ସାଧନା - ଗୋପାଳ ଚନ୍ଦ୍ର ସାଓ

ସାଧନା - ଗୋପାଳ ଚନ୍ଦ୍ର ସାଓ

କେମିତି ଲେଖିବି ସୁନ୍ଦର କବିତା ଟିଏ
ଏମିତି କିଛି ଭାବୁ ଭାବୁ
ହାତ ବଢ଼େଇଲି
ମୋ ଚିହ୍ନା ଶବ୍ଦ ସବୁ ଆଡକୁ
କିଛି ଆସି ଧରା ଦେଲେ ତ
ଆଉ କିଛି ଲୁଚି ଚାଲିଗଲେ
ପୁଣି କିଛି ଅଚିହ୍ନା ଶବ୍ଦ ସବୁ ଆସି
ମୋ ସମୟ ସବୁକୁ ଲୁଟି ନେଇ
ପାଦ ବଢ଼େଇଲେ ନିଜ ନିଜ ବାଟରେ
ମୋ ମନ କଥା ବୁଝି କିଛି ସୁନ୍ଦର ଶବ୍ଦ
ସୁନ୍ଦର କବିତା ଦେହରୁ ଝରିପଡି
ମୋତେ ବାଧ୍ୟ କଲେ କବିତା ଟିଏ
ସୃଷ୍ଟି କରିବାକୁ ଆଉ ତା ପରେ
ମୁଁ ଲେଖିଦେଲି ଗୋଟେ କବିତା
ଯାହାର ଶୀର୍ଷକ ଦେଲି" ଉଧାର"
ତୁମେ କେମିତି ଲେଖୁଛ
ଏତେ ସୁନ୍ଦର କବିତା...???
କାହିଁ ମୁଁ ତ ପାରୁନି -ଏଇ ଦେଖ
ଗୋଟିଏ କବିତା ଲେଖୁ ଲେଖୁ
ଏଇ ସଂକ୍ଷିପ୍ତ ଆୟୁଷ ରୁ
ଖର୍ଚ୍ଚ କରିସାରିଲିଣି କେତେ ବର୍ଷ
ତଥାପି କାହିଁ କାହିଁ ମୋ କବିତା
ଯାହାକୁ ନେଇ ମୁଁ ଦିନେ
ଏତେ ଗର୍ବ କରୁଥିଲି ଏଇ ତ
ଆଉ କାହା ହାତ ଧରି
ସେ ବେଶ୍ ହସି ହସି କହୁଛି ଆରେ..
ମୁଁ ତୋର ନୁହେଁ କି ଆଉ କାହାର
ମୁଁ ତ କେବଳ ସାଧନାର

0 Comments