ଅମୃତ ପ୍ରଭାତ - ରମେଶ ଚନ୍ଦ୍ର ମିଶ୍ର

ଅମୃତ ପ୍ରଭାତ - ରମେଶ ଚନ୍ଦ୍ର ମିଶ୍ର

ହେ ବିଭୁ ପରଂବ୍ରହ୍ମ ଚିର ସନାତନ !
ତୁମେ ନିତ୍ୟ ଲୀଳାମୟ ପରମାଣୁ ଶକ୍ତି
ତୁମେ ପୁଣି କେତେବେଳେ ଜଡ ନିଶ୍ଚେତନ
କ୍ଷୀର ସାଗର ଗରଭେ ଅନନ୍ତ ସୁଷୁପ୍ତି ।

ତୁମେ ନିତ୍ୟ ଲୀଳାମୟ, ତୁମେ ମାୟାଧର
କେବେ ବନ୍ଧାହୁଅ ଜନନୀର ରଜ୍ଜୁହସ୍ତେ
ଭକ୍ତକୁ ବିପଦ ଦେଇ ମୁକ୍ତି ଦେଇପାର
ନିଜ ପୁତ୍ରେ ଅର୍ପିଦେଇ ଦାନବର ହସ୍ତେ ।

କେବେ ତୁମେ ସାଜିପାର ଅନିନ୍ଦ୍ୟ ସୁନ୍ଦରୀ
କାର୍ଯ୍ୟୋଦ୍ଧାର ପାଇଁ ଧରି ଅମୃତ କଳସୀ
କେବେ ପୁଣି ଭକ୍ତ ପାଇଁ ଦୂତ ବେଶ ଧରି
ଅପମାନ ସହି ଦିଅ ଆଶିଷ ବରଷି ।

ଯେଉଁଠି ଥାଅ ଦ୍ବାରିକା, ଗୋପ ବା ମଥୁରା
ସବୁଠି ପ୍ରଶସ୍ତି ତୁମ, ସର୍ବ ମନ ଜାଣି
ହରିନିଅ ଚିତ୍ତ ତୁମେ ଯେଣୁ ଚିତ୍ତଚୋରା
ଖଳ ପ୍ରପଞ୍ଚଙ୍କୁ ଦଣ୍ଡ କର୍ମଫଳ ଜାଣି ।

ମୁନିଙ୍କର ନାରାୟଣ, ଯଶୋଦାର ପ୍ରାଣଧନ କାହ୍ନୁ
ଗୋପ ବାଳକେ କହ୍ନେଇଁ, ଗୋପୀଙ୍କର ପରମ ପ୍ରେମିକ
ରାଧାଙ୍କର ଚିତ୍ତଚୋରା ହାତେ ଧରି ସମ୍ମୋହନ ବେଣୁ
କଂସାଦି ଅସୁର ପାଇଁ ଅମିତ ବିକ୍ରମଧାରୀ ତୁମେ କାଳାନ୍ତକ ।

ତୁମେ ଦାସ, ତୁମେ ବନ୍ଧୁ, ତୁମେ ପୁଣି ଚରଣ ସେବକ
ତୁମେ ପୁଣି ପିତା ରୂପେ ହୋଇଅଛ ପୁତ୍ର ସଂହାରକ
ତୁମେ ତ କାହାର ନୁହଁ, ଏହି ସୃଷ୍ଟି ଏକାନ୍ତ ତୁମର
ତୁମେ ନିତ୍ୟ ସନାତନ, ପାପ ପୁଣ୍ୟେ ଶ୍ରେଷ୍ଠ ବିଚାରକ ।

ଧର୍ମ ପାଇଁ ସତ୍ୟ ପାଇଁ ସୁଦର୍ଶନ ଚକ୍ରଧାରୀ
କେବେ କେବେ ଦେଖାଦିଅ ସାଗର ବେଳାରେ
କେବେ ଅବା ସ୍ତମ୍ଭ ଦେହୁ ନରସିଂହ ରୂପ ଧରି
ଭକତକୁ ରକ୍ଷାକର ବରାଭୟ ବରଦ ହସ୍ତରେ ।

କେବେ ତୁମେ କୋଟି କୋଟି ବସ୍ତ୍ର ଦେଇଥାଅ
ଲଜ୍ଜା ନିବାରଣ ପାଇଁ ଆତୁରା ସଖୀର
ପୁଣି କେବେ ସ୍ନାନରତା ଗୋପୀଙ୍କର ବସ୍ତ୍ର ଚୋରିକର
ଲଜ୍ଜା ଶିଖାଇବା ପାଇଁ ଉତ୍ସୃଙ୍ଖଳା ଗୋପୀଙ୍କୁ ସକଳ ।

କ୍ଷୀର ନାମେ ପିଆଏ ଯେ ବିଷ, ତାକୁ ତୁମେ ଦିଅ ଯେ ମୁକତି
କେବେ ପୁଣି କ୍ଷୀରପାନେ ତୁଷ୍ଟେ ଦିଅ ନନ୍ଦ ଅବତାର
ସବଳ ଭ୍ରାତା ବିରୁଦ୍ଧେ ଦୁର୍ବଳର ଅସୀମ ଶକତି
ହେ ମହିମାମୟ ପ୍ରଭୋ ! ଐଶ୍ବର୍ଯ୍ୟର ତୁମେ ଗନ୍ତାଘର ।

ପିତୃ ଆଦେଶ ମହିମା ଜଗତକୁ ବୁଝାଇବା ପାଇଁ
କ୍ରୁର ହସ୍ତେ ମାତା ଶିର କରିଲ ଚ୍ଛେଦନ
ଭାରବାହୀ ଶ୍ରବଣର ପିତୃସେବା ଯଜ୍ଞ ଯେବେ ହୋଇଲା ଅପୂର୍ଣ୍ଣ
ହତ୍ୟା ପାପ ପ୍ରାୟଶ୍ଚିତ ପାଇଁ ବନବାସ କରିଲ ବରଣ ।

"ପିତା ଧର୍ମ, ପିତା ସ୍ବର୍ଗ, ପିତା ପୁଣି ପରମ ତପସ୍ୟା"
ଆପ୍ତବାଣୀ ତୁମକଣ୍ଠୁ ବାରବାର ହୋଇଛି ନିଃସୃତ
"ମୋପାଇଁ କି ବିପରୀତ ଏଥି ?" ଅଙ୍ଗଦର ମନର ସମସ୍ୟା
ଜାରା ରୂପେ ଜନ୍ମ ଦେଇ ମନୋବାଞ୍ଛା କଲ ପରାପତ ।

"ମାତା ହିଁ କଲ୍ୟାଣମୟୀ" ଏହି ସତ୍ୟ ପ୍ରମାଣିବା ପାଇଁ
କୈକେୟୀଙ୍କୁ ମାତାଗଣେ ଦେଇଅଛ ପ୍ରଥମ ସମ୍ମାନ
ଯଶୋଦାର ଶୁଷ୍କ ସ୍ତନୁ ଦୁଗ୍ଧ ତୁମେ ଝରାଇ ପାରିଲ
ଜନନୀ ଜାତିର ପାଇଁ ଯୁଗେ ଯୁଗେ ନିଅ ହେ ଜନମ ।

ହେ ମହିମାମୟ ତୁମ ଅଶେଷ ମହିମା
ତୁମେ ବ୍ୟାପ୍ତ ଚରାଚର କିସ ବା ବର୍ଣ୍ଣିବି
ତୁମେ ନିତ୍ୟ ସନାତନ, ସୂର୍ଯ୍ୟସମ ବିଧ୍ବଂସ କାଳିମା
ଉର୍ଜ୍ଜସ୍ବଳ ଆଲୋକରେ ପ୍ରତିଭାତ ହେବି ।

ଦେଖୁଥିବି ତୁମ ରୂପ ସବୁଠାରେ, ଗାଉଥିବି ନାମ
ଶୁଣୁଥିବି ସବୁ ଶବ୍ଦେ ତୁମ ମଧୁସ୍ବର ଅନାହତ
ପାଉଥିବି ତୁମ ସ୍ପର୍ଶ ପ୍ରତ୍ୟେକ ସ୍ପର୍ଶରେ
ମୋ ପାଇଁ ହୋଇଥାଉ ଏହି ସୃଷ୍ଟି ଅମୃତ ପ୍ରଭାତ ।

0 Comments