Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମୁଁ ତୋ ବଂଶୀ ଆହେ ବଂଶୀଧାରୀ - ବାମନ ଚନ୍ଦ୍ର ଦୀକ୍ଷିତ

ଏତେ ମଧୁର ବଇଁଶୀ ବଜାଉ କାହ୍ନା
କେବେ ପ୍ରେମିଳ,ପୁଣି କେବେ ଆକୁଳ।
ସମସ୍ତ ସମ୍ବେଦନା କୁ ଚେତେଇ
ସମାହୀତ ହୋଇ ଯାଏ ସ୍ୱତଃ
ଶ୍ବାସ ବାୟୁ ସମ ହୃଦୟ ଗହ୍ବରେ!

ସଭିଏଁ କହନ୍ତି ମର୍ମ ସ୍ପର୍ଶୀ ଅମୀୟ ନିନାଦ
ମାତ୍ର ମୁଁ ବଂଶୀ ,ଜାଣେ ତୋ ବେଦନା
ବହୁ କ୍ଷତ ବହି ଦେହେ କ୍ରନ୍ଦନ ରତ ମୁଁ
ସ୍ୱର ମୋର ବେଦନା ତ ତୋର
ମୁଁ ଲହରୀ ତୋ ପ୍ରେମ ସରଣୀ ର
ସଂଚାର ମୁଁ, ତୁ ସଂଚରୀ ପ୍ରୀତି ରାଗିଣୀ ର।

ହୃଦୟ କନ୍ଦରେ ତୋର ଅମାପ ସନ୍ତାପ
ଯେବେ ସ୍ଫୁରେ ଅଧରୋଷ୍ଠ ଦେଇ
ଅକଳନ ସନ୍ତାପିତ ବାଷ୍ପରୁଦ୍ଧ ବାୟୁ
ତା ଉଷ୍ମତା ଜାଣେ ମୁଁ ନିଶ୍ଚୟ।
ସମସ୍ତ ଧର୍ଯ୍ୟ କୁ ମୋର ମାରି ମାରି ଯାଏ
ନିର୍ଗତ ହୁଏ କେବଳ ବିକଳ ଶିତ୍କାର।।

ଜଗତ ବିଦିତ ତୋର ଚୀର ସ୍ମିତ ଓଷ୍ଠ।
ଜାଣେ ମୁ ସେ ହସ ତଳ ଅତଳ ବେଦନା
ଆରୋହ ର ଆର୍ତ୍ତ ନାଦ ସୁଉଚ୍ଚ ବିଳାପ
ଅବରୋହେ ହିମ ଶୀତ ଅବଷାଦ ରାଶି
ପାଣି ହୋଇ ବହିଯାଏ ନୟନ କୋଣ ରୁ
ସବୁରି ସାକ୍ଷୀ ମୁଁ ବଂଶୀ ବଂଶୀଧାରୀ ହେତୁ।

ତୋ ଖୁଶି ବି ଆକ୍ରାନ୍ତ ଶତ ସହଶ୍ର କ୍ଷତେ
ତୋ କ୍ଳେଶ ତ ଜାଣେନା ଅବୋଧ ଜଗତ
ଯାହା ସବୁ ଲୁଚେଇ ଦେଉ ତୁ
ଦର ହସା ଓଠ ତଳେ ତୋର।
କେବେ ତୋ ଓଷ୍ଠ କେବେ ବା ଅଧର
ପୁଣି କେବେ ନିଜେ ନିଜ ଅଙ୍ଗୁଷ୍ଠି ଅଗ୍ର ରୁ
ନିୟନ୍ତ୍ରିତ କରି ସବୁ ବେଦନା ମାନଙ୍କୁ
ସମ୍ମୋହିତ କରି ରଖୁ ସାରା ସଂସାର କୁ।

ମାତ୍ର ମୁଁ ତୋ ବଂଶୀ ଆହେ ବଂଶୀଧାରୀ
ଜାଣି ସବୁ ବୋଲକରା ତୋର
ଅକ୍ଷମ ମୁଁ ଖୋଲି କହିବାକୁ
ସମସ୍ତ ଅକୁହା କଥା,ଅନେକ ରହସ୍ୟ
କ୍ଷମ ସର୍ବ ଦୋଷ ମୋର ହରି!
ମୁଁ ତୋ ବଂଶୀ ଆହେ ବଂଶୀଧାରୀ।

Post a Comment

0 Comments