ଜେଜେମା-କୁନାର ବର୍ଷାଳାପ - ପ୍ରଣତୀ ମହାପାତ୍ର

ଜେଜେମା-କୁନାର ବର୍ଷାଳାପ - ପ୍ରଣତୀ ମହାପାତ୍ର

କଳାଘୋଡା ଚଢି ବରବେଶ ସାଜି
ଆସିଛିରେ ମେଘରାଜା,
ବାଣରୋଷଣୀର ଆଲୋକ ମାଳାରେ
ବଜାଇ ଆସୁଛି ବାଜା।
ପାଲଟଣା ଡ଼ଙ୍ଗା କରି ସଜବାଜ
ବସିଛନ୍ତି କୁନା କୁନି,
ଶୁଭ ସ୍ଵାଗତରେ କରି ଆବାହନ
ନାନା ବାସଫୁଲ ଘେନି।
ଜେଜେମା ଚମକେ ଦେଖି ମେଘରାଜା
ଜାଗେ ସ୍ମୃତି ପ୍ରଳୟର,
ଦେଇଥିଲା ସିନା କ୍ଷଣିକ ସପନ
ଉଜାଡିଦେଲଲା ତା ସଂସାର।
ଏହି ବରଷାରେ ତା ଅମୂଲ ମଣି
ରଚିଲା ସ୍ଵପ୍ନ ଅପାର,
ଦିନରାତି ସବୁ ଏକ କରିଦେଇ
ଗଢିଲା ବୈକୁଣ୍ଠ ପୁର।
ଲୁହଲହୁ ଦେଇ ସ୍ଵପ୍ନ ପୁରା କଲା
ଜୀବନକୁ ତୁଛ ମଣି,
ଛାଡ଼ି ଚାଲିଗଲା ଅମର ଧାମକୁ,ସେ
କାହା ଚକ୍ରାନ୍ତ ନ ଜାଣି।
ଭୁଲିଗଲେ ସର୍ବେ ତା ମହତ ଦାନ
ଆଜି ବି ଜନନୀ ଝୁରେ,
ଏଇ ମେଘରାଜା ତା ଆଖି ଲୁହକୁ
ଧୋଇଦିଏ ତା ଜଳରେ।

ତଥାପି ବରଷା ସଭିଙ୍କ ଭରଷା
କୁନା ତ ବୁଝାଉଥାଏ,
ଦେଖ୍ ଜେଜେମା ଏଇ ମେଘରାଜା
ମୟୂରୀର ପ୍ରାଣ ଥାଏ।
କଳାଘୋଡା ଚଢି ପାଲିଙ୍କିରେ ଆସି
ଦିଏ ଖୁସିର ସମ୍ପତ୍ତି,
ଉତପ୍ତ ଧରାକୁ ତା ଶୀତଳ ଜଳେ
ଦିଅଇ ଅପାର ଶାନ୍ତି।
କା ଛାତିରେ ନିଆଁ ଜାଳିଦିଏ ବୋଲି
ଦିଅନ୍ତି ଅଭିସଂପାତ,
(ହେଲେ)
ସଭିଙ୍କୁ ସୁଖର ନଉକାରେଧରି
ନିଜେ ଜଳେ ହୁତ୍ ହୁତ।
କହଲୋ କୁନି ବରଷା କାଳଟା
କେତେ ଯେ ମଙ୍ଗଳକାରୀ,
ସଭିଙ୍କର ମୁଖେ ସୁଖ ଦେଇଥାଏ
ଢାଳି ଅମ୍ଭୃତର ବାରି।
ବରଷା ଆସିଲେ ଭେକ ପିକ ଆଉ
ଝିଙ୍କାରୀର ମଧୁ ସ୍ଵର,
ସାଧବ ବୋହୁର ନାଲି ବଧୂବେଶ
ଦିଶେ କେଡେ ମନୋହର।
ଏନ୍ତୁଡି ନିଆଁରୁ ଜୁଇ ନିଆଁ ଯାଏ
ଥାଏ ତ ଯାର ଭୂମିକା,
ମଣିଷ ଭାଇ ତ ଭୁଲେ ତା ଦାନକୁ
ଭାବେ ଚଳିଯିବ ଏକା।


ଗାଆଁ କଥା ପୁଣି କହିଲେ ନ ସରେ
ମନେ ପଡେ ପିଲାଦିନ,
ଗୋହିରୀ ବିଲରେ ଖଇଁଚି ବସାଇ
ଧରୁ ଛୋଟ ବଡ଼ ମୀନ।
ପଖିଆ ମୁଣ୍ଡେଇ ଆଣ୍ଠୁଏ ପାଣିରେ
ଧାଉଁ ଗାଁ ଇସୁକୁଲ,
ପଡିଆ ଘାସରୁ ତୋଳୁ ବାଲିଛତୁ
ଦେଖୁ କୁନି ବେଙ୍ଗ ଖେଳ।
ନାନା ଜାତି ଶାଗ,ପନିପରିବା ଯେ
ବାଡିରେ ହୁଅଇ ଚାଷ,
ବାରବ୍ରତ ତେର ଓଷା ବାର ମଧ୍ୟେ
ହୁଏ ବରଷାର ଶେଷ।
ରଜସ୍ଵଳା ପୁଣି ଶସ୍ୟେ ସୁଶୋଭିତ
ପୂର୍ଣ୍ଣଗର୍ଭା ମା କୋଳ,
ତାଳପିଠା ଆଉ ଚକୁଳି ପିଠାରେ
କଟିଯାଏ ପିଲାବେଳ।
ନାନା ରକମର ଫୁଲର ଶୋଭାରେ
ପରିପୂର୍ଣ୍ଣ ଆମ ବାଡି,
ଟୋପା ଟୋପା ଜଳ ଚାଳର କଣାରୁ
କଂସାରେ ପଡ଼ଇ ଝଡି।
ଗରମ ଭାତକୁ ବିରିଡାଲି ସାଥେ
ମାଛ ଚୁଡୁଚୁଡା ଖାଇ,
ମହା ଆନନ୍ଦରେ ସଦେଇ ଭାଇଟା
ବିଲେ ଯାଏ ଧାନ ରୋଇ।
ଜିଆ ଗୁନ୍ଥି ପୁଣି ବନିଶୀ କଣ୍ଟାରେ
କେତେ ମାଛ ଧରିଆଣେ,
ଜାହାଲାରେ ଜେଇ ବନ୍ଧୁ ଘର ବାଣ୍ଟେ
କେତେ ଖୁସି ସିଏ କିଣେ।
ଦୁଃଖ ଥିଲେ ନିଶ୍ଚେ ସୁଖ ତ ଆସିବ
ରାତି ଥିଲେ ହେବ ଦିନ,
ସୂରୁଜ ଉଇଁଲେ ଚାନ୍ଦ ବି ହସିବ
ଦାଗ ଥିଲେ ତ ନିଶ୍ଚିହ୍ନ।
ଜୀବନ ରହିଲେ ଜଞ୍ଜାଳ ରହିବ
ସମସ୍ୟା ରହିବ କିଛି,
ସମାଧାନ ପାଇଁ ସଂଗ୍ରାମ କରିଲେ
ଅବଶ୍ୟ ପାରିବା ବଞ୍ଚି।


ପ୍ରଣତି ମହାପାତ୍ର, ଶିକ୍ଷୟିତ୍ରୀ
ଫକୀରମୋହନ ନଗର, ବାଲେଶ୍ଵର
ଦୂରଭାଷ: ୮୯୮୪୯୬୫୦୬୭

0 Comments