ପ୍ରବନ୍ଧ - ବିଶ୍ୱପ୍ରାଣତାର ବିଶ୍ୱଦେବତା ଶ୍ରୀଜଗନ୍ନାଥ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ପ୍ରବନ୍ଧ - ବିଶ୍ୱପ୍ରାଣତାର ବିଶ୍ୱଦେବତା ଶ୍ରୀଜଗନ୍ନାଥ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ସେ କେବଳ ଓଡିଆର ଦେବତା ନୁହଁନ୍ତି, ବିଶ୍ୱପ୍ରାଣର ଦେବତା । ଏକ ଚେତନାର, ଭାବନାର, ଚିନ୍ତାଧାରାର, ହୃଦୟର, ସଂସ୍କୃତିର, ଦିଗଦର୍ଶନର, ଆଶ୍ରୟର, ସଙ୍କେତର ଦେବତା ଶ୍ରୀଜଗନ୍ନାଥ । ବିଶ୍ୱପ୍ରେମ, ମୈତ୍ରୀ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ ଶ୍ରୀଜଗନ୍ନାଥ । ଅସୀମ ବିଶ୍ୱବ୍ରହ୍ମାଣ୍ତର ଠାକୁର । ସେ ସର୍ବବ୍ୟାପି ଭୂମା, ଏକ ସାର୍ବଭୌମ । ଜଗନ୍ନାଥ `ଅପାଣିପାଦ' ହେବା ଆଦ୍ୟରେ ରହିଛି ନବଚେତନା । ନା' ଅଛି ତାଙ୍କର ଆରମ୍ଭ, ନା' ଶେଷ । ସେ ଅନାଦି, ଅଶେଷ । ରହସ୍ୟର ରହସ୍ୟମୟ । ତାଙ୍କ ରହସ୍ୟର ରହସ୍ୟଭେଦ କରିବା କଷ୍ଟକର । କଳ୍ପନାର କଳନାର ବାହାରେ ସେ । ତାଙ୍କ ଦୁଇବାହୁ ପ୍ରସାରିତ ଏକ ସମାନ୍ତରାଳ ସରଳରେଖାର ଏକ ଅନନ୍ତ ବିନ୍ଦୁରେ ସେ । ସେ ଅରୂପ ସେ ସ୍ୱରୂପ, ସେ ନିର୍ଗୁଣ ପୁଣି ସର୍ଗୁଣ । ବହୁ ରୂପର କଳ୍ପନାର ନାୟକ । ଦେହରୁ ଅଦେହ, ଦେହାତୀତ ଚେତନାକୁ ଦେହ ଭିତରେ ଚେତାଇ ଦେବାକୁ ବିଭିନ୍ନ ରୂପରେ ପ୍ରତିଭାତ ଦେହର କଳ୍ପନାରେ କଳ୍ପିତ ସେ ଜଗତର ନାଥ ଶ୍ରୀଜଗନ୍ନାଥ ।

ତାଙ୍କୁ ଯିଏ ଯେଉଁ ରୂପରେ ଖୋଜିଛି, ଭାବିଛି, ଡାକିଛି, ସେ ସେଇ ରୂପରେ ତାଙ୍କୁ ଦେଖିଛି ଓ ପାଇଛି । ବୈଷ୍ଣବ ଦେଖିଛି ବିଷ୍ଣ ରୂପରେ, ବୌଦ୍ଧ ଦେଖିଛି ବୁଦ୍ଧରୂପରେ, ଶୈବ ଦେଖିଛି ଶିବ ରୂପରେ, ଗାଣପତ୍ୟ ଦେଖିଛି ଗଣପତି ରୂପରେ । ପୁଣି ବୈଷ୍ଣବମାନେ କେତେବେଳେ ତାଙ୍କୁ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ମହାବିଷ୍ଣୁ ଭାବରେ ଦେଖିଛନ୍ତିତ, ପୁଣି କେବେ କୃଷ୍ଣ ବା ରାମଚନ୍ଦ୍ର ରୂପେ କଳ୍ପନା କରିଛନ୍ତି । ତେଣୁ ସେ କେବେ ନିର୍ଦ୍ଦିଷ୍ଟ ସତ୍ତା ବା ସୀମା ରୂପରେ ଆବଦ୍ଧ ନୁହଁନ୍ତି । ଗୋଟିଏ ବଳୟ ଭିତରେ ଆବଦ୍ଧ ନରହି ଏକରୁ ଅନେକରେ, ବ୍ୟଷ୍ଟିରୁ ସମଷ୍ଟିରେ, ଆଞ୍ଚଳିକତାରୁ ବୈଶ୍ୱଭାବ ବୋଧରେ, ସଂକୀର୍ଣ୍ଣତାରୁ ଅନନ୍ତ ପରିବ୍ୟାପ୍ତିରେ ତାଙ୍କୁ ଅନୁଭବ କରିହୁଏ, ସତେ ଯେଭଳି ମନେହୁଏ ଅପଲକ ନୟନରେ ଚାହିଁ ରହିଥିବା ମହାବାହୁ, ଶ୍ରୀଜଗନ୍ନାଥ ବାହୁ ମେଲାଇ ସମଗ୍ର ବିଶ୍ୱବାସୀଙ୍କୁ ଆଲିଙ୍ଗନ କରିବା ପାଇଁ ଉଦ୍ୟତ ହୋଇଛନ୍ତି ।

ଜଗତର ସେ ବଢଠାକୁର । ତାଙ୍କ ଦେଉଳ ବଡ ଦେଉଳ, ପଣ୍ତା ବଡପଣ୍ତା, ଦୀପ ମହାଦୀପ, ପ୍ରସାଦ ମହାପ୍ରସାଦ, ଏସବୁ ଶବ୍ଦ ଭିତରେ ରହିଛି ଏକ ମହାନତାର ଆହ୍ୱାନ । ତେଣୁ ଜଗନ୍ନାଥ ଚେତନାରେ ନା'ଅଛି ସଂକୀର୍ଣ୍ଣତା, ନା' ଅଛି କ୍ଷୁଦ୍ରତା, ବରଂ ସେଠି ଅଛି ବଡତ୍ୱ, ମହତ୍ୱର ସୁନ୍ଦର ଚିନ୍ତାଧାରା । ସେଠି ଶ୍ରୀକ୍ଷେତ୍ର, ସୁଭଦ୍ରା, ବଳଭଦ୍ର, ସୁଦର୍ଶନ ନାମରେ ଭରି ରହିଛି, ସୁ, ସୁନ୍ଦର, ଶିବ ବା ଶୁଭର ସୂଚନା । କେବଳ ସେତିକି ନୁହେଁ, ଜଗନ୍ନାଥ ପୀଠ ଭିତରେ ଥିବା ମୁକ୍ତିମଣ୍ତପ, ରତ୍ନମଣ୍ତପ, କୋଇଲି ବୈକୁଣ୍ଠ, ପତିତପାବନ ବାନା, ସ୍ୱର୍ଗଦ୍ୱାର ଆଦି ଯଥାକ୍ରମେ ମୁକ୍ତି, ଜ୍ଞାନ, ଉଦାରତା, ଅନୁରାଗ ଓ ସ୍ୱର୍ଗୀୟତା ଆଦି ଦିବ୍ୟଭାବର ପରିଚୟ ବହନ କରି ଆସିଥିବା ବେଳେ ନୀଳଚକ୍ର ଚିରନ୍ତନତାର ଚୈତନ୍ୟକୁ ବୁଝାଇ ଆସିଛି । ଜଗନ୍ନାଥ ନାମ ଭିତରେ ଲୁଚି ରହିଛି ଜଗତରେ ସେହିଁ କେବଳ ଜଗତର ନାଥ, ନେତା ପ୍ରଭୃ ବୋଲି ଜଣେ । ମାନସ ଭିତରେ ଅତିମାନସ, ମାନବ ଭିତରେ ଅତିମାନବିକତା, ସସୀମ ଭିତରେ ଅସୀମର ସୃଷ୍ଟି ଚେତନା ଜାଗରଣ ବିଶ୍ୱବାସୀଙ୍କ ତପସ୍ୟାର ଫଳଶ୍ରୃତି ପାଲଟେ । ତେଣୁ ସେ ଯେ କେବଳ ଓଡିଆ ଜାତିର, କି ରାଷ୍ଟ୍ରର ଦେବତା ନୁହଁନ୍ତି, ସେ ବିଶ୍ୱଦେବତା ।

ଜଗନ୍ନାଥ ଉପାସନାରେ ଏହି `ତ୍ରିମୂର୍ତ୍ତି' ପରିକଳ୍ପନା ସାର୍ବଜନୀନ ମୈତ୍ରୀ, ସାମ୍ୟ ଓ ସମନ୍ୱୟର ପ୍ରତୀକ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯଥାକ୍ରମେ କୃଷ୍ଣ, ଶ୍ୱେତ ଓ ପୀତ ବର୍ଣ୍ଣ ବିଶିଷ୍ଟ । ଏହି 'ତ୍ରି'ଭାବ ବିଶ୍ୱର ତିନି ବର୍ଣ୍ଣର ମନୁଷ୍ୟ ଭିତରେ ସାମ୍ୟ, ମୈତ୍ରୀ, ସମନ୍ୱୟ ପ୍ରତିଷ୍ଠାର ତିନୋଟି ସାଙ୍କେତିକ ତିନି ରୂପର ପ୍ରକାଶ ମାତ୍ର । ତିନି ବର୍ଣ୍ଣର ଆଫ୍ରିକା ଓ ଭାରତର କୃଷ୍ଣାଙ୍ଗ, ୟୁରୋପ ଓ ଆମେରିକାର ଶ୍ୱେତାଙ୍ଗ, ଚୀନ୍ ଓ ତିଦ୍ଦତର ପୀତାଙ୍ଗ ଭିତରେ ମହାମିଳନର ଅଭିମନ୍ତ୍ରରେ ଅଭିମନ୍ତ୍ରିତ ପାଇଁ ଏମାନେ ଅବତୀର୍ଣ୍ଣ ହୋଇଛନ୍ତି । ଚତୁର୍ଥମୂର୍ତ୍ତି ସୁଦର୍ଶନ, ଯାହାଙ୍କ ବର୍ଣ୍ଣ ଲୋହିତ, ସେ କେବଳ ଲୋହିତ ଭାରତୀୟ ଜାତିର ସଙ୍କେତ ବହନ କରନ୍ତି । ପୃଥିବୀରେ ଏହି ଚାରି ବର୍ଣ୍ଣର ଜାତିବାସ କରୁଥିବା ଜଣାଯାଇଛି । ଏହି ଚାରି ଜାତିର ମାନବ ସଂସ୍କୃତିର ସମନ୍ୱିତ ରୂପ ଜଗନ୍ନାଥ ସଂସ୍କୃତିରେ କେବଳ ଯେ ଲକ୍ଷଣୀୟ ତାହା ଅସ୍ୱୀକାର କରିହେବ ନାହିଁ । ସଂପ୍ରତି ପୃଥିବୀରେ ଦେଖା ଦେଇଥିବା ବର୍ଣ୍ଣ ବୈଷମ୍ୟ ଜନିତ ବିଷମ ବିଦ୍ୱେଷର କୁପରିମାଣ ସମାଜକୁ କଳଙ୍କିତ ନକରୁ, ପୃଥିବୀକୁ ଧ୍ୱଂସ ନକରୁ ଏହା ଜଗନ୍ନାଥ ସଂସ୍କତି, ଧର୍ମର ଏକ ଆଦର୍ଶ ପରିକଳ୍ପନା । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ -"ସେ କମ୍ବୁ କଟକ ରାଜାନାମ ଜଗନ୍ନାଥ । ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ।"

ଶ୍ରୀଜଗନ୍ନାଥଙ୍କୁ ପୁରୁଷୋତ୍ତମ କୁହାଯାଏ । ଏପରିକି ତାଙ୍କ ନାମାନୁଯାୟୀ ଶ୍ରୀକ୍ଷେତ୍ର ପୁରୀଧାମକୁ ପୁରୁଷୋତ୍ତମକ୍ଷେତ୍ର କୁହାଯାଏ । ଭାରତୀୟ ଦର୍ଶାନାନୁସାରେ ପୁରୁଷ ଶବ୍ଦ ଆତ୍ମା, ପରମାତ୍ମ ଅର୍ଥରେ ବ୍ୟବହୃତ ହୋଇଛି, ଯାହା ଇନ୍ଦ୍ରିୟାତୀତ । ପୁରୁଷ 'ଅମୃତ'ର ପ୍ରତୀକ ହୋଇଥିବାରୁ ଅମୃତ ସନ୍ଧାନୀ ଆର୍ଯ୍ୟ ଋଷିଗଣ ଅମୃତ ଆଧାର ପୁରୁଷଙ୍କ ସ୍ତବଗାନ କରିଛନ୍ତି । ଏହି ପୁରୁଷ ସକଳ ବିଶ୍ୱର ଆଧାର ଓ ସୃଷ୍ଟି-ସ୍ଥିତି-ଲୟର କାରଣ ଅଟନ୍ତି । ସେ ସହସ୍ରଶୀର୍ଷା, ସହସ୍ରାକ୍ଷ, ସହସ୍ରପାତ୍ ହୋଇ ସମଗ୍ର ବିଶ୍ୱକୁ ଆବିଷ୍ଟ କରି ଅତିକ୍ରମ କରି ଯାଇଛନ୍ତି । ସେ ସ୍ୱୟଂ ଅମୃତ ଓ ଅମୃତତ୍ୱର ନିୟାମକ । ସେ ପୂର୍ଣ୍ଣ, ପୂର୍ଣ୍ଣତର, ପୂର୍ଣ୍ଣତମ । ଏହି ବିନାଶଶୀଳ ଶରୀରରୁ ଅତୀତ ଓ ଅକ୍ଷର ଜୀବାତ୍ମାରୁ ଅଧିକ ଶ୍ରେୟ ପୁରୁଷଙ୍କୁ ପରାମାତ୍ମା ରୂପେ ଅଭିହିତ କରାଯାଏ । ସେହିଁ କ୍ଷରରୁ ଅତୀତ, ଅକ୍ଷରରୁ ଅତୀତ ଉତ୍ତମ ପୁରୁଷ 'ପୁରୁଷୋତ୍ତମ' । ତେଣୁ ଜୀବନରେ ଅମୃତର ସ୍ୱାଦ ଆସ୍ୱାଦନା କରିହୁଏ ସେଇଠି, ଯେଉଁଠି ମୃତ୍ୟୁର ଭାବନା, ଶୋକ ଓ ଶୋଚନା, ନିରାଶା ଓ ମୁହ୍ୟମାନତା ନଥାଏ । କେବଳ ସେଠି ଏକ ଅନନ୍ତ ଜାଗରଣ ଓ ଜ୍ୟୋତି ଜୀବନକୁ ଚିର ସଂଜୀବିତ ଓ ଉର୍ଜସ୍ୱଳ କରି ରଖେ । ତେଣୁ ଜଗନ୍ନାଥ ଭିତରେ ଅମୃତର ସନ୍ଧାନ ମିଳି ଥିବାରୁ ତାଙ୍କୁ ସର୍ବବିଶ୍ୱେ ପରିବ୍ୟାପ୍ତ ପରଂବ୍ରହ୍ମ ସ୍ୱରୂପୀ ପୁରୁଷୋତ୍ତମ ରୂପେ ବନ୍ଦନା କରାଯାଏ । ନିଖିଳବିଶ୍ୱ ଲାଗି ଆତ୍ମା-ପୁରୁଷର ପୂର୍ଣ୍ଣତା ପ୍ରାପ୍ତି ଓ ଆତ୍ମୋତ୍ସର୍ଗ ହେଉଛି ଉତ୍ତମ ପୁରୁଷୋତ୍ତମର ଲକ୍ଷଣ, ଯାହାର ଅର୍ଥ ବିଶ୍ୱଚେତନାହିଁ ପୁରୁଷୋତ୍ତମ ଚେତନା, ଯାହା ଭିତରେ ଭରି ରହିଛି ବିଶ୍ୱୈକପ୍ରାଣତାର ମହାମନ୍ତ୍ର ।

ଶ୍ରୀମନ୍ଦିରର ଚୂଡାରେ ଶୋଭିତ ବିଶାଳ ନୀଳଚକ୍ର ଜଗନ୍ନାଥ ସଂସ୍କୃତିର ବିଚାରଧାରାକୁ ପରିପ୍ରକାଶ କରି ଆସିଛି । ନୀଳଚକ୍ର ଗତିର ସୂଚନା ଦିଏ ଓ ଏହା ପୂର୍ଣ୍ଣ ଘୂର୍ଣ୍ଣନ ସହ ଜଡିତ । ଏହି ଚକ୍ର ପରିପୂର୍ଣ୍ଣତାର, ଅଖଣ୍ତତାର ବାର୍ତ୍ତା ବିଶ୍ୱକୁ ଦେବା ସହିତ ସବୁ ଦିଗରୁ ସମାନତାର ସମାନ ଗୁରୁତ୍ୱ, ସମାନ ମହତ୍ୱ, ସମାନ ମର୍ଯ୍ୟାଦା, ସମାନ ସୁଯୋଗ, ସମାନ ଅଧିକାର ସୂଚାଉଥିବା ବେଳେ ବିଶ୍ୱରେ ସାମ୍ୟବାଦର ବାର୍ତ୍ତା ବିତରଣ କରେ । ଜଗନ୍ନାଥଙ୍କ ପ୍ରସାଦର ନାମ ମହାପ୍ରସାଦ । ପ୍ରସାଦର ଅର୍ଥ ଆନନ୍ଦ, ପ୍ରୀତି, ପ୍ରେମ, ପ୍ରସନ୍ନତା, ନିର୍ମଳତା ଓ ପବିତ୍ରତା । ତେଣୁ ଜଗନ୍ନାଥଙ୍କ ମହାପ୍ରସାଦରେ ଏହି ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ଭାବ ଭରିରହିଛି । ମହାପ୍ରସାଦ ସେବନରେ ନଥାଏ ଉଚ୍ଚ ନୀଚ ଭେଦଭାବ, ଜାତି ଅଜାତିର ସଂକୀର୍ଣ୍ଣତା । ମହାପ୍ରାଣତାର, ମହାମାନବିକତାର ମହାନ୍ ପରିପ୍ରକାଶ ଘଟିଛି ଏହି ମହାପ୍ରସାଦରେ । ଉଦ୍ ଘୋଷିତ କରିଛି-"ଜାତି ଭେଦୋ ନ କର୍ତ୍ତବ୍ୟଃ ପ୍ରସାଦେ ପରମାତ୍ମଃ ।"
ମଣିଷକୁ ମଣିଷ ପ୍ରେମରେ ଆଲିଙ୍ଗନ କରିବା, କୋଳେଇ ନେବା, ନିଜ ଭିତରେ ସମଗ୍ର ବିଶ୍ୱସତ୍ତାକୁ ମିଶେଇ ଦେବା ପାଇଁ ରହିଛି ଶାଶ୍ୱତ ସନ୍ଦେଶ ।

ଜଗନ୍ନାଥଙ୍କ ନାମରେ, ଧାମରେ, ସଂସ୍କୃତିରେ ସମାଜର ସବୁ ମଣିଷ ସମାନ । ସର୍ବନିମ୍ନ ସ୍ତରରେ ଥିବା ଅବହେଳିତ, ଲାଞ୍ଛିତ ଅବନତ ମଣିଷଟିକୁ ଉଚ୍ଚସ୍ତରକୁ ଭିଡି ନେଇ କୋଳେଇ ଦେବା, ତାର ସମସ୍ତ ପାପ, ତାପ, ଅଭାବ, ଅନଟନରୁ ଉଦ୍ଧାର କରିବା କରିବା, ଅପବିତ୍ର ଅବସ୍ଥାରୁ ପବିତ୍ର କରିବା ହେଉଛି ଜଗନ୍ନାଥ ଧର୍ମ ଓ ସଂସ୍କୃତିର ଏକ ବିଶିଷ୍ଟ ବୈଶିଷ୍ଟ୍ୟ । ନୀଳଚକ୍ର ପରେ ଶୋଭା ପାଉଥିବା, ଫରଫର ଉଡୁଥିବା ଧ୍ୱଜା, ପତାକାର ନାମ ପତିତପାବନ ବାନା' ଯାହା ଜଗନ୍ନାଥଙ୍କ ଅନ୍ୟନାମ ପତିତପାବନକୁ ନେଇ ନାମିତ ହୋଇଛି । ଅର୍ଥାତ୍ ପତିତ, ଅଗତି, ଦୀନ, ଆର୍ତ୍ତ, ଦୁଃଖିରଙ୍କିଙ୍କୁ, ପତିତଜନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କୁ ପତିତପାବନ ଅର୍ଥରେ ସମ୍ବୋଧିତ କରାଯାଏ । କବି ବୀରକେଶରୀ ଦେବଙ୍କ-" ପତିତପାବନ ବାନା ଆଉ କେତେବେଳକୂ, ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ।" ହେଉ ଅବା କବି ନିତ୍ୟାନନ୍ଦ ଦାସଙ୍କ-"ପତିତଜନଙ୍କୁ ଉଦ୍ଧାରିବା ପାଇଁ, ଉଡାଅ ଅଛ ପତାକା ।" ଅର୍ଥାତ୍ ଯେଉଁ ଧର୍ମ ପାପୀ ମାନବକୁ ତ୍ରାଣ କରିବାକୁ ସଦା ତତ୍ପର, ସେ'ହେଉଛି 'ପତିତପାବନ ଧର୍ମ' । ଏହି ଧର୍ମର ଦର୍ଶନ ପୃଥିବୀର ପ୍ରତ୍ୟେକ ଦୀନ, ହୀନ, ଦୁଃସ୍ଥ ପ୍ରପୀଡିତ ମଣିଷକୁ ବଡସୁଖ ପ୍ରଦାୟକ ହେବାରୁ ସହଜରେ ଏହି ଧର୍ମର ପ୍ରଭାବ ପୃଥିବୀରେ ପଡିଅଛି । ଜଗନ୍ନାଥ ଚେତନାର ଉଦ୍ ଭବ ମୂଳରେ ରହିଛି ମୈତ୍ରୀ, ସାମ୍ୟ, କରୁଣା, ସର୍ବୋପରି ବିଶ୍ୱଭାବ । ଏଠି ପତିତମାନଙ୍କୁ କେବେ ଘୃଣା ଦୃଷ୍ଟିରେ ନଦେଖି ବରଂ ମୈତ୍ରୀ ଓ ଭାତୃଭାବ ଅଭିସ୍ନାତ କରାଯାଏ ।

ଭାରତବର୍ଷର ଚତୁର୍ଦ୍ଧାମ ମଧ୍ୟରେ ତଥା ସମଗ୍ର ବିଶ୍ୱରେ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର 'ଶ୍ରୀ' ଅର୍ଥାତ୍ 'ଶ୍ରେଷ୍ଠ' ହୋଇଥିବାରୁ ଏହା ଶ୍ରୀକ୍ଷେତ୍ର ନାମରେ ନାମିତ ଓ ସର୍ବବିଦିତ । ଏହି ଧାମର ବାଲି ମଧ୍ୟରେ ଭରି ରହିଛି ଅପୂର୍ବ ମହାଚେତନାର ମହାଶ୍ରାବଣ । ଯେ ଯେଉଁଠୁ ଥରେ ଏ ପବିତ୍ର ଧାମକୁ ମୁକ୍ତି ମୋକ୍ଷର ଆଶାନେଇ ଧାଇଁ ଆସିଛି ଶ୍ରଦ୍ଧାର ସହ ଶରଧା ବାଲିରେ ଗଡି ମହାନନ୍ଦ ପାଇଛି, ଦେହରେ ବୋଳି, ମଥାରେ ତୋଳି ଆନନ୍ଦାଶ୍ରୁର ମହାଶ୍ରାବଣ ଝରାଇଛି, ତା'ପତିତପାବନ ବାନାକୁ ଚାହିଁଛି, ରଥପରେ ତା'ବିଶ୍ୱପତି ଜଗନ୍ନାଥ ସ୍ୱାମି'ଙ୍କୁ ଦର୍ଶନ କରି ଭକ୍ତିଗଦ୍ ଗଦ୍ ସ୍ୱରେ କହିଛି-

"ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ ! କାମୟେ
ମମ ଜନ୍ମନି ଜନ୍ମନୀଶ୍ୱରେ ଭଗବତ୍ ଭକ୍ତି- ରହୈତୁକୀ ତ୍ର୍ୱୟି ।"
ଅବା କିଏ ଗାଇ ଉଠିଛି-"ଜଗନ୍ନାଥ ହୋ ! କିଛି ମାଗୁ ନାହିଁ ତୋତେ
ଧନମାଗୁ ନାହିଁ ଜନ ମାଗୁନହିଁ ମାଗୁଛି ଶରଧା ବାଲିରୁ ହାତେ ।"

ଶ୍ରୀଜଗନ୍ନାଥ ଭାବରେ ଏକ ମହାପ୍ରଶସ୍ତ ସର୍ବବ୍ୟାପୀ ସର୍ବଜନ, ସର୍ବମନସ୍ପର୍ଶୀ ଏକକ ଓ ଅନନ୍ୟ ସତ୍ତାରେ ମଣିଷ ହୁଏ ମନ୍ମୟ, ତନ୍ମୟ ଓ ଚିନ୍ମୟ । ସେ ଅସତ୍ୟରୁ ସତ୍ୟରେ, ଅନ୍ଧକାରରୁ ଆଲୋକରେ, ମୃତ୍ୟୁରୁ ଅମୃତାଲୋକରେ ପହଞ୍ଚି ଯାଏ । ସକଳ ସଂକର୍ଣ୍ଣତା ତା'ହୃଦୟରୁ ଦୂରେଇ ଯାଇ ବିଶ୍ୱଭାବ, ନିର୍ବେଦ ଭାବ, ନିର୍ବିକଳ୍ପ ଭାବର ଅଭ୍ୟୁଦୟ ଘଟେ । ଖଣ୍ତତା ଭିତରେ ଅଖଣ୍ତତା, ଅପୂର୍ଣ୍ଣ ଭିତରେ ପୂର୍ଣ୍ଣତା, ନିରାନନ୍ଦ ଭିତରେ ଆନନ୍ଦ ଜାଗରିତ ହୁଏ । ନାହିଁ ନାହିଁରେ ନ'ଥାଏ ସଂକୋଚ, ଦ୍ୱିଧା, ହିଂସା, ଇର୍ଷା, ଦ୍ୱେଷ । ସେଠି କେବଳ ବିଛେଇ ପଡିଥାଏ ରାଶିରାଶି ଶରଧାର ବାଲି । ଅନିର୍ବାଣ ଜଳୁଥାଏ ମମତାର ମହାଦୀପ । ଆଜିର ବିଶ୍ୱ ମାନବସମାଜ ଦିଗଭ୍ରଷ୍ଟ, ଶାନ୍ତି ବଦଳରେ ଅଶାନ୍ତି, ସୃଷ୍ନି ବଦଳରେ ଧ୍ୱଂସରେ ଲିପ୍ତ ରହୁଛି । ପ୍ରେମ, ମୈତ୍ରୀ, ବିଶ୍ୱପ୍ରାଣତାର ଅଭାବ ଘଟିଛି । ଯେଉଁ ଜଗନ୍ନାଥ ବିଶ୍ୱବିଖ୍ୟାତ, ଯାହାଙ୍କର ଧର୍ମ ବିଶ୍ୱଧର୍ମରେ ପରିଣତ, ଆମେରିକା, ଜାପାନ, ଇଂଲଣ୍ତ ଆଦି ଦେଶରେ ବହୁ ଚର୍ଚ୍ଚିତ, ବିପୁଳା ପୃଥ୍ୱୀ ଜଗନ୍ନାଥ ଚେତନାରେ ଉଦ୍ ଭାସିତ, ଜଗତର ନାଥ ଜଗନ୍ନାଥ ବିଶ୍ୱଦେବତା ପାଲଟି ଯାଇଛନ୍ତି । ଆଜିର ଏମାନୁଷିକ ମାନବ ସେହି ବିଶ୍ୱଦେବତାଙ୍କ ରତ୍ନଭଣ୍ତାର ଲୁଣ୍ଠନ କରୁଛି, ରତ୍ନଭଣ୍ତାର ଚାବି ଚୋରୀକରୁଛି, ତାଙ୍କ ନୀତିକାନ୍ତି ପୂଜା ବିଧିରେ ବିଭ୍ରାଟ କରୁଛି, ଦେବତାଙ୍କୁ ଉପାସ ରଖୁଛି, ଏହା ଏଜାତି ପାଇଁ କେବେ ଶୁଭଙ୍କର ନୁହେଁ । ପ୍ରଶ୍ନ ଉଠେ ଅଧାଗଢା ଦାରୁଦେବତା ଏ'ଅମଣିଷ ମାନଙ୍କଠାରୁ ମୁକ୍ତି ଚାହୁଁଛନ୍ତି, ବିଶ୍ୱକର୍ମା ସାଜି ସ୍ୱଂୟ ନିଜକୁ ଅଧାଗଢା ଗଢିଥିବା ବିଶ୍ୱଦେବତା ସତରେ କଣ ଅସହାୟ ! ନା' ତାଙ୍କୁ ଏ'ଅମଣିଷ ଅସହାୟ କରି ଦେଇଛି, କଳିର ଶେଷାର୍ଦ୍ଧରେ ସେ କେବେ ପୂର୍ଣ୍ଣାଙ୍ଗ କଳ୍କୀ ଅବତାର ନେଇ ଓହ୍ଲାଇ ଆସିବେ ??

ତଥାପି ଏ' ସଂକଟ କାଳରେ ସାର୍ବଜନୀନତାର ପ୍ରେରଣା ଦେଇ ଆସୁଥିବା ପ୍ରେମ-ମୈତ୍ରୀ-ବିଶ୍ୱପ୍ରାଣତାର ବିଶ୍ୱଦେବତା ଭାବେ ସେ'ହିଁ କେବଳ ବିଶ୍ୱବିଦିତ । ତେଣୁ ଆଜିର ବିଶ୍ୱମାନବ ଏ ସମାଜକୁ ନିଜର କରି, ସମସ୍ତଙ୍କ ସୁଖ, ଶୁଭ, ସୌଭାଗ୍ୟ, ମଙ୍ଗଳ ମନାସି, ବିଶ୍ୱହିତେ ପ୍ରାଣୋତ୍ସର୍ଗ କରି 'ବିଶ୍ୱମାନବ' ହେବା ଲାଗି ଜଗନ୍ନାଥ ହେଉଛନ୍ତି ଏକ ମହାନ୍ ଆଦର୍ଶ ତାହା ସେ ଅନୁଭବ କରୁ । ଅଧାଗଢା ଜଗନ୍ନାଥ ମୂର୍ତ୍ତି, ବିଗ୍ରହ, ପ୍ରତିମା ରୂପେ ପୂଜିତ ହେଲେହେଁ ସେ କେବଳ ଅମୂର୍ତ୍ତ ଓ ଅମୃତ ଚେତନାର ଏକ ଚିରନ୍ତନ ଶାଶ୍ୱତ ପ୍ରତୀକ ଏହା ଅସ୍ୱୀକାର କେବେ କରିହେବ ନାହିଁ । ଜୟ ଜଗନ୍ନାଥ ସ୍ୱାମୀ....!!!


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ: 9437740280

0 Comments