅତୀତ.....ସେ କଅଣ କେବେ ଫେରିଆସେ ???

ବାଲକୋନି ରୁ ସଅର ସଅର କରି ଉପରୁ ଖସୁଥିବା ବାରିଧାରା କୁ ସେ ଏମିତି ଉପଭୋଗ କଲାବେଳେ ଗାଁ ର ପୋଖରୀ କଥା ତାକୁ ଆନ୍ଦୋଳିତ କରେ । ଅନେକ ଅନେକ ଫରକ ତା ଗାଁ ଆଉ ଏ ସହର ଭିତରେ । ପନ୍ଦର ବର୍ଷ ହେଲାଣି ସେ ଏ ସହର କୁ ଦେଖୁଛି ।ଅସଂଖ୍ୟ ଲୋକଙ୍କ ଭିଡ ଏଠି । କାହା ପାଇଁ ଏଠି କାହାର ସମୟ ନାହିଁ । କି ଅଜବ..? ଏଇ କିଛିଦିନ ହେବ ଏ ସହର ର ସଡକ ନିର୍ମାଣ ଅଭିଯାନରେ ଏବେ ଗଛ କଟା ଚାଲିଛି ।ଶହ ଶହ ବର୍ଷ ର ଗଛ ସବୁ ଟଳି ପଡୁଛନ୍ତି ।କି ଆଶ୍ଚର୍ଯ୍ୟ ର କଥା...ଲୋକ ଗଛ ଟିଏ ଲଗାଇବାକୁ ଏତେ କଷ୍ଟ କରୁଥିବା ବେଳେ ପ୍ରଗତି ନାଁ ରେ ପ୍ରକୃତି କୁ ନଷ୍ଟ କରା ହେଉଛି ।ସେଇଥିପାଇଁ ତ ପ୍ରକୃତି ର ଅଭିମାନ ବଢି ବଢି ଯାଉଛି ।ପ୍ରଳୟ କରୁଛି ତ କେତେବେଳେ ଅଗ୍ନି ଝରା ହେଉଛି ।

ଏଇ ତ କିଛିଦିନ ଆଗରୁ ଆକାଶ ରୁ ନିଆଁ ଝରୁଥିଲା ।ଅତିଷ୍ଠ ଜୀବଜଗତ ...ଟୋପାଏ ପାଣି ପାଇଁ ହା ହା କାର କରିଉଠୁଥିଲା ଜଗତ ।ବର୍ଷା ପାଇଁ ଆତୁର ହୋଇପଡୁଥିଲା ପ୍ରାଣ ଆଉ କାତର ହେଉଥିଲା ଆତ୍ମା ।ଦୁଇଦିନ ହେବ ବର୍ଷା ଟିକିଏ ଟିକିଏ ହେଉଛି ।ଓଃ ...କି ଶାନ୍ତି !ଜୀବନ ଟା ରହିଗଲା ପରା ! ପ୍ରତି ଘରେ ଆଜି ଏ. ସି., କୁଲର ,ପୁଣି ଘର ପିଛା ଏକ ରୁ ଅଧିକ ପ୍ରତି କୋଠରୀ ରେ ଉପଲବ୍ଧ ।କିନ୍ତୁ ଯାହାର ନାହିଁ ସେ ବିଚରା ଅସହ୍ୟ ଗରମ ରେ ଛଟପଟ ।ସବୁ ଭୋଲ୍ଟେଜ଼ ତ ଧନୀକ ଗୋଷ୍ଠୀ ର ନା ।କିଛି କରିବାର ନାହିଁ । ଗଣତନ୍ତ୍ର ବନାମ ରାଜତନ୍ତ୍ର ରେ ଜଣେ ନିଜେ ନିଜର ଶାସକ ତେଣୁ କହିବ କାହାକୁ ?? ଆଜି ବହୁତ ବ୍ୟସ୍ତ ଲାଗୁଛି ,କାହିଁକି କେଜାଣି ? ଘର ,ଗାଁ ,ବାପା ,ବୋଉ ସିଲୁ ( ସାନଭାଇ )ସମସ୍ତଙ୍କ କଥା ମନେପଡୁଛି ।ତୁହା କୁ ତୁହା ।

ଅତି ଗରୀବ ପରିବାର ଥିଲେ ସେମାନେ ।କେମିତି କେଉଁ ସଂଯୋଗ ରେ ସେ ଏ ସହର ର ବୋହୁ ପାଲଟିଗଲା ସେ ଏକ ଆଶ୍ଚର୍ଯ୍ୟ ର କଥା ।ହୁଏତ ତା ଭାଗ୍ୟ ର ଖେଳ ।ଏ ଘରେ କିଛି ଅସୁବିଧା ନାହିଁ ବରଂ ନିଜେ ପାଇ ନ ଥିବା କୌଣସି ସୁଖ ସୁବିଧା ର ଏ ଯେପରି ଗନ୍ତାଘର ।ପ୍ରତ୍ୟେକ ବିଳାସ ବ୍ୟସନ ର ପର୍ଯାପ୍ତ ସୁବିଧା ରେ ଏ ଘର ଭରପୁର ।କେବଳ ଗୋଟିଏ ସୁଖ ବ୍ୟତୀତ । ଅପୂର୍ବ ରୂପବତୀ ଥିବାରୁ ଶ୍ୱଶୁର ତାକୁ କେଉଁଏକ ସଂଯୋଗ ରୁ ଦେଖି ,ପସନ୍ଦ କରିଥିଲେ ।କିନ୍ତୁ ଠିକ୍ ବିବାହ ଦିନ ହିଁ ଅଘଟଣ ଘଟିଲା ତା ଜୀବନରେ ।ଶ୍ୱଶୁର ଙ୍କ ଅନୁରୋଧ ଥିଲା ଯେଉଁ ପୁଅ ର ଭରସା ରେ ସେ ଆଗେଇ ଆସିଥିଲେ ,ସେ ଅଳ୍ପ ପାଠୋଇ ଝିଅ କୁ ବିବାହ ନ କରିବା ପାଇଁ ସ୍ଥିର କରି ଅନ୍ୟତ୍ର ଚାଲିଯାଇଛି। ତେବେ ,ଯେହେତୁ ପ୍ରତିଶ୍ରୁତିବଦ୍ଧ ତେଣୁ ଝିଅକୁ ବୋହୁ କରିବେ କିନ୍ତୁ ସେଇ କନିଷ୍ଠ ପୁତ୍ର ତାଙ୍କର ଚଳ ପ୍ରଚଳ କରିବାରେ ଅକ୍ଷମ ।ବିବାହର ଠିକ୍ ଅବ୍ୟବହିତ ପୂର୍ବରୁ ବର୍ଷା ର ଛିଟା ପଡିସାରିଥିଲା ଆଉ ବେଳକୁ ବେଳ ତୀବ୍ର ହେଉଥିଲା ।ବାପା ଆଉ କିଛି ବ୍ୟବସ୍ଥା କରିବାକୁ ଅସହାୟ ।ଯଦି ବାହାଘର ଭାଙ୍ଗିଯାଏ ଚିରଦିନ ବାଛନ୍ଦ ହେବାକୁ ପଡିବ ଏଣେ ବିବାହ କରିବ ଯଦି ଚଳତଶକ୍ତି ହୀନ ଯୁବକ କୁ ।
ଟେକି ଟେକି ଆଣି ବସାଇଦେଇଥିଲେ ପଲ୍ଲବ ଙ୍କୁ ତା ପାଖରେ ବିବାହ ବେଦୀ ରେ ......ଆଉ ବ୍ରାହ୍ମଣ ର ମନ୍ତ୍ର ରେ ବାନ୍ଧିହୋଇଗଲା ତା ଜୀବନ ପଲ୍ଲବ ଙ୍କ ସହ ।ସେତେବେଳେ ବର୍ଷା ଆଉ ବନ୍ଦ ହୋଇ ନ ଥିଲା ଏକାଦିକ୍ରମେ ପାଞ୍ଚ ଛ ଦିନ ପର୍ଯ୍ୟନ୍ତ ବର୍ଷି ଚାଲିଥିଲା ଠିକ୍ ଯେମିତି ବାସ୍ତବ ସତ୍ୟ କୁ ଉପଲବ୍ଧି କରି ତା ଆଖିଲୁହ ମଧ୍ୟ ବର୍ଷିବାରୁ ବନ୍ଦ ହେଉ ନଥାଏ ।

ଆଜି କିନ୍ତୁ ସେ ଗୃହ ବନ୍ଦୀ ନୁହେଁ । ଏକ ସୁଲେଖିକା, ସମାଜ ସେବିକା ।ସବୁ କିନ୍ତୁ ପଲ୍ଲବ ଙ୍କ ଦାନ ।ସୁନ୍ଦର ସୁଠାମ ଯୁବକ ପଲ୍ଲବ ।ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଗୋଡ ରେ ଚାଲିବା ଶକ୍ତି କୁ ହରାଇ ବସନ୍ତି ।ବିରାଟ ଶିଳ୍ପ ପତି ହିସାବ ରେ ଶ୍ୱଶୁର ଙ୍କ ର ଅର୍ଥାଭାବ ନ ଥିଲା ।ଅନେକ ସ୍ଥାନରେ ରୋଗ ର ଚିକିତ୍ସା କରାଇ ବିଫଳ ହେବା ପରେ ପଲ୍ଲବ ମଧ୍ୟ ଏକରକମ ଦୁର୍ବଳ ମାନସିକତା ର ଶିକାର ହୋଇ ଘରେ ରହିଲେ । ବିବାହ ପରେ କିନ୍ତୁ କୃତ୍ରିମ ଗୋଡ ଲଗାଇ ବାର ମାନସିକତା ଆସେ । ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ଇଛା ଜାଗ୍ରତ ହୁଏ, ଆଉ ଏଇସବୁ ଇଛା ଛନ୍ଦା ପାଇଁ ଆସେ । ଛନ୍ଦା ପଲ୍ଲବ ଙ୍କୁ ସାହସ ଓ ପ୍ରେରଣା ଦିଏ ,ବିବାହ ର ଠିକ୍ କେଇଦିନ ପର ର ଘଟଣା ରୁ.....

ସେଦିନ ଅତି ଅଚାନକ ଭାବେ ,ପଲ୍ଲବ ଙ୍କ ଭାଇଗୌରବ ଙ୍କ ସହ ଭେଟ ହୋଇଯାଇଥିଲା ,ଛନ୍ଦା ର ।ବିବାହ ର କିଛିଦିନ ପରେ ,ଗୌରବ ଘରକୁ ଆସିଥିଲେ ।ଛନ୍ଦା ମାର୍କେଟ ରୁ ଫେରିବା ବେଳେ ଭୀଷଣ ବର୍ଷା ର ସମ୍ମୁଖୀନ ହୋଇ ଗୋଟାପଣେ ଭିଜି ଯାଇଥିଲା ।ହଠାତ ଗୌରବ ଯେ ଘରେ ଥିବେ ସେକଥା ତା ଅନୁମାନ ରୁ ବାହାର ଥିଲା ।ତରବର ହୋଇ ଠିକ୍ ଡ୍ରଇଂ ରୁମ ପାଖରେ ଧକ୍କା ହୋଇଗଲା ।ଅତର୍କିତ ଭାବେ ,ହୋଇଥିବାରୁ କ୍ଷମା ଯାଚନା କରିବାକୁ ଉଦ୍ୟତ ହେବା ବେଳକୁ ଗୌରବ ଅତି ଆଶ୍ଚର୍ଯ୍ୟ ର ସହ ,ମୁଗ୍ଧ ଚାହାଣୀରେ ବର୍ଷା ସ୍ନାତା ଛନ୍ଦା ର ହାତ କୁ ଧରି ପକାନ୍ତି ।ତା ପରେ ଦିନେ ହଠାତ ତାକୁ ଏକାନ୍ତ ରେ ପାଇ ,ଏକ କୁତ୍ସିତ ଯାଚନା କରି ,ତାକୁ ସବୁ ପ୍ରକାରେ ସୁଖୀ କରିପାରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହେବେ ବୋଲି କୁହନ୍ତି । ଏକ ପଙ୍ଗୁ ଠାରୁ ବା କି ସୁଖ ସେ ପାଇବ କହି ତାତ୍ସଲ୍ୟ କରନ୍ତି । କିଛିଦିନ ଭିତରେ ସେ ଯେ ପଲ୍ଲବ ଙ୍କ ନିଜ ଭାଇ ଆଉ ତାକୁ ବିବାହ କରିବାର ଥିଲା ବୋଲି ଜାଣିବା ପରେ ତାଙ୍କର ଏ ପ୍ରକାର ପ୍ରସ୍ତାବ ରେ ପ୍ରବଳ ଘୃଣା ରେ ଶିର ଶିର କରିଉଠେ ଛନ୍ଦା ର ସର୍ବାଙ୍ଗ । ଅଳ୍ପ ପାଠ ପଢ଼ିଥିବାରୁ ଛନ୍ଦା କୁ ସେ ମନା କରିଥିବାର କଥା ମନେପଡି କ୍ଷତାକ୍ତ ହୁଏ ସେ ଗଭୀର ଆତ୍ମଦହନ ରେ ଜଳି ଉଠି ପଲ୍ଲବ ତଥା ସେ କେମିତି ଉଭୟେ ଉଭୟଙ୍କ ର ସୁଖ ଦୁଃଖ ର ସାଥୀ ହୋଇପାରିଛନ୍ତି ସେକଥା ଦେଖେଇଦେବା ପାଇଁ ସେ ଅଧିକ ପାଠ ପଢିବା ପାଇଁ ଜିଦି କରେ ।ସବୁପ୍ରକାର ସହଯୋଗ କରନ୍ତି ପଲ୍ଲବ ।ଧୀରେ ଧୀରେ ପ୍ରକୃତି କୁ ଦେଖି ଅନେକ ଆବେଗ ର ଅନୁଭବହୁଏ ଆଉ ନିଜ ଜୀବନର ଜଟିଳତା ରୁ ବ୍ୟକ୍ତ କରିବାର ଇଛା ତାକୁ ସାହିତ୍ୟିକା ଟିଏ ରେ ପରିଣତ କରିଦିଏ ।ବିଗତ ପାଞ୍ଚ ବର୍ଷ ଭିତରେ ଜଣେ ବିଶିଷ୍ଟ ଔପନ୍ୟାସିକା ରୂପେ ପରିଚୟ ସୃଷ୍ଟି କରିପାରେ ସେ ।ଏ ତ କମ ଗୌରବ ର କଥା ନୁହେଁ ।ସବୁ ହୋଇପାରିଛି ପଲ୍ଲବ ଙ୍କ ପାଇଁ । ସବୁଠାରୁ ବୃହତ ଯୋଗଦାନ ସମାଜ ସେବା କ୍ଷେତ୍ର ରେ ତାକୁ ଯେତିକି ପ୍ରସିଦ୍ଧି ଆଣିଦେଇଛି ତା ଠାରୁ ସହସ୍ର ଗୁଣ ରେ ଶାନ୍ତି ଆଣି ଦେଇଛି । ଏ ସହର ର ବସ୍ତି ଅଞ୍ଚଳରେ ଅନେକ ସମସ୍ୟା ସବୁ ୠତୁ ରେ ଥିଲେ ମଧ୍ୟ ବର୍ଷା ରେ କିନ୍ତୁ ବିଶେଷ ଅସୁବିଧା ର ସମ୍ମୁଖୀନ୍ନ ହୁଅନ୍ତି ।ସେଇ ସମସ୍ୟା କୁ ଅନେକ ପରିମାଣରେ ସମାଧାନ କରିବାକୁ ପୌରପରିଷଦ ର ଚେୟାରମ୍ୟାନ ଙ୍କ ସହିତ ପ୍ରୟଃ ସାକ୍ଷାତ କରିଥାଏ ।ଯୋଉମାନଙ୍କ ସାମାନ୍ୟତମ ଶ୍ରମ ର ମୂଲ୍ୟ କେହି ଦେଇପାରିବେ ନାହିଁ ସେଇମାନଙ୍କ ସ୍ଵଛତା ଆଉ ସ୍ୱାସ୍ଥ୍ୟବସ୍ଥା କୁ ଗୁରୁତ୍ୱ ଦେବା ଏକ ମାନବିକତା ର ପ୍ରକ୍ରିୟା । ସହର ଉପକଣ୍ଠ ରେ ବୋହିଯାଉଥିବା ବୈତରଣୀ ବର୍ଷା ରେ ସମସ୍ତଙ୍କ ହୃଦୟ ରେ ବନ୍ୟା ସୃଷ୍ଟି କରେ ।ଦୁଇବର୍ଷ ତଳେ ନଦୀବନ୍ଧ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କିନ୍ତୁ ସମ୍ପୂର୍ଣ୍ଣ ଭାବରେ ତାହା କାର୍ଯ୍ୟ କ୍ଷମ ହୋଇପାରିନି ବୋଲି ତାକୁ ଲାଗେ । ତେଣୁ ସେତେବେଳର ସମସ୍ୟା ପାଇଁ ତାକୁ ବହୁତ ବହୁତ ସାବଧାନ ହୋଇ ରହିବାକୁ ପଡେ ।ତା'ର ନାରୀ ସଂଗଠନ ବିଭିନ୍ନ ପ୍ରକାର ପନ୍ଥା ପ୍ରୟୋଗ କରିଥାନ୍ତି ।ପ୍ରପୀଡିତ ମାନଙ୍କୁ ରନ୍ଧନ ସାମଗ୍ରୀ ସହିତ ପୋଷାକ ପତ୍ର ,ଆବାସ ସ୍ଥଳ ର ବ୍ୟବସ୍ଥା ରେ ସାହାଯ୍ୟ ପାଇଁ ସରକାରଙ୍କ ସହ ଆଗେଇଯାଏ ତାଙ୍କ ଦଳ ।ଏତେ ସବୁ କରିବା ପରେ ମଧ୍ୟ ସେ ଥକିଯାଏନି ।ଶ୍ୱଶୁର ଙ୍କ ସେବା କରିବାକୁ ଭୁଲିଯାଏନି ।ପଲ୍ଲବ ଙ୍କ ଦୁର୍ଘଟଣା ପରେ ଶାଶୁ ଶଯ୍ୟାଶାୟୀ ଏବଂ ଚେତନଶକ୍ତି ରହିତ ।ଏ ସଂସାରରେ ଯାହା ଘଟୁଛି ସେସବୁ ର ଧାର ଧାରନ୍ତି ନାହିଁ ସେ । ।ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସେବିକା ନିଯୁକ୍ତ ଥାଏ ।କିନ୍ତୁ ଶାଶୁ ଙ୍କ ଦେହରେ ହାତ ମାରିବାକୁ ରାତିରେ ପହଞ୍ଚି ଯାଏ ସେ ତାଙ୍କ କୋଠରୀ ରେ । ଆଉ ପଲ୍ଲବ ,ସେ ତ ତା ପାଇଁ ଦେବତା ଠାରୁ ବି ବଡ । ଏଇ କିଛିଦିନ ପୂର୍ବରୁ କହିଲେ
----ଛନ୍ଦା, ସେଦିନ ଏତେ ଖରା ଥିଲା ଯେ ଘରକୁ ଫେରିବା ବେଳେ ଜଣେ ବୃଦ୍ଧ ଙ୍କୁ ମୂର୍ଛିତ ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି କରିଥିଲି ।ଯାଇ ଟିକେ ବୁଝିବ । ଚେତନା ଫେରିବା ପରେ କହୁଥିଲେ ପୁଅ ଟିକୁ କେତେ ଦୁଃଖ କଷ୍ଟ ରେ ବଢ଼ାଇ ମଣିଷ କରିଥିଲେ କିନ୍ତୁ ସେ ତ ବିଦେଶ ରେ ରହିଲା, ଆମ କଥା ବୁଝିବ କିଏ ? ତେଣୁ ନିଜକୁ ହିଁ ସବୁକାମ କରିବାକୁ ପଡୁଛି ।ଓଃ କେତେ ଦୁଃଖ କହିଲ ମଣିଷ ର....!

ଏମିତି ଅନୁରାଗୀ ମଣିଷ ଟିକୁ ବହୁତ ବହୁତ ସ୍ନେହ ପ୍ରେମ ର ବର୍ଷା ରେ ଭିଜେଇଦେବାକୁ ଢେର ସାରା ଇଛା ହୁଏ ।ଇଛା ହୁଏ ଛାତିରେ ଜଡାଇ ଧରି ନାଚିଯିବାକୁ ।ହଁ ,ସତ ରେ ସେ ନାଚିପରିଥାନ୍ତେ କି?ଗୌରବ ଙ୍କୁ ସେ ଦେଖାଇ ଦେଇଥାନ୍ତା ,ଯାହା କୁ ପଙ୍ଗୁ ବୋଲି ଭାବି ଏତେ ଘୃଣ୍ୟ ପ୍ରସ୍ତାବ ଦେଇଥିଲେ ,ସେ କେମିତି ନାଚି ପାରୁଛନ୍ତି ?
ଏବେ ମୌସୁମୀ ଆସିଲାଣି ବୋଲି ଖବର କହୁଛି ।କିନ୍ତୁ ତା'ପୂର୍ବରୁ କାଳ ବୈଶାଖୀ ର ସ୍ରୋତ ମୌସୁମୀ ର ଆସିବା ରଙ୍ଗ କୁ ଫିକା କରିଦେଉଛି ।କିନ୍ତୁ ସତ ରେ କଣ ମୌସୁମୀ ଆସୁଛି ନା ଖାଲି ଛଳନା କରୁଛି ...ଭାରୀ ଅଭିମାନୀ ଆଉ ପକ୍କା ଜିଦ୍ଖୋର ହୋଇଯାଉଛି ବର୍ଷା ,ସେ ମୌସୁମୀ ର ହେଉ କିମ୍ବା କାଳବୈଶାଖୀ ର ହେଉ ।କିନ୍ତୁ ଏବେ ତ ଭୀଷଣ ବର୍ଷା ଚତୁର୍ଦିଗ ରେ ।ତିନିଦିନ ତଳେ ରାଜଧାନୀ ବର୍ଷା ଜଳ ରେ ଉବୁଟୁବୁ ହେଉଥିଲା । ପଲ୍ଲବ ପଶି ଆସିଲେ ଭିତରକୁ..
---ଆରେ ,ଏଠି ଠିଆ ହୋଇ କଣ କରୁଛ ?ସିଲୁ ଫୋନ କରିଥିଲା ।ମୁମ୍ବାଇ ରେ ତ ବନ୍ୟା ପରିସ୍ଥିତି ।ତାକୁ କାଲି ଫ୍ଲାଇଟ ରେ ଚାଲିଆସିବାକୁ କହିଦେଲି ।ଟିକେ ପରିସ୍ଥିତି ସମ୍ଭାଳି ଯାଉ ତା ପରେ ଯିବ ।
ଓଃ ,ମନ ଟା ସେଇଥିପାଇଁ ତେବେ ଗୋଳେଇ ଘାଣ୍ଟି
ହେଉଥିଲା ।
---ବାପା ଫୋନ କରିଥିଲେ କି ?
କେମିତି ଥିବେ ?ବୋଉ ବି ....ମନ ଟା ଖରାପ ଲାଗୁଛି ।
ଏଇ ବର୍ଷା ଦିନ ତ ସେମାନଙ୍କ ପାଇଁ ଘୋର ଅସୁବିଧା ।
--ତୁମେ ନିଜେ ଟିକେ ଫୋନ କଲେ ହେବନି ?ଏତେ ଅଭିମାନ ବି ଭଲ ନୁହେଁ ଛନ୍ଦା ।
ଆଖିରୁ ଶ୍ରାବଣ ର ଧାରା ବାହାରି ଆସିଲା ।ପଲ୍ଲବ ତା ହାତ ଧରି ଜୋର କରି ପାଖ ଚେୟାର ରେ ବସାଇଦେଇ କହିଲେ
----ସୁଲେଖିକା ଛନ୍ଦା ପଟ୍ଟନାଏକ ଆଖିରେ ଲୁହ ର ବର୍ଷା ଦେଖିଲେ ଲୋକେ କହିବେ ,ମୁଁ ଭାରି ଅତ୍ୟାଚାର କରୁଥିବି ।ପ୍ଲିଜ଼ ,ମୋତେ ସେ ଅପରାଧ ରୁ ମୁକ୍ତ କର ।
ହୋ ହୋ ହୋଇ ହସି ଉଠିଲେ ପଲ୍ଲବ ।
ଧୀରେ ଧୀରେ ଛନ୍ଦା ଓଲ୍ହାଇଲା ତଳକୁ ମୁଣ୍ଡ ରଖିଲା ପଲ୍ଲବ ଙ୍କ କୋଳ ରେ ।ଭାବୁଥାଏ ନିକଟ ଅତୀତ ରେ ଘଟିଯାଇଥିବା ଏମିତି ଏକ ଭୟଙ୍କର ଯନ୍ତ୍ରଣା ବିଦାରକ ଦୃଶ୍ୟ......

ଓଃ, କି ପ୍ରଳୟଙ୍କରୀ ବର୍ଷା....!!!!!
-----ବାପା.........ବାପା .......ବୋଉ ,...ବୋଉ ....,
କେଉଁଠାରେ ଅଛ ?
ପାଣି ଧୀରେ ଧୀରେ ଘର ଭିତରକୁ ପଶୁଥିଲା ।କୋଠା ଉପରକୁ ଚଢି ଦେଖିଲା ଛନ୍ଦା ବାପା, ବୋଉ ସେଇଠି ଖଟ ଉପରେ ଖଟ ପକାଇ ବସିଛନ୍ତି ।ସାଙ୍ଗ ରେ ଯାଇଥିବା ସହକର୍ମୀ ଙ୍କ ସହାୟତା ରେ ସେମାନଙ୍କୁ ଉଦ୍ଧାର କରି ଛନ୍ଦା ହସ୍ପିଟାଲ ଅଭିମୁଖେ ଛୁଟିଲା ।ନା ,ନା ,ଯେ କୌଣସି ପ୍ରକାର ରେ ସେ ବାପା ବୋଉ ଙ୍କୁ ବଞ୍ଚାଇବ ।ଯେମିତି ହେଉ .....ଗାଁ ଛାଡିବାର ପୂର୍ବରୁ ଶୁଭୁଥିଲା ଲୋକଙ୍କ ର ପାଟି ,, ସରକାରୀ ସହାୟତା ପହଞ୍ଚି ସାରିଥିଲା ଓ ବନ୍ୟା ଜଳ ବଢି ବଢି ଆସୁଥିଲା । ଅନେକ ଚେଷ୍ଟା ସତ୍ତ୍ୱେ ବୋଉ କୁ ବଞ୍ଚାଇବାରେ ବିଫଳ ହୁଏ ଛନ୍ଦା । କାରଣ ଶ୍ବାସ ରୋଗ ରେ ଆକ୍ରାନ୍ତ ହୋଇ ଭୀଷଣ ବର୍ଷା ରେ ଭିଜିଥିବାରୁ ଏବଂ ବାପା ଜ୍ୱର ଭୋଗୁଥିବାରୁ କୁଆଡେ ଯାଇ ପାରି ନ ଥାନ୍ତି ।ତା'ର ମନେ ପଡେ ପଲ୍ଲବ ଙ୍କ କଥା ।
ବନ୍ୟା ର ସ୍ଥାୟୀ ପ୍ରତିକାର ନିମନ୍ତେ ସେ ଆଗରୁ ସରକାର ଙ୍କୁ ଚିଠି ଦେଇଛି ,ଚାରିବର୍ଷ ଭିତରେ ଥରେ ଆସି ଫେରିଯାଇଛି ତଦାରଖ କମିଟି, କାରଣଉଲ୍ଲେଖ ଥିଲା" ଏ ଭିତରେ ଭୀଷଣ ବନ୍ୟା ପରିସ୍ଥିତି ଉପୁଜିନାହିଁ ,ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ କୁ ରହିଲା ।" ଡେଡ଼ ବଡି କୁ ସେମିତି ରଖି ସେ ମିଡିଆ କୁ ଖବର କରିଦିଏ ,ପରଦିନ ଖବରକାଗଜ ର ପ୍ରଥମ ପୃଷ୍ଠା ମଣ୍ଡନ କରେ "ସରକାରୀ ଅବହେଳା ଯୋଗୁଁ ବାସନ୍ତୀ ଦେବୀଙ୍କର ମୃତ୍ୟୁ " ତା'ପଛକୁ, ସରକାରୀ ଅବହେଳା ଦ୍ୱାରା କିପରି ଲୋକେ ଅସୁବିଧା ଭୋଗ କରୁଛନ୍ତି ତା'ର ଏକ ବିଶେଷ ଆଲେଖ୍ୟ । କେତେ ଫୋଟୋଗ୍ରାଫର ଫୋଟ ନେବା ପାଇଁ ,କେତେ ମେଡିଆ ବାଲା ଖବର ଦେବା ପାଇଁ ହସ୍ପିଟାଲ ସମ୍ମୁଖରେ ,ଘର ଆଗରେ ପ୍ରବଳ ଭିଡ ଜମାଇଦେଇଥାନ୍ତି ।ଯାହା ହେଲେ ବି ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ମାତୃବିୟୋଗ ଘଟିଥାଏ ନା ! ସାନଭାଇ , ସିଲୁ ମୁମ୍ବାଇ ରୁ ଫେରିବା ସମୟରେ ଦୁର୍ଘଟଣା ର ଶୀକାର ହୋଇଥିବା ଝିଅ ଟିକୁ ସାହାରାଦେଇ ନେଇ ଆସିଥାଏ ।ସେଇ ଝିଅକୁ ଝରା ଶେଫାଳୀ ପରି ଝରିବାକୁ ନ ଦେଇ ଜୀବନ ସଙ୍ଗିନୀ ରୂପେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଏ ।

ଏମିତି ଏକ ବର୍ଷଣ ମୁଖର ସନ୍ଧ୍ୟା ରେ ନିଜକୁ ଭିଜେଇ ନେଉଛି ଛନ୍ଦା ।ଜୀବନର ସବୁ ଜଟିଳତା ଯେଉଁ ବର୍ଷା ରୁ ଆରମ୍ଭ ହୋଇଥିଲା ସେଇ ବର୍ଷା ରେ ସେସବୁ କୁ ଶେଷ କରିଦେବାକୁ ଚାହୁଁଛି ସେ ଆଃ...!!!!ଏଇ ମୁହୂର୍ତ୍ତରେ ଥାନ୍ତେ କି ପଲ୍ଲବ !!!! ଟିକେ ଛାତିରେ ଆଉଜି ପଡି ସବୁ ଦୁଃଖ କୁ ସେଇ ଅଭିମାନୀ ବର୍ଷା କୁ ଫେରାଇ ଦେଇ କହାନ୍ତା" "ଆଉ ଅଭିମାନ କରନା" ।


ସିପ୍ରା ନାମତା
8249850168

0 Comments