କ୍ଷୁଦ୍ରଗଳ୍ପ - ତୁ ଆମ କୂଳଦେବତା - ପ୍ରଣତୀ ମହାପାତ୍ର

କ୍ଷୁଦ୍ରଗଳ୍ପ - ତୁ ଆମ କୂଳଦେବତା - ପ୍ରଣତୀ ମହାପାତ୍ର

ନିଶା ଗରଜୁ ଥାଏ, ତା ସହ ତାଳଦେଇ ଗାଢ଼ ଅନ୍ଧକାର ଚାରିଆଡ଼େ ବିରାଜମାନ କରୁଥାଏ । ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡି ର ଭୟଙ୍କର ଶବ୍ଦ ସହ ସୁ ସୁ ପବନରେ ଛୋଟ ବଡ଼ ଗଛଗୁଡା ମଡ଼ମାଡ଼ ଶବ୍ଦ କରି ଭାଙ୍ଗି ପଡୁଥାଏ । ଜୀବନକୁ ପାଣି ଛଡାଇ ପୁଣି କାହାକୁ ଭୃକ୍ଷେପ ନ କରି ଆଗକୁ ଆଗକୁ ଆଗେଇ ଚାଲିଥାଏ ସୁନ୍ଦରୀ ତରୁଣୀଟିଏ । ବୟସ ୩୨ କି ୩୩ ହେବ।ଆଭିଜାତ୍ୟ ବଂଶର ବୋହୁ।ହେଲେ ସାଇପଡିଶାଙ୍କ ଘୃଣା ମିଶା ତାସ୍ଛ୍ୟଲ୍ୟ, ନାକଟେକା, ଛି ଛାକର, ଅଲକ୍ଷ୍ୟଣି ଭଳି କୁଭାଷାର ଶିକାର ହୋଇ ସବୁ ଆଶା ପରିତ୍ୟାଗ କରି ନିର୍ଜନ ଅନ୍ଧକାର ରାତିରେ ଆଗେଇ ଚାଲିଛି ମୃତ୍ୟୁ କୋଳରେ ଆଶ୍ରୟ ନେବାକୁ । ମୁହଁକୁ ମୁହଁ ଦିଶୁ ନ ଥାଏ । ଏକମୁହାଁ ହୋଇ ଧାଇଁଛି ବୁଢାବଳଙ୍ଗ କୋଳରେ ଆଶ୍ରୟ ନେବାକୁ।ନଦୀ ନିକଟପ୍ରାୟ ।ହଠାତ୍ କିଛି ଗୋଟାଏ ଶବ୍ଦ ଶୁଣି ଦଣ୍ଡେ ଅଟକି ରହିଲା।କାଳେ ସ୍ଵାମୀ ଅବା କେହି ଆତ୍ମୀୟ ସ୍ଵଜନ ପଛେ ପଛେ ଆସୁଛନ୍ତି ଭାବି ଶୀଘ୍ର ଶୀଘ୍ର ନଦୀର ଜଳରାଶି ମଧ୍ୟରେ ପଶିଗଲା । ଆଉ କିଛି ବାଟ ଗଲେ ଗଣ୍ଡ । ସେଇଠି ଗୋଡ଼ ଖସିଗଲେ ସବୁ ଶେଷ ହୋଇଯାଏ । ଏକଥା ଅନୁଭବ କଲା ସୁନ୍ଦରୀ ନାରୀ ଜଣକ ଯେ, କେହି ଯେମିତି ତାଙ୍କ ଗୋଡ଼ ଟାଣି ଟାଣି ନେଇଆସୁଛି ।

ଜୀବନ ହାରିବାକୁ ଆସିଥିବା ମନ୍ଦାକିନୀର ପ୍ରାଣରେ ଯେମିତି ଚେତନା ଜାଗ୍ରତ ହେଲା।ଏ କଣ ! ସେ ନଦୀର ଅଥଳ ଗର୍ଭକୁ ଯିବା ବଦଳରେ ନଦୀ କୂଳରେ ! ତାଙ୍କ ସମ୍ମୁଖରେ ଏକ ବିରାଟ କାୟ ବିଷଧର ସର୍ପ।କଠଉ ଚିହ୍ନଥିବା ବାସୁଦେବ ଙ୍କ ବାସୁକୀନାଗ ବୋଧହୁଏ । ଫଣା ଟେକି ଚାହିଁ ରହିଛି କିଛି କହିବା ମୁଦ୍ରାରେ।ଭୟ ଭକ୍ତି ମିଶା ସ୍ଵରରେ ମନ୍ଦାକିନୀ କହିଲେ- ହେ ନାଗରାଜ, ତୁମ ଅଭୟ ଚରଣତଳେ ମୋର ଶତସହସ୍ର କୋଟି ପ୍ରଣାମ।ଏ ଦୁଃଖିନୀ ଝିଅକୁ ମାରିଦିଅ ନାଗରାଜ । ଅଲକ୍ଷଣୀ, ଅମଙ୍ଗୁଳିର ଅପବାଦ ଆଉ ସହିପାରୁନି ବାସୁଦେବ । ତୁମ ହଳାହଳ ବିଷ ଜ୍ଵାଳାରେ ମୋତେ ଜାଳିପୋଡି ପାଉଁଶ କରିଦିଅ ।

ଚମତ୍କାର ଘଟଣା ଘଟିଲା...,

ଶୂନ୍ୟବାଣୀ, ଅବା ନାଗରାଜ । କାହାଠାରୁ କେଜାଣି ଶବ୍ଦାୟିତ ହୋଇଉଠିଲା, ମାଆ-ତୁମେ କଣ ହାରିଗଲ କି ? କିନ୍ତୁ କାହିଁକି, କାହିଁକି ? ତୁମର ଏଭଳି ନିରୁତ୍ସାହିତ ଭାବ; କଣ ହୋଇଛି ତୁମର କୁହ ? କୁହ... କୁହ ମା... କାହିଁକି ଜୀବନ ପ୍ରତି ଏତେ ବିମୁଖତା ? ବିଶ୍ୱରେ ଇଶ୍ଵର ଙ୍କର ସୃଷ୍ଟିରେ ମଣିଷ ଜନ୍ମ ପରି ଦୁର୍ଲ୍ଲଭ ଜନ୍ମର ସୃଷ୍ଟିକୁ ନଷ୍ଟ କରିବାର ଅଧିକାର ତୁମକୁ ଦେଲା କିଏ ?

ମନ୍ଦାକିନୀ- କଣ ହୋଇଛି ମୋର, କିଛି ଜାଣିନ ତୁମେ ? କିଛି ଦେଖୁନ ?? କିଛି ଶୁଣୁନ ??? ଯଦି କିଛି ଜାଣିନାହଁ, ତେବେ ଏ ଅଥଳ ନଦୀରୁ କାହିଁକି ମୋତେ ରକ୍ଷା କଲ ? ମୁଁ କଣ ଡାକିଥିଲି ଉଦ୍ଧାର କରିବାକୁ ?

ସାମ୍ନାରେ ଥିବା ନାଗରାଜ ଫଁ ଫଁ କରି ତଳକୁ ଚୋଟ ଉପରେ ଚୋଟ ମାରିଲେ । ତେଣେ ଶୂନ୍ୟବାଣୀ ହେଲା, ଚୁପ୍ କର, ଚୁପ୍ କର । ପରାଜିତ ସୈନିକ ପରି ଆତ୍ମହତ୍ୟା କରିବା ଶେଷ ପନ୍ଥା ନୁହେଁ ।

ମନ୍ଦାକିନୀ- ତେବେ ମୁଁ କଣ କରିବି ମୋତେ କୁହନ୍ତୁ...., ମୁଁ ଗୋଟିଏ ନିଃସନ୍ତାନ ନାରୀ, ମୋ ମୁହଁ ଚାହିଁଲେ କାଳେ ସମସ୍ତଙ୍କର ଅମଙ୍ଗଳ ହେଉଛି । ମୁଁ ଗୋଟିଏ ଅଲକ୍ଷଣୀ । ହେ ପ୍ରଭୁ, କାନ୍ଦି କାନ୍ଦି ତଳେ ମୁଣ୍ଡ ବାଡେଇଲେ, ହେ ପ୍ରଭୁ... । ସତେ ଯେମିତି ତାଙ୍କ କାନ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।

ମୁଣ୍ଡ ହଲାଇଲେ ନାଗରାଜ, ଆଉ ଶୂନ୍ୟବାଣୀ ହେଲା "ମାଆ ତୁ ସର୍ବମଙ୍ଗଳା ନାରୀ, ସର୍ବ ସୁଲକ୍ଷଣଯୁକ୍ତା । ତୋ ଅଙ୍ଗେ ଅଙ୍ଗେ ସୁଲକ୍ଷଣ ଫୁଟି ଉଠୁଛି । ତୋ ମୁଖ ଦର୍ଶନରେ ସର୍ବ ସୁଖ ହୁଏ । ହେଲେ ତୋ ପୂର୍ବ ଜନ୍ମ ଦୋଷରୁ ଏ କଷଣ ଭୋଗୁଛୁ । ଯାହା ତୋ ଭାଗ୍ୟରେ ନାହିଁ...।"

ମନ୍ଦାକିନୀ- ଏ ନିର୍ଲଜ ମୁହଁ ମୁଁ ଆଉ କାହାକୁ ଦେଖାଇବାକୁ ଚାହେଁ ନାହିଁ । ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି । ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ... ।

ଓହୋଃ ଚୁପକର (ଶୂନ୍ୟବାଣୀ)- ଧୈର୍ଯ୍ୟ ଧର ମାଆ, ତୋ ସେବା ଭକ୍ତି ନିକଟରେ ମୁଁ ହାରିଯାଇଛି । କିନ୍ତୁ ନିରାଶ କରିବିନି ମାଆ । ଯାଆ, ତୁ ଘରକୁ ଯାଆ । ମୁଁ ଯାହା କହିବି ସେମିତି ଠିକ୍ ଠିକ୍ କରିବୁ ଯଦି..।

ମନ୍ଦାକିନୀ- ନିଶ୍ଚୟ କରିବି, ଆପଣ ଖାଲି କୁହନ୍ତୁ, ମୁଁ କଣ କରିବି ।

ଶୂନ୍ୟବାଣୀ- କାଲି ସକାଳେ କୋଟିଏ ଶିବଲିଙ୍ଗକୁ ସ୍ନାନ କରି ସେ ପାଣିରେ ତୁ ସ୍ନାନ କରିବୁ । ଭାଗବତ ପୋଥି ସବୁଦିନ ଘରେ ପୂଜା କରିବ । ତା ପରେ ତୋର ତିନୋଟି ସନ୍ତାନ ନିଶ୍ଚୟ ହେବ । ଏକାଥରେ ନୁହେଁ, ତିନି ତିନି ବର୍ଷ ବ୍ୟବଧାନରେ । ହୁଏତ ସେମାନେ ଦୀର୍ଘାୟୁଷ ନଚେତ ଅଳ୍ପାୟୁଷ । ଯାହା ଭାଗ୍ୟରେ ଥିବ । କେହି ତୋତେ ଆଉ...

ଭାଗବତ ପୋଥିକୁ କୂଳଦେବତା ଭାବେ ପୂଜା କରିବ, ତାଳପତ୍ରର ଗୀତା ମଧ୍ୟ ପୂଜା କରିବ । ବ୍ରାହ୍ମଣ ଡ଼କାଇ ପ୍ରତିଦିନ ଭାଗବତ ଶୁଣିବ । ମୋ କଥା ରଖିଲେ ସୁଖି, ନାହିଁ ତ..,
ଅପଲକ ନେତ୍ରରେ ନାଗରାଜ ଙ୍କୁ ଚାହିଁଛି ମନ୍ଦାକିନୀ, କିନ୍ତୁ ଏ କଣ ଦେଖୁଛି ସେ । ଝାପସା ଝାପସା ଦେଖାଯାଉଛି । ନାଗରାଜ ସ୍ଥାନରେ ଶଙ୍ଖ ଚକ୍ର, ଗଦାଧାରୀ, ଚତୁର୍ଦ୍ଧାମୂର୍ତ୍ତି । ପୁଣି ହସ୍ତପଦ ବିହୀନ । ପ୍ରଭୁ ପ୍ରଭୁ...। ଏ କଣ ମୋର ସେହି କୁନି ଜଗା । ଏଁ ଏ କଣ, ମୁଁ ମୁଁ ଯେ...

କେମିତି କେଜାଣି ମନ୍ଦାକିନୀ ଆସି ଘରେ ପହଞ୍ଚି ଯାଇଛି ଜାଣେନା । ହାତରେ ଥାଏ ତୁଳସୀ ପତ୍ର ଟିଏ । ସ୍ଵାମୀ ଗୌରାଙ୍ଗ ବାବୁଙ୍କ ଡାକରେ ପ୍ରକୃତିସ୍ଥ ହେଲେ ।

ଗୌରାଙ୍ଗ ବାବୁ- ଆରେ ମନ୍ଦାକିନୀ, ଏତେ ବଡି ଭୋରରୁ ଉଠି ପଡିଲଣି, ପୁଣି ଗାଧୋଇ ପାଧୋଇ ସାରିଲଣି ନା କଣ ? ହାତରେ କଣ ଧରିଛ ?

ମନ୍ଦାକିନୀ- ଏଁ, ନାଁ ହଁ, ମୁଁ...

ଗୌରାଙ୍ଗ- କଣ, ଏଁ ନାଁ ହଁ....

ମନ୍ଦାକିନୀ- ଏଁ ନାଁ ହଁ, ଏ ଶୁଣ, ଏ ତୁଳସୀ ପତ୍ର ନିଅ ତୁମେ ଟିକେ, ଆଉ ମୁଁ ଟିକେ ।
ଗୌରାଙ୍ଗ- ତୁମେ ମନ୍ଦିର ଯାଇଥିଲ ନା କଣ... ?
ମନ୍ଦାକିନୀ- ନାଁ ହେଲେ, ଏ ତୁଳସୀ ନିଅ । ଗୌରାଙ୍ଗ ବାବୁଙ୍କ ପାଟିରେ ଟିକିଏ ଦେଇ ନିଜେ ଟିକେ ଖାଇଦେଲେ । ଆଉ ଘଟିଥିବା ସବୁ ଘଟଣା ଠିକେ ଠିକେ କହିଲେ । ତା'ପରେ ଆଉ କିଛି କଥା ନ ହୋଇ ବାହାରିଗଲେ ଭୁବନ, ଶିବଲିଙ୍ଗ ସ୍ନାନ କରିବାକୁ ।



ଦୀର୍ଘ ୨୨ବର୍ଷର ବ୍ଯବଧାନ ପରେ...

ସେ ଯାହାବି ହେଉ, ମନ୍ଦାକିନୀ ବର୍ତ୍ତମାନ ତିନୋଟି ସନ୍ତାନର ଜନନୀ । ନିଃସନ୍ତାନ ରୂପକ ବ୍ୟାଧି ରୁ ମୁକ୍ତ । ହେଲେ ଅଦୃଶ୍ୟ ଶକ୍ତି ଅବା କାହାର ଶବ୍ଦ ବାରମ୍ବାର ଶୁଭି ଯାଉଥାଏ- ସନ୍ତାନ ସୁଖ ଭାଗ୍ୟରେ ନାହିଁ, ସନ୍ତାନ ସୁଖ ଭାଗ୍ୟରେ ନାହିଁ । ହଠାତ ବଡ଼ପୁଅ ଅରୁଣ ମରିଯିବା ପରେ ସେହି ଚିନ୍ତାରେ ମନ୍ଦାକିନୀ ଚାଲିଗଲେ, ହେଲେ ପିଲାଦିନରୁ ଆଜି ଯାଏ କାଳିଆ କରୁଣା ବୃତ୍ତାନ୍ତକୁ କହିଦେଲେ । ଅନୁରୋଧ କଲେ, ଏ ଘରେ ଯେମିତି ମୋ କୂଳଦେବତାର ପୂଜା ହୁଏ, ନଚେତ ମହା...

ମନ୍ଦାକିନୀ ଦେବୀଙ୍କର ଝିଅ ବାହାଘର, ପରେ ପରେ ପୁଅ ବାହାଘର ସରିଗଲା । ଗୌରାଙ୍ଗ ବାବୁ ପିଲାମାନଙ୍କୁ ସବୁବେଳେ କାନେ କାନେ ମନ୍ଦାକିନୀ କହିଥିବା କଥା କହୁଥାନ୍ତି । ସମୟ କ୍ରମେ ସେ ବି ଆରପାରିକୁ ଚାଲିଗଲେ । ବ୍ରେନ୍ କ୍ୟାନସର ରୋଗରେ ପଡି ଛଟପଟ ହୋଇ ମନ୍ଦାକିନୀର ସାନପୁଅ ବି ୩୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ । ତାଙ୍କ ସ୍ତ୍ରୀ ବାସନ୍ତୀ ଦେବୀ ୫ରୁ ୧୩ବର୍ଷ ମଧ୍ୟରେ ୫ଟି ଛୋଟ ଛୋଟ ପିଲାମାନଙ୍କୁ କିପରି ମଣିଷ କରିବେ, ଭାବି ଭାବି ଅଧୈର୍ଯ୍ୟ ହୋଇପଡିଲେ । ଶ୍ଵଶୁରଙ୍କ କଥା ମନେପକାଇ ବଂଶର କୂଳଦେବତାଙ୍କୁ ପୂଜା କରି ବଡ଼ ଦୁଃଖ କଷ୍ଟରେ ପିଲାମାନଙ୍କୁ ମଣିଷ କଲେ । ନିତି ସେବା ପୂଜା ଭକ୍ତି କରିବାକୁ ଶିଖାଇଲେ । ସତ୍ ଶିକ୍ଷା, ସଂସ୍କାର ଦେଇ ମଣିଷ ପରି ମଣିଷ କଲେ ।

ମଝିରେ ମଝିରେ ନାଗରାଜ ଙ୍କ ଉପସ୍ଥିତି ମଧ୍ୟ ଅନୁଭବ କରନ୍ତି ବାସନ୍ତୀ ଦେବୀ । ତାଙ୍କୁ ମୁଣ୍ଡିଆ ମାରି କର୍ମପଥରେ ଆଗେଇ ଚାଲି ଥାଆନ୍ତି । ପିଲାମାନେ ପାଠଶାଠ ପଢି ଚାକିରୀ ବାକିରୀ କଲେ । ବାହାଶାହା ବି ହେଲେ । ଏଇଠୁ ଆରମ୍ଭ ହୋଇ ଗଲା ବିପର୍ଯ୍ୟୟ....

ପିଲାମାନେ ନିଜ ସ୍ତ୍ରୀ ପିଲାମାନଙ୍କୁ ନେଇ ବାହାରେ ରହିଲେ । ନିଜ ମାଆକୁ ମଧ୍ୟ ସାଙ୍ଗରେ ନେଇଗଲେ । କିନ୍ତୁ ଘରେ ଅପୂଜା ରହିଗଲେ କୂଳଦେବତା । ଭାଇଭଉଣୀ ଙ୍କ ମଧ୍ୟରେ ଆଉ ସୁସମ୍ପର୍କ ରହିଲା ନାହିଁ । ଆଗର ବଂଶ ମର୍ଯ୍ୟାଦା ବି ଚାଲିଗଲା । ବାରମ୍ବାର ନାଗରାଜ ଙ୍କ ଚେତାବନୀ ଚାଲିଥାଏ । କିନ୍ତୁ ସେ ପ୍ରତି କାହାର ନିଘା ନ ଥାଏ । ବଂଶ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିଲେ ବି ମଣିଷ ବାସ ନ କରୁଥିବା ଘରେ ଏବେବି ନାଗରାଜ ଜଗିବସିଛନ୍ତି ଯେ କୂଳଦେବତାଙ୍କୁ ପୂଜା କରିବାକୁ ମନ୍ଦାକିନୀର ବଂଶଧର ଆସିବେ ।

ସେ ବଂଶର ଗୋଟିଏ ଝିଅକୁ ବାରମ୍ବାର ଚେତାବନୀ ଦେଉଛନ୍ତି ନାଗରାଜ, ଏମିତି କି ଶୟନେ, ସ୍ଵପନେ, ଜାଗରଣେ । ପିଲାଦିନେ ମାଆର କଥା ବି ମନେ ପଡି ଘଟଣାକୁ ଆହୁରି ଜୀବନ୍ତ କରିଦେଉଛି ।



ଏମିତି ଏକ ଘଟଣା...

ଚାଲି ଚାଲି ଏକା ଏକା କଲେଜ ଯିବା ରାସ୍ତାରେ ନିଛାଟିଆ ଯୋଗୁଁ ଭାରି ଭୟ ଲାଗେ । ଘରେ ଆସି ମାଆକୁ କହିଲେ ମାଆ କହେ, ଆଦୌ ଡରିବୁନି ରେ, କାଳିଆ ତୁମକୁ ନିଶ୍ଚୟ ସହାୟ ହେବ । ଏମିତି ଶୁଣି ଶୁଣି ଲାଗେ, ସତକୁ ସତ କେହି ଯେମିତି ପଛେ ପଛେ ଆସୁଛି । ଘର ପାଖାପାଖି କି କଲେଜ ପାଖାପାଖି ହୋଇ ଗଲେ ଆଉ କିଛି ଜଣା ପଡେ ନାହିଁ ।
ଆମେ ରହୁଥିବା ଭଙ୍ଗା ଘର ଭିତରୁ ଶହଶହ ସଂଖ୍ୟା ରେ ରଣା, ଚିତି ସାପ ବାହାରନ୍ତି । ହେଲେ କେଜାଣି ବିରାଡ଼ି ରୂପରେ ତାଙ୍କୁ ମାରିପକାଏ ମୋ ମାଆ ରଖିଥିବା ବିଲେଇ । ସେଥିପାଇଁ କାଳିଆକୁ ମୋ ଜୀବନର ଶ୍ରେଷ୍ଠ ବନ୍ଧୁ ସଖା, ଭାଇ, ବାପା ଭାବରେ ବହୁତ ଭଲପାଏ ।

୨୦୧୨ ରେ ପୁଅକୁ ସାଙ୍ଗରେ ନେଇ ସ୍ଥାନୀୟ କିଛି ଲୋକଙ୍କ ସହ କାଳିଆ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲୁ।ଚକ୍ରତୀର୍ଥ ରୋଡ ପାଖାପାଖି ବସ୍ ରହିଲା । ବସରେ ଥିବା ଜଣେ ମଉସା କହିଲେ କି, ଚମଡା ଜିନିଷ ମନ୍ଦିର ଭିତରକୁ ଯିବ ନାହିଁ । ଯଦି କେହି ନେଇଥାଏ ବାଇଶି ପାହାଚ ରେ ଅଟକାଇ ଦେବେ।ତେଣୁ ସବୁଜିନିଷପତ୍ର ବସରେ ରଖି ଦେଇ ଯିବା।ଭାବିଲି କାଳିଆର ଦର୍ଶନ ପରେ ଆମେ ପୁଣି ଫେରି ଭ୍ୟାନିଟ ନେଇ ଯିବା । ଏଇ ଭାବନାରେ ମୁଁ ମୋର ସବୁ ଜିନିଷପତ୍ର ରଖି ଭୋଗ ପାଇଁ ୬୦/୭୦ଟଙ୍କା ଧରି ଗଲୁ।ହେଲେ ସବୁ ତ ତାରି ଲୀଳା ମୁଁ ବୁଝି ପାରିନଥିଲି । ମନ୍ଦିର ପାଖରେ ପହଞ୍ଚି ଯେ ଯୁଆଡେ ବୁଲିଲେ।ମୋର ଲକ୍ଷ୍ୟ କାଳିଆର ଦର୍ଶନ । ମାଆ ପୁଅ ଗଲୁ ଦର୍ଶନ ଦେଖିବାକୁ।ହେଲେ ସେଠାରେ ସେମାନେ କହିଲେ ଜଣକା ୫୦ଟଙ୍କା ଦେଇ ଟିକେଟ କଲେ ଦର୍ଶନ କରିବ, ମୁଁ କଣ କରିବି । ହାତରେ ମାତ୍ର ୫୦ଟଙ୍କା, ଦୁଇଜଣଙ୍କୁ ୧୦୦, ପୁଣି ଭୋଗ । ଏଇ ଦୁଃଖରେ ମନ୍ଦିର ଭିତରେ ଗୋଟିଏ କଡ଼ରେ ଠିଆ ହୋଇଥାଏ । ଆଖିରୁ ଧାରଧାର ଲୁହ ବହିଯାଉଥାଏ ମୋର।ପୁଅ ପଚାରୁଥାଏ, ମାଆ, କାହିଁକି କାନ୍ଦୁଛ ? ମୁଁ ସିନା ପୁଅକୁ କିଛି କହିପାରୁ ନ ଥାଏ, ହେଲେ ମନେ ମନେ କାଳିଆକୁ କହିଲି, ରେ କାଳିଆ, ଏତେ ବାଟରୁ ତୋର ଦର୍ଶନ ପାଇଁ ଧାଇଁ ଆସିଲି, କିନ୍ତୁ ତୁ ମୋତେ ଦର୍ଶନ ଦେଉନାହୁଁ । ଠିକ୍ ଅଛି, ଏୟା ଯଦି ତୋର ବିଚାର, ତେବେ ମୋ ନିଷ୍ପତ୍ତି ଶୁଣ୍, ଆଜି ଯଦି ମୁଁ ତୋତେ ଦର୍ଶନ ନ କରେ, ତେବେ ଏ ଜୀବନ ଥିବା ଯାଏ ଆଉ କେବେବି ତୋପାଖକୁ ଆସିବିନି । କି ତୋ ଦର୍ଶନ ପାଇଁ ବ୍ୟାକୁଳ ହେବିନାହିଁ । କାନ୍ଦୁଥାଏ, କାନ୍ଦୁଥାଏ....

ଏଇ ସମୟରେ ଜଣେ ବ୍ରାହ୍ମଣ ନନା ଆସି କହିଲେ, ମାଆ ଜଗା ଦର୍ଶନ କଲୁ ।
ମୁଁ- କେମିତି ଦର୍ଶନ କରିବି ଯେ, ସେଠାରେ ପରା ଟିକେଟ କଲେ ଯାଇ ଜଗା ଦର୍ଶନ ହେବ । ମୋ ପାଖରେ ତ ଏତେ ଗୁଡାଏ ଟଙ୍କା ନାହିଁ । କେମିତି...
ନନା - ଏଇ କଥା କୁ ଏଇଠି ଠିଆହୋଇ କାନ୍ଦୁଛୁ । ମୋ ସହ ଆସେ । ତୋ ପୁଅକୁ ଧରି ଆ ମୋ ପଛେ ପଛେ ।
ମୁଁ ତ ଚାହିଁ ବସିଥିଲି । ଦୌଡିଲି ନନାଙ୍କ ପଛରେ । ସିଧା ଯାଇ କାଳିଆ ପାଖରେ, ଅତି ପାଖରେ କାଳିଆକୁ ପାଇ ଆନନ୍ଦ ବିଭୋର ହୋଇଗଲି । ମୋତେ ଲାଗିଲା, କାଳିଆ ଯେମିତି ମୋ କାନ୍ଦଶୁଣି ଟାଣି ଟାଣି ତା ପାଖକୁ ନେଇ ଆସିଲା । ଦର୍ଶନ ସାରି ଫେରିବା ବେଳକୁ ବାଟରେ ଜଣେ ବାଙ୍ଗରା ନନା ମେଞ୍ଚେ ଧଣ୍ଡାତୁଳସୀ ମାଳଧରି ଆସୁଥିଲେ।ବଡ଼ ପାଟିରେ ଡାକି ମୋତେ କହିଲେ, ଏ ମା, ଏ କାଳିଆର ଛଡାତୁଳସୀ ନେ ରେ ।

ଓଃ କି ଭାଗ୍ୟ।ଅବର୍ଣ୍ଣନୀୟ । ଭାଷାରେ ପ୍ରକାଶ କରି ପାରୁନି । ଏ ଗପ ଲେଖିଲା ଦିନ କାଳିଆର ରଥଯାତ୍ରା । ଜଣେ କବିବନ୍ଧୁ ତଥା ବଡ଼ଭାଇ ଫୋନ୍ କଲେ, ରଥ ଟାଣି ବାକୁ ଯିବନିକି ?
ମୋର ଉତ୍ତର- ଏ ଯେଉଁ ଭିଡ଼, ଆମର ବୋଧହୁଏ ସେ ଭାଗ୍ୟ ନାହିଁ, ଏଇ ଘରେ ରହି ମନେ ମନେ କାଳିଆକୁ ରଥରେ ଟାଣିବି । ଏମିତି କଥାବାର୍ତ୍ତା ପରେ ଲେଖିବସିଲି।କିନ୍ତୁ ଏ କଣ, ଅପୂର୍ବ ଶିହରଣ ମୋ ଦେହରେ । କାନ୍ଦିଉଠିଲି । ମନେ ମନେ କହିଲି, ସତରେ କାଳିଆ, ମୋର ଏତେ ବଡ ଭାଗ୍ୟହେବ, ମୁଁ ତୋ ରଥଟାଣିବି; କି ବିଚିତ୍ର ଲୀଳା ସେ କାଳିଆର... ।

ମୋ କାନ୍ଦ ନ ସରୁଣୁ, ସ୍ଵାମୀ ଫୋନ୍ କଲେ, କହିଲେ- ରଥ ଟାଣିବ ନା ?
ମୁଁ କହିଲି- ରଥ କଣ ମୋ ଯିବା ଯାଏ ଅଟକି ଥିବ ଯେ ମୁଁ ଗଲେ ଟାଣିବି ।
ସେ କହିଲେ- ରଥଟଣା ଏବେ ଆରମ୍ଭ, ତୁମେ ବାହାରି ଥାଅ, ମୁଁ ସଙ୍ଗେ ସଙ୍ଗେ ପହଞ୍ଚୁଛି ।
ଫୋନ୍ ରଖିଦେଇ ପିଲାଙ୍କୁ ଡାକିଲି । କହିଲି କାଳିଆ ଡାକୁଛି ତା ରଥ ଟାଣିବାକୁ । ଶୀଘ୍ର ଶୀଘ୍ର ବାହାର, ଯିବା । ବାପା ଆସୁଛନ୍ତି । ଏତିକି ଭିତରେ ସମସ୍ତେ ବାହାରି ଗଲୁ ରଥ ଟାଣିବାକୁ । ମୋର ଶବ୍ଦ ନାହିଁ ଲେଖିବାକୁ । କି ସଂଯୋଗ । ମୁଁ ପହଞ୍ଚି ବା ବେଳକୁ କାଳିଆ ରଥରେ ବସିଛି । ମନ୍ଦିର ଠାରୁ ୫୦ମିଟର ଦୂରରେ ଅଟକି ରହିଛି । ଜଣେ ବ୍ୟକ୍ତି ମୋତେ ଟାଣି ଟାଣି ନେଇ ଗଲେ ଠିକ କାଳିଆର ସାମ୍ନାରେ ଥିବା ରଥଦଉଡି ପାଖକୁ । ଆଉ, ଆଉ... ମୁଁ ରଥ ଦଉଡି ଧରି ଟାଣି ଟାଣି ମାଉସୀ ମା ମନ୍ଦିର ଯାଏ ଗଲି । ମଝିରେ ମଝିରେ ନଡ଼ିଆ, ଲଡୁ, ଫଳଭୋଗ ବି କାଳିଆ ଦେଉଥାଏ । କାଳିଆ ଆଉ ମୁଁ, ମୁଁ ଆଉ କାଳିଆ, ସାମ୍ନା ସାମ୍ନି । ଖାଲି ତାକୁ ଦେଖୁଥାଏ । ରଥ ଟାଣି ସାରିବା ପରେ ମୁଁ ଝାଳରେ ଗାଧେଇ ପଡିଥାଏ । ଏଇଠି ଟିକେ... କି ନଟିଆ ନଟବର, କାଳେ ମୋ ସ୍ଵାମୀ ଭାବିବେ ଯେ, ମୁଁ ରଥ ଟାଣିଟାଣି ଝାଳରେ ଭୀଜି ଯାଇଛି, ସେଥିପାଇଁ ଛେଚିଲା ମେଘ । ସେ ବର୍ଷା ରେ ମୁଁ ଓଦା । ଏଥର ସେ ଦୋଷମୁକ୍ତ । ଧନ୍ୟରେ କାଳିଆ, କି ବିଚିତ୍ର ତୋ ଲୀଳା । ମୋର ଏତିକି ଗୁହାରୀ ଘେନା କରିବୁ । ମନ୍ଦାକିନୀର ପରିବାର ଉପରେ କରୁଣାର ବାରିଢାଳି, ତାଙ୍କୁ ଘଣ୍ଟଘୋଡାଇ ରଖ । ଯେମିତି ସେମାନଙ୍କ ର ସର୍ବମଙ୍ଗଳ ହେଉ, ସେମାନଙ୍କର ସର୍ବକୁଶଳ ହେଉ । ସେମାନେ ସମସ୍ତେ ହସଖୁସିରେ ସଦା ବାସକରନ୍ତୁ । ତୁ ତ ଲୀଳାମୟ, ତୁ ତ ଭକ୍ତ ଭାବଗ୍ରାହୀ । ଦାସିଆର ନଡ଼ିଆ, ଜୟଦେବ ଙ୍କର ଗୀତଗୋବିନ୍ଦ, ତୁଳସୀ ଙ୍କ ପାଇଁ ରାମ ରୂପ, ଶୂନ୍ୟରେ ମହାପ୍ରସାଦ ଥାଳି ଉଡିବା, ସାଲବେଗ ଭକ୍ତି ଭାବ ଭଳି ଦିବ୍ୟ ଘଟଣା ସବୁ ପଛରେ ତୋର ଲୀଳା ହିଁ ଥାଏ । ସର୍ବଶେଷରେ ଏତିକି କହିବି, ମୋ କବିତା ଆଉ ଗଳ୍ପ ଲେଖିବା ପାଇଁ ଶବ୍ଦ ସବୁ ତୋରି ଦାନ, ତୋର କରୁଣା...। ସେଥିପାଇଁ ତ ତୁ ଆମ କୂଳଦେବତା ।


ପ୍ରଣତି ମହାପାତ୍ର, ଶିକ୍ଷୟିତ୍ରୀ
ଫକୀରମୋହନ ନଗର, ବାଲେଶ୍ଵର

1 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକJuly 18, 2018 at 6:15 PM

    ଭିନ୍ନ ସ୍ୱାଦର ଗଳ୍ପଟିଏ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।