Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଛୋଟ ଘଟଣାଟିଏ - ରମାକାନ୍ତ ମିଶ୍ର

ଜୀବନରେ ଅନେକ ଛୋଟ ଛୋଟ ଘଟଣା ଏପରି ଘଟି ଯାଏ ଯେଉଁ ଗୁଡାକ କିନ୍ତୁ ଗଭୀର ଚିହ୍ନ ରଖିଥାଏ I ଏପରି ଘଟଣା ଗୁଡାକ ସମସ୍ତଙ୍କ ଜୀବନରେ ଘଟେ ଆଉ ମୋ ଜୀବନରେ ବି ଘଟିଛି I ସେହିପରି ଛୋଟ ଘଟଣାଟିଏ........

ବୋଧ ହୁଏ ୧୯୮୭ ମସିହା ନଭେମ୍ବର ମାସର କଥା, ମୋର ପ୍ରକୃତ ତାରିଖ ମନେ ନାହିଁ I ଡ଼ାଇରୀ ରେ ଖୋଜିଲେ ମିଳିଯିବ I ସେ ତାରିଖ କି ଦିନର କୌଣସି ମହତ୍ତ୍ୱ ନାହିଁ ମୋ ପାଖରେ, ଯେଉଁ ଛୋଟ ଘଟଣାଟି ଘଟିଥିଲା ତାର କିନ୍ତୁ ଚିହ୍ନ ଏ ଯାଏ ମୋ ମନରେ ଅଛି I ମୁଁ ସେ ବର୍ଷ ଜାତୀୟ ସୁରକ୍ଷା ପରିଷଦର ପଶ୍ଚିମାଞ୍ଚଳ ପାଇଁ ଆବାହକ ନିଯୁକ୍ତ ହୋଇଥାଏ I ମୁଁ ସେତେବେଳେ ଟାଟା ରିଫ୍ରାକଟାରିଜ କାରଖାନାର ତାଲିମ ଏବଂ ସୁରକ୍ଷା ଉଭୟର ମୁଖ୍ୟ ଥିଲି I ସେତେବେଳେ ଆମ କମ୍ପାନୀର ପରିଚାଳନା ନିର୍ଦେଶକ ଥିଲେ ଶ୍ରୀଯୁକ୍ତ ଅଶୋକ ମେହେଟ୍ଟା ସାହେବ ଆଉ ମୁଖ୍ୟ ସାଧାରଣ ପରିଚାଳକ ଥିଲେ ଶ୍ରୀଯୁକ୍ତ ଡ଼ି.ଏମ.ପଟ୍ଟନାୟକ I ମୁଁ ଜାତୀୟ ସୁରକ୍ଷା ପରିଷଦ ଓଡିଶା ଶାଖାର ଆବାହକ ମନୋନୀତ ହେବI ପରେ ସେ ଉଭୟେ ମୋ ଉପରେ ଯଥେଷ୍ଟ ଖୁସି ହୋଇଥିଲେ ଏବଂ ସ୍ଵେଛା ପୂର୍ବକ ସେ ଦାୟିତ୍ୱକୁ ତୁଲାଇବା ପାଇଁ ଯଥେଷ୍ଟ ସ୍ୱାଧୀନତା ଦେଇଥିଲେ I ମୁଁ ଯେଉଁ ବର୍ଷ ହୋଇଥିଲି ଆବାହକ ସେହିବର୍ଷ ସଭାପତି ଭାବରେ ଶ୍ରୀଯୁକ୍ତ ବାଗ̖ଡିଂକୁ ମନୋନୀତ କରାଯାଇଥିଲା I ସେତେବେଳେ ସେ ଓରିଏଣ୍ଟ ପେପର ମିଲ ବ୍ରଜରାଜନଗର ର ପରିଚାଳନା ମୁଖ୍ୟ ଥିଲେ I ସେ ମଧ୍ୟ ଅତ୍ୟନ୍ତ ମିଷ୍ଟ ଭାଷି ଏବଂ ଦକ୍ଷ ପ୍ରଶାସକ ଥିଲେ I ମତେ ତାଙ୍କ ସହିତ ବିଭିନ୍ନ ସୁରକ୍ଷା ପ୍ରୋଗ୍ରାମ କରିବାରେ ବିଶେଷ ଭଲ ଲାଗୁ ଥିଲା କାରଣ ତାଙ୍କର ପୂର୍ଣ୍ଣ ସହଯୋଗ ପ୍ରତ୍ୟେକ କାର୍ଯ୍ୟରେ ମିଳୁ ଥିଲା I ମୁଁ ବେଲପାହାଡ଼ରେ ରହୁ ଥିବାରୁ ବ୍ରଜରାଜ ନଗର ବହୁତ ପାଖ ହେଉଥାଏ I ମୁଁ ସାଧାରଣତଃ ସନ୍ଧ୍ୟା ଛଟା ପର୍ଯ୍ୟନ୍ତ ମୋ ନିଜର ଅଫିସର ସବୁ କାମ ସାରି ଦେଇ ଗାଡି ନେଇ ଯାଏ ବ୍ରଜରାଜନଗର ଆଉ ସେଠାରେ ବିଭିନ୍ନ ସୁରକ୍ଷା ପ୍ରୋଗ୍ରାମ ସମ୍ବନ୍ଧରେ ବାଗଡ଼ି ସାହେବଙ୍କ ସହିତ ପରାମର୍ଶ କରେ I ବେଶୀ ରାତି ହୋଇଗଲେ ମୁଁ ଓରିଏଣ୍ଟ ପେପର ମିଲ ର ଅତିଥି ଭବନରେ ରହିଯାଏ ରାତିକ ପାଇଁ ଏବଂ ତା ପରଦିନ ସକାଳେ ଫେରି ଯାଏ ବେଲପାହାଡ଼କୁ I ମୋର ରହିବାର ଇଛା ନ ଥିଲେ ମଧ୍ୟ ବାଗଡ଼ି ସାହେବ ବେଳେ ବେଳେ ବାଧ୍ୟ କରି ମତେ ରଖାଇ ନିଅନ୍ତି ତାଙ୍କର ଗେଷ୍ଟ ହାଉସ ରେ I

ସେତେବେଳେ ଓରିଏଣ୍ଟ ପେପର ମିଲ ଭଲ ଚାଲୁଥାଏ ଆଉ ସେମାନଙ୍କର ଅନେକ ଗେଷ୍ଟ ହାଉସ ମଧ୍ୟ ଥାଏ I ପ୍ରତିଦିନ ଅନେକ ଲୋକ ସେମାନଙ୍କର ବିଭିନ୍ନ ଗେଷ୍ଟ ହାଉସ ମାନଙ୍କରେ ରହି ଆପ୍ୟାୟିତ ହେଉଥିଲେ I ବ୍ରଜରାଜନଗର ର ଯେତେ ଗୁଡିଏ ଗେଷ୍ଟ ହାଉସ ଥିଲା ସବୁ ଗୁଡିକ ଠିକା ଶ୍ରମିକରେ ଚାଲୁ ଥିଲା, ସେତେବେଳେ ଆମ ବେଲପାହାଡ଼ର ଗେଷ୍ଟ ହାଉସ ଗୁଡିକ କିନ୍ତୁ ଟାଟା ପରମ୍ପରା ଅନୁଯାୟୀ ନିଜସ୍ୱ ଲୋକରେ ଚାଲୁ ଥିଲା I ନିଜସ୍ୱ ଲୋକରେ ଚାଲିଲେ ମଧ୍ୟ ମୁଁ ଦେଖିଛି ଆମ ଗେଷ୍ଟ ହାଉସ ର ଅIଥିଥେୟତା ଏତେ ଭଲ ନ ଥିଲା I ଷ୍ଟାଫ ମାନେ ଏତେ ଦରମା ନେଉ ଥିଲେ କିନ୍ତୁ ଅତିଥି ମାନେ ସେ ଅନୁସାରେ ଆତିଥେୟତା ପାଉ ନ ଥିଲେ I ଠିକ̖ ତାର ବିପରୀତ ବ୍ରଜରାଜନଗର ର ଗେଷ୍ଟ ହାଉସ̖ ର ସେ ଠିକା ଶ୍ରମିକ ମାନେ ଅତି କମ ଦରମାରେ ଅତି ଚମତ୍କାର ଭାବରେ ଅତିଥି ସେବା କରୁଥିଲେ I

ଯେଉଁ ଦିନର ଘଟଣା ଲେଖୁଛି ସେ ଦିନ ମୁଁ ଯାଇଥାଏ ବେଲପାହାଡ଼ରୁ ବ୍ରଜରାଜ ନଗର ସନ୍ଧ୍ୟା ବେଳେ, କାମ ସରୁ ସରୁ ରାତି ହୋଇଯାଇଥାଏ ଫଳରେ ମୁଁ ତିନି ନମ୍ବର ଗେଷ୍ଟ ହାଉସ̖ର ପ୍ରଥମ ମହଲାରେ ଗୋଟାଏ ରୁମରେ ରହିଗଲି I ସେ ଦିନ ମତେ ଭଲ ଲାଗୁ ନ ଥିଲା, ମୋ ପେଟଟା ମଧ୍ୟ ଭଲ ନ ଥିଲା I ତେଣୁ ରାତିରେ ଆଉ କିଛି ନ ଖାଇ ଶୋଇବା ପାଇଁ ମୁଁ ସ୍ଥିର କରି ଥିଲି I ତେଣୁ କରି ମୁଁ ପ୍ରାୟ ରାତି ଦଶଟାରେ ସବୁ ବୟ ମାନଙ୍କୁ ମନା କରି ଦେଲି ଯେ ଆଜି ରାତିରେ ଖାଇବି ନାହିଁ ଆଉ ଶୋଇବାକୁ ଯାଉଛି I ମତେ ଯେପରି କେହି ନ ଉଠାନ୍ତି I ମୁଁ ଉପରକୁ ଯାଇ ନିଜ ରୁମ ର ଦରଜା ବନ୍ଦ କରି ଶୋଇ ପଡିଲି I କେତେ ସମୟ ଶୋଇଛି ମତେ ଜଣା ନାହିଁ I ମୁଁ ଶୋଇ ଯାଇଥାଏ ନିଦରେ I ହଠାତ ମୋ ନିଦ ଭାଙ୍ଗିଲା କାହାରି ଦରଜା ବାଡିଆରେ I ମୋର ବିରକ୍ତିର ଚରମସୀମା ହୋଇଗଲା, ମୁଁ ଥରେ ଶୋଇଗଲା ପରେ ବିଶେଷ କରି ରାତିରେ ମତେ କେହି ଉଠାଇଲେ ମୁଁ ଭାରି ବିରକ୍ତ ହୁଏ I ଏକେତ ମୁଁ ଗେଷ୍ଟ ହାଉସର ମ୍ୟାନେଜର କୁ ମନI କରି ଦେଇଥିଲି ମତେ କେହି ନ ଉଠାଇବା ପାଇଁ, ତେଣୁ କରି ମୁଁ ଭାରି ରାଗି କରି ଉଠିଲି ଆଉ ଦରଜI ଖୋଲିଲି I ଦରଜIରେ ଗୋଟିଏ ବୟ ଟାଏ ଠିଆ ହୋଇଥାଏ ଆଉ ମୋ ଆଡକୁ ଚାହିଁ ସାମାନ୍ୟ ତଳକୁ ମୁହଁ କରି ଠିଆ ହୋଇ ଥାଏ I ମୋ ରାଗ ଚରମରେ ପହଂଚି ଗଲା, ଘଡି ଦେଖିଲି ସେତେବେଳକୁ ବାଜି ଥାଏ ରାତି ଏଗାରଟା ତିରିଶ ! ମୁଁ ସେ ବୟ ଉପରେ ଭୟଙ୍କର ଭାବରେ ରାଗିଲି ଆଉ ପଚାରିଲି ମନା କରିଥିବା ସତ୍ୱେ ସେ କାହିଁକି ଏତେ ରାତିରେ ଆସି ମତେ ନିଦରୁ ଉଠାଇଲା ? ବୟ ଟି କିଛି ନ କହି ମୁହଁକୁ ଆହୁରି ଟିକିଏ ତଳକୁ କରି ଠିଆ ହେଲା, ମୁଁ ଆହୁରି ବିରକ୍ତ ହେଲି ଆଉ ତାକୁ ଶୀଘ୍ର ସେଠାରୁ ଚାଲିଯିବା ପାଇଁ କହିଲି I ତେବେବି ସେ ଗଲା ନାହିଁ I ମୁଁ ତାକୁ ପଚାରିଲି ତାର କଣ ଦରକାର ବୋଲି I କିଛି ସମୟ ପରେ ସେ ବୟ ଟି କହିଲା " ସାର ଆପଣ ମତେ ଆଉ ଅନ୍ୟ ମାନଙ୍କୁ ମଧ୍ୟ ମନା କରିଥିଲେ ଆପଣଙ୍କୁ ନ ଉଠାଇବା ପାଇଁ, ମୁଁ ଜାଣିଛି I ଆଉ ଏହା ମଧ୍ୟ ଜାଣିଛି ଯେ ଆପଣ ଆଜି ରାତିରେ ମଧ୍ୟ କିଛି ଖାଇ ନାହାନ୍ତି I ନଭେମ୍ବର ମାସର ଥଣ୍ଡା ରାତି, ଏତେ ବଡ଼ ରାତିରେ କିଛି ନ ଖାଇ ଶୋଇବାଟା ଭଲ ନୁହେଁ I ଆପଣ ଆମର ଏ ଗେଷ୍ଟ ହାଉସ ରେ ରାତି ସାରା କିଛି ନ ଖାଇ ରହିବେ ଏ କଥା ଆମକୁ ଭଲ ଲାଗିବ ନାହିଁ, ମୁଁ ତେଣୁକରି ଆପଣଙ୍କ ପାଇଁ ଗରମ କ୍ଷୀର ଏକ ଗ୍ଲାସ ଆଣିଛି ଆପଣ ଦୟାକରି ୟା'କୁ ପିଇ ଦେଇ ଶୋଇପଡ଼ନ୍ତୁ I"

ସେ ଡରି ଡରି ଏତକ କହିଦେଇ ମୁହଁ ତଳକୁ କରି ଠିଆ ହେଲା I ମୁଁ ଏବେ ତା ହାତରେ ପ୍ଲେଟ ଉପରେ କ୍ଷୀର ଗ୍ଳାସଟିଏ ଥୁଆ ହୋଇ ଥିବାର ଦେଖି ବାକୁ ପାଇଲି I ଆଗରୁ ଚିଡି କରି ଦରଜା ଖୋଲି ଥିବାରୁ ମୁଁ ଆଉ ତା ହାତରେ ଥିବା କ୍ଷୀର ଗ୍ଳାସ ଟିକୁ ଆଗରୁ ଲକ୍ଷ କରି ନ ଥିଲି I ତାର କଥା - " ସାର ଆପଣ ଆମ ଅତିଥି ଆଉ ଏତେ ବଡ଼ ରାତିରେ କିଛି ନ ଖାଇ ଶୋଇବେ ଆମକୁ ଭଲ ଲାଗିବ ନାହିଁ I ଏ କ୍ଷୀର ଗ୍ଲାସ ଆଣିଛି ପିଇକରି ଶୋଇ ପଡନ୍ତୁ I " - ମୋର ସବୁ ରାଗ ଥଣ୍ଡା ହୋଇ ସାରି ଥାଏ I ମୁଁ ମନେ ମନେ ଭାବିଲି ଆମ ବେଲପାହାଡ ର ଗେଷ୍ଟ ହାଉସ ର ସେ ନିଜର ଷ୍ଟାଫ ମIନେ ଏତେ ପଇସା ଦରମା ନେଇ କେବେବି ଏମିତି ନିଜ ଲୋକ ଭଳିଆ ଦରଜା ବାଡେଇ ଉଠାଇ କ୍ଷୀର ପିଇବାକୁ ଦେଇ ନ ଥାନ୍ତେ I ଆଜିକାଲିତ ନିଜ ସ୍ତ୍ରୀ ମIନେବି ଏତେ ଆପଣାର ପରି ଏମିତି କରିବେ ନାହିଁ I ଏ ଗୋଟିଏ ଠିକା ଶ୍ରମିକ I ଦିନକୁ ୨୫ ଟଙ୍କା ଦରମା ପାଉଥିବ କିନ୍ତୁ ଦାୟିତ୍ୱ ଜ୍ଞାନ ଏବଂ ମଣିଷ ପଣିଆ କେତେ ବେଶୀ ! ମୁଁ ତା ଉପରେ କର୍କଶ ହୋଇ ଥିବାରୁ ତା ଠାରୁ କ୍ଷମା ମାଗିନେଲି ଏବଂ କ୍ଷୀର ଗ୍ଲାସ ଟିକୁ ରଖି ଦେଇ ଯିବା ପାଇଁ କହିଲି I ଏ ଘଟଣା ଅତି କ୍ଷୁଦ୍ର କିନ୍ତୁ ଏହାର ପ୍ରଭାବ ଏବେବି ମୋ ମନରେ ରହି ଯାଇଛି I


ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୁବନେଶ୍ୱର - ୭୫୧୦୨୧
ଭ୍ରାମ୍ୟଭାଷ : ୯୯୩୭୨୬୮୦୧୨

Post a Comment

1 Comments

  1. ରାମଚନ୍ଦ୍ର ପାଣି9/16/2018

    ପ୍ରୀତିପୁଷ୍ପାଙ୍କ କବିତା ଭଲ ଲାଗିଲା । ହେଲେ ଆପଣମାନେ ଶବ୍ଦର ଆରମ୍ଭ ଡ-ରେ ଓ ଢ-ରେ ବିନ୍ଦୁ ଲଗାଉଛନ୍ତି କାହିଁକି? ଅଭିଧାନରେ ତ ସେପରି ନାହିଁ ! ଓଡ଼ିଶା ଓ ଓଡ଼ିଆ-ରେ ବିନ୍ଦୁ ନ ଲଗାଇ ଢେଙ୍କାନାଳ, ଡେରା, ଡର ପ୍ରଭୃତି ଶବ୍ଦରେ ବିନ୍ଦୁ ଦେବା ଠିକ୍ ନୁହେଁ । ବଦଭ୍ୟାସ ବଦଳାନ୍ତୁ ।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।