OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ସ୍ଵପ୍ନନାୟିକାର ଗପ - ରାଜେଶ ପୂଜାରୀ

କ୍ଷୁଦ୍ରଗଳ୍ପ - ସ୍ଵପ୍ନନାୟିକାର ଗପ - ରାଜେଶ ପୂଜାରୀ

ପ୍ରଶ୍ନ... ସେ କବିତା କାହିଁକି ଲେଖେ ? ଅନ୍ୟର ମନ ବୁଝିଲା ପରି ଉତ୍ତରଟିଏ ଦେଇ ନପାରି କବି ସ୍ବପ୍ନର ନୀଳ ଉପତ୍ଯକାରୁ ବାସ୍ତବତାର କାଠଗଡାରେ ପହଞ୍ଚିବାକୁ ବାଧ୍ୟ ଯେମିତି, ସେ ପ୍ରକାର ସମ୍ପୂର୍ଣ୍ଣ ଅଣନିଃଶ୍ବାସୀ ମୁଁ । କାହିଁକି ଆସୁନ, କାଇଁ ମତେ ଏତେ ହଇରାଣ କରୁଛ, ମତେ କନ୍ଦେଇ ତୁମକୁ ମଜା ଲାଗୁଛି କି, କଉ ଅପରାଧରେ ମୁଁ ଏତେ ବଡ଼ ଦଣ୍ଡର ଭୁକ୍ତଭୋଗୀ,କଉଠି ଅଛ,ଆଉ ଆସିବନି କି,ରାଗିଛ କି...ରୁଷିଛ କି... ଫୁଲେଇଛ କି ? ଏମିତି ଅନେକ ପ୍ରକାରର ପ୍ରଶ୍ନବାଣରେ ମୁଁ କ୍ଷତାକ୍ତ ହୁଏ । ଉତ୍ତର ମିଳେନାହିଁ । କେବଳ ତର୍ଜମା...! ଆଜି ମୋ ସାଙ୍ଗରେ ଯାହା କିଛି ହେଉଛି ସବୁ ତୁମରି ପାଇଁ । ଆଗରୁ ତ ମୁଁ ଠିକ୍ ଠାକ୍ ଥିଲି । ତୁମକୁ କି'ଜଣା, ଖୋଜି ଖୋଜି ତୁମକୁ...ହଜେଇ ଦେଲିଣି ନିଜକୁ । କ୍ଷୁଧା-ତୃଷ୍ଣା ମରି ଗଲାଣି । ଏଥର ବହୁତ ଅସହ୍ୟ ହେଉଛି ଏସବୁ । ଅହରହ ଖାଲି ତୁମରି...କଥାକୁ ସୁମରି....ଗଲିଣି ଝୁମୁରି । ଆଉ ହେବନି ।

ମୁଁ ତୁମକୁ ନତମସ୍ତକ ହୋଇ ଦୟାଭିକ୍ଷା କରୁଛି, ଫେରି ଆସ ପୁଣି ଥରେ ମୋ ଜୀବନକୁ । ଆସ ଉଭୟ ମିଶି ଯିବା ବୁଲିବାକୁ...ଆମ ଗାଁ ନଈ କୂଳକୁ ।ତୁମେ ମୁଁ ଓ ଶୁନଶାନ୍ ରାତି । ଖୁବ୍ ମଜା ଲାଗିବ ।ତୁମେ ଯେବେ କହିଲ ମୁଁ କିଛି ନ ଭାବି ବିଚାରି ଲମ୍ବିଲି ତୁମ ପଛରେ । ଆଉ ମୋ ବେଳକୁ କାଇଁ ଏତେ କୃପଣ ହୁଅ ଯେ ...ଆସନା...! ରାତି ପାହିଯିବ ।ତୁମ ଆମ କଥା ଅଧୁରା ରହିଯିବ । ତୁମେ ଯଦି ଚାଲି ଆସ ମୋ ହୃଦୟର ଶ୍ରାବଣ ପଖଳା ରାଜ୍ୟକୁ ତାହା ପୁଣି ରଙ୍ଗେଇ ଯିବ ଅଭୁଲା ଫଗୁଣର ଅବିରରେ । ତୁମେ ପଚାରୁଥିବ । ମୁଁ କହୁଥିବି । ସମୟ ସମୟରେ ତୁମ କୃଷ୍ଣଚୂଡା ସମ ରକ୍ତାଭ ଓଷ୍ଠ ଯୁଗଳରେ ହସର ଜୁଆର ଉଠୁଥିବ ।ଆଉ ମୁଁ ସେଥିରେ ଭାସିଯାଇ ବର୍ଷାଇବି ତୁମ ଉପରେ ହଜାର ହଜାର କବିତାଫୁଲ ।ବାଟ ଚାହିଁ ରହେ ମୁଁ ଅନିଶ୍ଚିତ ଏକ ଆଶାରେ ।କାଳେ ଆସିଯିବ । କାରଣ ତୁମ ହୃଦୟର ପାହାଚ ଅତିକ୍ରମ କରି ପଢ଼ି ସାରିଛି କେତେ ଅକୁହା କଥା । ଅନୁଭବି ସାରିଛି ଯୋଜନୁ ସାଇତା ବ୍ୟଥା । ଅନ୍ଧାରୀପଣର ଗଭୀରତା ମାପି ଲେପନ କରି ସାରିଛି ସାନ୍ତ୍ଵନାର ମଧୁର ମଲମ । କିନ୍ତୁ ମୋ ପ୍ରତୀକ୍ଷା ଶେଷହୀନ । କ୍ଷଣଟିଏ ଗଲେ ମନ ଆନମନା ହୁଏ ଲାଗେ ବୋଧେ ଆଉ ଆସିବନି ! ଖାଲି ଝୁରୀ ହେବି ମୁହିଁ ! ପାଣି ପରି ବହି ଚାଲିଥିବ ସମୟ ଲୁହର ପସରାକୁ ମୋ ଉପରେ ଅଜାଡି ଦେଇ ! ଆଉ ମୁଁ ତୁମକୁ ଏମିତି ଚାହିଁ ରହିଥିବି ସମସ୍ତଙ୍କ ଅପ୍ରିୟ ଓ ଅଲୋଡ଼ା ହୋଇ !

ଫଗୁଣ ପୂର୍ଣ୍ଣିମା । ଅଳସୀ ଜହ୍ନର ଶୀତଳ ପରଶରେ ଆବୃତ ସମଗ୍ର ପୃଥିବୀ । ତାରକା ମାନେ ଦୂର ଆକାଶରେ ଚିକ୍ ମିକ୍ କରୁଥାନ୍ତି କୌଣସି ଭବ୍ୟ ସମାରୋହର ଭ୍ରମ ସୃଷ୍ଟି କରି । ମୁଁ ଶୟନେ ମଗ୍ନ । ତୁମେ ନବବଧୂ ବେଶରେ ଭୂଷିତ ହୋଇ ଆସିଥିଲ ଅଳତା ସିନ୍ଦୂର ପିନ୍ଧି । ହାତରେ ଶଙ୍ଖା ପାଦରେ ପାଉଁଜି ଲଗାଇ ।ମୁଁ ଶୋଇଥିବା ଶେଯ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ମୋ ଆଡ଼କୁ ଝୁଙ୍କି ପଡ଼ି ମୋ ଗାଲରେ ଆଙ୍କି ଦେଲ ମଧୁର ଚୁମ୍ବନ ଟିଏ । ତୁମ ସ୍ପର୍ଶ ପାଇଁ ମୁଁ ଚେଇଁ ଉଠିଲି । ମୋର ଦେହ ମନ ତୁମ ସାନିଧ୍ୟରେ ନବ ବସନ୍ତର ନବ ଉନ୍ମାଦନାରେ ଶିହରିତ ହେଲା । ଆଶ୍ଚର୍ଯ୍ୟ ଭାବରେ କେବଳ ତୁମକୁ ଚାହିଁ ରହିଥିଲି । ବାକ୍ୟଶୂନ୍ୟ ହୋଇ । ତୁମକୁ ଦେଖିବା ପରେ ଲାଗିଲା ଅନେକ ଦିନରୁ ଖୋଜୁଥିବା ହଜିଲା ଦ୍ରବ୍ୟଟି ମୋ ଆଖି ଆଗରେ ଯେମିତି ।ତମ ସୌନ୍ଦର୍ଯ୍ୟରେ ଅନ୍ଧାରୀ ଶୟନ କକ୍ଷଟି ଆଲୋକିତ ହୋଇ ଉଠିଲା । ସେ ରୂପ ସୁଷମା ମଦିରା ରସ ପରି ମାଦକ,ହୀରକ ପରି ତୋଫା,ପ୍ରଶାନ୍ତ ମହାସାଗରର ଅସ୍ଥିର ଚପଳ ଉର୍ମିମାଳା ପରି ଯୌବନ ପୂର୍ଣ୍ଣ ଓ କୋମଳମତି ଶିଶୁର କୌତୁକ ପରି ସ୍ବଚ୍ଛ । ତୁମ ଦିଗନ୍ତ ବ୍ୟାପି ସୌରଭରେ ମୋ ମନ କାନନ ନିଆରା ଏକ ପୁଲକରେ ହଜିଯାଇ ସୀମାହୀନ ପାଲଟି ଯାଉଥାଏ । ମୁଁ ଆତ୍ମ ବିସ୍ମୃତ ପ୍ରାୟ ଅନୁଭବର ବର୍ଷାରେ କିଛି କ୍ଷଣ ପାଇଁ ତଲ୍ଲୀନ ହୋଇ ଭିଜିଲି । ପରେ ଗୋଟିଏ ମଧୁର ମୂର୍ଚ୍ଛନା ପରି ମନେ ହେଉଥିବା ତୁମ ମୃଦୁ ପୃଷ୍ଠାଘାତରେ ଭାବନାରୁ ଓହରିଲି ।
-ଏ ଶୁଣୁଛ ?
-(.......)
-ଚୁପ୍ ରହିଲା ଯେ...!
-ହଁ... କ'ଣ ହେଲା? (ଆଂଶିକ ଅସାମାନ୍ୟ ହୋଇ)
-କ'ଣ ଭାବୁଛ ?
-କିଛି ନାଇଁ ।
-ତାହେଲେ ଚାଲନା ସେପଟୁ ବୁଲି ଆସିବା । ମୁଁ ପରା ଆସିଛି । ଏତେ ଦୂରୁ ଖାସ୍ ତୁମ ପାଇଁ । ଆଉ ପଚାରନି କିଛି ।ଆସ....ସଖା.. ସଅଁଳ ଆସ ।

ମୁଁ ଅବୋଧ ଶିଶୁଟିଏ ପରି ତୁମକୁ ଅନୁସରଣ କଲି । କି'ଏ ତୁମେ,ଦେବୀ ନା ମାନବୀ,ନା ଦାନବୀ,କ'ଣ ପାଇଁ ଆସିଛ,କଉଠୁ ଆସିଛ,ମୋ ପାଖରେ ତମ କାମ କ'ଣ ? ଏପରି ଅନେକ ପ୍ରଶ୍ନୋକ୍ତିର ଉଦ୍ବେଳନ ମତେ ବିବ୍ରତ କରି ପକଉଥାଏ । ୟାରି ଭିତରେ ଉଭୟ ପହଞ୍ଚି ସାରିଥିଲେ ସେଇ ଗନ୍ତବ୍ୟସ୍ଥଳକୁ, ତୁମେ ମତେ ଚାହୁଁଥିଲ ଯୁଆଡ଼େ ନେବାକୁ ।ଆରେ ଇଏତ ମୋ ପରିଚିତ ଜାଗା । ଆମ ଗାଁ ନଈକୂଳ । ମୁଁ ଉଲ୍ଲସିତ ହୋଇ କହିଲି । ପ୍ରଥମେ ନଈକୂଳେ ପୂଜା ପାଉଥିବା ମାଁ ମହାନେଶ୍ବରୀଙ୍କ ପାଖରୁ ଜୁହାର ହୋଇ ଆସିଲେ । ତା'ପରେ ସେଠାକାର ବରତଳେ ତୁମେ ବସିଗଲ । ମତେ ତୁମ କୋଳେ ଶୁଆଇଦେଲ । ମୁଁ ତୁମକୁ କିଛି କହିବାର ଉପକ୍ରମ କଲା ବେଳକୁ ମୋ ମୁହଁରେ ଆଙ୍ଗୁଠି ଚାପି ଆଦେଶ ଛଳେ କହିଲ,"କିଛି ପଚାରନି । ତମେ ମତେ ଦେଖୁଥାଅ ଆଉ ମୁଁ ତୁମକୁ..। ଆଜି ଖାଲି ମୁଁ ପଚାରିବି ତୁମେ କହିବ ।" ମୁଁ ମୁଣ୍ଡ ହଲେଇ ସମ୍ମତି ଦେଲି । କେଜାଣି କେମିତି ମୁଁ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ୁଥିଲି ତୁମ ପାଖରେ ।ତୁମ କଥା ମାନିବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା ପରି । ତୁମେ ମୋ ମୁଣ୍ଡ ଆଉଁସି ଦେଲ ଧିରେଧିରେ । ମୁଁ ଅନୁଭବି ପାରୁଥିଲି ତମାମ କାଳର ଦୁଃଖ ଯନ୍ତ୍ରଣା ଅପନୋଦିତ ହୋଇ ଯାଉଛି ଯେମିତି । ମତୁଆଲା ଜହ୍ନର ଜୋଛନା ଯେତେବେଳେ ତୁମ ଦେହକୁ ସ୍ପର୍ଶ କରୁଥାଏ ତୁମେ ଦିଶୁଥାଅ ସତେଜରୁ ସତେଜ ଆହୁରି । ସତରେ ରମ୍ଭା ମେନକା ଇର୍ଷାନ୍ବିତ ହେବେ । ଲାଗୁଥାଏ ଦେଖୁଥାନ୍ତି ଅପଳକେ । ଭାବୁଥାଏ ବିଧାତା ତୁମକୁ ଅତି ଯତ୍ନରେ ଗଢ଼ିଥିବ । ତୁମ ଆଖିରୁ କଜ୍ଜଳ ଟିକିଏ ନେଇ ଲେପିଦେଲି କାହା ନଜର ନଲାଗୁ ବୋଲି । ହେଲେ ଡରୁଥାଏ କାଳେ ମୋ ନଜର ହିଁ ନ ଲାଗିଯାଉ ! ସୁଲୁସୁଲୁ ବାଆର ହିଲ୍ଲୋଳ,ନଈ ର କଳ କଳ, ଦୂର ଝାଉଁବଣ ର ରୁଣୁଝୁଣୁ ତାନ, ଝିଙ୍କାରି ମାନଙ୍କ ଚିଁ..ଚିଁ ଗୁଞ୍ଜରଣ ସହ ନିଶାଚର ମାନଙ୍କ ଫେଣ୍ଟାଫେଣ୍ଟି ଶଦ୍ଦ,ନଈ ଆର ପାରି ଜଲୁହା ମାନଙ୍କ କମ୍ ଶୁଭୁଥିବା ବାର୍ତ୍ତାଳାପ,ଲାଉ-ଝୁଡଙ୍ଗ-କଳରା-ଜହ୍ନି ପରି ନିଦାଘ କାଳୀନ ଶସ୍ୟ ମାନଙ୍କର ହୃଦଜୟୀ ମହକ ଓ ଦୁଇଟି ଛାତିର ଦୀର୍ଘଶ୍ଵାସ ବାତାବରଣ କୁ ଖୁବ୍ ରୋମାଞ୍ଚିତ କରୁଥିଲା ।

ମୁଁ କହି ଚାଲିଥାଏ ଅନେକ କଥା । ସୁଖ ଦୁଃଖର କଥା । ପ୍ରେମ ପ୍ରତାରଣାର କଥା । ବନ୍ଧୁତା ଶତୃତାର କଥା । ଠିକ୍ ଭୁଲ୍ ର କଥା । ତୁମେ ଶୁଣୁଥାଅ ମନପ୍ରାଣ ଦେଇ । ଆଉ ମତେ ପୋତି ପକାଉଥାଅ ଭୁରି ଭୁରି ପ୍ରଶଂସାରେ । ରାତିର ବୟସ ବଢି ବଢି ଯାଉଥାଏ ।କଥା ଅସରା ସରୁନଥାଏ । ତୁମ ଚଗଲି ମନ ଭରୁନଥାଏ ।

ତାପରେ ଲାଗିଲା ନଈପଠା କରୁଛି ନୃତ୍ୟ... ଶୁଆଶାରୀ ସୃଜନ କରୁଛନ୍ତି ମଧୁର ସଙ୍ଗୀତ । ସେ ସଙ୍ଗୀତ ମଧୁମିଳନ ର । ଦୁଇଟି ମନ ମଜ୍ଜିଗଲେ ପରସ୍ପରର ନିକଟବର୍ତ୍ତୀରୁ ଆଉ ନିକଟତର ହେବାକୁ । ଦୁଇଟି ଦେହ ଜୁଟିପଡ଼ିଲେ ପରସ୍ପରର ବାସ୍ନା ଅନୁଭବିବାକୁ । ସେଦିନ ରାତିରେ ମୁଁ ପ୍ରଥମ ପରିଚିତ ହେଲି ନାରୀ ଦେହର ଅନାବୃତ ଭୂଗୋଳ ସହିତ । ସମ୍ଭୋଗର ଗାଢ଼ ସ୍ବର୍ଣ୍ଣାଭ ଉତ୍କର୍ଷତାରେ ସମସ୍ତ ଶିରାପ୍ରଶିରାରେ ଖେଳିଗଲା ଅସରା ଶାନ୍ତି ଓ ସରସତା । ପ୍ରେମର ଧାବମାନ ଲହରୀ ଓ ହୃଦୟ ସଙ୍ଗୀତର ମନମୁଗ୍ଧକର ଅନାବିଳ ଛନ୍ଦରେ ବହିଗଲେ ଉଭୟ । ବିଚ୍ଛୁରିତ ହୋଇଗଲା ରଜନୀଗନ୍ଧାର ମହକ । ମୁଁ ଥରି ଯାଉଥାଏ ଭୟ ଓ ରୋମାଞ୍ଚ ମିଶ୍ରିତ ଅନୁଭୁତିରେ । ତୁମର ମୁକ୍ତ ସମର୍ପଣ,ଅପ୍ରତିବାଦ ମତେ ଠେଲି ଦେଉଥାଏ ଚିନ୍ତାର ଗ୍ବହରକୁ । ଲାଗୁଥିଲା ଜୀବନର ସକଳ ଇପ୍ସିତ ଅଭିପ୍ସା ଚରିତାର୍ଥ ହୋଇଗଲେ ସେଇ ମୁହୂର୍ତ୍ତରେ । ଆଉ କିଛି ଲୋଡା ନାହିଁ ଜୀବନରେ । ଭାବୁଥିଲି,ଏବେ ଯଦି ମୃତ୍ୟୁ ମତେ କବଳିତ କରନ୍ତା କେତେ ମଧୁମୟ ହୁଅନ୍ତା ସତେ ! ସେତେବେଳେ ମୁଁ ସମ୍ପୂର୍ଣ୍ଣ ମାତ୍ରାରେ ବିଭୋରି ଯାଇଥିଲିି ନିଶ୍ଚଳ ତନ୍ମୟତାର ସରଗି ମାୟାରେ ।

କିଛିକ୍ଷଣ ପରେ ବସ୍ତ୍ର ପରିଧାନ କଲ ମୋ ବାହୁ ବନ୍ଧନରୁ ମୁକ୍ତ ହୋଇ । କହିଲ-ମତେ ଫେରିବାକୁ ହେବ । ମତେ ଜମା ଇଚ୍ଛା ହେଉ ନଥିଲା ତୁମେ ଯାଅ ବୋଲି । ଆତ୍ମହରା ହୋଇ କହିଲି-ଯାଅନି ମତେ ଛାଡ଼ି । ସବୁଦିନ ପାଇଁ ରହିଯାଅ ମୋ ପାଖରେ । ହେଲେ ତୁମେ ପବନଉଡ଼ା ଚୁମ୍ବନଟିଏ ଫିଙ୍ଗି ଅଦୃଶ୍ୟ ହୋଇଗଲ ସେଠାରୁ । ରାତି ପାହିଲା । ମୁଁ ଆଖି ମଳି ମଳି ନିଦ୍ରା ତେଜିଲି । ମୋ ଆପାଦ ମସ୍ତକ କ୍ଲାନ୍ତି ଗ୍ରାସି ସାରିଥିଲା । ଉର୍ଦ୍ଧେ ହାତ ଛନ୍ଦି ଅଲସ ଭାଙ୍ଗିଲି । ମୋ ମୁହଁରୁ ସ୍ବତଃ ସ୍ଫୁରିଲା-ଓଃ କି'ସ୍ବପ୍ନ...। ମୁଁ କେବେ ଚିନ୍ତା କରିନଥିଲି ଏପରି ସ୍ବପ୍ନ ଆସେ ବୋଲି । ମୋ ଆଖିରେ ତୁମେ ଛବି ମୁଦ୍ରିତ । ଅଚିହ୍ନା ଅଜଣା ଅନାମିକା ଜଣକ ପାଇଁ ଏପରି ଅନୁରାଗ ଯେ ମୋ ହୃଦୟରେ ସଞ୍ଜାତ ହେଉଛି ତାହା ମୋ ପାଇଁ ଅବିଶ୍ବସନୀୟ । ଆଗ ପ୍ରେମ, ଭଲପାଇବା ପରି ଶବ୍ଦମାନେ ମୋଠୁ ସର୍ବଦା ଦୂରତା ରଖୁଥିବାବେଳେ ସେଇ ସ୍ବପ୍ନ ଗୋଟାକ ପାଇଁ ଧସେଇ ପଶିଲେ ମୋ ଜୀବନର ବର୍ଣ୍ଣବୋଧକୁ ତାଙ୍କ ରଙ୍ଗରେ ବର୍ଣ୍ଣିଳ କରିଦେବାକୁ । ତୁମେ ମତେ ନିତି ପ୍ରତି ସ୍ବପ୍ନରେ ଆସିବାର କଥା ଦେଇଥିଲ । ଭାବିଲି ଆସିଲେ ସବୁ ପଚାରିବି ତୁମ ବିଷୟରେ । ମୁଁ ଚାତକ ପ୍ରାୟ ହୋଇ ଜଗି ବସିଲି । ଦିନ କ'ଣ ମାସ ,ବର୍ଷ ବିତିଗଲା । ତୁମ ଦେଖା ଦର୍ଶନ ଦୁର୍ଲଭ । ଝୁରି ହେଲି ଖାଲି । ସଖି ଗୋ...ଯଦି ଟିଆ ଦେବାରଥିଲା-କଥା କିଆଁ ଦେଲ, କାହିଁକି ଆସୁଥିଲ ଫେରିଯିବାକୁ ! କାହିଁକି ପଶୁଥିଲ ମୋ ମନର ଚୌହଦୀକୁ ?

ୟାରି ଭିତରେ ମୁଁ ତୁମକୁ ନିଜ ଜୀବନଠୁ ବେଶୀ ଭଲପାଇ ବସିଲିଣି । ଦିନକୁ ଦିନ ଦାମ୍ଭିକତାର ସୀମା ସରହଦ ଡେଉଁଛି । ଏବେ ଢ଼େର ଅସହ୍ୟ ହେଉଛି ଏକ ଅନ୍ତର୍ଜଲି ଯାତ୍ରା । ନା'କହି ପାରୁଛି...ନା'ସହି ହେଉଛି ।କି'ଏ ବା ବିଶ୍ବାସ କରିବ ବିଂଶ ଶତାବ୍ଦୀର ଏ ଆଧୁନିକ ଯୁଗରେ ଏ ସବୁ କଥାକୁ ! ସଭିଏଁ ମିଛୁଆ ବୋଲି ଅପବାଦ ଦେବେ । ନହେଲେ ପାଗଳ ବୋଲି ବିବେଚନା କରିବେ । ତୁମକୁ ଝୁରିହେବା ଛଡ଼ା ବାକି ସବୁ ନିଷ୍ପ୍ରୟୋଜନ । ତୁମପାଇଁ ମୋ ବେଦନା ସିକ୍ତ ହୃଦୟରୁ କରୁଣ ଭାବୋଛ୍ଛ୍ବାସ ମାଧ୍ୟମରେ ନିଗିଡ଼ି ଆସୁଛି ଅନେକ କବିତା-କାହାଣୀ । ମୁଁ ଅତି ସାଧାରଣରୁ କାଳ୍ପନିକ ପାଳଟି ଯାଉଛି । ପୂର୍ବର ଦ୍ବିଧାହୀନ ଜୀବନାୟନ ଏବେ ଉବୁଟୁବୁ ଦ୍ବିଧାରେ ଦ୍ବିଧାରେ । ନା'ଆଗକୁ ବଢି ହେଉଛି ନା'ପଛକୁ ଫେରି ପାରୁଛି । ଖାଲି ଜଳୁଛି ହୁ...ହୁ । ମୁଁ ଏବେ ସନ୍ଧାନରେ ସେଇ ଠିକଣାର ଯାହା ମତେ ହିଁ ଅଜଣା !

ସ୍ଵପନାୟିକା ଗୋ...ସେ ଦିନକ ରାତି ମୋ ପାଇଁ ଭାରି ପଡୁଛି ବର୍ତ୍ତମାନରୁ ଭବିଷ୍ୟତ ପର୍ଯ୍ୟନ୍ତ । ଆଉ ସେ ସ୍ବପ୍ନାତୀତ କରେ ମତେ ଅପମାନିତ ଲାଞ୍ଛିତ । ଆଦୌ ନକରି ବିରତ । ସ୍ମୃତିପଟେ ସଦା ଆତ ଯାତ ।


ରାଜେଶ ପୂଜାରୀ
କୁଶମେଲ, ଝାରସୁଗୁଡ଼ା

0 Comments