Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଝିଅ - ପ୍ରଶାନ୍ତ କୁମାର ନାଥ

ଗୌରବ ଦାସ । ଏକ ନାମିଦାମୀ କମ୍ପାନୀର ମାଲିକ । ନିଜର ଉଦ୍ୟମ ବଳରେ ସେ ଯେମିତି ସଫଳତାର ଶିଖରରେ ପହଁଚି ସାରିଛନ୍ତି । ଟଙ୍କା ପଇସା ଗାଡି ମଟର କେଉଁଥିରେ ଅଭାବ ନାହିଁ । ବହୁତ ଶ୍ରମିକଙ୍କ ଅନ୍ନଦାତା ହେଉଛନ୍ତି ଏହି ଗୌରବ ବାବୁ । ୫ପ୍ରାଣୀର କୁଟୁମ୍ବକୁ ନେଇ ତାଙ୍କର ପରିବାର । ନିଜର ବାପା ମାଆ, ସ୍ତ୍ରୀ ଆଉ ଝିଅ ଆଲିସା । ଆଲିସା ଜନ୍ମ ହେବା ପରେ ପରେ ଗୌରବ ବାବୁ ଯେମିତି ପୁରା ବଦଳି ଯାଇଛନ୍ତି । ସିଏ ଚାହୁଁଥିଲେ ପୁଅଟେ ହେଉ ଯିଏ ନିଜର କମ୍ପାନୀ ଦାୟିତ୍ୱ ନେଇ ପାରିବ । କିନ୍ତୁ ପୁଅ କି ଝିଅ ହେବା କାହା ହାତର କଥା ନୁହେଁ ଭଗବାନ ତାଙ୍କ କୋଳକୁ ଝିଅଟିଏ ଦେଲେ । ଝିଅଟି ଜନ୍ମ ହେଲା ଦିନରୁ ହିଁ ଗୌରବ ବାବୁ ଚିଡିଚିଡା ହୋଇଗଲେ । କେବଳ ଘରେ ନୁହେ କମ୍ପାନୀରେ ମଧ୍ୟ କର୍ମଚାରୀ ଙ୍କ ଉପରେ ଏମିତି ବ୍ୟବହାର ଦେଖେଇଲେ । ଘରକୁ ମଧ୍ୟ ଖୁବ କମ ସମୟ ଆସିଲେ । ଝିଅଟି ମଧ୍ୟ ପିଲାଟି ବେଳରୁ ବାପାଙ୍କ ସ୍ନେହ ଶ୍ରଦ୍ଧା ପାଇବାରୁ ବଞ୍ଚିତ । କେବେ ଟିକେ ତାକୁ କୋଳେଇ ନେଇ ନାହାନ୍ତି କି ଗେହ୍ଲ ମଧ୍ୟ କରି ନାହାନ୍ତି । କିନ୍ତୁ ପିଲାଟି ବେଳରୁ ଆଲିସା ଯେମିତି ବାପଙ୍କୁ ଦେଖିଲେ ବହୁତ ଖୁସି ହୋଇଯାଏ । ବାପାଙ୍କ ପାଟି ଶୁଣିଲେ ଦୁଇ ହାତକୁ ଟେକି ଗୋଡ଼ ଛାଟେ । ବୋଧ ହୁଏ ସିଏ ଚାହେଁ ବାପା ଟିକେ ତାକୁ କୋଳେଇ ନିଅନ୍ତେକି । ତାଙ୍କ ସ୍ତ୍ରୀ କେତେଥର କହିଛନ୍ତି କଣ ପାଇଁ ତୁମେ ଏମିତି ହେଉଛ ଆଜି କାଲି ଝିଅ ମାନେ ମଧ୍ୟ କୌଣସି ଗୁଣରେ କମ ନୁହଁନ୍ତି । ଗୌରବ ବାବୁ ସେତେବେଳେ ଚିଡି ଉଠନ୍ତି ଆଉ ବାହାରକୁ ଚାଲି ଯାଆନ୍ତି । ଝିଅଟି କଣ ବୁଝେ କେଜାଣି ଭେଁ କରି କାନ୍ଦି ଉଠେ ।

ଧୀରେ ଧୀରେ ଝିଅ ବଡ଼ ହେଲା, ଚାଲିବା ଶିଖିଲା ସବୁ ଛୋଟ ଛୁଆ ମନେ ମାଆ ମାଆ ଡାକରୁ କଥା କହିବା ଆରମ୍ଭ କଲାବେଳେ ଆଲିସା ପ୍ରଥମେ ପା ପା ଡାକରୁ କଥା କହି ଶିଖିଲା । ବୋଧ ହୁଏ ସେତିକି ବେଳରୁ ସିଏ ଚାହୁଁଥିଲେ ମୁଁ ନିଶ୍ଚିତ ବାପାଙ୍କ ଭାବନାକୁ ପରିବର୍ତନ କରେଇ ପାରିବି । ଆଉ ମୋ ଭଲ ପାଇବାକୁ ମୁ ନିଶ୍ଚିତ ତାଙ୍କ ପାଖରୁ ଛଡାଇ ଆଣିବି । ଆଉ ସେ ମୋତେ କୋଳେଇ ନେବେ, ଭଲ ପାଇବେ,ଗେହ୍ଲ କରିବେ । କିନ୍ତୁ ସେମିତି କିଛି ହୁଏ ନାହିଁ । ଯେହେତୁ ତାଙ୍କ ପାଖରେ ପଇସାର ଅଭାବ ନଥିଲା ସେଥିପାଇଁ କେବଳ ବାପାଙ୍କ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ବ୍ୟତୀତ ଆଲିସା ପାଇଁ ଆଉ କିଛି ଅଭାବ ନଥିଲା । ଆଲିସା ପାଠ ପଢା ଆରମ୍ଭ କଲା । ବାପା ଘରକୁ ଆସିଲେ ଆଲିସା ତାଙ୍କ ପାଖକୁ ଧାଇଁ ଯାଏ । ଡରରେ କିଛି କହି ପାରେନି ସିନା ତାଙ୍କ ପାଖରେ ଏପଟ ସେପଟ ହୋଇ ବୁଲେ । ପୁଣି ମନକୁ ମାରି ଚାଲି ଆସେ । ରାତିରେ ବାପା ଶୋଇ ପଡ଼ିଲା ପରେ ଆଲିସା ଉଠି ବାପାଙ୍କ ପାଖକୁ ଚାଲିଯାଏ । ନିଜେ ନିଜେ ବାପାଙ୍କ ହାତକୁ ଆଣି ନିଜ ମୁଣ୍ଡ ଉପରେ ରଖିଦିଏ । ସତେ ଯେମିତି ସିଏ ଅନୁଭବ କରେ ବାପା ତାର ମୁଣ୍ଡ ଆଉଁସି ଦେଉଛନ୍ତି । ଆଉ ତାକୁ ଆଶୀର୍ବାଦ କରୁଛନ୍ତି ଜୀବନରେ ସବୁ ସଫଳତା ପାଇବା ପାଇଁ ।

ସେଦିନ ସପରିବାରେ ଏକ ବଡ଼ ଲୋକର ପାର୍ଟିକୁ ଯାଇଥିଲେ । କଣ ହେଲା କେଜାଣି ତାଙ୍କର ସ୍ତ୍ରୀ ହଠାତ ଅସୁସ୍ଥ ହୋଇ ପଡିଲେ । ବୋଧହୁଏ ହାର୍ଟଆଟାକ ଧରିନେଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଗଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ । ସେହିଦିନ ଠାରୁ ଗୌରବ ବାବୁ ଆଲିସାକୁ ଆହୁରି ଘୃଣା କରିବାକୁ ଲାଗିଲେ । ସେ ଭାବୁଥିଲେ ଯେ ତାଙ୍କ ସ୍ତ୍ରୀ ମରିବାର କାରଣ ହେଉଛି ସେହି ଆଲିସା । ଗୌରବ ବାବୁ ଏବେ ମଦ ପିଇ ଘରକୁ ଫେରିଲେ । କଣ କେତେ ବେଳେ ଖାଆନ୍ତି ନଖାଆନ୍ତି ସିଏ ନିଜେବି ଜଣନ୍ତିନି । ସେମିତି ନିଶାରେ ଆସି ଶୋଇ ପଡନ୍ତି । ଆଲିସା ତାଙ୍କର ମୁଣ୍ଡ ଆଉଁସି ଦିଏ । ପାଦରୁ ଜୋତା ଖୋଲିଦିଏ । ତାଙ୍କ ଛାତିରେ ମୁଣ୍ଡ ରଖି ଶୋଇ ପଡେ । ଆଲିସା ମନ ଦେଇ ପାଠ ପଢେ । ତାର ଗୋଟାଏ ଲକ୍ଷ୍ୟ ଥାଏ ସିଏ ଦିନେ ବାପାଙ୍କ କମ୍ପାନୀର ଦାୟିତ୍ୱ ନେବ ଆଉ ବାପାଙ୍କ ମନରେ ଥିବା ଘୃଣା ଭାବକୁ ଦୁରେଇ ତା ନିଜ ପାଇଁ ଭଲ ପାଇବା ସୃଷ୍ଟି କରାଇ ପାରିବ । ପିଲାଟି ବେଳରୁ ଆଲିସା ଗୋଟାଏ ଡାଏରୀରେ ତାର ନିତିଦିନର ଘଟି ଚାଲୁଥିବା ସବୁ କଥାକୁ ଲେଖି ରଖୁଥାଏ । ଆଉ ସବୁଲେଖାର ଶେଷରେ ଆଇ ଲଭ ୟୁ ପାପା ବୋଲି ଲେଖା ଥାଏ । ଏମିତିକି କେବେ ବାପାଙ୍କ ପାଖରୁ କଣ ଚାହୁଁଥିଲା, କେତେବେଳେ ଆସି କେମିତି ବାପାଙ୍କ ପାଖରେ ମୁଣ୍ଡ ରଖି ଶୋଇ ପଡିଲେ ତାକୁ କେମିତି ଶାନ୍ତି ଲାଗେ,କେଉଁ ପରୀକ୍ଷାରେ କେତେ ମାର୍କ ମିଳିଲା, ନିଜର ବାପାଙ୍କ ଭଲ ପାଇବାକୁ ସେ କଣ କଣ ସବୁ କରେ ଏମିତି ସବୁ କିଛି ଲେଖି ରଖେ । ହେଲେ କେବେ ଥରେ ବାପା ତାର ପାଠ ବିଷୟରେ ପଚାରି ବୁଝାନ୍ତିନି କି ତା ପାଠ ପଢ଼ା ଦେଖନ୍ତିନି । ଅବଶ୍ୟ ସିଏ ବାପାଙ୍କୁ ଯେତେବେଳେ ଯାହା ମାଗେ କେବେ ମନା କରନ୍ତିନି । କେବଳ ସ୍ନେହ ଶ୍ରଦ୍ଧା ଭଲ ପାଇବା ଛଡା ।

ଆଲିସା ବହୁତ ବଡ଼ ହୋଇ ସାରିଥିଲା । ସେଦିନ +୩ବାଣିଜ୍ୟ ର ରେଜଲ୍ଟ ବାହାରି ଥାଏ । ଯେଉଁଥିରେ ଆଲିସା ଟପର ହୋଇଥାଏ । ଆଉ ସହରର ଗଳି କନ୍ଦି ସମସ୍ତ ଜାଗାରେ ତାର ଫଟୋ ଲାଗିଥାଏ । କେଉଁଠି ଲାଗିଥାଏ ଆମ ଗାଁ ର ଗର୍ବ ତ କେଉଁଠି ଆମ ପଂଚାୟତର ଗୌରବ, କେଉଁଠି ଆମ କଲେଜର କୃତିତ୍ୱ ତ କେଉଁଠି ଆମ ୟୁନିଭରସିଟିର ଉଜ୍ବଳ ତାରକା । ସେଦିନ ପ୍ରଥମ ଥର ପାଇଁ ଗୌରବ ବାବୁଙ୍କ ମନରେ ନିଜର ଝିଅ ପ୍ରତି ଆସିଥିଲା ଆହେତୁକ ସ୍ନେହ । ଆଲିସା କିନ୍ତୁ ନିଜର ରୁମରେ କବାଟ କିଳି ବସିଥାଏ । ଶୁଭେଛା ଜଣେଇବାକୁ ତାଙ୍କର ଘର ଆଗରେ ଲମ୍ବା ଧାଡି ଲାଗିଥାଏ । ନିଜ ଘର ପାଖରେ ଏତେ ଲୋକ ମାନଙ୍କ ଦେଖି ଗୌରବ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ନିଜର ବାପାପାଣିଆକୁ ଧିକାରୁ ଥିଲେ । ଘର ଭିତରକୁ ଆସିଲେ ଆଲିସାକୁ ଖୋଜିଲେ, ପାଇଲେନି ଦେଖିଲେ ତାଙ୍କ ପଲଙ୍କ ଉପରେ ଏକ ଡାଏରି ପଡିଥିଲା । ଯେଉଁଥିରେ ଆଲିସା କେଉଁଦିନ ବାପାଙ୍କ ପାଖରୁ କଣ କଣ ଆଶା କରୁଥିଲା ସବୁ କିଛି ଲେଖା ଥିଲା । ଆଉ ସବୁର ଶେଷରେ ଆଇ ଲଭ ୟୁ ପାପା ବୋଲି ଲେଖା ଥିଲା । ଗୌରବ ବାବୁ କାନ୍ଦି ପକେଇଲେ । ଧାଇଁ ଗଲେ ଆଲିସାର ରୁମ ଆଡ଼କୁ । ଆଉ ଅତି ସ୍ନେହରେ ଡାକିଲେ ମା ଆଲିସା ।

ଆଲିସା ଯେମିତି ଏହି କଥା ପଦକୁ ଦୀର୍ଘ ୧୮ ବର୍ଷ ଧରି ଅପେକ୍ଷା କରିଥିଲା । କବାଟ ଖୋଲିଲା ଆଉ ବାପାଙ୍କ ଛାତିରେ ମୁଣ୍ଡ ରଖି ଝରାଇଦେଲା ଅନେକ ଗୁଡିଏ ଆନନ୍ଦାଶ୍ରୁ । ବାପା ତାର ପିଠି ଥପୁଡ଼େଇ କହିଲେ । ମୋତେ କ୍ଷମା କରିଦେବୁ ମା ଆଲିସା । ମୁଁ ତୋ ପ୍ରତି ଅନେକ ଅବହେଳା କରିଛି । ମୁଁ ତୋର ଡାଏରି ପଢ଼ିଛି ଆଉ ଆଜି ଅନୁଭବ କରୁଛି ସତରେ ଝିଅଟେ କଣ ଚାହେଁ । ଆଉ ସବୁ ବାପା ମାନଙ୍କୁ ଅନୁରୋଧ କରୁଛି ମୋ ପରି ସେମାନଙ୍କ ଝିଅ ମାନଙ୍କୁ ନିଜର ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାରୁ ବଞ୍ଚିତ କରନ୍ତୁନି । ଝିଅ ମଧ୍ୟ କୌଣସି ଗୁଣରେ କମ ନୁହେଁ । ସିଏ ମଧ୍ୟ ପରିବାରର ସବୁ ଆଶା ଓ ଅଭିଳାଷକୁ ପୁରଣ କରି ପରେ । ଆଉ ନିଜ ଘର,ପରିବାର,ଗାଁ ଆଉ ରାଜ୍ୟ ପାଇଁ ଗୌରବ ଆଣିଦିଏ ।

Post a Comment

0 Comments