OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଭଡାଘର - ଶ୍ରୀଧର ପଟ୍ଟନାୟକ

କ୍ଷୁଦ୍ରଗଳ୍ପ - ଭଡାଘର - ଶ୍ରୀଧର ପଟ୍ଟନାୟକ

ଘର ସାମ୍ନାରେ ଫୁଲ ଗଛରୁ ସାନ ପୁଅଟେ ଫୁଲଟିଏ ତୋଳିଦେଲା ବୋଲି ଘରମାଲିକଙ୍କ କଥାରେ ଖାଲି ଗୁଳି ଫୁଟୁଥିଲା । କେତେ ସୁନ୍ଦର ଦିଶୁଥିଲା ଫୁଲଟି । ତୋଳିଦେଲା ପୁଅଟେ, ମାଆ ପାଖରେ ଠିଆ ହୋଇଥିଲେ ବି ଟିକିଏ ଆକଟ କରିବା ବି ଉଚିତ ମନେ କଲେ ନାହିଁ । ଏଇଟା କ'ଣ ସଂସ୍କାର ! କେତେ ଯତ୍ନରେ ସେ ଫୁଲ ଗଛଟି ଲଗେଇଛନ୍ତି ଯେ' ! ଏମିତି ସେମିତି ଫୁଲ ଗଛ ହୋଇଛି କି ? ଝିଅ ଦେଇଥିଲା ବେଙ୍ଗାଲୁରରୁ । ଓଃ... କି ଛୁଆଟେ ମ । ଭାରି ଦୁଷ୍ଟ ।

କୋଉଠି ଥିଲେ କେଜାଣି ଘର ମାଲିକାଣୀ ବି ପହଞ୍ଚିଗଲେ ସେଇଠି । ଆରମ୍ଭ ହୋଇଗଲା ଚିରାଚରିତ ଭାଷଣ । ଓଃ, ମାଇ ଗଡ୍ ! ଏମିତି କିଏ କଲା ଯେ ? ଆପଣ ପାଖରେ ଠିଆ ହୋଇଥିଲେ । କହି ପାରିଲେନି , ଏମିତି କରିବା ଉଚିତନୁହେଁ । ଛୁଆଟା ଜାଣିପାରିଲାନି କ'ଣ କରିବା ଉଚିତ କି ଅନୁଚିତ । ହେଲେ ଆପଣଙ୍କର କ'ଣ ଏ ଧାରଣା ନ ଥିଲା । ହୁଁ ... ହୁଁ ... ।

ଏମିତି କଞ୍ଚା ଭାଷଣ ଚୋବାଉ ଚୋବାଉ ମାଲିକାଣୀଙ୍କ ମୁହଁରୁ ଗଳ ଗଳ ଗଳିପଡୁଥିଲା କେତେ ଇଂରାଜୀ ଶବ୍ଦ ସବୁ । ସତରେ ଆଶ୍ଚର୍ଯ୍ଯ ଲାଗେ, ନିଜକୁ ବେଶ୍ ଆଗ ଧାଡିର ବୋଲାଉଥିବା ଆମ ମାଟିର ଲୋକେ ଏମିତି ଥରେ ଥରେ ରାଗିଗଲେ କେଜାଣି କାହିଁକି ଇଂରାଜୀ ଥୁ ଥୁ କରି ବାନ୍ତି କରିପକାନ୍ତି । ବୋଧେ ନିଜର ଆଭିଜାତ୍ୟ ଦେଖାଇବା ପାଇଁ ଇଂରାଜୀ ଏକମାତ୍ର ଭାଷା । ଧନ୍ୟ କହିବ ଏ ମଣିଷମାନଙ୍କୁ । ଗୋଟିଏ ଭଡା ଘରର ମାଲିକାନା ଥିଲେ ନିଜକୁ ନିଜେ ମାଲିକ ମାଲିକାଣୀ ବୋଲାନ୍ତି । ଭୁଲିଯାଆନ୍ତି ବୋଧେ, ସାରା ସଂସାରର ମାଲିକ ତ ଆଉ ଜଣେ । ଆହାଃ, ବେଳେବେଳେ ବିରକ୍ତ ଲାଗେ ତ କେବେ କେବେ ଏମାନଙ୍କୁ ଦେଖିଲେ ଦୟା ବି ଆସେ ମନରେ । ଦିହ ମୁଣ୍ଡ କ'ଣ ହେଲେ ଆହାଃ କହିବାକୁ ପାଖରେ କେହି ନାହିଁ । ହେଲେ ବହପ କାହିଁରେ କେତେ ।

ଓଡିଆ ହେଉ କି ଇଂରାଜୀ, କିମ୍ବା ମାଲିକଙ୍କ ପରିବାରର କଥିତ ଭାଷା, ଯେ କୌଣସି ଭାଷାରେ ସେମାନଙ୍କ ଜବାବ ଦେବାର ଦକ୍ଷତା ଥାଇ ବି ଉଭୟେ ପତି ପତ୍ନୀ ପୁଅକୁ ଧରି ଘର ଭିତରକୁ ପଶିଗଲେ । ପୁଅଟିକୁ ଆକଟ କଲାଭଳି ଦୋଷ ବି ନ ଥିଲା ତା'ର । ସାମାନ୍ୟ ଫୁଲଟେ ତୋଳିବାରୁ ଯାହାକୁ ଭୁଲ ବୋଲି ଘର ମାଲିକ ତାତ୍ସଲ୍ୟଭରା ଶବ୍ଦ କେଇଟା ଫିଙ୍ଗି ଦେଇଥିଲେ, ତାଙ୍କ ପୁତ୍ରମଣି, ବିଶିକେସନ ଆଉ ଗୋଟେ ପରିବାରର ଫୁଲଟିକୁ ତୋଳି ନେଇଯାଇଥିଲା ଘର ମାଲିକଙ୍କ ବିନା ପରାମର୍ଶରେ । ବିଚରା ଫୁଲଗଛର ମାଳୀ, ତାଙ୍କ ଧର୍ମପତ୍ନୀ କିଛି ପ୍ରତିକ୍ରିୟା ରଖିପାରିନଥିଲେ ଆଇନର ନାଲି ଆଖିରେ । ସେତେବେଳକୁ ଘରର ମାଲିକ କି ମାଲିକାଣୀଙ୍କ ପାଖରେ ସଂସ୍କାରବୋଧ ଲୁଚି ଯାଇଥିଲା ନିଶ୍ଚୟ । ହୋଇପାରେ, ଉଚ୍ଚ ଶିକ୍ଷିତ ପୁଅଟିର ଏଇ ଉଦ୍ଧତପଣ ଆଗରେ ନିଜକୁ ଅସହାୟ ମନେ କରି ବାହାରକୁ ନିଜ ଉଦାରପଣର ପରିଚୟ ଦେଇଥିଲେ । କହିବା ବାହୁଲ୍ୟ,ଏଯାବତ୍ ପୁଅ ବୋହୁ ଘରେ ପାଦ ଥାପିବାର ସାହସ କରିନାହାଁନ୍ତି କି ସେମାନଙ୍କ କୋଳର ଶିଶୁ ପୁତ୍ରଟି ଏମାନଙ୍କ ଆଞ୍ଜୁଳାଏ ସ୍ନେହ ପାଇନାହିଁ ।

କ୍ୟାଣ୍ଟିନରେ ଜଳଖିଆ ଖାଉ ଖାଉ ବନ୍ଧୁ ଅନିମେଷ ଏସବୁ ମୋ ଆଗରେ ବଖାଣୁଥିଲେ । କିଛି ଉତ୍ତର ରଖିବା ଉଚିତ ମନେ କଲିନାହିଁ । ଏଥିପାଇଁ ଯେ,ସହରର ଷାଠିଏ ପ୍ରତିଶତ ଲୋକଙ୍କ ଭିଡ ଭିତରେ ମୁଁ ବି ସହଭାଗୀ ଥିଲି ; ଅନିମେଷ ଜାଣିଥିଲେ । ଏକଥା ବି ସତ ଯେ, ଭଡାଘରେ ରହୁଥିବା ଲୋକଙ୍କ ନିଜ ଗାଁଆରେ ଘର ବି ଥାଇପାରେ । କର୍ମସଂସ୍ଥାନ ଦୃଷ୍ଟିରୁ ହେଉ କି ଅନ୍ୟ କୌଣସି କାରଣରୁ ଜଣେ ଯଦି ଏ ସହରରୁ ଅନ୍ୟ ସହରକୁ ଘୂରିବୁଲେ ; ସବୁଠି ଯେ' ନିଜ ଘର ରହିବ, ଏହାର ମାନେ ନାହିଁ ।

ତା' ମାନେ ନୁହେଁ ଯେ, ଯୋଉଠି ରହିବ ଏମିତି ଅବସ୍ଥା ଦେଇ ହିଁ ରହିବାକୁ ହେବ । ଘରର ଭଡା ଯେତିକି ପ୍ରାପ୍ୟ, ତା'ଠାରୁ ବେଶ୍ କିଛି ଭଡା ଅଧିକ ଦେଲେ ବି ମାଲିକ ମାଲିକାଣୀଙ୍କୁ ଟିକିଏ କମ୍ ହିଁ ଲାଗେ । ବୋଧେ ମାଲିକପଣିଆ ପ୍ରଦର୍ଶନ ଲାଗି ଗୋଟାଏ ଗୋଟାଏ ସୁଯୋଗ ଅପେକ୍ଷାରେ ଥାଆନ୍ତି ତଥାକଥିତ ସଂସାରର ନୂଆ ମାଲିକବର୍ଗ ।

ହଁ, ଏସବୁର ବାହ୍ୟ ଆଲୋଚନା ମଧ୍ୟରେ ଘର ମାଲିକଙ୍କ କିଛି କଥା, ଭଡା ଘରେ ରହୁଥିବା ଲୋକଙ୍କ ବ୍ୟଥା କିଛି ଲୁଚିଗଲା ବୋଧେ ।

ଏଇ ଯେମିତି ଭଡା ଘର ଖୋଜୁଥିବା ଲୋକଙ୍କ ସହ ପ୍ରଥମ ଦେଖାରେ ବାର୍ତ୍ତାଳାପ କୌଣସି ଉଚ୍ଚସ୍ତରୀୟ ସାକ୍ଷାତକାରଠୁଁ କିଛି କମ୍ ନୁହେଁ । କେତେ ଜଣ ରହିବେ / ପିଲା ଛୁଆ ଅଛନ୍ତି / ବନ୍ଧୁବାନ୍ଧବ ନିୟମିତ ଆସନ୍ତି କି / ଘର କାନ୍ଥ ଅସନା କରିବେନି / ପାଣି ଟିକିଏ କମ୍ ଖର୍ଚ୍ଚ କରିବେ / ଘର ପରିଷ୍କାର ପରିଚ୍ଛନ୍ନ ରହିବ ଯେମିତି / ଦଶ ବାର ଦିନ ଘର ଖାଲି କରିବେ, କିଛି ମରାମତି କାମ ଅଛି / ... ଇତ୍ୟାଦି ଇତ୍ୟାଦି । ଦୁଇ ମାସର ଅଗ୍ରୀମ ଭଡା ସାଙ୍ଗକୁ ପ୍ରତି ମାସର ପ୍ରଥମ ସପ୍ତାହରେ ଯେମିତି ଘର ଭଡା ଦେଇଦେବେ । ଏମିତି କେତେ କ'ଣ ସର୍ତ୍ତାବଳୀ ସହ ଅନେକ ଅପମାନଜନକ ବ୍ୟବହାର ବି ସହିବାକୁ ପଡେ ଅନିଚ୍ଛା ସତ୍ତ୍ବେ । ଏଇଆ ବି ସତ୍ୟ ଯେ ; ସହରର ସବୁ ଭଡାଘର ମାଲିକ ସମଗୋତ୍ରୀ ଯେତେବେଳେ,କାହାକୁ କିଛି ନ କହି ଚଳେଇଦେଲେ ଭଲ ।

କ୍ୟାଣ୍ଟିନରୁ ବାହାରି ଘରକୁ ଫେରିବା ବାଟରେ ଅନିମେଷଙ୍କ କଥା ସହ ଅନେକ ଚିନ୍ତା ମୋ ମୁଣ୍ଡରେ ଜୁଟୁଥିଲା । ଧୀରେ ଧୀରେ ଏମିତି ପ୍ରସଙ୍ଗ ଯେ, ମୋତେ ଢେର୍ ସମୟ ଧରି କବଳିତ କରି ରଖିବ ; ଏ ଧାରଣା ମୋର ନ ଥିଲା । ଏତିକିରେ ମୁଁ ମୋ ଅଜାଣତରେ ପହଞ୍ଚି ଯାଇଥିଲି ମୋ ମାଟିର ସେଇ ଅଗଣିତ ଅନ୍ନଦାତାଙ୍କ ପାଖରେ, ଯେଉଁମାନେ ଅନିମେଷ କିମ୍ବା ମୋ ଭଳି ଭଡାଘରେ ନ ରହି ଭଡା ଜମିରେ ଚାଷ କରନ୍ତି ଭାଗଚାଷୀ ଭାବରେ । ସେମାନଙ୍କ ଅବସ୍ଥା ବି ନିଶ୍ଚୟ ଆମ ଆଲୋଚନା ପରିସରରେ ।। ଅବଶ୍ୟ ଆର ଥରକୁ ......


ଶ୍ରୀଧର ପଟ୍ଟନାୟକ, କଲ୍ୟାଣସିଂହପୁର, ରାୟଗଡ
ମୋବାଇଲ: ୯୧୭୮୭୪୪୨୫୦

0 Comments