Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାଜେକଥା - ସବୁ ଏବେ ଯନ୍ତ୍ରବତ - ସଲିଳ କୁମାର ସ୍ଵାଇଁ

ପଛରୁ ଡାକ ପକେଇଲା ପଡିଶାଘର ଅପା । ସରାଗରେ ରସଗୋଲାଟେ ଦେଲା । ତାର କାଳେ ନାତି ହୋଇଛି । ମନଟା ଉଦାସ ହୋଇଗଲା । ପିଲାବେଳ ମନେପଡିଗଲା । ସାଇରେ ଯଦି କାହାଘରକୁ କୁନି ଅତିଥି ଆସୁଥିଲା, ବୋଝରେ ମୁଢିମୁଆଁ ଧରି ବାଣ୍ଟୁଥିଲେ ମୋଚିଆ ଦାଦା । ଏକୋଇଶାରେ ମିଠେଇ । ମୋଚିଆ ଦାଦି ଥିଲେ ସାଇର ସବୁଠୁ ଡେଙ୍ଗା ମଣିଷ । ହାତ ଉପରକୁ ଟେକି ଡେଇଁ ଡେଇଁ ମୁଆଁମିଠେଇ ମାଗିବାର ମଜା ଥିଲା ନିଆରା । ଦାଦା ଆଜି ଆରପାରିରେ । ରସଗୋଲାରେ ସେ ମଜା କାହିଁ ?

ଗୋବରଲିପା ଚଟାଣ, ମାଟିଘର, ମାଟି ରାସ୍ତା ଆଉ ନାହିଁ କହିଲେ ଚଳେ । ପରିବାରର ଲୋକେ ଆଉ ଏକାଠି ପ୍ରାୟ ଖାଉନାହାନ୍ତି । ଏକାଠି ରହୁଛନ୍ତି, ହେଲେ ଦୂରତା ବଢିଛି । ସ୍କୁଲରୁ ଫେରି ନଟୁବାଟିଡୁଡୁ ଖେଳ ଆଉ ହଊନି । ସଂଜ ଗଡିଗଲେ ବୁଢୀବୁଢିଆଣୀ ଖେଳ ସାତ ସପନ । ନାହିଁ ମଧ୍ୟ 'ଖରା କି ଛାଇ' ଅବା 'ଘୋ ଘୋ ରାଣୀ' । ଦୁଦୁରା ଫଳ ଆଉ ଖପରାକୁ ନେଇ ବାସ୍କେଟ । ଦୁଦୁରା ଫଳରେ ସାଙ୍ଗର ପିଠିକି ଲକ୍ଷ୍ୟଭେଦ । ବାଟିରେ ହାରିଲେ କହୁଣୀ ଖାଇବା, ନଟୁରେ ଗୋବ ମାରିବା ଇତ୍ୟାଦିରେ ଥିଲା ଅଫୁରନ୍ତ ଆନନ୍ଦ । ମଙ୍ଗଳଜିତ ନଈ ସୁନାମୁହିଁ ପୋଖରୀରେ ଖାଡି(ବନସୀ) ପକାଇବା, ଘଣ୍ଟା ଘଣ୍ଟା ଧରି ବୁଡିବା ଆଉ ବେଳେବେଳେ ମାଡଖାଇବା ଥିଲା ସ୍ଵତନ୍ତ୍ର । ରାଗରୁଷା ମାନଅଭିମାନ ଥିଲା କ୍ଷଣିକ । ସଂପର୍କ ଥିଲା ନିବିଡ ଅନାବିଳ । ସବୁ ଏବେ ଯନ୍ତ୍ରବତ ।


ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା
ଦୂରଭାଷ : ୯୪୩୭୦୯୦୧୨୪

Post a Comment

0 Comments