ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବୋତଲ ମାହାତ୍ମ୍ୟ - ଘନଶ୍ୟାମ ସାହୁ

ବୋତଲ ମାହାତ୍ମ୍ୟ - ଘନଶ୍ୟାମ ସାହୁ

କହି ପାରିବ କେ ଦମ୍ଭ ସହକାରେ
ବୋତଲ କେବେ ବି ଧରି ନାହିଁ
ଏମିତି ମଣିଷ ଜନ୍ମି ନାହିଁଁ କେହି
ବୋତଲ ଛାଡ଼ି କି ଅଛି ଜିଇଁ ?
ଜନ୍ମ ହେଉ ହେଉ ଦିଆଯାଏ ମହୁ
ମହୁବୋତଲଟି ଲୋଡା ଆଗେ
ପପୁ ବୋତଲରେ କ୍ଷୀର ଦେଇ ମାଆ
ନିର୍ଭୟରେ ଯାଏ କାମ ଦିଗେ ।
ଆଶ୍ରା କରେ ଶିଶୁ ପପୁ ବୋତଲକୁ
ସାଧାରଣ ଖାଦ୍ୟ ନେବା ଯାଏ
ପରେ ପରେ ଧରେ ଓ୍ୱାଟର୍ ବୋତଲ
ସ୍କୁଲ ବ୍ୟାଗ୍ ସହ ପଢ଼ିଯାଏ ।
ସାଙ୍ଗ ସାଥି ମେଳେ ମାଜା ଫ୍ରୁଟି ଆଦି
ଥଣ୍ଡା ବୋତଲର କେଡ଼େ ମଜା
ମୃଦୁ ପାନୀୟରେ ମୃଦୁ ବିଷ ନେଇ
ଭବିଷ୍ୟତେ ପାଇଥାଏ ସଜା ।
ଯୁବା ବୟସରେ ପାର୍ଟି ଭୋଜି ବେଳେ
ବୋତଲ ବିଦେଶୀ ଦେଶୀବାଲା
ଚାହିଦା ହୁଏ ତ ଷ୍ଟାଟସ୍ ଅନୁସାରେ
କହିବେ ପାର୍ଟିଟା ଭଲ ହେଲା ।
ଶୋଭା ଯାତ୍ରା ଯେତେ ଲୋଡା ହୋଇ ଥାଏ
ବାହା ହେଉ ଅବା ଭସାଣି ହେଉ
ନାଚ ଡି ଜେ ବାଜା ସହିତ ମିଶାଇ
ନାଲି ବୋତଲର ବଢେ ଭାଉ ।
ବୟସ ବଢିଲେ ରୋଗ ମାଡ଼ିବସେ
ଦୁରୁବଳ ହେଲେ ସାଲାଇନି
ବୋତଲ ନିହାତି ଦରକାର ହୁଏ
ନହେଲେ ତ ଜମା ଚଳିବନି ।
ତା ସହିତ କେତେ ଭିଟାମିନ ଶିଶି
ବୋତଲ ନିହାତି ଦରକାର
ପ୍ରାଣ ଥିବା ଯାଏ ସେବନ କରିବା
କହିବେ ନିଶ୍ଚୟ ଡାକତର ।
ଜୀବ ଗଲାବେଳେ ନିର୍ମାଲ୍ୟ ସହିତ
ବୋତଲରୁ ଦେଉ ଗଙ୍ଗା ଜଳ
ତେବେ ଜୀବ ଯିବ ବଇକୁଣ୍ଠ ଧାମ
ନ ହେଲେ ତ ହେବ କଲବଲ ।
ବୋତଲ ରହିଛି ଚିରସାଥୀ ଆମ
ଜନମରୁ ମୃତ୍ୟୁ ହେବାଯାଏ
କୁଅଭ୍ଯାସବାଲା ବୋତଲ ଛାଡ଼ିଲେ
ଜୀବନ ଆମର ଧନ୍ୟ ହୁଏ ।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ- କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୭୪୫୩୭
ପିନ୍ କୋଡ- ୭୫୯୧୨୭

0 Comments