Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ମୁଁ କାହିଁକି ଲେଖେ - ବିଶ୍ଵ ଭାରତୀ ଦାଶ

ଅନେକ ଭାବନ୍ତି ଓ ପଚାରନ୍ତି ମଧ୍ୟ !! ହଁ, ସତ କଥାତ ! ଏ କଥାଟି କେବେ ଭାବିବା ଦରକାର୍ ପଡେନି ମୋ ପାଇଁ ! ଖାଲି ମୋ ପାଇଁ କାହିଁକି, ସମସ୍ତଙ୍କ ପାଇଁ ବି ତ ଏଇ ଟା ଲାଗୁ ନା ! କାହିଁକି କରୁ ସେଇ କାମଟା (ଯେଉଁଟା ଆମର ଅଭ୍ୟାସ ଗତ ବା ଏକ ସଉକ୍) ?? ଭାବୁ ଭାବୁ କେତେ ବେଳେ ନିଦ ଆସିଗଲା ଜାଣେନି ।

ପୁରା ଫର୍-ଚା ଦିଶିଲାଣି ! ଝର୍କା ପରଦା ଆଡ଼େଇ ଦେଖିଲି ସକାଳର କଅଁଳିଆ ଖରା ପକେଇ ସୂର୍ଯ୍ୟ ତେର୍-ଚ୍ଛା ହସ ଦେଇ ଆଖି ମାରୁଛି । ଲାଜେଇ ଗଲି, ପଚାରିଲି, "ତୁମେ ସବୁଦିନ୍ କାହିଁକି ମୋତେ ସକାଳୁ ସକାଳୁ ତୁମ କିରଣରେ ସାଉଁଳି ଦେଉଛ ?" ହସିଦେଇ ଚୁପ୍ ରହିଲା । ଉପରକୁ ଉପରକୁ ଉଠିଗଲା ଧୀରେ ଧୀରେ ।

ଆଖି ପଡ଼ିଲା ଝର୍କା ବାହାରର ସବୁଜିମା ଉପରେ । ଦେଖିଲି କୋଇଲି ବସି କୁହୁ ତାନ ଦେଉଛି, କାଉର କର୍କଶିଆ ଶବ୍ଦରେ ତଡା ପଡୁଛି, କୁକୁଡ଼ାର କକକ୍-କ ଡାକ, ହଳଦୀବସନ୍ତ ତା ସୁନ୍ଦର ରଙ୍ଗର ଲୁଚକାଳି ଖେଳୁଛି । ସମସ୍ତଙ୍କ ସହ କଥା ହେବାକୁ ବାହାରିଲା ବେଳକୁ, କୁଆଡେ ଥିଲା ଏ ଦୁଷ୍ଟ ପ୍ରଜାପତିଟା ଉଡ଼ି ଆସି ମୋ ଦେହମୁହଁରେ ଘଷିନେସି ହେଲା ଏପଟ ସେପଟ ହୋଇ । ଓଃ, ଖାଲି ଇଜିରି ବିଜିରି କରି ତରକୁ ଥାଏ କି ମୋତେ ତରକଉ ଥାଏ ବୁଝି ପାରିଲିନି, ପାପୁଲି ମେଲିଲାରୁ, ଚୁପ୍ କି ଆସି ବସି ପଡ଼ିଲା, ପଚାରିଲି, "ଏଇ ତୁ ଏମିତି ସବୁବେଳେ ସମସ୍ତଙ୍କ ସହ କାହିଁକି ଖେଳୁ କହନା ?" ହସିଦେଇ, ମୋତେ ଟିକେ ଗେହ୍ଲ କରି ଉଡ଼ି ଗଲା ଫୁର୍ କିନା !

ଆଗକୁ ବଢ଼ିଲି, ଫୁଲ ମାନେ ମୋ ଆଡ଼କୁ ଢଳି ପଡ଼ିଲେ । ଆଃ, କି ମିଠା ବାସ୍ନା, ଆଶୀର୍ବାଦ ପରି ଝରି ପଡ଼ିଲେ ମୋ ଉପରେ । ଖୁବ୍ ଖୁସି ଲାଗିଲା । ଫୁଲମାନଙ୍କୁ ଆଞୁଳିରେ ଧରି ପଚାରିଲି, "ଏଇ, ତୁମେ ସବୁ ଏତେ ସୁନ୍ଦର କାହିଁକି ହୋଇଛ, କାହିଁକି ଏତେ ବାସ୍ନା ଦେଉଛ, କାହିଁକି ସମସ୍ତଙ୍କ ମନ ମୋହିନେଉଛ ରେ ??" ବାସ୍ ଫିକ୍ କରି ହସିଦେଇ ତାଙ୍କ ଗଛରେ ଆଉଜି ଗଲେ, ଆଉ କିଛି ମୋ ହାତ ମୁଠାରେ ଶୋଇ ପଡ଼ିଲେ, ଆଉ କିଛି ଫୁଲ ତାଙ୍କ ପିଠି ପାରିଦେଲେ, ମୁଁ ଚାଲିବାକୁ । ବାସ୍ ମୋ ପ୍ରଶ୍ନର ଉତ୍ତର ଦେଲେନି କେହି ।

ପୁଣି ଆଗକୁ ପାଦ ବଢ଼ିଚାଲିଲା । ଦେଖିଲି ନଈଟା କିଛି ଶବ୍ଦ କରି ଯାଉଛି । ବସିଲି ତା କୂଳରେ ଯାଇ । ଡାକିଲି ତାକୁ, "ଏଇ ଶୁଣ୍ ଟିକେ, ତୁ ଏମିତି କାହିଁକି ବୋହି ଚାଲିଛୁ, କହନା ??" । ସେ ମୋତେ ଟିକେ କଡେଇ ଚାହିଁଲା, ଟିକେ, ମୁହଁ ମୋଡି ଦେଇ, ଅଣ୍ଟାକୁ ହଲେଇ ଝୁଲେଇ ଆଗକୁ ମାଡ଼ି ଗଲା । ନଈ କଡେ କଡେ ଯାଇ କେତେ ବେଳେ ପହଞ୍ଚି ଗଲିଣି, ଘର୍ଘର ନାଦିଆ ସମୁଦ୍ର ନିକଟରେ, ଜଣା ପଡ଼ିଲାନି କାହିଁ !! ସମୁଦ୍ର ମୋତେ ଦେଖି ଜୋରରେ ହୁଂକାର ପକାଇ ଆସିଲା । କହିଲା " ଏଃ , କ'ଣ ଭାବୁଛୁ ? "ମୁଁ ଟିକେ ଶଂକି ଯାଇ ପଚାରିଲି, "ତୁମେ କାହିଁକି ଏମିତି ଢେଉ ଭାଙ୍ଗ ?" ଖୁବ୍ ଜୋର୍-ରେ ଅଟ୍ଟହାସ୍ୟ ଦେଇ କହିଲା, "ମୂର୍ଖ !" ପୁଣି ଫେରି ଗଲା ପଛକୁ । ଏଥର ମୁଁ ଫେରିଲି ପଛକୁ, ଅନେକ୍ ଦୂରରେ ଛାଡ଼ି ଆସିଥିଲି ମୋ ଘର !! ବାଟରେ ଫେରିବା ସମୟରେ ସମାନ୍ କଥା ସମସ୍ତଙ୍କୁ ପଚାରିଲି । ସମସ୍ତଙ୍କର ସେଇ ସମାନ୍ ଭଙ୍ଗୀ !!

ଏଥର ସଞ୍ଜ ନଇଁ ଆସୁଥାଏ । ଦେଖିଲି ତାରା ମାନେ ଆସୁନାହାନ୍ତି । ବସିଲି ପିଣ୍ଡାଟାରେ ଜଳଜଳ ଚାହିଁ ଆକାଶକୁ । ହସିହସି ଜହ୍ନ ଆସୁଥାଏ । ବାଃ କି ସୁନ୍ଦର ତା'ର ମୁହଁ ! ସେ ବି ମୋତେ ଦେଖି ହାତ ବଢ଼ାଇଲା ଥିରି ଥିରି କରି ହସୁଥାଏ, ଅନେକ୍ କିଛି କହିଲା ଭଳି ଲାଗୁଥାଏ । ଆସି ବସି ପଡିଲା ମୋ ପାଖରେ । କହିଲା କିଛି କହିବ ! ମୁଁ ପଚାରିଲି ତୁମ ଦେହରେ ଏତେ କଳଙ୍କର ଦାଗ ଥାଇ ବି କେମିତି ଏତେ ଖୁସି ରୁହ ତୁମେ ? କାହିଁକି ଶୀତଳ କିରଣ ବିଛାଇ ଦିଅ ସମସ୍ତଙ୍କୁ ? "ସେ ଟିକେ ମୁରୁକି ହସିଦେଇ ତା ପାଖକୁ ଭିଡ଼ି ନେଇ କହିଲା, "ତୁ ସତରେ ଗୋଟେ ପାଗେଳି ଟେ ! "ମୁଁ ତାକୁ ପେଲି ଦେଇ କହିଲି "ଯାଃ, ଆଉ କେବେବି କିଛି ପଚାରିବିନି" । ରୁଷିଗଲି ମୁଁ, ଜହ୍ନ ଚାଲିଗଲା ।

ବାସ୍ ଏକା ବସିଛି, ହଠାତ୍, ମୋ ଭିତରୁ କିଏ ସବୁ ବାହାରକୁ ବାହାରି ଆସିଲେ ଫକ୍ ଫାକ୍ । ମୁଁ ପଚାରିଲି "ଏ, ତୁମେ ସବୁ କିଏ ? କେଉଁଠି ଥିଲ ?" ସେମାନେ କହିଲେ "ତୁ ଆମକୁ ଚିହ୍ନିନୁ ! ଆମେ ପା ତୋରି ଭିତରେ ଥାଉ ! ଯେତେବେଳେ ଆମକୁ ତୁ ଚରମ ଅନୁଭବ କରୁ, ଆମେ ପରା ତୋତେ ଶବ୍ଦ ଦେଉ ! ତୁ କାଗଜ କଲମରେ ବସି ତାକୁ ସିଲେଇ କରୁ । ଆମ ମନ କଥା ସବୁ ଲୋକଙ୍କୁ କହିଦେଉ । ଲୋକେ କ'ଣ ବୁଝନ୍ତି କେଜାଣି, କିଏ କେତେ ପ୍ରକାର କଥା ସବୁ ତୋତେ କହନ୍ତି । ଆମେ ତୋ ଭିତରେ ଥିବା.. ସୁଖର, ଦୁଃଖର, ହସର, ଲୁହର ସବୁ ଚରମ ଅନୁଭବ ର ଶବ୍ଦଗୁଚ୍ଛ !! ଆମ ପାଇଁ ତ ତୁ ଏତିକି ଲେଖି ପାରୁଛୁ, ଅଥଚ ଏତିକି ବୁଝି ପାରୁନୁ ଯେ ସମସ୍ତଙ୍କୁ ପଚାରି ହେଉଛୁ ? ସେଇଥିପାଇଁ ତ ସମୁଦ୍ର, ତୋ ବୋକାମି ପାଇଁ ତୋତେ ମୂର୍ଖ କହିଲା, ଆଉ ଜହ୍ନ ତୋ ସରଳତା ପାଇଁ ତୋତେ ପାଗେଳିଟେ କହିଲା । କିନ୍ତୁ ତୁ ଯେ ଏକ ଅନୁଭବର ଗନ୍ତାଘର, ସେକଥା ଏ ପର୍ଯ୍ୟନ୍ତ ବୁଝି ପାରିଲୁନି କି ଉତ୍ତର ବି ଖୋଜି ପାଇଲୁନି ??? ଏତିକି କହି, ଖପ୍ ଖାପ୍ ପଶିଗଲେ ମୋ ଭିତରକୁ !

କଡ଼ ଲେଉଟିଲି, ଦେଖିଲି ଫର୍-ଚା ହୋଇଗଲାଣି । ଉଠି ଦେଖିଲି, କଲମ କାଗଜ ମୋତେ ଡାକୁଛନ୍ତି । କହୁଛନ୍ତି, "ଆରେ ଯାହା ସବୁ ସ୍ବପ୍ନରେ ଦେଖି ଅନୁଭବ କଲୁ, ସିଲେଇ ପକା ଆମ ଦେହରେ । ତାପରେ ଆମକୁ କହ, ତୋତେ କେମିତି ଅନୁଭବ ହେଉଛି, ଲେଖି ସାରି ! ବାସ୍ ଆଉ କ'ଣ, ଏତିକି ବୁଝିବାକୁ ମୁଁ ଏତେ ସବୁକୁ ସ୍ବପ୍ନ ଦେଖୁଥିଲି ??? ....ମୁଁ ତେବେ ଏଇଥିପାଇଁ ଲେଖେ ! ହଁ ବୋଧେ !!


✍️ ବିଶ୍ବ ଭାରତୀ ଦାଶ ।

Post a Comment

0 Comments